ପାଣିରେ ବୁଡ଼ିଯାଉଥିବା ୮ ଜଣ ପିଲାଙ୍କୁ ଜୀବନକୁ ବାଜି ଲଗାଇ ଉଦ୍ଧାର କଲେ ୬୫ ବର୍ଷୀୟା ବୃଦ୍ଧା

ବେଙ୍ଗଲୁରୁ : ବିଗତ ୧୧୫ ବର୍ଷ ମଧ୍ୟରେ ଏତେ ମାତ୍ରାରେ କ୍ରମାଗତ ବର୍ଷା କେବେ ବି କର୍ଣ୍ଣାଟକର ରାଜଧାନୀ ବେଙ୍ଗଲୁରୁଠାରେ ପରିଲକ୍ଷିତ ହୋଇ ନ ଥିଲା। ଏହି ବର୍ଷାରେ ପ୍ରାଣ ହରାଇଥିବା ମୃତକଙ୍କ ସଂଖ୍ୟା ୫ । ରାସ୍ତାରେ ଏଭଳି ପାଣିରେ ସୁଅ ଛୁଟୁଛି ଯେ ଡ଼ଙ୍ଗା ଜରିଆରେ ଲୋକଙ୍କୁ ଜଳାର୍ଣ୍ଣବ ଅଞ୍ଚଳରୁ ଉଦ୍ଧାର କରାଯାଉଛି। ଏନ୍‌ଡ଼ିଆର୍‌ଏଫ୍‌ ପକ୍ଷରୁ ଏଭଳି ଲୋକମାନଙ୍କୁ ଉଦ୍ଧାର କରାଯାଉଛି। କେତେକ ଅଧିବାସୀ ମଧ୍ୟଏହି କାର୍ଯ୍ୟରେ ସ୍ୱେଚ୍ଛାକୃତ ଭାବେ ମଧ୍ୟ ସାମିଲ୍‌ ହୋଇଛନ୍ତି।

ଏଭଳି ପରିସ୍ଥିତରେ ଜଣେ ୬୫ ବର୍ଷୀୟା ବୃଦ୍ଧା ଏକାକୀ ନିଜେ ଜଣେ ନୁହେଁ କି ଦୁଇ ଜଣ ନୁହଁନ୍ତି ,ବରଂ ଆଠ ଜଣ ପିଲାଙ୍କୁ ବୁଡ଼ିଯାଉଥିବା ଅବସ୍ଥାରେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଏହି ବୃଦ୍ଧାଙ୍କର ନାମ ହେଲା ଜୟାମ୍ମା। ସେ କୁରୁବାରାହାଲ୍ଲି ଅଞ୍ଚଳର ବାସିନ୍ଦା। ଜୟାମ୍ମା ସେହି ଅଞ୍ଚଳରେ ବନ୍ୟାଜଳ ପଶୁଥିବାର ଦେଖି ନିଜର ଜୀବନକୁ ବାଜି ଲଗାଇ ତାଙ୍କ ଘରେ ଭଡ଼ାରେ ରହୁଥିବା ୨ରୁ ୧୦ ବର୍ଷର ଆଠ ଜଣ ପିଲାଙ୍କୁ ଖୋଜିଥିଲେ। ସେମାନେ ସମସ୍ତେ ପାଣିରେ ବୁଡ଼ିଯାଉଥିବା ଦେଖି ସେ ସେମାନଙ୍କ ମଧ୍ୟରୁ ପ୍ରଥମେ ୨ ଜଣଙ୍କୁ ନିଜ କାନ୍ଧରେ ବସାଇ ସୁରକ୍ଷିତ ସ୍ଥାନକୁ ଆଣିଥିଲେ।

ଏହାପରେ ସେ ପୁଣି ଥରେ ସାହସର ସହିତ ପାଣି ଭିତରକୁ ପଶି ଅନ୍ୟ ଛଅ ଜଣ ପିଲାଙ୍କୁ ବୁଡ଼ିଯିବାରୁ ରକ୍ଷା କରିଥିଲେ। ଏହି ପିଲାଙ୍କର ବାପା ମାଆ ଦିନ ମଜୁରିଆ। ସେତେବେଳେ ସେମାନେ ଘରେ  ନଥିଲେ। ୬୫ ବର୍ଷୀୟା ଜୟାମ୍ମାଙ୍କର ଏହି ନିଃସ୍ୱାର୍ଥ ସେବାକୁ ସମସ୍ତେ ଭୂୟସୀ ପ୍ରଶଂସା କରୁଛନ୍ତି। ଜୟାମ୍ମା କହିଛନ୍ତି ଯେ, ଯଦି ସେ ପିଲାମାନଙ୍କୁ ଉଦ୍ଧାର କରି ନଥାନ୍ତେ;ତେବେ ସେ ନିଜକୁ କେବେ ବି କ୍ଷମା କରିପାରିନଥା’ନ୍ତେ।

ସମ୍ବନ୍ଧିତ ଖବର