ସଂପ୍ରତି ଓଡ଼ିଶା ଗସ୍ତରେ ଆସିଥିବା ସମୟରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଓଡ଼ିଶାରେ ପର୍ଯ୍ୟଟନର ଭବିଷ୍ୟତ ଓ ଅଗ୍ରଗତି, ଜଳବାୟୁ ପରିବର୍ତ୍ତନଜନିତ ଆହ୍ବାନ ଓ ସମସ୍ୟା ସଂପର୍କରେ ‘ରବିବାର ସମ୍ବାଦ’ ସହିତ ଆଲୋଚନା କରିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଓଡ଼ିଶାର ପର୍ଯ୍ୟଟନସ୍ଥଳୀଗୁଡ଼ିକ ଜାତୀୟ ଅନ୍ତର୍ଜାତୀୟସ୍ତରେ ଯେଭଳି ପ୍ରଚାରିତ ହେବା କଥା ସେଭଳି ହୋଇପାରିନାହିଁ େବାଲି ସେ ଆମର ବରିଷ୍ଠ ପ୍ରତିନିଧି ବିଭୂତି ପତିଙ୍କୁ ପ୍ରକାଶ କରିଛନ୍ତି।
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଓଡ଼ିଶାର ପର୍ଯ୍ୟଟନସ୍ଥଳୀଗୁଡ଼ିକର ଯେଭଳି ପ୍ରଚାର ଓ ପ୍ରସାର ହେବା କଥା ସେଭଳି ହୋଇଛି କି?
ମୋ ଜାଣିବାରେ ଓଡ଼ିଶାରେ ଯେତେ ପର୍ଯ୍ୟଟନ ଉପଯୋଗୀ ସ୍ଥାନ ରହିଛି, ଅନ୍ୟ କୌଣସି ରାଜ୍ୟରେ ସେତେ ସଂଖ୍ୟାରେ ନାହିଁ। ବଣଜଙ୍ଗଲ, ପାହାଡ଼ପର୍ବତ, ବିସ୍ତୀର୍ଣ୍ଣ ବେଳାଭୂମି, ନଦୀଶଯ୍ୟା, ହ୍ରଦ, ଆର୍ଦ୍ରଭୂମି, ବନ୍ୟପ୍ରାଣୀ ଉଦ୍ୟାନ, ଅଲିଭ୍ ରିଡ୍ଲେ କଇଁଛଙ୍କ ଗଣଅଣ୍ଡାଦାନସ୍ଥଳୀ, ହେନ୍ତାଳବନ, ପକ୍ଷୀ ଅଭୟାରଣ୍ୟ, କୁମ୍ଭୀର ଓ ବ୍ୟାଘ୍ର ପ୍ରକଳ୍ପ, ବିଶ୍ବପ୍ରସିଦ୍ଧ ଐତିହାସିକ ସ୍ଥାନ, ମଠ, ମନ୍ଦିର, ଆଦିବାସୀ ସଂସ୍କୃତି ସଙ୍ଗକୁ ହସ୍ତକଳା ଓ ଖାଦ୍ୟପାନୀୟରେ ସମୃଦ୍ଧ ରାଜ୍ୟ ହେଉଛି ଓଡ଼ିଶା। ମୁଁ ତ ଭାବୁଛି କେବଳ ମରୁଭୂମିକୁ ଛାଡ଼ି ଓଡ଼ିଶାରେ ବାକି ସବୁ ଶ୍ରେଣୀର ପର୍ଯ୍ୟଟନସ୍ଥଳୀ ରହିଛି। କିନ୍ତୁ ବିଗତ ବିଜେଡି ସରକାର ଜାତୀୟଅନ୍ତର୍ଜାତୀୟ ସ୍ତରରେ ଏ ସବୁର ପ୍ରକୃତ ପ୍ରଚାର ଓ ପ୍ରସାର କରିବାକୁ ସମର୍ଥ ହୋଇନାହିଁ। ବର୍ତ୍ତମାନର ଓଡ଼ିଶା ସରକାର ପର୍ଯ୍ୟଟନ ଶିଳ୍ପ ପ୍ରତି ଗୁରୁତ୍ବ ଦେଇ ତାହାକୁ ବିଶ୍ବ ଦରବାରରେ ଉପସ୍ଥାପନ କରିବାର ସମୟ ଆସିଛି। ଓଡ଼ିଶାର ଅର୍ଥନୀତିର ବିକାଶ ଲାଗି ପର୍ଯ୍ୟଟନ ଶିଳ୍ପର ବିକାଶ ଜରୁରି।
ଜଳବାୟୁ ପରିବର୍ତ୍ତନଜନିତ ବିପଦ ପର୍ଯ୍ୟଟନ ପାଇଁ ଏକ ଆହ୍ବାନ ପାଲଟିଛି। ଓଡ଼ିଶା ଭଳି ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟରେ ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ କ’ଣ କହିବେ?
ଜଳବାୟୁ ପରିବର୍ତ୍ତନ ବିଶ୍ବବ୍ୟାପୀ ପର୍ଯ୍ୟଟନ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏଥିରେ ସମସ୍ତେ ସହମତ। ଓଡ଼ିଶାରେ ଗ୍ରୀଷ୍ମପ୍ରବାହରୁ ନେଇ ବାତ୍ୟା ଓ ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଏଥିପାଇଁ କେନ୍ଦ୍ର ସରକାରଙ୍କର ପର୍ଯ୍ୟଟନ ମନ୍ତ୍ରଣାଳୟ ମଧ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛି।
ଓଡ଼ିଶା ପର୍ଯ୍ୟଟନ ଅଭିବୃଦ୍ଧି ଓ ବିକାଶ ଉପରେ ଆପଣ ଖୁବ୍ ପ୍ରଶଂସନୀୟ କଥା କହୁଛନ୍ତି। କେନ୍ଦ୍ର ସରକାର ସାହାଯ୍ୟ ଓ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଅଭିଯୋଗ ହେଉଛି, ଭାରତୀୟ ପର୍ଯ୍ୟଟନକୁ ବିଶ୍ବବ୍ୟାପୀ ପ୍ରଚାର-ପ୍ରସାର ନିମନ୍ତେ କେନ୍ଦ୍ର ସରକାର ଯେଉଁ ପୋର୍ଟାଲ୍ କରିଛନ୍ତି ସେଥିରେ ଓଡ଼ିଶାର କୌଣସି ପର୍ଯ୍ୟଟନସ୍ଥଳୀ ସ୍ଥାନିତ ହୋଇନାହିଁ। ଏପରି କାହିଁକି?
ଏପରି ଅଭିଯୋଗ ମୋ ନିକଟରେ ମଧ୍ୟ ଉପସ୍ଥାପିତ ହୋଇଛି। ଓଡ଼ିଶା ପର୍ଯ୍ୟଟନ ଓ ହୋଟେଲ୍ ଶିଳ୍ପର ଜଣାଶୁଣା ବ୍ୟବସାୟୀ ଜେ.କେ.ମହାନ୍ତି ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଗୋଟିଏ ଖୋଲାମଞ୍ଚରେ ମୁଁ ଏ ଅଭିଯୋଗର ସ୍ପଷ୍ଟ ଉତ୍ତର ରଖିଛି। ନବୀନ ପଟ୍ଟନାୟକଙ୍କ ସରକାର ଭାରତୀୟ ପର୍ଯ୍ୟଟନ ପୋର୍ଟାଲ୍ ପ୍ରସ୍ତୁତି ସମୟରେ ଓଡ଼ିଶାର କୌଣସି ପର୍ଯ୍ୟଟନସ୍ଥଳୀର ଭିଡିଓଗ୍ରାଫି ଯୋଗାଇ ଦେଇ ନ ଥିଲେ। ଫଳରେ କେନ୍ଦ୍ର ସରକାରଙ୍କ ପୋର୍ଟାଲ୍ରେ ଓଡ଼ିଶା ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇପାରି ନ ଥିଲା। ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ମୁଁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ପ୍ରସ୍ତାବ ଦେଇଛି। ଭିଡିଓଗ୍ରାଫି ଯୋଗାଇଦେଲେ ପୋର୍ଟାଲ୍ରେ ସ୍ଥାନିତ କରିବୁ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ରାଜ୍ୟ ପର୍ଯ୍ୟଟନ ଉନ୍ନତି ପାଇଁ କେନ୍ଦ୍ରକୁ ୧୦ ହଜାର କୋଟି ଆର୍ଥିକ ସହାୟତା ପ୍ରସ୍ତାବ ଦେଇଛନ୍ତି। ଡବଲ୍-ଇଞ୍ଜିନ୍ ସରକାରରେ ଏ ଅର୍ଥ ଓଡ଼ିଶାକୁ ମିଳିବ ତ?
ପର୍ଯ୍ୟଟନର ପ୍ରଚାର ଓ ପ୍ରସାର ପାଇଁ ସମସ୍ତ ଆବଶ୍ୟକତା ପୂରଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତି ରାଜ୍ୟକୁ ସାହାଯ୍ୟସହଯୋଗ ଯୋଗାଇଦେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଅର୍ଥକୁ ନେଇ କୌଣସି ସମସ୍ୟା ହେବନାହିଁ। ଏ ଦିଗରେ ମୁଁ ଯଥାସମ୍ଭବ ଧ୍ୟାନ ଦେବି। ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ଓ ପ୍ରତିଯୋଗିତାରେ ଓଡ଼ିଶାକୁ ନିଶ୍ଚିତ ନ୍ୟାୟ ମିଳିବ। ଆମେ ଭୁଲିଯିବା ଉଚିତ ନୁହେଁ ଯେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀଗୁଡ଼ିକ କୌଣସି ରତ୍ନଠାରୁ ବି ଅଧିକ ମୂଲ୍ୟବାନ୍।
ଦେଶ ଓ ରାଜ୍ୟରେ ପର୍ଯ୍ୟଟନ ବିକାଶ ଲାଗି ଆପଣଙ୍କ ସରକାର ନିର୍ଦ୍ଦିଷ୍ଟ ଭାବେ କେଉଁ ପଦକ୍ଷେପ ନେଉଛି?
ଭାରତୀୟଙ୍କ ଡିଏନ୍ଏରେ ପର୍ଯ୍ୟଟନ ରହିଛି। ପର୍ଯ୍ୟଟନର ବିକାଶ ଲାଗି ଗମନାଗମନ ଭିତ୍ତିଭୂମି ଓ ପରିବହନ ସେବାର ବିକାଶ ଅତ୍ୟନ୍ତ ଜରୁରି। ଗତ ୧୦ ବର୍ଷ ଭିତରେ ଏହି ଭିତ୍ତିଭୂମି ବହୁ ଭାବେ ବୃଦ୍ଧିପାଇଛି। ଆସନ୍ତା ବର୍ଷ ମଧ୍ୟରେ ଭାରତକୁ ତିନିଗୁଣ ଅଧିକ ବିମାନ ସେବା ଯୋଗାଇବାକୁ ବିଶ୍ବ ଟ୍ରାଭେଲ୍ ଓ ଟୁରିଷ୍ଟ୍ ଏଜେଣ୍ଟ ସଂଘ ପ୍ରତିଶ୍ରୁତି ଦେଇଛନ୍ତି। ଏ ଦିଗରେ ଭାରତ ବିଶ୍ବର ତୃତୀୟ ରାଷ୍ଟ୍ର ଭାବେ ଉଭା ହେବ। ସେହିପରି ଇ-ଭିସା ବ୍ୟବସ୍ଥା ଲାଗୁ କରାଯାଇ ୭୨ ଦିନ ମଧ୍ୟରେ ପର୍ଯ୍ୟଟକଙ୍କୁ ଭିସା ପ୍ରଦାନ କରାଯିବ। ଭାରତୀୟ ଆୟୁର୍ବେଦ ପର୍ଯ୍ୟଟନକୁ ସର୍ବାଧିକ ଗୁରୁତ୍ବ ଦେଇ ଏହାର ପ୍ରଚାରପ୍ରସାର ପାଇଁ ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ଏ ଦିଗରେ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ ଭଳି ରାଜ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବେ।
ଅଣପର୍ଯ୍ୟଟନ ଋତୁରେ ବି ଦେଶୀବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଲାଗି କୌଣସି ଯୋଜନା ହାତକୁ ନିଆଯାଇଛି କି?
ହଁ, ପ୍ରତ୍ୟେକ ରାଜ୍ୟ ପର୍ଯ୍ୟଟନଋତୁକୁ ବାଦ ଦେଇ ବର୍ଷର ସବୁ ସମୟରେ କିପରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ବାନ୍ଧି ରଖିବେ, ସେଥିପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଓଡ଼ିଶା ପର୍ଯ୍ୟଟନ ଶିଳ୍ପର ଉଜ୍ବଳ ଭବିଷ୍ୟତ ରହିଛି। ଚଳଚ୍ଚିତ୍ର ନିର୍ମାଣ ପାଇଁ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଉତ୍କୃଷ୍ଟ ସ୍ଥାନ ହୋଇଥିବାରୁ ଏହାକୁ ପ୍ରୋତ୍ସାହିତ କରାଯିବ। ଓଡ଼ିଶାର ମଠ ଓ ମନ୍ଦିର ସଂସ୍କୃତି, ପର୍ବପର୍ବାଣି, ପ୍ରସାଦ, ମିଠା ଓ ପିଠା ବ୍ୟଞ୍ଜନ ଆଦିର ଅଧିକ ପ୍ରଚାରପ୍ରସାର କରିବା ସମୟ ଆସିଛି। ଓଡ଼ିଶାରେ ‘କ୍ରୁଜ୍ ବେସ୍’ ପର୍ଯ୍ୟଟନ ମଧ୍ୟ ତ୍ବରାନ୍ବିତ କରାଯିବ। ଏସବୁ ବିକଶିତ ହେଲେ ସବୁ ସମୟରେ ପର୍ଯ୍ୟଟକ ଓଡ଼ିଶା ଆସିବେ।
ତେବେ ବନାଗ୍ନି ବନ୍ୟପ୍ରାଣୀ ଓ ପରିବେଶ ପର୍ଯ୍ୟଟନ ପାଇଁ ବିରାଟ ଆହ୍ବାନ ପାଲଟିଛି। ଓଡ଼ିଶାରେ ବି ଏହି ସମସ୍ୟା ରହିଛି। ଏହାର ନିୟନ୍ତ୍ରଣ ଲାଗି ଆପଣଙ୍କ ମନ୍ତ୍ରାଳୟ କି ପଦକ୍ଷେପ ଗ୍ରହଣ କରୁଛି?
ଆଜିର ଦିନରେ ବନାଗ୍ନି ନିଶ୍ଚିତ ଭାବେ ବିଶ୍ବ ପର୍ଯ୍ୟଟନ ପାଇଁ ଏକ ବଡ଼ ବିପଦ ଭାବେ ଉଭା ହୋଇଛି। ଏଥିପାଇଁ ସମଗ୍ର ବିଶ୍ବ ଆଜି ଚିନ୍ତିତ ଏବଂ ଏହି ସଂକଟର ମୁକାବିଲା କରିବା ଲାଗି ଉଦ୍ୟମ ଚାଲିଛି। ଜଳବାୟୁ ପରିବର୍ତ୍ତନଜନିତ ଘଟଣାବଳୀ ଏ ସମସ୍ୟାକୁ ଆହୁରି ତୀବ୍ର କରୁଛି। ସଚେତନତା ଓ ନୂତନ ପ୍ରଯୁକ୍ତି ପ୍ରୟୋଗ କରି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ କିପରି ସୁରକ୍ଷିତ କରାଯାଇ ପାରିବ ସେଥିପାଇଁ ବିଶେଷଜ୍ଞମାନେ ଅନୁଧ୍ୟାନ ଆରମ୍ଭ କରିଛନ୍ତି।
ସଂକ୍ଷେପରେ ଶେଖାୱତ୍
ଗଜେନ୍ଦ୍ର ସିଂହ ଶେଖାୱତ୍ ୧୯୬୭ ଅକ୍ଟୋବର ୩ରେ ରାଜସ୍ଥାନର େଜୖସଲ୍ମେର୍ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଶଙ୍କର ସିଂହ ଶେଖାୱତ୍ ଥିଲେ ଜଣେ ବରିଷ୍ଠ ସରକାରୀ ଅଧିକାରୀ। ଗଜେନ୍ଦ୍ର ଯୋଧପୁରସ୍ଥିତ ‘ଜୟନାରାୟଣ ବ୍ୟାସ ବିଶ୍ବବିଦ୍ୟାଳୟ’ରୁ (ଜେଏନ୍ଭିୟୁ) ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର କରିଥିଲେ। ୧୯୯୨ରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ନିର୍ବାଚନ ଲଢ଼ି ‘ଜେଏନ୍ଭିୟୁ’ ଛାତ୍ରସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ରାଜନୈତିକ ଯାତ୍ରା ଆରମ୍ଭ କରି ବିଜେପିର କୃଷକ ଶାଖା ‘କିଷାନ୍ ମୋର୍ଚ୍ଚା’ର ସାଧାରଣ ସଂପାଦକ ହୋଇଥିଲେ। ପୁଣି ରାଜସ୍ଥାନ ବିଜେପିର କାର୍ଯ୍ୟନିର୍ବାହୀ ସଦସ୍ୟ ମଧ୍ୟ ରହିଥିଲେ। ୨୦୧୪ରେ ସେ ଯୋଧପୁର ନିର୍ବାଚନ ମଣ୍ଡଳୀରୁ ଲୋକସଭା ସାଂସଦ ଭାବେ ରେକର୍ଡସଂଖ୍ୟକ (୪,୧୦,୦୫୧) ଭୋଟ୍ରେ ବିଜୟୀ ହୋଇଥିଲେ। ୨୦୧୭ରେ ଗଜେନ୍ଦ୍ର ସିଂହ ଶେଖାୱତ୍ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟରେ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୯ ମେ ୨୯ରେ ସେ ଜଳଶକ୍ତି ମନ୍ତ୍ରୀ ହୋଇଥିଲେ। ଏଥିସହ ନିଜ ରାଜନୈତିକ ଜୀବନରେ ସେ ସ୍ବଦେଶୀ ଜାଗରଣ ମଞ୍ଚର ସହ-ଆବାହକ ଥିଲେ ଏବଂ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘର ଅର୍ଥନୈତିକ ବିଭାଗର ପରିଚାଳକ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ୨୦୨୪ ଜୁଲାଇ ୨୧ରୁ ୩୧ ପର୍ଯ୍ୟନ୍ତ ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ଆୟୋଜିତ ବିଶ୍ବ ଐତିହ୍ୟ କମିଟିର ୪୬ତମ ଅଧିବେଶନ, ନଭେମ୍ବର ୫ ଓ ୬ରେ ସର୍ବପ୍ରଥମ ଏସୀୟ ବୌଦ୍ଧଧର୍ମ ସମ୍ମିଳନୀ ତଥା ମହାକୁମ୍ଭ ମେଳାର ଅପୂର୍ବ ସଫଳତାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।