ନୂଆଦିଲ୍ଲୀ: ଦୁଇ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ଜଣେ କଲମ୍ବିୟାନ ମହିଳା ଶନିବାର ଦିନ ସମୁଦ୍ରରେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଉକ୍ତ ମହିଳାଙ୍କ ନାମ ଅଞ୍ଜେଲିକା ଗେଟନ୍ ବୋଲି ଜଣାପଡ଼ିଛି।
ମତ୍ସ୍ୟଜୀବୀମାନେ ପ୍ରଥମେ ଅଞ୍ଜେଲିକା ଗେଟନଙ୍କୁ ସମୁଦ୍ରରେ ଭାସୁଥିବା ଦେଖି ଭୟଭୀତ ହୋଇ ଯାଇଥିଲେ। ସେମାନେ ମହିଳାଙ୍କୁ ସମୁଦ୍ରରୁ ଉଦ୍ଧାର କରି କୂଳକୁ ନେଇ ଆସିଥିଲେ। ସୋସିଆଲ ମିଡିଆରେ ମହିଳାଙ୍କୁ ଉଦ୍ଧାର କରାଯାଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
୪୬ ବର୍ଷିୟ ମତ୍ସ୍ୟଜୀବୀ ରୋଲାଣ୍ଡୋ ଭିସବାଲ ଏବଂ ତାଙ୍କ ସହଯୋଗୀଙ୍କ ଦ୍ବାରା ମହିଳା ଉଦ୍ଧାର ହୋଇଥିଲେ । ଫେସବୁକରେ ଭିସବଲ ସେୟାର କରିଥିବା ଫୁଟେଜରେ ତାଙ୍କୁ ଏବଂ ତାଙ୍କ ସାଙ୍ଗ ସମୁଦ୍ରରୁ ମହିଳାଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରରେ ଏକ କାଠ ଖଣ୍ଡ ଭଳି ଜିନିଷ ଭାସୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ କିଛି ସମୟ ପରେ ସେମାନେ ଯାହାକୁ କାଠ ଖଣ୍ଡ ବୋଲି ଭାବୁଥିଲେ ସେ ଜଣେ ମହିଳା ବୋଲି ଜାଣିବାକୁ ପାଇଥିଲେ। ଆଞ୍ଜେଲିକା ଗାଟନ୍ ଉଦ୍ଧାର ହେବା ପରେ ତାଙ୍କର ପ୍ରଥମ ଶବ୍ଦ ଥିଲା "ମୁଁ ପୁନର୍ବାର ଜନ୍ମ ନେଲି, ଭଗବାନ ଚାହୁଁ ନ ଥିଲେ ଯେ ମୋର ମୃତ୍ୟୁ ହୋଇଯାଉ।’
ଆଞ୍ଜେଲିକା ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେବା ପରେ କହିଛନ୍ତି, ପୂର୍ବତନ ସ୍ୱାମୀଙ୍କ ଦ୍ବାରା ଘରୋଇ ନିର୍ଯାତନାର ଶିକାର ହେବା ପରେ ୨୦୧୮ରେ ସେ ଘରୁ ପଳାଇ ଆସିଥିଲେ। ପୁଲିସ ଠାରୁ ତାଙ୍କୁ କୌଣସି ସାହାଯ୍ୟ ମିଳି ନଥିଲା। ଏହାପରେ ସେ କାମିନୋ ଡି ଫାଏ ଉଦ୍ଧାର କେନ୍ଦ୍ରରେ ରହିବା ପୂର୍ବରୁ ଛଅ ମାସ ପର୍ଯ୍ୟନ୍ତ ରାସ୍ତାରେ ବୁଲୁଥିଲେ।
ତେବେ ତାଙ୍କ ପୂର୍ବତନ ସ୍ୱାମୀ ସହର ଛାଡିବା ପରେ ପୁଲିସ ତାଙ୍କୁ ଆଶ୍ରୟସ୍ଥଳ ଛାଡିବାକୁ କହିଥିଲା, ଯାହାର ଅର୍ଥ ହେଉଛି ତାଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ସମାପ୍ତ ହୋଇଥିଲା| ଶେଷରେ ବିଚଳିତ ହୋଇ ସେ ସମୁଦ୍ରକୁ ଡେଇଁ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲେ। ଏହାପରେ ତାଙ୍କର ଆଉ କିଛି ମନେ ନାହିଁ । ତାଙ୍କୁ ଉଦ୍ଧାର କରିଥିବା ମତ୍ସ୍ୟଜୀବୀ କହିଥିଲେ ଯେ ସେ ଚେତାଶୂନ୍ୟ ହୋଇ ସମୁଦ୍ରରେ ଭାସୁଥିଲେ।