ସସାରାମ: ବିହାରର ସସାରାମରେ ଦେଖିବାକୁ ମିଳିଛି ଚକିତ କରିବା ପରି ଏକ ଘଟଣା। ଏକ ଘର ଭିତରୁ ଏକାଥରକେ ଏତେ ସଂଖ୍ୟାରେ ସାପ ଦେଖିବାକୁ ମିଳିଥିଲା ଯେ, ଲୋକେ କହିବା ଆରମ୍ଭ କଲେ ଯେ ସର୍ପ ବର୍ଷା ହେଉଛି ବୋଲି। ଆପଣ ବିଶ୍ବାସ କରିବେ ନାହିଁ ଯେ ଗୋଟାଏ ଘର ଭିତରୁ ୫୦-୬୦ ସାପ ବାହାରିଥିବାର ଦେଖିବାକୁ ମିଳିଥିଲା।
ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସାପ ଛୁଆ ଥିଲେ। କିଛି ସାପଙ୍କୁ ସ୍ଥାନୀୟ ଲୋକ ଦେଖିବା ମାତ୍ରକେ ମାରି ପକାଇଥିଲେ। ମାତ୍ର ପରିସ୍ଥିତି ଯେତେବେଳେ ନିୟନ୍ତ୍ରଣ ବାହାରକୁ ପଳାଇଲା ତ ଲୋକମାନେ ମିଶି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ପହଞ୍ଚି ସେଠାରୁ ପ୍ରାୟ ୩୦ଟି ସାପ ଛୁଆ ଉଦ୍ଧାର କରିଥିଲେ।
ଜାଣିବାକୁ ମିଳିଛି ଯେ ଉଦ୍ଧାରକାରୀ ଦଳ ପହଞ୍ଚିବା ଆଗରୁ ଗାଁ ଲୋକ ମିଶି ପ୍ରାୟ ୨୦ଟି ସାପଙ୍କୁ ମାରି ସାରିଥିଲେ। ତେବେ କେହି କେହି ଆଧ୍ୟାତ୍ମିକ ବ୍ୟକ୍ତି ଶ୍ରାବଣ ମାସ ହୋଇଥିବାରୁ ଏହା ଶିବଙ୍କ କୃପା ବୋଲି କହି ହାତ ଯୋଡ଼ି ମୁଣ୍ଡିଆ ମାରିଥିଲେ।
ହେଲେ ଏତେ ସଂଖ୍ୟକ ସାପକୁ ହଠାତ ଦେଖି ଗାଁରେ ଆତଙ୍କ ଖେଳିଯାଇଥିଲା। ସାପଗୁଡ଼ିକୁ ଧରିବା ପାଇଁ ବନ ବିଭାଗ ଓ ସାପ ଉଦ୍ଧାରକାରୀ ଦଳଙ୍କୁ ନିୟୋଜିତ କରାଯାଇଥିଲା। ସେମାନେ ଗୋଟାଏ ପରେ ଗୋଟାଏ ସାପକୁ ଧରି ବାକ୍ସ ଭିତରେ ରଖିଥିଲେ।
ସୂଚନା ରହିଛି ଯେ ପ୍ରଥମେ ଅଗରେଡ ଖୁର୍ଦ ଗ୍ରାମର କୃପା ନାରାୟଣ ପାଣ୍ଡେଙ୍କ ଦୁଇ ମହଲା ଘରେ ପ୍ରାୟ ୫-୬ଟି ସାପକୁ ଏପଟ ସେପଟ ହେଉଥିବାର ଦେଖିବାକୁ ମିଳିଥିଲା। ଘର ଲୋକ ଡରିଗଲେ ଓ ଗାଁ ଲୋକଙ୍କୁ ଡାକି କିଛି ସାପକୁ ମାରିବାକୁ ଲାଗିଲେ। ତାପରେ ଗୋଟାଏ ପରେ ଗୋଟାଏ ସାପ ବାହାରିବାରୁ ସେମାନେ ବନ ବିଭାଗକୁ ଖବର ଦେଇଥିଲେ।