ଓଲପାଡ଼(ସୁରଟ): ଗୁଜୁରାଟର ଡଭାରୀ ଗ୍ରାମ ନିକଟରେ ଆରବ ସାଗରରେ ୧୩୦ ଫୁଟ ଗଭୀରରେ ୧୦ହଜାର ବର୍ଷର ପୁରୁଣା ଅବଶିଷ୍ଟାଂଶ ମିଳିଛି। ଏହି ଅଞ୍ଚଳ ସୁରାଟ ନିକଟରେ ଥିବା ଓଡ଼ପାଦ ତହସିଲରେ ଅବସ୍ଥିତ। ବିଶେଷଜ୍ଞମାନେ ଏହାକୁ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ସ୍ଥାପନା କରାଯାଇଥିବା ଦ୍ୱାରକାର ମୂଳ ଅଂଶ ବୋଲି ବିବେଚନା କରିଛନ୍ତି। ଆରବ ସାଗରରେ ପ୍ରଦୂଷଣ ସ୍ତର ତଦନ୍ତ କରୁଥିବା ବେଳେ ଟିମ୍କୁ ପୁରୁଣା ଦ୍ୱାରକାର ସନ୍ଧାନ ମିଳିଛି।
ସରକାର ଏଠାରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ଦ୍ୱାରକାର ଅବଶିଷ୍ଟାଂଶ ସମ୍ପର୍କରେ ତଥ୍ୟ ଖୋଜିବାରେ ଲାଗିଛନ୍ତି। ୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ ନ୍ୟାସନାଲ ଇଷ୍ଟିଚ୍ୟୁଟ ଅଫ୍ ଓସେନ୍ ଟେକ୍ନୋଲୋଜି ତରଫରୁ ସମୁଦ୍ରରେ ପ୍ରଦୂଷଣର ଅନୁସନ୍ଧାନ ସମୟରେ ଟିମ୍କୁ ଏଭଳି ସଫଳତା ମିଳିଛି। ତଦନ୍ତକାରୀ ଟିମ୍ ‘ଆର୍କିଓଲୋଜି ଏଣ୍ଡ ଓସେନ ବିଭାଗ’କୁ ୧୯୮୮ରେ ସମୁଦ୍ର ଗର୍ଭରେ ଏକ ପାହାଡ଼ର ସନ୍ଧାନ ମିଳିଥିଲା। କୁହାଯାଉଛି ଯେ, ଏହି ପର୍ବତକୁ ସମୁଦ୍ର ମନ୍ଥନ ବେଳେ ବ୍ୟବହାର କରାଯାଇଥିଲା।
ସମୁଦ୍ର ସଭ୍ୟତା
ସମୁଦ୍ରର ଏହି ବିଶାଳ ଭୂଖଣ୍ଡରୁ ପଥରର ଅସ୍ତ୍ରଶସ୍ତ୍ର, ମାଟି ପାତ୍ର, ନାଳରେ ଲାଗିଥିବା ଜିନିଷ ପତ୍ର, ସ୍ନାନାଗାର, ମୂଲ୍ୟବାନ ପଥର, କଙ୍ଗନ, ବଳଦରଶିଙ୍ଗ ସହିତ ମନୁଷ୍ୟର କଙ୍କାଳ ମିଳିଛି। ଗବେଷକମାନେ ଏଠାରୁ ମାନବ ସଭ୍ୟତା ଥିବାର ପ୍ରମାଣ ପତ୍ର ପାଇଛନ୍ତି। ଏଠାରେ କାଠରୁ ନିର୍ମିତ ବିଭିନ୍ନ ପ୍ରକାରର ଜିନିଷ ମିଳିଛି। ଗବେଷକଙ୍କ ଅନୁମାନ ଅନୁସାରେ, ଏଠାରୁ ମିଳିଥିବା ଜିନିଷ ୯୫୦୦ ବର୍ଷର ପୁରୁଣା। ଏହା ସହିତ ହରପ୍ପା ସଭ୍ୟତାର ପୋଖରି, ସ୍ନାନାଗାର ଭଳି ଭଗ୍ନାବଶେଷ ଗବେଷକମାନେ ପାଇ ପାରିଛନ୍ତି।
କମ୍ବାଟରୁ କଚ୍ଛ ପର୍ଯ୍ୟନ୍ତ ବିସ୍ତତ ଥିଲା ଦ୍ୱାରକା: ବିଶେଷଜ୍ଞ
ଡାକ୍ତର ଏସ କଥରୋଲିଙ୍କ ନେତୃତ୍ୱରେ ଗଠିତ ଟିମ ଗବେଷଣାରୁ ଜାଣି ପାରିଛି ଯେ, କମ୍ବାଟ ଠାରୁ କଚ୍ଛ ପର୍ଯ୍ୟନ୍ତ ଦ୍ୱାରକା ବିସ୍ତତ ଥିଲା। ପ୍ରତ୍ନତତ୍ତ୍ୱବିତ୍ ମିତୁଲ ତ୍ରିବେଦୀଙ୍କ ମୁତାବିକ, ଦ୍ୱାରକା ଏକ ରାଜ୍ୟ ଥିଲା। ଏଠାରେ ଚାରିଆଡେ ଜମି ଥିଲା। ସେ କହିଛନ୍ତି ନିକଟରେ ଦ୍ୱାରକାରୁ ସୁରଟ ପର୍ଯ୍ୟନ୍ତ ସମୁଦ୍ର କୂଳରେ ଏକ କାନ୍ଥ ଦେଖିବାକୁ ମିଳିଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଦ୍ୱାରକାରୁ ସୁରାଟ ପର୍ଯ୍ୟନ୍ତ ଶ୍ରକୃଷ୍ଣଙ୍କ ରାଜ୍ୟ ଥିଲା। ସୁରାଟ ପାଖରେ ମିଳିଥିବା ନଗରୀ ଓ ଦ୍ୱାରକା ମଧ୍ୟରେ ସାମଞ୍ଜସ୍ୟ ରହିଛି।
ଡାକ୍ତର ଏସ୍ କଥରୋଲିଙ୍କ ନେତୃତ୍ୱରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ, ନର୍ମଦା ନଦୀର ମୁଖ୍ୟସ୍ଥଳରୁ ୪୦ କିଲୋମିଟର ଦୂର ଓ ତାପି ନଦୀର ମୁଖ୍ୟସ୍ଥଳ ପାଖରେ ଆରବ ସାଗରର ଉତ୍ତର-ପଶ୍ଚିମରେ ପ୍ରାଚୀନ ନଗରର ଅବଶିଷ୍ଟାଂଶ ମିଳିଛି। ୧୩୦ଫୁଟ ଗଭୀରରେ ୫ ମାଇଲ ଲମ୍ବ ଓ ପାଖାପାଖି ୨ ମାଇଲ ପ୍ରସ୍ଥର ୧୦ହଜାର ବର୍ଷର ପୁରୁଣା ନଗର ମିଳିଛି।
ପୌରାଣିକ ମାନ୍ୟତା କ’ଣ
ପୌରାଣିକ ମାନ୍ୟତା ଅନୁସାରେ ଶ୍ରୀକୃଷ୍ଣ ମଥୁରାରେ ମାମୁଁ କଂସଙ୍କୁ ବଧ କରିଥିଲେ। ଏହା ପରେ କଂସର ଶ୍ୱଶୁର ଓ ମଗଧର ରାଜା ଜରାସନ୍ଧ କୃଷ୍ଣଙ୍କ ସହିତ ଯଦୁ ବଂଶ ବିନାଶ କରିବାକୁ ପଣ ରଖିଥିଲେ। ଭଗବାନ ଶ୍ରୀକୃଷ୍ଣ ମଥୁରା ଛାଡ଼ି ଆରବ ସାଗର କୂଳରେ ଦ୍ୱାରକା ସ୍ଥାପନା କରିଥିଲେ। ପରେ ଏହା ଜଳମଗ୍ନ ହେବାରୁ ବୁଡ଼ି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/Dwaraka1.jpg)