ଗରମରୁ ମୁକ୍ତି ପାଇବାକୁ ଆଇଟି କମ୍ପାନିର ଚାଳଛପର ଅଫିସ

ଚେନ୍ନାଇ: ବଡ ବଡ ସହରମାନଙ୍କରେ ମୁଖ୍ୟତଃ ଆଇଟି କମ୍ପାନିମାନେ ନିଜର ଅଫିସ ପାଇଁ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରିଥାନ୍ତି | ଏହି ସବୁ ଅଫିସରେ ଦିନରାତି ଏୟାରକଣ୍ଡିସନିଙ୍ଗ ସହ ଲିଫ୍ଟର ବ୍ୟବସ୍ଥା ଥାଏ | କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ ଚାଳ ଛପରରେ ବି ଅଛି ଆଇଟି ଅଫିସ, ଆପଣ ବିଶ୍ୱାସ କରିବେ କି? କିନ୍ତୁ ଏକଥା ଏକଦମ ସତ | ତାମିଲନାଡୁର ଏକ ଆଇଟି କମ୍ପାନୀ ‘ଜୋହୋ’ର ସିଇଓ ବା ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀଧର ଭେମ୍ବୁ ତାଙ୍କ ନୂତନ କାର୍ଯ୍ୟାଳୟ ଏକ ଗାଁରେ ନିର୍ମାଣ କରିଛନ୍ତି | ଯେତେବେଳେ ନୂଆ ଅଫିସ କରିବାର ଆବଶ୍ୟକତା ପଡିଲା, ସେତେବେଳେ ତାଙ୍କ ମୁଣ୍ଡକୁ ଏକ ଭିନ୍ନ ପରିକଳ୍ପନା ଆସିଥିଲା |

ଅନ୍ୟ କମ୍ପାନିଗୁଡିକ ପରି କୌଣସି ବଡ ସହରରେ ବହୁ ମହଲା ବିଶିଷ୍ଟ ଅଫିସ୍ କୋଠା ନିର୍ମାଣ କରିବା ପରିବର୍ତ୍ତେ, ସେ ମାଟି କାନ୍ଥରେ ନଡା ପକାଇ ଏକ ଗାଁରେ ଅଫିସ ନିର୍ମାଣ କରିଛନ୍ତି | ଏହି ଅଫିସରେ ଏବେ ପ୍ରାୟ ୧୮ ଜଣ ସଫ୍ଟୱେୟାର ଇଞ୍ଜିନିୟର କାମ କରୁଛନ୍ତି | ତେବେ ଜୋହୋ ସିଇଓ ନୂତନ କାର୍ଯ୍ୟାଳୟର ସ୍ଥାନ ପ୍ରକାଶ କରିନାହାଁନ୍ତି। ସେ ଟ୍ୱିଟ୍ କରିଛନ୍ତି ଯେ ଏଭଳି ଗରମ ଦିନରେ ମଧ୍ୟ ଏହି ଅଫିସ ବହୁତ ଥଣ୍ଡା ହୋଇଥାଏ |

ଏହି ଅଫିସରେ କୌଣସି ଏସି ବ୍ୟବହାର ହୋଇନଥିଲେ ବି ମାଟି କାନ୍ଥ ଓ ନଡ଼ା ଯୋଗୁଁ ଏହା ଥଣ୍ଡା ରହୁଛି | ଶ୍ରୀଧର ଭେମ୍ବୁ କହିଛନ୍ତି ଯେ ‘ଏହି ଅଫିସକୁ ମୁଁ ବହୁତ ପସନ୍ଦ କରେ । ଏହି କାର୍ଯ୍ୟାଳୟରେ ୩୦ ଜଣଙ୍କ ପାଇଁ କାମ କରିବାର ସ୍ଥାନ ଥିବାବେଳେ ବର୍ତ୍ତମାନ ଏଠାରେ ୧୮ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି’ |

ସମ୍ବନ୍ଧିତ ଖବର