ଭାରତୀୟ ସମାଜର ଅନନ୍ୟ ତଥା ଅଗ୍ରଗଣ୍ୟ ଅନୁଷ୍ଠାନଟି ହେଉଛି ‘ପରିବାର’। ପରିବାର କେବଳ ରକ୍ତସଂପର୍କୀୟଙ୍କ ଏକତ୍ର ସହାବସ୍ଥାନ ଭିତରେ ସୀମିତ ନୁହେଁ; ଆମର କଳା-ସାହିତ୍ୟ-ସଂସ୍କୃତି, ବ୍ୟବସାୟ-ବାଣିଜ୍ୟ, କୃଷି-ପରିବେଶ, ସମାଜସେବା-ରାଜନୀତି ଆଦି ସମାଜର ସମସ୍ତ ବିଭାବକୁ ଏହା ଋଦ୍ଧିମନ୍ତ ଓ ସଂପ୍ରସାରିତ କରିଛି। ଜାତୀୟସ୍ତରରେ ଗାନ୍ଧୀ ପରିବାର, ଟାଟା ସନ୍ସ, କପୁର ଖାନ୍ଦାନ୍ ଓ ଅମ୍ବାନୀ ପରିବାର ଆଦିଙ୍କର ସଫଳ ଗାଥା ସଂପର୍କରେ ଆମେ ଅବଗତ। ଓଡ଼ିଶାରେ ବି ଏଭଳି ବହୁ ପରିବାର ଅଛନ୍ତି, ଯେଉଁମାନେ ଭିନ୍ନଭିନ୍ନ କ୍ଷେତ୍ରରେ ସ୍ବକୀୟ ସଫଳତା ଓ ଅବଦାନ ଲାଗି ସୁପରିଚିତ। ମେ ୧୫ ‘ଅନ୍ତର୍ଜାତୀୟ ପରିବାର ଦିବସ’ ଅବସରରେ ଓଡ଼ିଶାର ଏଭଳି କେତୋଟି ପରିବାରର କାହାଣୀକୁ ନେଇ ଆଜିର ପ୍ରଥମ ପ୍ରସଙ୍ଗ।
ସସ୍ମିତା ସାହୁ
ଆମର କଳା-ସାହିତ୍ୟ-ସଂସ୍କୃତି, କୃଷି-ବ୍ୟବସାୟ-ବାଣିଜ୍ୟ, ପରିବେଶ-ପରମ୍ପରା, ସମାଜସେବା-ରାଜନୀତି ଆଦି ସବୁ କ୍ଷେତ୍ରକୁ ଋଦ୍ଧିମନ୍ତ କରିବା ସହ ସମୟସ୍ରୋତରେ ସଂପ୍ରସାରିତ କରିବାରେ ଉଲ୍ଲେଖନୀୟ ଭୂମିକା ବହନ କରିଛି ପରିବାର। ଜୀବନର ଆଦ୍ୟପ୍ରେରଣା ହିଁ ମିଳିଥାଏ ପରିବାରରୁ। ପୁଣି ପ୍ରତିଭାର ପ୍ରୋତ୍ସାହନରୁ ନେଇ ବ୍ୟକ୍ତିତ୍ବର ପୂର୍ଣ୍ଣ ବିକାଶର ଅନ୍ତୁଡ଼ିଶାଳ ହିଁ ପରିବାର। ପାରିବାରିକ ପରିବେଶ ଓ ପରମ୍ପରା ସମାଜ ତଥା ରାଷ୍ଟ୍ର ଗଠନରେ ବହୁ ଭାବେ ସହାୟକ ହୋଇଥାଏ। ଆସନ୍ତୁ ଓଡ଼ିଶାର ଏଭଳି କିଛି ପରିବାରର ଅବଦାନ ସଂପର୍କରେ ଅବଗତ ହେବା।
ସଂଗୀତ ପ୍ରତି ସମର୍ପିତ କର ପରିବାର
ଭାରତୀୟ ସଂଗୀତକୁ ପରିବାର ଓ ପାରିବାରିକ ପରମ୍ପରାର ଅବଦାନ ଅନନ୍ୟ। ଉଭୟ ଶାସ୍ତ୍ରୀୟ ଓ ଲୋକସଂଗୀତକୁ ଋଦ୍ଧିମନ୍ତ କରିବା ସହ ପିଢ଼ି ପରେ ପିଢ଼ି ପ୍ରସାରିତ କରିବାରେ ସଂଗୀତଜ୍ଞ ପରିବାର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହି କ୍ରମରେ ଓଡ଼ିଶାର ‘କର ପରିବାର’ ଅବଶ୍ୟ ଉଲ୍ଲେଖ ଦାବି କରନ୍ତି। ଓଡ଼ିଶାରେ ତବଲାର କର୍ଣ୍ଣଧାର ପଣ୍ଡିତ କ୍ଷେତ୍ରମୋହନ କର, ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର, ଶାସ୍ତ୍ରୀୟ ତବଲା ବାଦକ ଉମେଶ କର, କଣ୍ଠଶିଳ୍ପୀ ମହାପ୍ରସାଦ କର ଓ ସଂଗୀତ ନିର୍ଦ୍ଦେଶକ ଗୁଡ୍ଲି ରଥ ପ୍ରମୁଖ ଜଣାଶୁଣା ବ୍ୟକ୍ତିତ୍ବ ଏହି ପରିବାରର ଦାୟାଦ। ଲୋକ ପରିଚିତି ଓ ଜନପ୍ରିୟତା ଆଧାରରେ ସ୍ବନାମଧନ୍ୟ ଗୀତିକାର, ଲେଖକ, ସ୍ତମ୍ଭକାର ତଥା ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ତାଙ୍କ ପରିବାରର ସଫଳ ସଦସ୍ୟ। ଓଡ଼ିଆ ସିନେସଂଗୀତ, ସୁଗମ ସଂଗୀତ, ଭକ୍ତି ଓ ଓଡ଼ିଶୀ ସଂଗୀତରେ ତାଙ୍କର ଅନନ୍ୟ ପାରଦର୍ଶିତା ଶ୍ରୋତାଙ୍କୁ ଆଜିଯାଏ ବାନ୍ଧି ରଖିଛି। ବହୁ ଓଡ଼ିଆ ଛବିରେ ସଂଗୀତ ନିର୍ଦ୍ଦେଶନା ଦେଇ ସେ ଘରେ ଘରେ ପରିଚିତି ହାସଲ କରିଥିଲେ। ସଂଗୀତକୁ ଅନନ୍ୟ ଅବଦାନ ଲାଗି ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ରେ ସମ୍ମାନିତ ହୋଇଥିଲେ। ୧୯୩୯ ଫେବ୍ରୁଆରି ୧୬ ତାରିଖରେ ପୁରୀର ଦୋଳମଣ୍ଡପସାହିରେ ବୈଦ୍ୟନାଥ କର ଓ ସୁଶୀଳା କରଙ୍କ କୋଳମଣ୍ଡନ କରିଥିଲେ ପ୍ରଫୁଲ୍ଲ କର। ବୈଦ୍ୟନାଥଙ୍କ ବାପା ବନମାଳୀ କର ଥିଲେ ପୁରୀର ଜଣେ ପ୍ରଭାବଶାଳୀ ଜମିଦାର।
ଏଥିସହ ଜଣେ କଳାପ୍ରେମୀ ମଣିଷ ମଧ୍ୟ । ସେ ନିଜ ଖୁସି ପାଇଁ ମର୍ଦ୍ଦଳ ବଜାଉଥିବା ବେଳେ ଆପଣା ଖର୍ଚ୍ଚରେ ଗାଁ ଲୋକଙ୍କୁ ପାଲା, ଦାସକାଠିଆ, ଗୋଟିପୁଅ ନାଚ ଆଦି ଦେଖାଇ ଓଡ଼ିଆ ସଂସ୍କୃତି ଓ େଲାକକଳା ପ୍ରତି ଲୋକାନୁରାଗ ସୃଷ୍ଟି କରୁଥିଲେ। ଏହି କାରଣରୁ ପ୍ରଫୁଲ୍ଲଙ୍କ ପରିବାରରେ ଥିଲା ଏକ ସାଂଗୀତିକ ବାତାବରଣ। ଅଳ୍ପ ବୟସରେ ପ୍ରଫୁଲ୍ଲ ବାପାଙ୍କୁ ହରାଇଲେ, ହେଲେ ଦଦେଇ (ବଡ଼ବାପା) କ୍ଷେତ୍ରମୋହନ କରଙ୍କ ସଂସ୍ପର୍ଶରେ ଆସି ସଂଗୀତ ସାଧନାକୁ ସକ୍ରିୟ କରିଥିଲେ। କ୍ଷେତ୍ରମୋହନ ଥିଲେ ଓଡ଼ିଶାର ଜଣେ ପ୍ରସିଦ୍ଧ ତବଲା ଓ ମର୍ଦ୍ଦଳ ବାଦକ। ତାଙ୍କ ନିକଟକୁ ଦେଶର ବଡ଼ବଡ଼ ସଂଗୀତଜ୍ଞ ଆସୁଥିଲେ ଓ ଘରେ ନିୟମିତ ସଂଗୀତ ଚର୍ଚ୍ଚା ହେଉଥିଲା। ଜେଠେଈ ପଦ୍ମାବତୀ କର ଥିଲେ ଜଣେ ଦକ୍ଷ ସିତାର ବାଦିକା। କ୍ଷେତ୍ରମୋହନ ଓ ପଦ୍ମାବତୀ କରଙ୍କ ପୁଅ ଉମେଶ ଚନ୍ଦ୍ର କର ପରିବାରରୁ ପ୍ରେରଣା ପାଇ ତବଲା ବାଦନକୁ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିଥିଲେ। ସେ ଜଣେ ସୁପ୍ରସିଦ୍ଧ ତବଲା ବାଦକ ହେବା ସହ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ବ ବି ତୁଲାଇଥିଲେ। ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ଉମେଶ ଚନ୍ଦ୍ର ଥିଲେ ଜଣେ ଜଣାଶୁଣା ଚେହେରା।
ସେହିଭଳି ପ୍ରଫୁଲ୍ଲ କରଙ୍କ ସାନପୁଅ ମହାପ୍ରସାଦ କର ଜଣେ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ। ୫ ବର୍ଷ ବୟସରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିବା ମହାପ୍ରସାଦ ୪୦ ବର୍ଷ ଧରି ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ସକ୍ରିୟ ଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରେ ବହୁ କାର୍ଯ୍ୟକ୍ରମ କରୁଛନ୍ତି। ପ୍ରଫୁଲ୍ଲ କରଙ୍କ ଝିଅ ସନ୍ଧ୍ୟାଦୀପା ଜଣେ ପ୍ରବୀଣା ଓଡ଼ିଶୀ ନୃତ୍ୟଶିଳ୍ପୀ। ଗତ ୩୦ ବର୍ଷ ହେଲା ଆମେରିକାରେ ରହି ସେଠାରେ ପିଲାମାନଙ୍କୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଉଛନ୍ତି। ଏଥିସହ ଇଉରୋପ ଓ ଆମେରିକାର ବିଭିନ୍ନ ଦେଶରେ ନୃତ୍ୟ କାର୍ଯ୍ୟକ୍ରମ ଓ କର୍ମଶାଳା କରି ଓଡ଼ିଶୀ ନୃତ୍ୟର ପ୍ରଚାରପ୍ରସାର କରୁଛନ୍ତି। ଅନ୍ୟପଟେ ଉମେଶ କରଙ୍କ ଭଉଣୀ ପ୍ରଭାବତୀ ରଥ ଥିଲେ ଜଣେ ରାଜ୍ୟସ୍ତରୀୟ କଣ୍ଠଶିଳ୍ପୀ। ଏଥିସହ ସଙ୍ଗୀତରେ ଉତ୍କର୍ଷତା ପାଇଁ ସେ ସ୍ବର୍ଣ୍ଣପଦକ ମଧ୍ୟ ପାଇଥିଲେ। ପ୍ରଭାବତୀ ରଥଙ୍କ ପୁଅ ଗୁଡ୍ଲି ରଥ ମଧ୍ୟ ସଂଗୀତ ଧାରାରେ ରହିଛନ୍ତି। ଜଣେ ଭଲ ଗିଟାର୍ ବାଦକ ହେବା ସହ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ।
ପ୍ରଫୁଲ୍ଲ କରଙ୍କ ପୁଅ ମହାପ୍ରସାଦ ପରିବାରର ସାଂଗୀତିକ ପରମ୍ପରା ସଂପର୍କରେ କହନ୍ତି, ‘‘ଆମ ପରିବାରର ପ୍ରତ୍ୟେକଟି ରକ୍ତବିନ୍ଦୁରେ ରହିଛି ସଙ୍ଗୀତ ପ୍ରତି ଅହେତୁକ ସମର୍ପଣ। ଯଦିଓ ଆମ ପରିବାରର ପ୍ରତିଟି ସଦସ୍ୟ ସଙ୍ଗୀତ କ୍ଷେତ୍ରରେ ରହିଛନ୍ତି ତଥାପି ବାପା ଯେଉଁ ମାଇଲ୍ଖୁଣ୍ଟ ସ୍ଥାପନ କରି ଯାଇଛନ୍ତି, ତାହାର ମର୍ଯ୍ୟାଦା ରଖିବା ଆମମାନଙ୍କ ଦାୟିତ୍ବ। ସୁର, ତାଳ, ଲୟ ଓ ପ୍ରକୃତ ଗାୟନଶୈଳୀକୁ ଧରି ରଖିବା ଓ ଓଡ଼ିଶାକୁ ପୁଣି ସଙ୍ଗୀତର ଶିଖରରେ ପହଞ୍ଚାଇବାକୁ ଆମେ ଚେଷ୍ଟା କରିବୁ। ମୋ ପୁଅ ଝିଅଙ୍କୁ ବି ଓଡ଼ିଶୀ ନୃତ୍ୟ ଓ ଗୀତ ଶିଖାଉଛି। ଆଶା ସେମାନେ ‘କର ପରିବାର’ର ଏହି ପରମ୍ପରାକୁ ଆଗକୁ ନେବେ।’’
ରାଜନୀତିରେ ସିଂହଦେଓ ଓ ରାଉତରାୟ ପରିବାର
ସଂଗୀତକୁ ସମୃଦ୍ଧ କରିବାରେ ଯେଭଳି ପରିବାରିକ ପରମ୍ପରା ସହାୟକ ହୋଇଛି ଠିକ୍ ସେମିତି ରାଜନୀତିକୁ ମଧ୍ୟ ପରିବାରର ଯୋଗଦାନ ରହିଛି। ନିର୍ବାଚନ ରାଜନୀତିରେ ଗୋଟିଏ ପରିବାରର ପିଢ଼ି ପରେ ପିଢ଼ି ଅଂଶଗ୍ରହଣ କରି ଲୋକପ୍ରତିନିଧି ହୋଇଛନ୍ତି ଓ କ୍ଷମତାକୁ ଆସିଛନ୍ତି। ଏଇ ଧାରାରେ ରାଜନୀତି କେତେକ ପରିବାରର ଅଘୋଷିତ ବୃତ୍ତି ପାଲଟି ଯାଇଛି। ଓଡ଼ିଶାରେ ଏଭଳି କିଛି ପରିବାର ରହିଛି ଯାହାର ଏକାଧିକ ପିଢ଼ି ରାଜନୀତିରେ ସଫଳତା ହାସଲ କରିଛନ୍ତି। ଏହି କ୍ରମରେ ଆମେ ବଲାଙ୍ଗୀର ଜିଲ୍ଲାର ସିଂହଦେଓ ପରିବାରକୁ ଅଗ୍ରଗଣ୍ୟ ବିବେଚନା କରିପାରିବା। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପୁଅ ଅନଙ୍ଗ ଉଦୟ ସିଂହଦେଓ ସାଂସଦ ଓ ମନ୍ତ୍ରୀ ଥିଲେ ଏବଂ ଏବେ ତାଙ୍କ ବଡ଼ପୁଅ କଳିକେଶ ସାଂସଦ ଓ ସାନପୁଅ ଅର୍କେଶ ସିଂହଦେଓ ରାଜନୀତିରେ ସକ୍ରିୟ ଅଛନ୍ତି। ସେହିପରି ମହାରାଜା ରାଜେନ୍ଦ୍ର ନାରାୟଣଙ୍କ ସାନଭାଇ ରାଜରାଜ ସିଂହଦେଓ ପୂର୍ବତନ ସାଂସଦ ହୋଇଥିବା ବେଳେ ତାଙ୍କ ପୁଅ କନକ ବର୍ଦ୍ଧନ ସିଂହଦେଓ ବିଧାୟକ ଓ ମନ୍ତ୍ରୀ ରହିଛନ୍ତି। ବୋହୂ ସଂଗୀତା କୁମାରୀ ସିଂହଦେଓ ସାଂସଦ ଏବଂ ଏଯାବତ୍ ସକ୍ରିୟ ରାଜନୀତିରେ ଅଛନ୍ତି। ସିଂହଦେଓ ପରିବାରଟି ସ୍ବାଧୀନତା ପରବର୍ତ୍ତୀ ଓଡ଼ିଶାରେ ୭ ଦଶକରୁ ଅଧିକ କାଳ ସକ୍ରିୟ ରାଜନୀତିରେ ରହିଛନ୍ତି।
ସେହିପରି ୧୯୭୭ରୁ ୮୦ ମସିହା ଯାଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପରିବାର ପିଢ଼ି ପରେ ପିଢ଼ି ରାଜନୀତିରେ ସକ୍ରିୟ ଅଛନ୍ତି। ବାଲେଶ୍ବର ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଜନ୍ମିତ ନୀଳମଣିଙ୍କ ବାପା ହେଉଛନ୍ତି ଚନ୍ଦ୍ରଶେଖର ରାଉତରାୟ। ବାପା ଜଣେ ଛୋଟ ଜମିଦାର ଥିବା ବେେଳ କୋଲକାତାରେ ତାଙ୍କ ଜେଜେବାପାଙ୍କ ସମୟରୁ ଜାହାଜ କମ୍ପାନିରେ ଠିକାଦାରୀ ବ୍ୟବସାୟ ରହିଥିଲା।
ଏକ ଧନାଢ଼୍ୟ ପରିବାରରୁ ଆସିଥିବା ନୀଳମଣି ରାଉତରାୟ ଦେଶ ସ୍ବାଧୀନତା ପୂର୍ବରୁ ରାଜନୀତିକୁ ଆସି ବେଶ୍ ସଫଳତା ପାଇଥିଲେ। କଂଗ୍ରେସ ଦଳରେ ସାମିଲ ହୋଇ ସେ ୧୯୫୨ରୁ ୧୯୬୭ ମସିହା ଯାଏ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ବିଭିନ୍ନ ବିଭାଗର ମନ୍ତ୍ରୀ ପଦ ମଣ୍ଡନ କରିଥିଲେ। ଏହାପରେ ୧୯୭୧ରେ ଉତ୍କଳ କଂଗ୍ରେସରେ ଯୋଗ ଦେଇ ପୁଣି ବାସୁଦେବପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ଜନତା ଦଳରେ ସାମିଲ ହୋଇ ୧୯୭୭ରୁ ୮୦ ମସିହା ଯାଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିଲେ। ୧୯୮୯ରୁ ୯୧ ଯାଏ ସେ ପୁରୀର ସାଂସଦ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
ବାପାଙ୍କ ଭଳି ପୁଅ ବିଜୟଶ୍ରୀ ରାଉତରାୟ ମଧ୍ୟ ପ୍ରାୟ ତିନି ଦଶନ୍ଧି ରାଜନୀତିରେ ରହି ନିଜ ଦବଦବା ଜାହିର କରିଥିଲେ। ୧୯୯୦ ମସିହାରୁ ୨୦୧୯ ମସିହା ଯାଏ ନିରବଚ୍ଛିନ୍ନ ଭାବେ ୬ ଥର ବିଧାୟକ ନିର୍ବାଚିତ ହୋଇ ବାସୁଦେବପୁରର ଅପରାଜେୟ ନାୟକ ସାଜିଥିଲେ। ଏଥିସହ ବିଭିନ୍ନ ସମୟରେ ସେ ମନ୍ତ୍ରୀ ରହି ନିଜ ଦକ୍ଷତା ବି ପ୍ରତିପାଦନ କରିଛନ୍ତି। ୨୦୧୯ରେ ସେ ନିର୍ବାଚନୀ ରାଜନୀତିରୁ ଓହରିଗଲା ପରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ବାସୁଦେବପୁରରୁ ବିଜେଡି ଟିକଟରୁ ଜିତି ବିଧାୟକ ହୋଇଥିଲେ। ବର୍ତ୍ତମାନ ମଧ୍ୟ ସେ ୨୦୨୪ ନିର୍ବାଚନ ପାଇଁ ବାସୁଦେବପୁରର ବିଜେଡି ପ୍ରାର୍ଥୀ ହୋଇଛନ୍ତି।
ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଏନେଇ କହନ୍ତି, ‘‘ରାଜନୀତିର ଅର୍ଥ ହେଉଛି ଲୋକଙ୍କ ସେବା। ମୁଁ ମୋ ବାପା ଓ ଜେଜେଙ୍କୁ ଲୋକସେବାରେ ନିଜ ଦିନରାତି ସମର୍ପି ଦେବା ପିଲାଦିନୁ ଦେଖିଛି। ଏଠି ଆମ ନିର୍ବାଚନମଣ୍ଡଳୀରେ ପ୍ରତିଟି ଲୋକଙ୍କ ସହ ଆମ ବ୍ୟକ୍ତିଗତ ସମ୍ପର୍କ। ମୁଁ ଜଣେ ମେଧାବୀ ଛାତ୍ର। ଚାହିଁଥିଲେ ଅନ୍ୟକିଛି ବୃତ୍ତିକୁ ଆଦରି ପାରିଥା’ନ୍ତି। କିନ୍ତୁ ମୋ ଆଦର୍ଶ ମୋତେ ଜନସେବାକୁ ଟାଣି ନେଇଥିଲା। ଗାଣତାନ୍ତ୍ରିକ ପଦ୍ଧତିରେ ମୁଁ ବି ଅଂଶଗ୍ରହଣ କରି ନିର୍ବାଚିତ ହୋଇଛି। ଲୋକେ ଏଠାରେ ଭୋଟ ଦେଇ ମୋତେ ନିର୍ବାଚିତ କରୁଛନ୍ତି, ମୁଁ ମନୋନୀତ ହେଉନାହିଁ। ଆଗକୁ ଏହି ଧାରା ଜାରି ରହିବ।’’
ନୃତ୍ୟ ନାଆରେ ମହାପାତ୍ର ପରିବାର
ଭାରତୀୟ ଶାସ୍ତ୍ରୀୟ ନୃତ୍ୟ-ସଂଗୀତ ଘରାନା ଲାଗି ପ୍ରସିଦ୍ଧ। ଘର ଶବ୍ଦରୁ ଘରାନା। ମୋଟାମୋଟି ଜଣେ ସଂଗୀତଜ୍ଞ/ନୃତ୍ୟଗୁରୁଙ୍କ ସନ୍ତାନସନ୍ତତି ଓ ଶିଷ୍ୟଶିଷ୍ୟା ପିଢ଼ି ପରେ ପିଢ଼ି ତାଙ୍କର େଶୖଳୀକୁ ଅନୁସରଣ କରିବା ଦ୍ବାରା ହିଁ ଘରାନାର ସୃଷ୍ଟିହୁଏ। ଏ କ୍ଷେତ୍ରରେ ବି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ ପରିବାର। ଓଡ଼ିଶୀ ନୃତ୍ୟରେ ଏଭଳି ଏକ ଧାରା ଦୃଶ୍ୟମାନ ହୁଏ ଗୁରୁ କେଳୁଚରଣ ମହାପାତ୍ରଙ୍କ ପରିବାରରେ। କେଳୁଚରଣ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଉଭୟ ଥିଲେ ନୃତ୍ୟ ସମର୍ପିତ ଏବଂ ଓଡ଼ିଶୀ ନୃତ୍ୟକୁ ବିଶ୍ବବିଦିତ କରିବାରେ ଅନନ୍ୟ ଭୂମିକା ଗ୍ରହଣ କରିଥିଲେ। ଏହାପରେ ତାଙ୍କର ପୁତ୍ର ରତିକାନ୍ତ ଓ ପୁତ୍ରବଧୂ ସୁଜାତା ଏବଂ ପ୍ରପୌତ୍ରୀ ପ୍ରୀତିଶା ସେହି ଧାରାକୁ ଅଗ୍ରଗାମୀ କରାଉଛନ୍ତି।
ବିଂଶ ଶତାବ୍ଦୀରେ ଓଡ଼ିଶୀ ନୃତ୍ୟର ପୁନରୁତ୍ଥାନ ଓ ଏହାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାରେ ‘ପଦ୍ମବିଭୂଷଣ’ ଗୁରୁ କେଳୁଚରଣ ମହାପାତ୍ରଙ୍କ ଯୋଗଦାନ ଅବିସ୍ମରଣୀୟ। ଗୁରୁ କେଳୁଚରଣ ପୁରୀ ଜିଲ୍ଲାର ଶିଳ୍ପୀଗ୍ରାମ ରଘୁରାଜପୁରରେ ଏକ ଶିଳ୍ପୀ ପରିବାରରେ ୧୯୨୬ ଜାନୁଆରି ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଚିନ୍ତାମଣି ମହାପାତ୍ର ଜଣେ ‘ଚିତ୍ରଶିଳ୍ପୀ’ ଓ ‘ମର୍ଦ୍ଦଳ ବାଦକ’। ଗୋଟିପୁଅ ନାଚ ପ୍ରତି ପିଲାଦିନୁ କେଳୁଚରଣ ଆକର୍ଷିତ ହୋଇଥିଲେ। କିନ୍ତୁ ପିତାଙ୍କୁ ପୁଅର ଗୋଟିପୁଅ ନୃତ୍ୟ ପସନ୍ଦ ନ ଥିଲା। ତେଣୁ ତାଙ୍କୁ ଏଥିରୁ ନିବୃତ୍ତ କରାଇ ପୁରୀର ‘କୁଞ୍ଜବିହାରୀ ରାସଲୀଳା’ ଦଳରେ ଛାଡ଼ିଥିଲେ। ପିତାଙ୍କ ଦେହାନ୍ତ ପରେ ସେ ଦଳ ଛାଡ଼ି ଗାଁକୁ ପଳାଇ ଆସିଥିଲେ। କିନ୍ତୁ ମନ ମାନି ନଥିଲା। ଏହାପରେ ସେ କଟକ ଆସି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ‘ଓଡ଼ିଶା ଥିଏଟର୍ସ’ରେ ଯୋଗ ଦେଇଥିଲେ। ଏହାପରେ ସେ ‘ଅନ୍ନପୂର୍ଣ୍ଣା-ବି’ ନାଟ୍ୟଦଳରେ ଯୋଗଦେଲେ। ଏଠାରେ ଗୁରୁ ପଙ୍କଜ ଚରଣ ଦାସଙ୍କ ସଂସ୍ପର୍ଶରେ ଆସି ତାଙ୍କ ନୃତ୍ୟ ପ୍ରତିଭାର ବିକାଶ ହୋଇଥିଲା। ନୃତ୍ୟନାଟିକା ‘ଭସ୍ମାସୁର’ରେ ‘ନଟରାଜ’ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ କେଳୁଚରଣ। ଏଥିରେ ମୋହିନୀ ଭୂମିକାରେ ଅଭିନୟ କରିଥିଲେ ଲକ୍ଷ୍ମୀପ୍ରିୟା। ଏହାପରେ ଲକ୍ଷ୍ମୀପ୍ରିୟା କେଳୁଚରଣଙ୍କ ଯୁଗଳବନ୍ଦୀ ଆରମ୍ଭ ହୋଇଥିଲା।
ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିବା ପରେ କେଳୁଚରଣ ପୁରୀ ଚାଲି ଆସିଲେ। ପୁରୀରେ ମାହାରୀ ଓ ଗୋଟିପୁଅ ନୃତ୍ୟ ଉପରେ ଗବେଷଣା କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କେଳୁଚରଣ ୧୯୫୩ ମସିହାରେ କଟକ କଳାବିକାଶ କେନ୍ଦ୍ରରେ ଯୋଗଦେଲେ। ସେଠାରେ ୧୫ ବର୍ଷ କାଳ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରି ଦେଶବିଦେଶରେ ଅଗଣିତ ଶିଷ୍ୟଶିଷ୍ୟା ସୃଷ୍ଟି କରିଥିଲେ। ବିଦେଶରେ ସେ ନିଜସ୍ବ ଉଦ୍ୟମରେ ଓଡ଼ିଶୀ ନୃତ୍ୟକୁ ଲୋକପ୍ରିୟ କରିବା ପାଇଁ ଅନେକ କାର୍ଯ୍ୟକ୍ରମ କରିଥିଲେ। ସଫଳତାର ପାହାଚମାନ ଅତିକ୍ରମ କରି ସେ ହୋଇଯାଇଥିଲେ ଓଡ଼ିଶୀର ସର୍ବକାଳୀନ ପ୍ରସିଦ୍ଧ ଓ ପ୍ରତିଷ୍ଠିତ ଗୁରୁ।
ଏହାପରେ ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସହିତ ଜଡ଼ିତ ରହିବା ପରେ ୧୯୯୫ ମସିହାରେ ସେ ନିଜସ୍ୱ ଅନୁଷ୍ଠାନ ‘ସୃଜନ’ର ଆରମ୍ଭ କରିଥିଲେ। ୨୦୦୪ ମସିହାରେ ଓଡ଼ିଶୀ ନୃତ୍ୟର ଏହି ମହାନ ସାଧକଙ୍କର ପରଲୋକ ଘଟିଥିଲା। ଗୁରୁ କେଳୁଚରଣଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କୁ ଓଡ଼ିଶାର ପ୍ରଥମ ଓଡ଼ିଶୀ ନୃତ୍ୟାଙ୍ଗନା ବୋଲି ଧରାଯାଏ। ୧୯୪୭ ମସିହାରେ ସେ ପ୍ରଥମେ ପୁରୀର ଅନ୍ନପୂର୍ଣ୍ଣା ଥିଏଟରରେ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରିଥିଲେ। ସେ ଅନେକ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ କରିବା ସହ ୪ଟି ଫିଲ୍ମ ‘ମା’, ‘ସୂର୍ଯ୍ୟମୁଖୀ’, ‘ଶ୍ରୀଶ୍ରୀ ପତିତପାବନ’, ‘ଅମଡ଼ାବାଟ’ରେ ଅଭିନୟ ମଧ୍ୟ କରିଛନ୍ତି। ଗୁରୁ କେଳୁଚରଣଙ୍କ ପରେ ତାଙ୍କର ପୁଅ ରତିକାନ୍ତ ମହାପାତ୍ର ଓ ବୋହୂ ସୁଜାତା ମହାପାତ୍ର ତାଙ୍କର ନୃତ୍ୟ ସାମ୍ରାଜ୍ୟକୁ ଆଗକୁ ନେଇଥିଲେ। ରତିକାନ୍ତ ବାଲ୍ୟକାଳରୁ ବାପାଙ୍କ ମାର୍ଗଦର୍ଶନରେ ମର୍ଦ୍ଦଳ ବାଦନ ସହ ଓଡ଼ିଶୀ ନୃତ୍ୟରେ ପାରଦର୍ଶିତା ଅର୍ଜନ ଲାଗି ବ୍ରତୀ ହୋଇଥିଲେ। ଆଦ୍ୟ ଯୌବନରେ ସେ ଜଣେ ନୃତ୍ୟଶିଳ୍ପୀ ଓ ନୃତ୍ୟନିର୍ଦ୍ଦେଶକ ଭାବେ ସୁନାମ ଅର୍ଜନ କରିଥିଲେ। ଏକ ଚୀନୀୟ ଚଳଚ୍ଚିତ୍ର ‘ଦି ଡିଜାୟାର’ରେ ମଧ୍ୟ ସେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ସଂପ୍ରତି ରତିକାନ୍ତ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଗୁରୁ ଭାବେ ଦେଶବିଦେଶରେ ଖ୍ୟାତ ଓ ବହୁ ମୌଳିକ ନୃତ୍ୟ ସଂଯୋଜନା କରି ପ୍ରସିଦ୍ଧି ପାଇଛନ୍ତି।
ସୁଜାତା ମହାପାତ୍ର ୧୯୮୭ ମସିହାରେ ଭୁବନେଶ୍ୱର ଆସି ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ। ଏହାପରେ ସେ ନିଜକୁ ଜଣେ ଦକ୍ଷ ନୃତ୍ୟାଙ୍ଗନାରେ ରୂପାନ୍ତରିତ କରିଥିଲେ। ସେ ଏବେ ‘ସୃଜନ’ର ଅଧ୍ୟକ୍ଷା ଭାବେ ନୂଆପିଢ଼ିଙ୍କୁ ନୃତ୍ୟଶିକ୍ଷା ଦେଉଛନ୍ତି। ୨୦୧୧ ମସିହାରୁ ବାଲେଶ୍ବରଠାରେ ‘କୀର୍ତ୍ତି ସୃଜନ’ ନୃତ୍ୟାନୁଷ୍ଠାନ କରି ସେ ନୃତ୍ୟଶିକ୍ଷା ଦେଉଛନ୍ତି। ସୁଜାତା ଦେଶବିଦେଶରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଓଡ଼ିଶୀର ପ୍ରଚାରପ୍ରସାର କରୁଥିବା ବେଳେ ତାଙ୍କ ଝିଅ ପ୍ରୀତିଶା ମହାପାତ୍ର ବି ଜଣେ ଉଦୀୟମାନ ନୃତ୍ୟଶିଳ୍ପୀ। ଦେଶବିଦେଶର ବିଭିନ୍ନ ମଞ୍ଚରେ ନୃତ୍ୟ ପରିବେଷଣ କରି ସେ ପାରିବାରିକ ପରମ୍ପରାକୁ ଆଗକୁ ନେଉଛନ୍ତି। ପ୍ରୀତିଶା କହନ୍ତି, ‘‘ପିଲାଟିବେଳୁ ମୁଁ ମୋ ଚାରିପାଖରେ ନୃତ୍ୟ ହିଁ ଦେଖିଛି। ବହୁ ବଡ଼ବଡ଼ ଗୁରୁ ଜେଜେଙ୍କଠାରୁ ନୃତ୍ୟ ଶିକ୍ଷା କରି ଦେଶବିଦେଶରେ ପରିଚୟ ହାସଲ କରିବାର କାହାଣୀ ବି ଶୁଣିଛି। କୁହାଯାଏ, ପରିବାରର ପରିବେଶ ଯେମିତି ହୁଏ, ତାହାର ପ୍ରଭାବ ଶିଶୁ ଉପରେ ଗଭୀର ଭାବେ ପଡ଼ିଥାଏ। ମୋ ଉପରେ ମଧ୍ୟ ଓଡ଼ିଶୀ ନୃତ୍ୟର ଛାପ ସେହିଭଳି ପଡ଼ିଥିଲା। ମୁଁ ବି ପିଲାବେଳୁ ନୃତ୍ୟ କରିବା ଆରମ୍ଭ କରିଦେଇଥିଲି। ମୋ ଜେଜେ ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ଦେଇ ଏହାକୁ ଲୋକପ୍ରିୟ କରିଯାଇଛନ୍ତି। ଏହାକୁ କାଏମ ରଖିବା ଆମ ପିଢ଼ିର ଦାୟିତ୍ବ।’’