ସାରା ଦୁନିଆରେ ମିଳୁଥିବା ୭ପ୍ରଜାତିର ସାମୁଦ୍ରିକ କଇଁଛମାନଙ୍କ ମଧ୍ଯରୁ ଅଲିଭ୍ ରିଡ୍‌ଲେ (Lepidochelys olivacea), ସବୁଠାରୁ ଛୋଟ ଏବଂ ବ୍ଯାପକ ଭାବେ ମିଳୁଥିବା କଇଁଛ ପ୍ରଜାତି ଅଟେ । ଏହାର ହୃଦୟାକାର ରକ୍ଷାକାରୀ ବାହାର ଖୋଳ ଅଲିଭ୍-ସବୁଜ ବା ଜୟତୁନୀ-ସବୁଜ ରଙ୍ଗର ହୋଇଥିବାରୁ ଏହାର ନାମକରଣ ଏତାଦୃଶ । ଏହି ଅସାଧାରଣ ସରୀସୃପଟି ପ୍ରଶାନ୍ତ ମହାସାଗର, ଦକ୍ଷିଣ ଆଟଲାଣ୍ଟିକ ମହାସାଗର ଏବଂ ଭାରତୀୟ ଉପମହାଦ୍ବୀପର ଉଷ୍ଣ ଏବଂ ଉପଉଷ୍ଣକଟିବର୍ତ୍ତୀ ସାଗର ଜଳରେ ଦେଖିବାକୁ ମିଳେ ।
Advertisment
ଏହି କଇଁଛମାନେ ପ୍ରାୟ ୨.୫ ଫୁଟ ଲମ୍ବା ଏବଂ ୧୦୦ କେ.ଜି. ଓଜନର ହେଇଥାନ୍ତି । ହଜାର ହଜାର ଆଉ କେବେ କେବେ ଲକ୍ଷାଧିକ ମାଆ କଇଁଛମାନେ ସୀମାହୀନ ସାଗର ଆଉ ଅନ୍ତହୀନ ଢେଉକୁ ଚିରି ଆସନ୍ତି ଗଞ୍ଜାମ ଜିଲ୍ଲାର ରୂଷିକୂଲ୍ୟା ନଦୀ ମୁହାଣକୁ ସମୂହ ଆଣ୍ତାଦାନ ନିମିତ୍ତ । ଗଣ ଅଣ୍ଡାଦାନ ସ୍ଥଳ କେବଳ ଓଡିଶାର ଗଞ୍ଜାମରେ ନୁହେଁ, କେନ୍ଦ୍ରାପଡାର ଗହୀରମଥା, ତା ଛଡା ମେକ୍ସିକୋ, କୋଷ୍ଟାରିକା ଭଳି ଦେଶମାନଙ୍କରେ ମଧ୍ଯ ଦେଖିବାକୁ ମିଳେ ।

କଇଁଛମାନଙ୍କର ଲିଙ୍ଗ ନିରୂପଣ କରେ ବାଲିର ତାପମାତ୍ରା

ପ୍ରକୃତିର ଏହି ବିରଳ ଜାଗତିକ ଦୃଶ୍ଯକୁ ନିଜ ଆଖିରେ ନଦେଖିଲେ ବିଶ୍ବାସ କରିହେବନି । ଏହି ଅଦ୍ଭୁତ ଘଟଣାକୁ ଇଂରାଜୀରେ “Arribada” କୁହାଯାଏ ଯାହାର ସ୍ପାନିଶ୍ ଅନୁବାଦ “ଆଗମନ”କୁ ବୁଝାଏ । ସମୂହ ଅଣ୍ଡାଦାନ ପାଇଁ ମାଆ କଇଁଛମାନେ ଲକ୍ଷାଧିକ ସଂଖ୍ଯାରେ ଆସି, ସମୁଦ୍ର ତଟବର୍ତ୍ତୀ ବାଲିରେ, ନିଜର ଆଗ ଓ ପଛ ଫ୍ଲିପର ସାହାଯ‍୍ୟରେ ଏକ ଫ୍ଲାସ୍କ୍ ଆକାରର ଗାତ ଖୋଳି, ପ୍ରାୟ ଥରକରେ ୧୦୦ରୁ ୧୫୦ଟି ଅଣ୍ଡା ଦିଅନ୍ତି । ଅଣ୍ଡାଗୁଡିକ ପ୍ରାୟ ୪୫ ରୁ ୬୫ ଦିନ ମଧ୍ଯରେ ଫୁଟିଥାନ୍ତି । ଏହିସମୟରେ ବାଲିର ତାପମାତ୍ରା ଛୋଟ କଇଁଛ ମାନଙ୍କର ଲିଙ୍ଗ ନିରୂପଣ କରିଥାଏ । ଅଧିକ ତାପମାତ୍ରା ହେଲେ ମାଇ ଏବଂ କମ୍ ତାପମାତ୍ରା ହେଲେ ଅଣ୍ଡିରା ଛୁଆ ହେଇଥାଏ । 
ଅଣ୍ତାରୁ ଫୁଟି ପ୍ରାୟ ୧.୫ ଇଞ୍ଚ ଲମ୍ବା ଛୋଟ କଇଁଛମାନେ ନିଜର ସ୍ବାଭାବିକ ପ୍ରକୃତି ବଳରେ ସମୁଦ୍ର ଗର୍ଭକୁ ଫେରିଯାନ୍ତି । ପୁନଶ୍ଚ ସେହି ଛୁଆମାନେ ସହବାସ ଯୋଗ୍ଯ ହେଇ ଏହି ପ୍ରକ୍ରିୟାକୁ ଦୋହରାଇଥାନ୍ତି । ଏତେ ବିଶାଳକାୟ ଜଳରାଶିରେ ୨୦୦୦ରୁ ୩୦୦୦ କି.ମି. ଯାତ୍ରା କରି, ସଠିକ ଭାବେ ଦିଗ ନିରୂପଣ କରି ପୁଣି ନିଜ ଜନ୍ମସ୍ଥାନକୁ କିଭଳି ସେମାନେ ଫେରନ୍ତି ଏହା ଅଧୁନା ଗବେଷଣାର ବିଷୟ । ଏହି ଗଣ ଅଣ୍ଡାଦାନ ପ୍ରକ୍ରିୟା ଉକ୍ତ କଇଁଛମାନଙ୍କ ପ୍ରାକୃତ୍ରିକ ଶତ୍ରୁମାନଙ୍କୁ ବିଭ୍ରାନ୍ତ କରିବା ସହ ଛୁଆ କଇଁଛମାନଙ୍କର ବଞ୍ଚିବାର ସମ୍ଭାବନାକୁ ବଢାଇଦିଏ । ଗଣ ଅଣ୍ଡାଦାନ ସମେତ ଏମାନେ ଏକାକୀ ଏବଂ ଅନିୟମିତ ଅଣ୍ଡାଦାନ (Sporadic nesting) ମଧ୍ଯ କରନ୍ତି, କିନ୍ତୁ ଏହା ଭବିଷ୍ଯତ କଇଁଛପିଢିମାନଙ୍କ ସୁରକ୍ଷାକୁ ବିପଦଗ୍ରସ୍ତ କରାଏ ।

ପାଣିପାଗ ଅନୁକୂଳ ହେଉନଥିବାରୁ ଅଣ୍ଡାଦାନ ପାଇଁ ଆସୁନାହାନ୍ତି କଇଁଛ

ଗଣ ଅଣ୍ଡାଦାନ ସମୟରେ ଏବଂ ଛୁଆ ଅଣ୍ଡାରୁ ଫୁଟି ବାହାରିବା ସମୟରେ ଚିଲ, ଛଞ୍ଚାଣ, ବୁଲା କୁକୁର, ବିଲୁଆ, ସାପ ଆଦି ପ୍ରାଣୀ ଏମାନଙ୍କ ଭରପୂର ଶିକାର କରିଥାନ୍ତି । କିନ୍ତୁ ଏମାନଙ୍କ ସଂଖ୍ଯା ହିଁ ଏମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ । ଏହା ଆମ ସୌଭାଗ‍୍ୟ ଯେ ଚଳିତ ବର୍ଷ (୨୦୨୫) ମାର୍ଚ୍ଚରେ ପ୍ରାୟ ୬.୨୫ ଲକ୍ଷ ମାଆ କଇଁଛ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ରୂଷିକୁଲ‍୍ୟା ମୁହାଣକୁ ଆସି ସମୂହ ଅଣ୍ଡାଦାନ କରିଥିଲେ । କିନ୍ତୁ ଚଳିତ ବର୍ଷକୁ  ଛାଡି ଦେଇ, ବିଗତ ଦୁଇ ବର୍ଷ ହେଲା (୨୦୨୩ ଏବଂ ୨୦୨୪), ପାଣିପାଗ ଅନୁକୂଳ ନହେବାରୁ କଇଁଛମାନେ ସମୂହ ଅଣ୍ଡାଦାନ ପାଇଁ ଆସିନଥିଲେ । ଦୁର୍ଭାଗ‍୍ୟ ଏହିକି ଯେ, ଉକ୍ତ କଇଁଛମାନଙ୍କ ସଂଖ୍ଯା ଏବେ ଦ୍ରୁତ ଗତିରେ କମିବାରେ ଲାଗିଛି । ଆନ୍ତର୍ଜାତୀୟ ପ୍ରାଣୀ ସୁରକ୍ଷା ସଂଘ (IUCN: International Union for Conservation of Nature) ଏହାକୁ ସଙ୍କଟାପନ୍ନ (Vulnerable) ଶ୍ରେଣୀରେ ରଖିଛି । ବାଣିଜ‍୍ୟିକ ମାଛ ଜାଲର ବ‍୍ୟବହାର, ପ୍ଲାଷ୍ଟିକ ପ୍ରଦୂଷଣ, ସମୁଦ୍ର ତଟରେ ବାସସ୍ଥାନ ନଷ୍ଟ ଏବଂ ବିଶେଷ କରି ଜଳବାୟୁ ପରିବର୍ତ୍ତନ ଏହାର ମୁଖ‍୍ୟ କାରଣ । କାରଣ ଅସ୍ଥିର ତାପମାତ୍ରା ଏମାନଙ୍କ ଲିଙ୍ଗ ଅନୁପାତକୁ ବିଗାଡିଦିଏ ।
ଚଳିତ ବର୍ଷ କଇଁଛମାନଙ୍କର ସାମୁଦ୍ରିକ ଜଳରାଶିରେ ଗତି ସମ୍ବନ୍ଧୀୟ ସୁଚନା ପାଇବା ପାଇଁ ଅଧିକରୁ ଅଧିକ ମାଆ କଇଁଛମାନଙ୍କୁ ଟ୍ୟାଗିଂ (ଟ୍ୟାଗ: କଳଙ୍କରୋଧୀ, ସମୁଦ୍ର ଜଳରୋଧୀ, ଲବଣରୋଧୀ ଇସ୍ପାତରେ ନିର୍ମିତ ଏକ ପରିଚୟ ଚିହ୍ନ ଯାହା ସେମାନଙ୍କ ଫ୍ଲିପରରେ ଲଗାଯାଏ) କରାଯାଇଛି । ଏହି ଅତ୍ୟାଧୁନିକ ପଦକ୍ଷେପ ଓଡିଶାର ଜଙ୍ଗଲ ବିଭାଗ, ସ୍ଥାନୀୟ ସମୁଦାୟ ଏବଂ ଗବେଷଣା ସଂସ୍ଥାମାନଙ୍କର ପ୍ରୟାସରେ ସଫଳ ହୋଇଛି । ଫଳସ୍ୱରୂପ, ଏହି ପଦକ୍ଷେପ ଉକ୍ତ  ପ୍ରଜାତିର ବିଶ୍ୱସ୍ତରୀୟ ସଂରକ୍ଷଣରେ ମୁଖ୍ୟ ଭୂମିକା ବହନ କରିଛି । ସମୁଦ୍ର କଇଁଛ-ବିରୋଧୀ ଉପକରଣର (TED-Turtle Excluder Devices) ବ‍୍ୟବହାର କରିବା, ସ୍ଥଳରେ ବାସସ୍ଥାନ ନଷ୍ଟ ନହେବାକୁ ଦେବା, ଅଣ୍ଡାଦାନ ଏବଂ ଅଣ୍ଡା ଫୁଟି ଛୁଆ ବାହାରିବା ସମୟରେ ସୁରକ୍ଷା ପ୍ରଦାନ କରିବା, ଲୋକମାନଙ୍କ ମଧ୍ଯରେ ସଚେତନତା ସୃଷ୍ଟି କରିବା ଭଳି ପଦକ୍ଷେପମାନ ଏହି ଅଦ୍ଭୁତ, ସଙ୍କଟାପନ୍ନ ପ୍ରଜାତିର ସୁରକ୍ଷା ଏବଂ ସଂରକ୍ଷଣରେ ନିହାତି ଆବଶ‍୍ୟକ ।
ଫଟୋ: ରାଜେଶ ଲେଙ୍କା
ଲେଖକ: ରାଜେଶ ଲେଙ୍କା
ସରକାରୀ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ
ଅତିଥି ଅଧ୍ୟାପକ (ପ୍ରାଣୀ ବିଜ୍ଞାନ) ଏବଂ 
ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣରେ ଗବେଷକ
Olive Ridley turtles