ଆରମ୍ଭ ହେଲା ବିଶ୍ୱର ସବୁଠୁ ବଡ ବିୟର ଫେଷ୍ଟିଭାଲ ଅକ୍ଟୋବରଫେଷ୍ଟ!

ବିଶ୍ୱର ସବୁଠୁ ବଡ ବିୟର ଫେଷ୍ଟିଭାଲ ଅକ୍ଟୋବରଫେଷ୍ଟ ଜର୍ମାନୀର ମ୍ୟୁନିଚ ସହରରେ ଆରମ୍ଭ ହୋଇଛି। ଏହା ଏମିତି ଏକ ଫେଷ୍ଟିଭାଲ ଯେଉଁଠି ଲକ୍ଷ ଲକ୍ଷ ଲିଟର ବିୟର ବଣ୍ଟା ଯାଇଥାଏ। ଏହି ଉତ୍ସବ ୨୨ ସେପ୍ଟେଟରରୁ ଆରମ୍ଭ ହୋଇଥିବା ବେଳେ ୭ ଅକ୍ଟୋବର ପର୍ଯ୍ୟନ୍ତ ଏହା ଚାଲିବ।

ପ୍ରଥମେ ଏହି ଫେଷ୍ଟିଭାଲର ୧୨ ଅକ୍ଟୋବର ୧୮୧୦ ମସିହାରେ ଆରମ୍ଭ କରାଯାଇଥିଲା। ମ୍ୟୁନିଚର ଏହି ବିୟର ଉତ୍ସବ ଦୁନିଆର ସବୁଠୁ ବଡ ଲୋକ ଉତ୍ସବ। ଏହି ଉତ୍ସବ ଜର୍ମାନୀରେ ୨୦୦ ବର୍ଷରୁ ଅଧିକ ବର୍ଷ ହେଲା ପାଳନ ହୋଇଆସୁଛି। ଆଉ ସବୁଠୁ ବଡ କଥା ହେଲା, ଏହି ଉତ୍ସବ ପାଇଁ ପ୍ରତିବର୍ଷ ୬୦ ଲକ୍ଷ ଲୋକ ଏଠାରେ ଏକାଠି ହୋଇଥାନ୍ତି। ଯେଉଁଠାରେ ଲୋକମାନଙ୍କ ପାଇଁ ବିୟରର ବନ୍ୟା କରାଯାଇଥାଏ।

ଚଳିତବର୍ଷ ୧୮୫ତମ ଅକ୍ଟୋବରଫେଷ୍ଟ ପାଳନ କରାଯାଉଛି। ଏହି ବିୟର ଫେଷ୍ଟିଭାଲର ଦ୍ୱିତୀୟ ଦିନ ଲୋକମାନେ ପାରମ୍ପରିକ ପୋଷାକ ପିନ୍ଧିବା ସହ ରାଇଫଲମ୍ୟାନ ପରେଡରେ ଭାଗ ନେଇଥାନ୍ତି । ୧୬ ଦିନ ଧରି ଚାଲିବାକୁ ଥିବା ଏହି ଫେଷ୍ଟିଭାଲର ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦିଆଯାଇଥାଏ। ୧୮୧୦ ମସିହାରେ ରାଜକୁମାର ଲୁଡୱିଗ ଓ ସ୍ୟାକସୋନି ଥେରେସେ ହିଲ୍‌ଡବୁର୍ଗହାଉଜନଙ୍କର ବିବାହ ହୋଇଥିଲା। ସେବେଠାରୁ ଏହି ଫେଷ୍ଟିଭାଲ ପାଳନ ହୋଇ ଆସୁଛି। ଏହି ଫେଷ୍ଟିଭାଲରେ ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଭାଗ ନେଇଥାନ୍ତି। ଯେଉଁଠାରେ ସମସ୍ତେ ନିଜ ମନ ପସନ୍ଦର ବିୟର ପିଇବା ସହ ସୁସ୍ୱାଦୁ ଖାଦ୍ୟର ମଜା ନେଇଥାନ୍ତି। ପୂର୍ବରୁ ଏହା ଅକ୍ଟୋବର ମାସରେ ପାଳନ କରାଯାଉଥିବାରୁ ଏହାର ନାଁ ଅକ୍ଟୋବରଫେଷ୍ଟ ରଖାଯାଇଛି। କିନ୍ତୁ ଏବେ ଅକ୍ଟୋବର ମାସରେ ଥଣ୍ଡା ପଡୁଥିବାରୁ ଏହାର ଆରମ୍ଭ ସେପ୍ଟେଟର ମାସରେ କରାଯାଉଛି।

ସମ୍ବନ୍ଧିତ ଖବର