ଜାଲୋର: ରାଜସ୍ଥାନ ଜାଲୋରରେ ଜଣେ ୭୭ ବର୍ଷୀୟ ବୃଦ୍ଧଙ୍କ ସଫଳତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ୭୭ ବର୍ଷୀୟ ବୃଦ୍ଧ ୫୬ ଥର ଦଶମ ଶ୍ରେଣୀ ପରୀକ୍ଷାରେ ଫେଲ୍‌ ହେବା ପରେ ୫୭ତମ ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିସହିତ ସେ ଦ୍ୱାଦଶ ଶ୍ରେଣୀର ଫର୍ମ ମଧ୍ୟ ପୂରଣ କରିଥିବା ଜଣାପଡ଼ିଛି।

Advertisment

ଜାଲୋର ଜିଲ୍ଲାର ସର୍ଦ୍ଦାରଗଡ଼ରେ ରହୁଥିବା ହୁକମଦାସ ବୈଷ୍ଣବ ଯୁବକମାନଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି । ହୁକାମଦାସ ୧୯୬୨ରୁ ୨୦୧୮ ପର୍ଯ୍ୟନ୍ତ ଦଶମ ପାସ୍ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଅସଫଳ ହୋଇଯାଉଥିଲେ। ୫୬ଥର ଦଶମ ଶ୍ରେଣୀ ପରୀକ୍ଷାରେ ଫେଲ ହେବା ପରେ ବି ସେ ହାର ମାନି ନଥିଲେ। ତାଙ୍କ ଚେଷ୍ଟା ଜାରି ରଖିଥିଲେ। ଏହି ଚେଷ୍ଟା ଫଳରେ ‌‌ସେ ଶେଷରେ ୨୦୧୯ରେ ୫୭ତମ ପ୍ରୟାସରେ ଦଶମଶ୍ରେଣୀ ପାସ କରି ଦ୍ବାଦଶ ଶ୍ରେଣୀ ପଢ଼ିବା ପାଇଁ ପ୍ରସ୍ତୁତ କରୁଛନ୍ତି।

ତେବେ ହୁକାମଦାସ ଅଷ୍ଟମ ଶ୍ରେଣୀ ପାସ୍‌ କରିବା ସମୟରେ ଚାକିରି ପାଇଥିଲେ । ଏହାପରେ ବି ସେ ଦଶମ ପାସ୍ କରିବା ପାଇଁ ପାଠ ପଢ଼ାପଢ଼ି ଜାରି ରଖିଥିଲେ। ତେବେ ହୁକାମଦାସ  ସେହିମାନଙ୍କ ପାଇଁ ପ୍ରେରଣା ଯେଉଁମାନେ ଥରେ ପରୀକ୍ଷାରେ ଫେଲ ହୋଇଯିବା ପରେ ଆଉ ପାଠପଢ଼ିବା ପାଇଁ ରାଜି ହୋଇ ନଥାଆନ୍ତି। କିମ୍ବା ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥାଆନ୍ତି।