ନୂଆ ରୂପରେ ପୁରୁଣା ରୋଗ: ମ୍ୟୁକର୍‌ମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍

ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ପୂର୍ବରୁ ଏହି ରୋଗ ଆଗରୁ ରହିଛି। ହେଲେ କରୋନାର ଦ୍ବିତୀୟ ଲହରରେ ଏହା ପୁଣିଥରେ ଚର୍ଚାର ପରିସରକୁ ଆସିଛି। ଦିଲ୍ଲୀ, ଗୁଜୁରାଟ ଓ ମୁମ୍ବାଇରେ ସୁନାମୀ ଭଳି ମାଡ଼ିବାରେ ଲାଗିଛି। ଏପରିକି ଓଡ଼ିଶାରେ ମଧ୍ୟ କେତେକ ରୋଗୀ ଏହାର ଶିକାର ହୋଇଥିବା ନଜରକୁ ଆସିଲାଣି। ପ୍ରକୃତରେ ଏହି ରୋଗଟି କ’ଣ ଓ ଏହାର କ’ଣ ଉପଚାର ରହିଛି ତାହା ସଂପର୍କରେ ସୂଚନା ଦେଇଛନ୍ତି ସମ୍ ଅଲଟିମେଟର ଇଏନ୍‌ଟି ଡାକ୍ତର ରାଧାମାଧବ ସାହୁ। ଏହି ଫଙ୍ଗସ୍‌ ପ୍ରଥମେ ନାକ ବାଟ ଦେଇ ଶରୀରରେ ପ୍ରବେଶ କରିଥାଏ। ପ୍ରଥମେ ନାକକୁ ନଷ୍ଟ କରିବା ପରେ ଆଖି, ମୁହଁର ତାଳୁ, ମସ୍ତିସ୍କକୁ ନଷ୍ଟ କରି ଦେଇଥାଏ। ଫଙ୍ଗସ୍‌ ପ୍ରଥମେ କାପିଲାରିକୁ ବନ୍ଦ କରି ଦେଇଥାଏ। ତେଣୁ କୌଣସି ଅଙ୍ଗକୁ ଅକ୍ସିଜେନ୍ କିମ୍ବା ନ୍ୟୁଟ୍ରିସନ ନ ଗଲେ ଶରୀରର ଅଙ୍ଗଟି ପଚି କଳା ପଡ଼ି ଯାଇଥାଏ। ତେଣୁ ଏହାର ନାମ ବ୍ଲାକ୍ ଫଙ୍ଗସ୍ ବୋଲି କୁହାଯାଉଛି।

ସତର୍କତା
ମଧୁମେହରେ ଆକ୍ରାନ୍ତ ଲୋକ ଯଦି କରୋନା ସଂକ୍ରମିତ ହୁଅନ୍ତି ତାହେଲେ ତାଙ୍କର ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାକୁ ହେବ। ଆଜିର ସମୟରେ ଯଦି କୌଣସି ବ୍ୟକ୍ତିଙ୍କଠାରେ କରୋନାର ମଧ୍ୟମ ଧରଣର ଲକ୍ଷଣ ଦେଖା ଦେଉଛି ତାହେଲେ କିଛି ନ ଭାବିକି ରୋଗୀଙ୍କୁ ଷ୍ଟେରୋଏଡ ଦିଆଯାଉଛି। କେବଳ ଷ୍ଟେରୋଏଡ ନୁହେଁ, ଏଭଳି ଅନେକ ଔଷଧ ଦିଆଯାଉଛି ଯାହାର ଫଳପ୍ରଦତାକୁ ନେଇ ଏବେ ବି ବିବାଦ ରହି ଆସିଛି। ତେଣୁ ରୋଗୀଙ୍କ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବା ସହିତ ଉପଯୁକ୍ତ ନିରୀକ୍ଷଣରେ ଔଷଧ ଦିଆଯିବା ଜରୁରୀ। ସେହିପରି ଯେଉଁ ରୋଗୀଙ୍କଠାରେ କରୋନା ଲକ୍ଷଣ କମି ଆସିଲାଣି, ତାଙ୍କର ଯଦି ନାକର ଏଣ୍ଡେସ୍କୋପି କରାଯାଏ ତାହାଲେ ରୋଗୀଙ୍କଠାରେ ଫଙ୍ଗସ୍ ଆସିଲାଣି କି ନାହିଁ ସ୍ପଷ୍ଟ ହୋଇପାରିବ। ଏହାସହ କୋଭିଡ ରୋଗୀଙ୍କୁ ଆଇସିୟୁରେ ଲଗାଯାଉଥିବା ମାସ୍କ ଓ ଅନ୍ୟ ଉପକରଣଗୁଡ଼ିକୁ ଠିକ୍ ଭାବେ ସାନିଟାଇଜ୍ କରାଯିବା ଦରକାର। ଏହି ରାସ୍ତା ଦେଇ ମଧ୍ୟ ଫଙ୍ଗସ୍ ଯାଉଥିବା କିଛି କିଛି କ୍ଷେତ୍ରରେ ନଜରକୁ ଆସିଲାଣି। ରୋଗର ମୋର୍ଟାଲିଟି ରେଟ୍‌ ବା ମୃତ୍ୟୁ ହାର ୫୦ ପ୍ରତିଶତ ରହିଛି।

ମଧୁମେହ ନ ଥିବା ରୋଗୀ ମଧ୍ୟ ଫଙ୍ଗସ୍‌ର ଶିକାର ହୋଇପାରିବେ
ମଧୁମେହ ନ ଥିବା ରୋଗୀ ମଧ୍ୟ ବ୍ଲାକ୍ ଫଙ୍ଗସ୍‌ର ଶିକାର ହୋଇପାରିବେ। ଯିଦ ସେମାନଙ୍କୁ ଅଧିକ ମାତ୍ରାରେ ଷ୍ଟେରୋଏଡ ଦିଆଯାଏ ଓ ତାଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ ତାହାଲେ ଶରୀରରେ ଫଙ୍ଗସ୍ ପ୍ରବେଶ କରିବାର ଯଥେଷ୍ଟ ଆଶଙ୍କା ରହିଛି। ୨୭/୩୪ବର୍ଷର ଲୋକ ମଧ୍ୟ ବ୍ଲାକ୍ ଫଙ୍ଗସ୍‌ର ଶିକାର ‌ହୋଇଥିବା ନଜରକୁ ଆସୁଛି।
କିଭଳି ଜାଣିବେ ?
କୋଭିଡ୍‌ରୁ ମୁକ୍ତ ହୋଇଥିବା ରୋଗୀଙ୍କ ନାକରୁ ଯଦି କଳା ରଙ୍ଗର ପାଣି ବୋହିବା ଆରମ୍ଭ କରେ, ନାକ ବାନ୍ଧି ହୋଇଯିବା, ଆଖି ଫୁଲିଯିବା, ମୁଣ୍ଡର ଚାରିପଟେ ଯନ୍ତ୍ରଣା, ମୁହଁରେ ଯନ୍ତ୍ରଣା, ପାଟିର ଭିତରେ କଳା ଦାଗ ସୃଷ୍ଟି ହେବା ବ୍ଲାକ୍ ଫଙ୍ଗସ୍‌ର ପ୍ରାଥମିକ ଲକ୍ଷଣ। ତାହେଲେ ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ କରିବା ଦରକାର। ବିଶେଷକରି ଇଏନ୍‌ଟି ବିଭାଗର ଡାକ୍ତର ରୋଗୀଙ୍କ ଚିକିତ୍ସା କରିଥାନ୍ତି।
ଚିକିତ୍ସା ପଦ୍ଧତି
ଏଭଳି ‌ରୋଗୀଙ୍କ ଏମ୍‌ଆରଆଇ କରାଯାଇ ରୋଗୀଟି କେଉଁ ଆଡ଼କୁ ମାଡ଼ିଛି ତାହା ଚିହ୍ନଟ କରାଯାଇଥାଏ। ଯେଉଁ ସ୍ଥାନରେ ରୋଗଟି ରହିଛି ତାହାଲେ ତାହାକୁ ବାହାର କରିବାକୁ ପଡ଼ିଥାଏ। ଫଳରେ ରୋଗୀଙ୍କୁ କମ୍ ମେଡିକେସନ୍‌ରେ ମଧ୍ୟ ରୋଗୀ ଭଲ ହୋଇପାରିବ। ମାତ୍ର ବିଳମ୍ବ ହେଲେ ଅନେକ କ୍ଷେତ୍ରରେ ଆଖି ଓ ନାକକୁ ବାହାର କରିବାକୁ ପଡ଼ୁଛି। ଯଦି ଫଙ୍ଗସ୍‌ଟି ମସ୍ତିସ୍କ ଭିତରକୁ ପଶିଯାଏ ତାହେଲେ ଏହାକୁ ବାହାର କରିବା କଷ୍ଟକର। ପୂର୍ବରୁ ସର୍ଜରି କରିବା କଷ୍ଟକର ଥିଲା। ମାତ୍ର ଏବେ ଆଧୁନିକ ଯନ୍ତ୍ରପାତି ଜରିଆରେ ନଷ୍ଟ ହୋଇଥିବା ଅଙ୍ଗକୁ ବାହାର କରି ଦିଆଯାଉଛି।
କରୋନା ଭଳି ବ୍ୟାପୁନାହିଁ ବ୍ଲାକ୍ ଫଙ୍ଗସ୍
ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ଆମ ପରିବେଶରେ ସବୁବେଳେ ପାଇଁ ରହିଛି। ହେଲେ ଏହା କୋଭିଡ୍‌ ଭଳି ଅନ୍ୟ ଲୋକକୁ ବ୍ୟାପି ନ ଥାଏ। ହେଲେ ଯେଉଁ ଲୋକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ହ୍ରାସ ପାଏ ତାହେଲେ ‌ଫଙ୍ଗସ୍ ଆକ୍ରାନ୍ତ ହେବାର ବେଶୀ ଆଶଙ୍କା ରହିଛି। ହେଲେ ଠିକ୍ ସମୟରେ ଚିକିତ୍ସା ନ କଲେ ରୋଗୀଙ୍କୁ ବଞ୍ଚାଇବା କଷ୍ଟକର। ରୋଗ ଚିହ୍ନଟ ଜଲ୍‌ଦି ଚିହ୍ନଟ ହେଲେ ୭୦/୮୦ ରୋଗୀଙ୍କ ଆଖି ବାହାର ନ କରି ସୁରକ୍ଷିତ ହୋଇପାରୁଛି।

ସମ୍ବନ୍ଧିତ ଖବର