କେ-ପପ୍ ଅର୍ଥାତ୍ କୋରିଆନ୍ ପପ୍ ସଙ୍ଗୀତକୁ ନେଇ ଏବେ ସାରା ବିଶ୍ୱରେ ଯୁବପିଢ଼ିଙ୍କ ମଧ୍ୟରେ ଖୁବ୍ କ୍ରେଜ୍ ରହିଛି। ଦେଶର ପ୍ରଥମ ଓଡ଼ିଆ ଝିଅ ଭାବେ ସାଉଥ୍ କୋରିଆର କେ-ପପ୍ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ ଓଡ଼ିଶାର ଶ୍ରେୟା। କେ-ପପ୍ ଗ୍ରୁପ ‘ବ୍ଲାକ୍ ସ୍ୱାନ୍’ରେ ନିଜ ସ୍ଥାନ ବନାଇଥିଲେ । ଶ୍ରେୟା ଦକ୍ଷିଣ କୋରିଆରେ ରହି କୋରିଆ ଭାଷା ଶିଖିବା ସହିତ ଅନେକ ଜିନିଷ ପାଇଁ ତାଲିମ ନେଇଛନ୍ତି। ଏହି ପ୍ରତିଯୋଗିତାରେ କଣ୍ଠସ୍ୱରକୁ ମାର୍ଜିତ କରିବା ଲାଗି ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟ ଶିକ୍ଷା କରିଛନ୍ତି। ଶ୍ରେୟାଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଗତି ସାହୁ।
୧.କେ-ପପ୍ ଷ୍ଟାର୍ ହେବା ପାଇଁ କେବେଠାରୁ ଚିନ୍ତା କରିଥିଲେ?
ଉତ୍ତର: ପ୍ରାୟ ୪ ବର୍ଷ ତଳୁ ପପ୍ ଷ୍ଟାର୍ ହେବା ପାଇଁ ମୋର ରାସ୍ତା ଖୋଲିଥିଲା। କିନ୍ତୁ ଛୋଟବେଳଠାରୁ ପପ୍ ଗୀତ ଓ ନାଚ ମୋତେ ଭାରି ଭଲ ଲାଗେ। ବ୍ଲାକ୍ସ୍ବାନ୍ର ସବୁଠୁ ପୁରୁଣା ସଦସ୍ୟ ହେମେ, ନଭେମ୍ବର ୨୦୨୦ରେ ଗ୍ରୁପ୍ ଛାଡ଼ିଥିଲେ। ଏହା ପରେ ଗ୍ରୁପ୍ ପ୍ରମୋଟର ଡି.ଆର୍ ମ୍ୟୁଜିକ୍ ଗତବର୍ଷ ମେ’ରେ ସେହି ଖାଲି ସ୍ଥାନ ପୂରଣ କରିବା ପାଇଁ ବିଶ୍ୱସ୍ତରୀୟ ଅଡିସନ୍ କରିଥିଲେ। ଏଥିରେ ପାଖାପାଖି ୯ ହଜାର ପ୍ରତିଯୋଗୀ ଭାଗ ନେଇଥିଲେ। ୟୁଟ୍ୟୁବ୍ ମାଧ୍ୟମରେ ଆମର ଅଡିସନ୍ ନିଆଯାଇଥିଲା। ୩୦ଟି ପର୍ଯ୍ୟାୟ ଅତିକ୍ରମ କରି ମଁୁ ଆଜି ପ୍ରଥମ ସ୍ଥାନ ଅଧିକାର କରିପାରିଛି।
୨. ଆପଣଙ୍କର ସ୍କୁଲ୍ ଜୀବନରୁ ଜଣେ କେ-ପପ୍ ଷ୍ଟାର୍ ପର୍ଯ୍ୟନ୍ତ ଯାତ୍ରା କିପରି ଥିଲା?
ଉତ୍ତର: କହିବାକୁ ଗଲେ ଯାତ୍ରା ଏତେଟା ସହଜ ନଥିଲା। ବହୁତ ପରିଶ୍ରମ କରିବାକୁ ପଡ଼ିଛି। ବୋର୍ଡ ପରୀକ୍ଷା ସହିତ ଏହି ଲାଇନ୍ ପାଇଁ ମଧ୍ୟ ପ୍ରସ୍ତୁତ ହେବାକୁ ପଡ଼ୁଥିଲା। ଅଧିକରୁ ଅଧିକ ସମୟ ଧରି ସେମାନଙ୍କର ନୃତ୍ୟ ଓ ସଙ୍ଗୀତକୁ ଅନୁସରଣ କରିବାକୁ ପଡ଼ୁଥିଲା। ତା’ ସହିତ ମତେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଉପରେ ବି କାମ କରିବାକୁ ପଡ଼ିଥିଲା।
୩. ବ୍ଲାକ୍ସ୍ବାନ୍ରେ କେଉଁ କେଉଁ ମ୍ୟୁଜିକ୍ ଉପରେ ଆପଣ କାମ କରିଛନ୍ତି?
ଉତ୍ତର: ବ୍ଲାକ୍ସ୍ୱାନ୍ ବିଷୟରେ କହିବାକୁ ଗଲେ ଏହା ୨୦୧୧ ମସିହାରେ ଆରମ୍ଭ ହୋଇଥିଲା। ଏହି କେ-ପପ୍ ଗର୍ଲ ବ୍ୟାଣ୍ଡରେ ୪ ଜଣ ସଦସ୍ୟ ରହିଛନ୍ତି । ସେଥିରେ ଗ୍ରୁପ୍ ଲିଡର୍ ତଥା କୋରିଆନ୍ ଗାୟକ ହେଉଛନ୍ତି ଗୋ ୟଙ୍ଗ ହେନ୍। ଗାୟକ, ରାପର୍ ଏବଂ ମଡେଲ୍ ଫାଟୁ ସାମ୍ବା ମଧ୍ୟ ଏହାର ଏକ ଅଂଶ। ଏହି ଗ୍ରୁପ୍ ୨୦୨୦ ରେ ଫୁଲ୍ ଆଲବମ୍ ‘ଗୁଡ୍ବାଏ ରାନିଆ’ରୁ ଡେବ୍ୟୁ ଆରମ୍ଭ କରିଥିଲା। ଏଥି ସହ ୨୦୨୧ରେ ପ୍ରଥମ ସିଙ୍ଗଲ୍ ଆଲ୍ବମ୍, ‘କ୍ଲୋଜ୍ ଟୁ ମି’ ପାଇଁ ଖୁବ୍ ଚର୍ଚ୍ଚାରେ ଥିଲା। ଏହି ବର୍ଷ ଦୁଇଟି ଆଲବମ୍ ତିଆରି କରାଯାଇଛି, ‘କରମା’ ଓ ‘କ୍ୟାଟ୍ ଆଣ୍ଡ୍ ମାଉସ୍’।
୪. ଓଡ଼ିଶାର ପର୍ଯ୍ୟଟନସ୍ଥଳୀକୁ ନେଇ ‘କରମା’ ମ୍ୟୁଜିକ୍ ଆଲବମ୍ କିପରି ତିଆରି କଲେ?
ଉତ୍ତର: ଏବେ ନୂଆ ଗ୍ରୁପ୍ ମେମ୍ବର ଓ ନୂଆ କ୍ରିଏଟିଭିଟି ସହ ବ୍ଲାକ୍ସ୍ୱାନ୍ ରିଲିଜ କରିଛି ଲାଟେଷ୍ଟ ମ୍ୟୁଜିକ ଆଲବମ୍ ‘କରମା’। ଗତବର୍ଷ ହକି ବିଶ୍ବକପ୍ ସମୟରେ ଆମ କମ୍ପାନି ଓଡ଼ିଶାକୁ ନେଇ କିଛି ପ୍ରଦର୍ଶନ କରିବାକୁ ମନ ବଳାଇଥିଲା। ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଭାବେ ଏହି ମ୍ୟୁଜିକ ଭିଡିଓଟିରେ ରାଜଧାନୀ ଭୁବନେଶ୍ୱରର ଓଲ୍ଡ ଟାଉନରେ ଥିବା ଅନେକ ମନ୍ଦିର, ଓଡ଼ିଶାର ସଂସ୍କୃତି ଓ ଧଉଳି ଶାନ୍ତିସ୍ତୁପର ସୌନ୍ଦର୍ଯ୍ୟ ଝଲସିଛି। ଏହି ୩ ମିନିଟ୍ର ଭିଡିଓଟିରେ ଗ୍ରୁପ ସଦସ୍ୟଙ୍କ ପୋଷାକରେ ଭାରତୀୟ ସଂସ୍କୃତିର ଝଲକ ରହିଛି।
୫. ଓଲିଉଡ୍, ବଲିଉଡ୍କୁ ଛାଡ଼ି କୋରିଆନ୍ ପପ୍ ଡ୍ୟାନ୍ସକୁ କାହିଁକି ଆପଣେଇଲେ?
ଉତ୍ତର: ଇଚ୍ଛା ତ ସମସ୍ତଙ୍କର ଅଛି ନିଜର ପରିଚୟ ସୃଷ୍ଟି କରିବା ପାଇଁ। ମତେ କୋରିଆନ୍ ପପ୍ ଏଥିପାଇଁ ଭଲ ଲାଗିଲା କାରଣ ଏଥିରେ ନିଜ ସଂଯୋଜନାରେ ଗୀତ ଗାଇ ସେହି ସ୍ବରରେ ହିଁ ନାଚିବାକୁ ପଡ଼ିଥାଏ। କିନ୍ତୁ ଓଡ଼ିଶା ହେଉ କି ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଅନ୍ୟର ଗୀତ ଓ ଅନ୍ୟର କୋରିଓଗ୍ରାଫିକୁ ନେଇ ନାଚିବାକୁ ପଡ଼ିଥାଏ। କୋରିଆନ୍ ଡ୍ୟାନ୍ସ୍ ମତେ ସବୁଠାରୁ ଭଲ ଲାଗେ ଓ ସେଥିପାଇଁ ମଁୁ ଏହି ରାସ୍ତା ଆପଣେଇଥିଲି।
୬. ସେଠିକାର ଭାଷା, ପରମ୍ପରା ଓ ଚଳଣି ସହିତ ଆପଣ କିପରି ନିଜକୁ ଖାପ ଖୁଆଇଲେ?
ଉତ୍ତର: କୋରିଆନ୍ ଭାଷା ଶିଖିବା ଏତେ ସହଜ ନ ହେଲେ ବି ମଁୁ ଗୋଟେ ମାସ ଭିତରେ ଏହି ଭାଷା ଶିଖିପାରିଥିଲି। ଆଉ ଏଠିକାର ସଂସ୍କୃତି ଓ ଚଳଣି ବହୁତ ଅଲଗା; ତଥାପି ମଁୁ ଏଥିରେ ଖାପ ଖୁଆଇସାରିଲିଣି। ଆସିବାର ଦୁଇ ସପ୍ତାହ ପର୍ଯ୍ୟନ୍ତ ଖାଇବା ପାଇଁ ବହୁତ ହଇରାଣ ହେବାକୁ ପଡ଼ିଥିଲା। ତା’ପରେ ଧୀରେ ଧୀରେ ଏ ସବୁକୁ ଗ୍ରହଣ କରିନେଲି। ଭାରତୀୟ ସଂସ୍କୃତିକୁ ମଁୁ କେବେ ଛାଡ଼ିପାରିବିନି କି କୋରିଆର ପରମ୍ପରାକୁ ଅନାଦର ବି କରିପାରିବିନି। ଦୁଇଟିଯାକ ଏବେ ମୋ ପାଇଁ ସମାନ।
୭. କେ-ପପ୍କୁ ଛାଡ଼ି ଅନ୍ୟ କେଉଁଥିରେ ରୁଚି ରହିଛି?
ଉତ୍ତର: ସବୁବେଳେ ଏଇଟା ହିଁ ମୋର ପ୍ରଥମ ପସନ୍ଦ ରହିବ। ଯଦି କେବେ ମଡେଲିଂ କି ଅଭିନୟ କରିବାକୁ ସୁଯୋଗ ମିଳେ ତେବେ ହାତଛଡ଼ା କରିବି ନାହିଁ।
୮. ସେଠି ରହି ଆପଣ ଓଡ଼ିଶାର କେଉଁ ଜିନିଷକୁ ବେଶି ମନେ ପକାଉଛନ୍ତି?
ଉତ୍ତର: ମୋ ପରିବାର ଆଉ ଓଡ଼ିଆ ଖାଦ୍ୟ କଥା ଭାରି ମନେ ପଡ଼େ। ଓଡ଼ିଶା ଫେରିଲେ ପଖାଳ ଭାତ ନିଶ୍ଚୟ ଖାଇବି।