ଭୁବନେଶ୍ୱର: 'ମୋ ଜୀବନରେ ଆଲୋକ ହୋଇଥିବାରୁ ତୁମକୁ ଧନ୍ୟବାଦ | ଭାଗ୍ୟବାନ ସେହି ବାପା-ମା ଯେଉଁମାନେ ତୁମକୁ ଜନ୍ମଦେଇଛନ୍ତି | ମୁଁ ତ ଆଉ କିଛି ଦେଇପାରିବି ନାହିଁ | ଯାହାର ସବୁ କିଛି ଅଛି, ତାକୁ ଆଉ କଣ ବା ଦେବି | ମୋ ବାଡ଼ିର ଜାମୁକୋଳି କିଛି ପଠାଉଛି' | ଦୂର ଅଂଚଳରୁ ଆସିଥିବା ଚିଠିର ଏହି କିଛି ଧାଡି ପଢି ଓ ଜାମୁକୋଳି ଭର୍ତ୍ତି ପୁଡ଼ିଆଟି ଦେଖି ଯୁବ ଡାକ୍ତରାଣୀ ପ୍ରିୟଙ୍କା ମହାନ୍ତିଙ୍କ ଆଖିରେ ଲୁହ ଚାଲି ଆସିଥିଲା। ଜୀବନରେ କେତେ କେତେ ରୋଗୀଙ୍କର ସେ ସେବା କରିଛନ୍ତି। କାହାର ମୁହଁ ତାଙ୍କର ମନରେ ନାହିଁ। ସମସ୍ତଙ୍କୁ ମନେ ରଖିବା ସମ୍ଭବ ବି ନୁହେଁ, ଆବଶ୍ୟକ ବି ନଥାଏ। କିନ୍ତୁ ଏ ହାତଲେଖା ଚିଠି ଓ ବାଡି ଜାମୁକୋଳି ପୁଡିଆ ତାଙ୍କୁ ସେହି ବୃଦ୍ଧ ରୋଗୀଙ୍କ ମୁହଁ ମନେ ପକେଇବାକୁ ବାଧ୍ୟ କରିଥିଲା।

Advertisment

ଆପଣଙ୍କୁ ଯଦି ପଚରାଯାଏ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ସମ୍ପର୍କ କଣ? ଆପଣ କହିପାରନ୍ତି ରୋଗୀଙ୍କ ପାଇଁ ଡାକ୍ତର ଭଗବାନ ଭଳି, ଯଦି ମେଡିକାଲରେ ଆପଣଙ୍କ ଚିକିତ୍ସା ଭଲ ହୋଇନଥାଏ ବା କୌଣସି ଖଟା ଅନୁଭୂତି ଥାଏ ଆପଣ କହିବେ ସେମାନେ ଟଙ୍କା ନିଅନ୍ତି ଆଉ ଚିକିତ୍ସା କରନ୍ତି | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସତ କାହାଣୀ କହିବୁ ଯାହାକି ଆପଣଙ୍କ ଆଖିରେ ଲୁହ ଆଣିଦେବ ଆଉ ଆପଣ ବି ଶେଷରେ କହିବେ ମନ କିଣିନେଲେ ମଉସା | ଡାକ୍ତରଖାନାରେ ଯେତେବେଳେ ଅସୁସ୍ଥ ଅବସ୍ଥାରେ ମଉସା ଆସିଥିଲେ ସେତେବେଳେ ମନରେ ଦ୍ୱନ୍ଦ୍ୱ ଥିଲା ଯେ ଭଲ ହେବି ନା ନାହିଁ, ମୋ କଥା କିଏ ବୁଝିବ, ଏ ବୟସରେ କିଏ ବା ସେବା କରିବ | ହେଲେ ମଉସା ଯେତେବେଳେ ମେଡିକାଲରେ ଭର୍ତ୍ତି ହେଲେ ଆଉ ତାଙ୍କର ଅପରେସନ ହେଲା, ପାଖେପାଖେ ଥିଲେ ଜଣେ ଯୁବ ଡାକ୍ତରାଣୀ |

ମଉସାଙ୍କ ଭଲମନ୍ଦ ବୁଝିବା ସହ ଅପରେସନ ପରେ ମଉସା ଫେରିଯାଇଥିଲେ ତାଙ୍କ ଗାଁକୁ | ହେଲେ ମେଡିକାଲରେ ନାତୁଣୀ ବୟସର ଡାକ୍ତରାଣୀଙ୍କ ସେବାକୁ ଭୁଲିପାରିନଥିଲେ ବୁଢା ମଉସା | ଠିକ ସେଥିପାଇଁ ତ ଡାକ୍ତରାଣୀଙ୍କ ପାଖକୁ ପଠାଇଦେଇଥିଲେ ସ୍ନେହର ସନ୍ତକ | ନିଜ ବାଡ଼ିର ଜାମୁକୋଳି ସହ ନିଜ ଥୁରୁଥୁରୁ ହାତରେ ଲେଖିଥିଲେ ଖଣ୍ଡିଏ ଚିଠି | ଚିଠିରେ ମଉସା ବଖାଣିଦେଇଥିଲେ ତାଙ୍କ ମନର କଥା | ଜୀବନର ଆଲୋକ ହୋଇଥିବାରୁ ମଉସା ଧନ୍ୟବାଦ ଜଣାଇବା ସହ କଣ ବା ଦେଇପାରିବି ବୋଲି ଲେଖିଥିଲେ | ଏତିକିରେ ଅଟକିଯାଇନଥିଲେ, ବାଡ଼ିର ଜାମୁକୋଳି ପଠାଉଛି, ତୁମର ସାହାଯ୍ୟ ଯୋଗୁଁ ସୁସ୍ଥ ଅଛି ଓ ଭଦ୍ରକରେ ଅଛି ବୋଲି ଲେଖିଥିଲେ | ଡାକ୍ତରାଣୀଙ୍କ ସେବାରେ ମଉସା ଏତେ ଖୁସି ହୋଇଯାଇଥିଲେ ଯେ ଲେଖିଥିଲେ ଯେ କେବେ ସୁବିଧା ହେଲେ ଘର ଆଡେ ଆସିବ, ଏହି ଘର ବି ତୁମ ଘର | ତୁମେ ମଣିଷକୁ ମଣିଷ ଓ ରୋଗୀକୁ ରୋଗୀ ନୁହେଁ ଭଗବାନ ଭାବରେ ଦେଖ | ଭଲରେ ଥା'ରେ ମା |