ପ୍ରୟାଗରାଜ: ଜଣେ ବୃଦ୍ଧ ମହିଳା ତାରାଦେବୀ ମହା କୁମ୍ଭମେଳାକୁ ଆସିଛନ୍ତି, ଯିଏ ୧୯୪୫ ପରଠାରୁ ପ୍ରତ୍ୟେକ କୁମ୍ଭରେ ବୁଡ଼ ଦେବାକୁ ଆସନ୍ତି। କିନ୍ତୁ ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ତାରାଦେବୀ ନିଜ ପୁଅଠାରୁ ଲୁଚି ଏକାକୀ ମହାକୁମ୍ବରେ ଆସି ପହଞ୍ଚିଛନ୍ତି। ସୋସିଆଲ ମିଡିଆରେ ଏବେ ତାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ଟିଭି ଚ୍ୟାନେଲ ସହ ବାର୍ତ୍ତାଳାପ ସମୟରେ ସେ କୁମ୍ଭମେଳା ପ୍ରତି ଥିବା ପ୍ରେମ ଭାବନା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଯେତେବେଳେ ପାଞ୍ଚ ବର୍ଷ ବୟସ ହୋଇଥିଲା ସେତେବେଳୁ ସେ କୁମ୍ଭମେଳା ଆସୁଛନ୍ତି। ସେ ତାଙ୍କ ଜୀବନରେ କେବେ କୌଣସି କୁମ୍ଭ ଛାଡି ନାହାନ୍ତି ।
ଟିଭି ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ତାରାଦେବୀ କହିଛନ୍ତି ଯେ, ତାଙ୍କ ପୁଅ ପନିପରିବା କିଣିବାକୁ ବଜାର ଯାଇଥିବା ବେଳେ ସୁଯୋଗ ପାଇ ସେ ଘରୁ ଲୁଚି କୁମ୍ଭମେଳା ଚାଲିଆସିଛନ୍ତି। ସେ କହିଛନ୍ତି ଯେ, ସେ ୧୯୪୫ ପରଠାରୁ ଏଠାକୁ ଆସୁଛନ୍ତି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ସେ ଆହୁରି କହିଛନ୍ତି ଯେ ମୁଁ ଘରେ କାହାକୁ କହି ନାହିଁ ଯେ ମୁଁ କୁମ୍ଭରେ ଗାଧୋଇବାକୁ ଆସିଛି, ମୁଁ ଏ ବିଷୟରେ କେବଳ ନାତୁଣୀକୁ ଜଣାଇଛି। ତାରାଦେବୀ କହିଛନ୍ତି ଯେ, ସେ କୁମ୍ଭରେ ଏକ ମାସ ରହିବେ। ପରିବାର ସଦସ୍ୟ ଚିନ୍ତିତ ହେବେ କି ବୋଲି ପଚାରିବାରୁ ତାରାଦେବୀ ଉତ୍ତର ଦେଇଛନ୍ତି ଯେ, ସେମାନେ ଜାଣିଛନ୍ତି ଯେ ମୁଁ ନିରାପଦରେ ରହିବି।
ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆରେ ଅନେକ ଲୋକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। କମେଣ୍ଟ କରି ଜଣେ ଲେଖିଛନ୍ତି, ଜେଜେମା ତୁମେ ମୋର ହୃଦୟ ଜିତିଛ। ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ଏହି ବୟସରେ ଏତେ ଉତ୍ସାହ ଓ ଉତ୍ସର୍ଗୀକୃତ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଉଛି ।