ଅଧ୍ୟାପନାରୁ ରାଜନୀତିକୁ ଆସି ଈର୍ଷଣୀୟ ସଫଳତା ହାସଲ କରିଛନ୍ତି ବିଶିଷ୍ଟ ଜନନେତା ରାଜନାଥ ସିଂ। ସଂପ୍ରତି ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ସିଂ ପୂର୍ବରୁ ଦେଶର ଗୃହମନ୍ତ୍ରୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହି ସଫଳତାର ସହ କାର୍ଯ୍ୟ ନିର୍ବାହ କରିଛନ୍ତି। ଅନ୍ୟପକ୍ଷରେ ସେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିବା ସହ ଦଳର ସଫଳତାକୁ ତାଙ୍କର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଛି। ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ସିଂଙ୍କୁ ଦିଲ୍ଲୀରେ ଭେଟି ସାଂପ୍ରତିକ ସମସ୍ୟା ଓ ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି ଆମ ପ୍ରତିନିଧି
ବିଭୂତି ପତି
l ଆପଣ ନିକଟରେ ଓଡ଼ିଶା ଆସିଥିଲେ ଓ ଆଗରୁ ମଧ୍ୟ ବହୁବାର ଆସିଛନ୍ତି। ଓଡ଼ିଶା ଓ ଓଡ଼ିଶାବାସୀଙ୍କୁ ନେଇ ଆପଣଙ୍କର କିଭଳି ଅନୁଭୂତି ରହିଛି ?
ଓଡ଼ିଶାର ଜନସାଧାରଣଙ୍କ ସ୍ୱାଗତ ଓ ଆତିଥ୍ୟରେ ମୁଁ ଖୁବ୍ ଉତ୍ସାହିତ। ସଂକ୍ଷିପ୍ତ ହେଲେ ବି ଗସ୍ତଟି ଆନନ୍ଦଦାୟକ ଥିଲା। ଜନସାଧାରଣଙ୍କ ସହିତ ଆଲୋଚନାରୁ ମୁଁ ଜାଣିପାରିଥିଲି ଯେ ଓଡ଼ିଆମାନେ ସ୍ବଭାବତଃ ସରଳ ଓ ଶାନ୍ତିପ୍ରିୟ। ସେମାନଙ୍କର ବାସ୍ତବ ବିକାଶ ଓ ସଶକ୍ତୀକରଣର ବିଭିନ୍ନ ଦିଗ ଉପରେ ମୁଁ ସେମାନଙ୍କୁ ପଚାରି ବୁଝିଛି। ଯେତେଦୂର ସକ୍ଷମ, ସେମାନଙ୍କର ମତାମତକୁ ସମ୍ମାନ ଦେଇ ତାହା ପୂରଣ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।
ଅନ୍ୟପକ୍ଷରେ ପ୍ରତିରକ୍ଷା ଦୃଷ୍ଟିରୁ ଓଡ଼ିଶା ଦେଶର ଏକ ଗୁରୁତ୍ବପୂର୍ଣ୍ଣ ରାଜ୍ୟ। ଆପଣଙ୍କ ସେଠାରେ ଚାନ୍ଦିପୁରରେ କ୍ଷେପଣାସ୍ତ୍ର ଘାଟି ଅଛି, ଲଢୁଆ ବିମାନ ତିଆରି ହେଉଛି, ନୌସେନା ଘାଟି ବି ଅଛି। ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଓଡ଼ିଶାର ମହତ୍ତ୍ବପୂର୍ଣ୍ଣ ଅବଦାନ ରହିଛି। ଏସବୁ ପ୍ରତିରକ୍ଷା ଅନୁଷ୍ଠାନର ଅଧିକ ବିକାଶ ଲାଗି ଆମ ମନ୍ତ୍ରାଳୟ ସବୁ ସମୟରେ ଧ୍ୟାନ ଦେଇଆସିଛି। ଆଗାମୀ ଦିନରେ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ଼ ଓ ଶକ୍ତିଶାଳୀ କରାଯିବ ଏବଂ ଏଥିରେ ଓଡ଼ିଶା ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ, ଏହା ନିଃସନ୍ଦେହ।
l ଆମର ଦୁଇ ପଡ଼ୋଶୀ ରାଷ୍ଟ୍ର ଚୀନ୍ ଓ ପାକିସ୍ତାନ ଭାରତ ପ୍ରତି ଅଧିକାଂଶ ସମୟରେ ନକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଫଳରେ ସୀମାରେ ବାରମ୍ବାର ଉତ୍ତେଜନା ସୃଷ୍ଟି ହେଉଛି। ସେମାନଙ୍କର ଏଭଳି ଆଚରଣର ଜବାବରେ ସରକାର କ’ଣ କରୁଛନ୍ତି?
ଚୀନ୍ ଓ ଭାରତ ମଧ୍ୟରେ ଶାନ୍ତି ପ୍ରତିଷ୍ଠାର ଲକ୍ଷ୍ୟ ନେଇ କ୍ରମାଗତ ଭାବେ କମାଣ୍ଡରସ୍ତରୀୟ ବୈଠକରେ ଆଲୋଚନା ଚାଲିଛି। ଆମେ ସବୁବେଳେ ଶାନ୍ତିରେ ବିଶ୍ୱାସ କରିଥାଉ, କିନ୍ତୁ କୌଣସି ପରିସ୍ଥିତିରେ କେହି ଯଦି ଭାରତ ମାତାର ସାର୍ବଭୌମତ୍ବକୁ କିମ୍ବା ଦେଶର ସୁରକ୍ଷା ଆଡ଼କୁ ଆଖି ଉଠାଇବାକୁ ଚେଷ୍ଟାକରେ, ତେବେ ତାହାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏ କ୍ଷେତ୍ରରେ ଆମ ସରକାର ସାଲିସ କରିବାର ପ୍ରଶ୍ନ ଉଠୁନାହିଁ। ଆମେ ଆମ ଦେଶର ସୀମାରେଖାର ସତର୍କ ପ୍ରହରୀ ସାଜି ସବୁବେଳେ ସଜାଗ ରହିଛୁ। ଅନ୍ୟପକ୍ଷରେ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଗମନାଗମନ ଓ ଯୋଗାଯୋଗ ଭିତ୍ତିଭୂମିର ଉନ୍ନତୀକରଣ ଏବଂ ଆର୍ଥିକ ବିକାଶ କାର୍ଯ୍ୟ ଭାରତ ସରକାର ତ୍ବରାନ୍ବିତ କରିଛନ୍ତି। ଦେଶ ସ୍ବାଧୀନ ହେବା ପରେ ପ୍ରତିରକ୍ଷା ବାହିନୀ ପରିଚାଳନା କ୍ଷେତ୍ରରେ ସର୍ବବୃହତ୍ ସଂସ୍କାର ଭାବେ ଏକୀକୃତ ଥିଏଟର୍ କମାଣ୍ଡ୍ ବ୍ୟବସ୍ଥାକୁ ଲାଗୁ କରିବା ଲାଗି ଆମ ସରକାର କାର୍ଯ୍ୟାରମ୍ଭ କରିଛି। ଏହା ଫଳରେ ସ୍ଥଳସେନା, ବାୟୁସେନା ଓ ନୌସେନାର ୧୭ଟି କମାଣ୍ଡ୍କୁ ଏକୀକୃତ କରାଯାଇ ୩ଟି କମାଣ୍ଡ୍ରେ ପରିଣତ କରାଯିବ। ଏହି ପ୍ରକ୍ରିୟାର କାର୍ଯ୍ୟାନ୍ବୟନ ନେଇ ତିନି ବାହିନୀର ମୁଖ୍ୟ ଓ ରକ୍ଷା ମନ୍ତ୍ରାଳୟର ବରିଷ୍ଠ ପଦାଧିକାରୀଙ୍କୁ ନେଇ ଆଲୋଚନା ସଫଳ ହୋଇଛି। ଏଥିପ୍ରତି ସମ୍ମତି ପ୍ରକାଶ ପାଇଛି। ଏହା ଦେଶର ପ୍ରତିରକ୍ଷାକୁ ଆହୁରି ସୁଦୃଢ଼ କରିବ।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ରେ ମତଦାନ ହାରକୁ ଲକ୍ଷ୍ୟ କଲେ ମନେହେଉଛି ବିଜେପି ଭଲ ପ୍ରଦର୍ଶନ କରିଛି। ଆଗକୁ ମଧ୍ୟ ଓଡ଼ିଶାର ଭୋଟର୍ମାନେ ବିଜେପିକୁ ଆହୁରି ଅଧିକ ସଂଖ୍ୟାରେ ସମର୍ଥନ ଦେବେ ବୋଲି ମୋର ବିଶ୍ବାସ।
l ଯଦି ବିଜେପି ପୁଣି କେନ୍ଦ୍ରରେ ସରକାର ଗଢ଼େ ତେବେ ଆଦିବାସୀ-ହରିଜନ ଓ ପଛୁଆ ବର୍ଗଙ୍କ ଲାଗି ଉଦ୍ଦିଷ୍ଟ ସଂରକ୍ଷଣକୁ ଉଠାଇଦେବ ଓ ସମ୍ବିଧାନକୁ ବଦଳାଇଦେବ ବୋଲି ବିରୋଧୀ ଆକ୍ଷେପ କରୁଛନ୍ତି। ଏହାକୁ ନେଇ ଆପଣ କ’ଣ କହିବେ?
ଏଭଳି ଅଭିଯୋଗର କୌଣସି ଭିତ୍ତି ନାହିଁ। ହରିଜନ, ଆଦିବାସୀ ଓ ଅନ୍ୟ ପଛୁଆ ବର୍ଗର ଜନସାଧାରଣଙ୍କୁ ମିଳୁଥିବା ସଂରକ୍ଷଣ ସୁବିଧା ହଟାଇବା ପ୍ରସଙ୍ଗକୁ ନେଇ ବିଜେପି କେଉଁଠାରେ କେବେ ବି କିଛି କହିନାହିଁ। କିନ୍ତୁ ମୁଁ ଏଠାରେ କହିବାକୁ ଚାହେଁ, କଂଗ୍ରେସ ୮୦ ଥର ଭାରତୀୟ ସମ୍ବିଧାନକୁ ବଦଳାଇଛି। ଏପରିକି ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ଆତ୍ମା ରୂପେ ପରିଚିତ ସମ୍ବିଧାନର ମୁଖବନ୍ଧକୁ ମଧ୍ୟ ବଦଳାଇବାକୁ ପଛାଇନାହିଁ।
l ଆପଣଙ୍କ ଦଳ ସଂପ୍ରଦାୟଭିତ୍ତିକ ରାଜନୀତି କରୁଛି ବୋଲି ସମାଲୋଚନା ହେଉଛି ?
ଏହାକୁ ହିନ୍ଦୁ-ମୁସଲମାନ ରାଜନୀତିର ଆଖ୍ୟା ବି ଦିଆଯାଉଛି...
ଆମ ଦଳ ଜାତି, ଧର୍ମ, ବର୍ଣ୍ଣକୁ ନେଇ ରାଜନୀତି କରେନାହିଁ। ଆମେ ସବୁବେଳେ ମାନବିକତା ଓ ନ୍ୟାୟରେ ବିଶ୍ୱାସ ରଖି ରାଜନୀତି କରିଆସିଛୁ। ବିରୋଧୀ ଦଳ ବିଭିନ୍ନ ସମ୍ପ୍ରଦାୟଙ୍କୁ ଭ୍ରମିତ କରି ରାଜନୀତି କରିବା ସହିତ ମିଛ ପ୍ରତିଶ୍ରୁତି ଦେଇ କ୍ଷମତା ହାସଲ କରିବା ପାଇଁ ପ୍ରୟାସ କରୁଛନ୍ତି । ଏବେ ବିରୋଧୀ ଦଳମାନେ କହୁଛନ୍ତି ଯେ ଧର୍ମ ଆଧାରରେ ସଂରକ୍ଷଣ ନୀତି ଲାଗୁ କରିବେ। କିନ୍ତୁ ଆମ ସମ୍ବିଧାନ ଏହାକୁ ସ୍ୱୀକୃତି ଦେଇନାହିଁ। ବିରୋଧୀ ଦଳ କେଉଁ ଆଧାରରେ ଏଭଳି ପ୍ରତିଶ୍ରୁତି ଦେଉଛନ୍ତି? ଧର୍ମ ଆଧାରରେ ସଂରକ୍ଷଣ ନୀତି କରାଯାଇ ପାରିବନି ବୋଲି ଆମେ କହୁଛୁ।
l ସରକାରକୁ ଆସିଲେ ଜାତିଭିତ୍ତିକ ଜନଗଣନା କରାଇବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି। ଏ ପ୍ରସଙ୍ଗକୁ ନେଇ ଆପଣଙ୍କ ମତାମତ କ’ଣ?
ମୋ ମତରେ କଂଗ୍ରେସ ଭଙ୍ଗାଯୋଡ଼ା ରାଜନୀତିରୁ ଦୂରେଇ ରହିବା ଉଚିତ। ସରକାର ଗଠନକରି ରାଜନୈତିକ କ୍ଷମତା ହାସଲ କରିବାକୁ ରାଜନୀତି କୁହାଯାଏ ନାହିଁ। ରାଷ୍ଟ୍ର ନିର୍ମାଣ ହେଉଛି ପ୍ରକୃତ ରାଜନୀତି। କଂଗ୍ରେସ କ୍ଷମତାରେ ଥିଲା ବେଳେ କାହିଁକି ଜାତିଭିତ୍ତିକ ଜନଗଣନା କରି ନ ଥିଲା?
l ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ଚଳିତ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ। ମୁଦ୍ରାସ୍ଫୀତିକୁ ନେଇ ଆପଣଙ୍କ ମତ କ’ଣ? ଏହା କେତେ ମାତ୍ରାରେ ନିର୍ବାଚନକୁ ପ୍ରଭାବିତ କରିବ?
ଦେଖନ୍ତୁ, ଦେଶରେ ଦରଦାମ ବୃଦ୍ଧି ନିଶ୍ଚିତ ଏକ ବଡ଼ ପ୍ରସଙ୍ଗ। କିନ୍ତୁ ଦେଶର ପ୍ରତିଟି ଜନସାଧାରଣ ବର୍ତ୍ତମାନ ଅବଗତ ହୋଇଛନ୍ତି ଏହା ମୁଦ୍ରାସ୍ଫୀତି ଯୋଗୁ ହେଉଛି। ଏହି ସମସ୍ୟା କେବଳ ଭାରତରେ ନୁହେଁ ବରଂ ବିଭିନ୍ନ କାରଣରୁ ସମଗ୍ର ବିଶ୍ୱର ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଆମ ସରକାର ଦରବୃଦ୍ଧିକୁ ନିୟନ୍ତ୍ରଣ କରିପାରିଛି। ଅନ୍ୟ ପଡ଼ୋଶୀ ରାଷ୍ଟ୍ରର ମୁଦ୍ରାସ୍ଫୀତିକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ବାରି ହୋଇଯିବ। ତେଣୁ ମୁଁ ଭାବୁଛି ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ନାହିଁ। ଏହାକୁ ନେଇ ଭୋଟର୍ ଯଥେଷ୍ଟ ସଚେତନ ଅଛନ୍ତି।
l ନିକଟରେ ଆପଣ ଓଡ଼ିଶାରେ ଦଳ ପାଇଁ ପ୍ରଚାର କରିଥିଲେ। ଏଥର ନିର୍ବାଚନରେ ଓଡ଼ିଶାରେ ଆପଣଙ୍କ ଦଳର ସଫଳତାକୁ ନେଇ କ’ଣ ଆଶା କରୁଛନ୍ତି ?
ବର୍ତ୍ତମାନ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ସହ ଭାରତର ବିଭିନ୍ନ ରାଜ୍ୟରେ ମତଦାନ ସରିଛି। ଏହି ୪ଟି ପର୍ଯ୍ୟାୟ ମତଦାନରେ ଜନସାଧାରଣ ଭାରତୀୟ ଜନତା ପାର୍ଟିକୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ବିପୁଳ ସମର୍ଥନ ଦେଇଛନ୍ତି ବୋଲି ଦେଖିବାକୁ ମିଳୁଛି। ଓଡ଼ିଶା କଥା ଯଦି ଆମେ ଦେଖିବା, ତେବେ ଏଥର ସେଠାରେ ପରିବର୍ତ୍ତନ ଆସିବାକୁ ଯାଉଛି। ମୁଁ ଓଡ଼ିଶାରେ କରିଥିବା ନିର୍ବାଚନ ପ୍ରଚାର ସଭାରେ ଆମ ଦଳ ପ୍ରତି ଜନସମର୍ଥନ ରହିଥିବାର ଅନୁଭବ କରିଛି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ରେ ମତଦାନ ହାରକୁ ଲକ୍ଷ୍ୟ କଲେ ମନେହେଉଛି ବିଜେପି ଭଲ ପ୍ରଦର୍ଶନ କରିଛି। ଆଗକୁ ମଧ୍ୟ ଓଡ଼ିଶାର ଭୋଟର୍ମାନେ ବିଜେପିକୁ ଆହୁରି ଅଧିକ ସଂଖ୍ୟାରେ ସମର୍ଥନ ଦେବେ ବୋଲି ମୋର ବିଶ୍ବାସ।