ନୁଆଦିଲ୍ଲୀ: ଗତ କିଛି ଦିନହେବ ସୋସିଆଲ ମିଡିଆରେ ପୁରୁଣା ବିଲର ଫଟୋ ପୋଷ୍ଟ ହେବାର ଏକ ଟ୍ରେଣ୍ଡ ଚାଲିଛି। ଏହି ଟ୍ରେଣ୍ଡରେ ବିଗତ କିଛିବର୍ଷ ପୂର୍ବର ଖାଦ୍ୟ ବିଲ, ବିଦ୍ୟୁତ୍ ବିଲ୍, ପେଟ୍ରୋଲ୍ ବିଲ୍, ବୁଲେଟ୍ କିମ୍ବା ସାଇକେଲ୍ ବିଲ୍ ଏବଂ  ସୁନା ଓ ରୂପା ବିଲର ଫଟୋ ପୋଷ୍ଟ କରାଯାଉଛି। ଏଥିରେ ବର୍ତ୍ତମାନ ସମୟର ଦର ଓ ପୂର୍ବ ସମୟର ଦର ଭିତରେ ଆକାଶ ପାତାଳ ପାର୍ଥକ୍ୟ ରହିଥିବା ଦେଖିବାକୁ ମିଳୁଛି।

Advertisment

ଏହି କ୍ରମରେ ସୋସିଆଲ ମିଡିଆରେ ଆଉ ଏକ ବିଲ୍ ପୋଷ୍ଟ କରାଯାଇଛି। ବିଦ୍ୟାଳୟ ପ୍ରଶାସନ ଦ୍ବାରା ସୁପ୍ରିଟେଣ୍ଡେଣ୍ଟ, ସଫେଇ କର୍ମୀ ଏବଂ ଚୌକିଦାରଙ୍କୁ ପୂର୍ବରୁ ମାସିକ କେତେ ଦରମା ଦିଆଯାଉଥିଲା ତାହାର ଏକ ବିଲର ଫଟୋ ପୋଷ୍ଟ ହୋଇଛି।

ପୋଷ୍ଟ ହୋଇଥିବା ଫଟୋ ଟି ଅସ୍ପଷ୍ଟ ରହିଛି।  କିନ୍ତୁ ଅତି ନିକଟରୁ ଦେଖିଲେ ଦେଖିବାକୁ ମିଳୁଛି  କି, ସର୍ବପ୍ରଥମେ 'ଜୁଲାଇ ୧୯୨୯' ଲେଖାଯାଇଛି । କାଗଜରେ କେହି ଜଣେ ଇଂରାଜୀ ଭାଷାରେ ସୁନ୍ଦର ଅକ୍ଷରରେ ଲେଖିଛନ୍ତି ଯେ ପ୍ରତି ମାସରେ ସୁପ୍ରିଟେଣ୍ଡେଣ୍ଟ, ସଫେଇ କର୍ମୀ ଓ ଚୌକିଦାରଙ୍କୁ କେତେ ଦରମା ଦିଆଯାଉଛି । ସୁପ୍ରିଟେଣ୍ଡେଣ୍ଟଙ୍କ ମାସକୁ ୧୦ଟଙ୍କା, ଚୌକିଦାରଙ୍କ ୧୩ ଟଙ୍କା ଏବଂ ସଫେଇ କର୍ମୀଙ୍କ  ମାସକୁ ମାତ୍ର ୮ ଟଙ୍କା ରହିଥିଲା।

ଏହି ପୁରୁଣା ବିଲଟି ଏକ ରେଜିଷ୍ଟର କପିରେ ଲେଖାଯାଇଛି । ଏଥିରେ ବିଦ୍ୟାଳୟର କର୍ମଚାରୀମାନଙ୍କ ନାମ, ସେମାନଙ୍କର ପଦବୀ, ଦିଆଯିବାକୁ ଥିବା ଦରମା, କେତେ ଦିନ, ରିହାତି, ବକେୟା, ଦସ୍ତଖତ ଏବଂ ଟିପ୍ପଣୀ ଲେଖାଯାଇଛି ।

ତାଲିକାରେ ଥିବା ନାମ ପାଖରେ, ସମସ୍ତ ଜିନିଷକୁ ସେମାନଙ୍କ ସ୍ଥିତି ଅନୁଯାୟୀ ଚିହ୍ନଟ କରାଯାଇଛି।  ଏହି ବିଲର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ପୋଷ୍ଟ ସେୟାର କରିବାବେଳେ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଦିଲ୍ଲୀର ଏମଏଲ ସରକାରୀ ବାଳକ ସିନିୟର ସେକେଣ୍ଡାରି ସ୍କୁଲର ଏକ ଟିମ୍ ସଦସ୍ୟଙ୍କୁ ପେ ବିଲ୍ ରେଜିଷ୍ଟରର ୯୪ ବର୍ଷ ପୁରୁଣା କପି ମିଳିଛି।