୨୦୨୧ ଶେଷ ଆଡ଼କୁ ପୁଣିଥରେ କରୋନାର ଏକ ନୂଆ ପ୍ରଜାତି ‘ଓମିକ୍ରନ୍’କୁ ନେଇ ଚାରିଆଡ଼େ ଆତଙ୍କ ଖେଳି ଯାଇଛି। ନଭେମ୍ବର ୨୪ତାରିଖ ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଭାରିଏଣ୍ଟ ଅଫ୍ କନସର୍ଣ୍ଣ ବୋଲି ଘୋଷଣା କରିଥିଲା। ଯାହାଫଳରେ ଏହା ପରଠାରୁ ରାଜ୍ୟକୁ ବିଦେଶରୁ ଫେରିଥିବା ଲୋକଙ୍କୁ ନେଇ ଉତ୍କଣ୍ଠା ବଢ଼ିଥିଲା। ପ୍ରାରମ୍ଭରେ ରାଜ୍ୟରେ କେତେ ସଂଖ୍ୟକ ଲୋକ ଫେରିଛନ୍ତି ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ପରବର୍ତୀ ସମୟରେ କେନ୍ଦ୍ର ସରକାର ‘ଏୟାର ସୁବିଧା’ ପୋର୍ଟାଲର ବ୍ୟବହାର ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇଥିଲେ। ନଭେମ୍ବ ୨୪ତାରଖ ପରବର୍ତୀ ସମୟରେ ରାଜ୍ୟରେ ୮ହଜାରରୁ ଅଧିକ ଲୋକ ବିଦେଶରୁ ଫେରିଛନ୍ତି। ଏ ପର୍ଯ୍ୟନ୍ତ ୪ଜଣ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମାତ୍ର ବହୁ ସଂଖ୍ୟାରେ ବିଦେଶ ଫେରନ୍ତାଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରିବା ସମ୍ଭବ ହୋଇ ନ ଥିବାରୁ ରାଜ୍ୟରେ ଓମିକ୍ରନ୍ ସଂକ୍ରମଣକୁ ନେଇ ବିପଦ ଆହୁରି ଘନେଇବାରେ ଲାଗିଛି।

Advertisment

publive-image IndiaToday

ନୂଆ ବର୍ଷରୁ ଟିକାକରଣ
ଜାନୁଆରି ୧୬ତାରିଖରୁ ଦେଶ ତଥା ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯାଇଥିଲା। ଏହା ପୂର୍ବରୁ ରାଜ୍ୟ ସରକାର ସ୍ବାସ୍ଥ୍ୟକର୍ମୀମାନଙ୍କ ତାଲିକା ପ୍ରସ୍ତୁତ କରିଥିଲେ। କିଛିମାସ ପରେ କେନ୍ଦ୍ର ସରକାର ଟିକାକରଣରେ ସଂ‌ଶୋଧନ କରିବା ପରେ ୬୦ବର୍ଷରୁ ଜଟିଳ ରୋଗ ଥିବା ଲୋକଙ୍କ ଟିକାକରଣ ହୋଇଥିଲା। ପରବର୍ତୀ ସମୟରେ ଜଟିଳ ରୋଗ ଥିବା ୪୫ବର୍ଷରୁ ଅଧିକ ଲୋକ ଟିକାକରଣରେ ସାମିଲ ହୋଇଥିଲେ। ଏଥିପାଇଁ ହିତାଧିକାରୀଙ୍କୁ ଜଟିଳ ରୋଗର ସାର୍ଟିଫିକେଟ୍ ଦେଖାଇବାକୁ କୁହାଯାଇଥିଲା। ହେଲେ ଏ ସମୟରେ ଟିକାକୁ ନେଇ ଲୋକମାନଙ୍କ ମଧ୍ୟରେ ସେତେଟା ଆଗ୍ରହ ଦେଖାଇ ନ ଥିଲେ। ତେବେ ଦ୍ବିତୀୟ ଲହର ଆରମ୍ଭ ହେବା ପରେ ପୁଣିଥରେ ଲୋକମାନଙ୍କ ମଧ୍ୟରେ ଟିକାକୁ ନେଇ ଆଗ୍ରହ ଦେଖାଇଥିଲେ। ପ୍ରଥମେ ‌କେବଳ ସରକାରୀ କ୍ଷେତ୍ରରେ ଟିକା ଉପଲବ୍ଧ ହେଉଥିବା ବେଳେ ଜୁନ୍ ମାସ ପରେ କେନ୍ଦ୍ର ସରକାର ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଟିକାକରଣରେ ସାମିଲ କରିଥିଲେ। ଏଥିରେ ୭୫-୨୫ ପ୍ରତିଶତ ସର୍ତ ରଖାଯାଇଥିଲା। ପରବର୍ତୀ ସମୟରେ କେନ୍ଦ୍ର ସରକାର ୧୮ବର୍ଷରୁ ଅଧିକ ଲୋକଙ୍କୁ କେନ୍ଦ୍ର ସରକାର ଟିକା ନେବା ପାଇଁ ଅନୁମୋଦନ ଦେଇଥିଲେ। ରାଜ୍ୟରେ ୧୮ବର୍ଷରୁ ଅଧିକ ୩.୦୯ କୋଟି ଅଧିକ ହିତାଧିକାରୀ ରହିଥିବା ଆକଳନ ହୋଇଥିଲା। ମାତ୍ର ଅକ୍ଟୋବରରେ ରାଜ୍ୟ ସରକାର ହିତାଧିକାରୀ ତାଲିକାରେ ସଂଶୋଧନ କରିବା ସହିତ ଏହାକୁ ୩.୨୫‌ କୋଟିକୁ ବୃଦ୍ଧି କରିଥିଲେ।

publive-image GalliNews

ଦେବଗଡ଼ରୁ ଏକମାତ୍ର ଡେଲ୍‌ଟା ପ୍ଲସ୍ ଆକ୍ରାନ୍ତ
କରୋନାର ଦ୍ବିତୀୟ ଲହରରେ ଦ୍ରୁତ ସଂକ୍ରମଣ ପଛରେ କରୋନାର ନୂଆ ପ୍ରଜାତି ‘ଡେଲ୍‌ଟା’ ମୁଖ୍ୟ କାରଣ ସାଜିଥିଲା। କେବଳ ଓଡ଼ିଶା ନୁହେଁ, ଦେଶବ୍ୟାପୀ ଡେଲ୍‌ଟା ଯୋଗୁଁ ମୃତ୍ୟୁର ତାଣ୍ଡବ ସୃଷ୍ଟି ହୋଇଥିଲା। ରାଜ୍ୟରେ କରୋନା ଜନିତ ଯେତିକି ମୃତ୍ୟୁ ହୋଇଥିଲା ଏଥିରେ ସର୍ବାଧିକ ମୃତ୍ୟୁ ଡେଲ୍‌ଟା ଯୋଗୁଁ ହୋଇଥିବା ଜଣାପଡ଼ିଥିଲା। ହେଲେ ଡେଲ୍‌ଟା ପରେ ଡେଲ୍‌ଟା ପ୍ଲସ୍ ମଧ୍ୟ ଦେଶବ୍ୟାପୀ ସଂକ୍ରମିତ କରିଥିଲା। ହେଲେ ଓଡ଼ିଶାରେ ଜଣେ ମାତ୍ର ବ୍ୟକ୍ତି ଏଥିରେ ଆକ୍ରାନ୍ତ ଥିବା ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ବା ଏନ୍‌ସିଡିସି ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ଏହା ଯୋଗୁଁ ରାଜ୍ୟରେ ସଂକ୍ରମଣ ବଢ଼ି ନଥିଲା। ସୁସ୍ଥ ହେବାର ଦୀର୍ଘଦିନ ପରେ ସରକାରଙ୍କ ପକ୍ଷରୁ ଏହା ସଂପର୍କରେ ଘୋଷଣା କରାଯାଇଥିଲା।

publive-image

ବ୍ଲାକ୍ ଫଙ୍ଗସ୍‌ ବି ନିଦ ହଜାଇଲା
ଦ୍ବିତୀୟ ଲହର ମଝିରେ ଦେଶର ବଡ଼ ବଡ଼ ସହରରେ କୋଭିଡ ଆକ୍ରାନ୍ତମାନେ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହେଉଥିବା ନଜରକୁ ଆସଥିଲା। ଓଡ଼ିଶାର ପ୍ରଥମ ବ୍ଲକ୍‌ ଫଙ୍ଗସ ଆକ୍ରାନ୍ତ ସମ୍ ହସ୍ପିଟାଲରେ ଚିହ୍ନଟ ହୋଇଥିଲେ। କିଛିଦିନ ଚିକିତ୍ସା ପରେ ସଂପୃକ୍ତ ବ୍ୟକ୍ତିଙ୍କ ଏଥିରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଦେଖି ସମୟରେ ରାଜ୍ୟ ସରକାର ବ୍ଲାକ୍‌ ଫଙ୍ଗସ୍‌କୁ ଏକ ନୋଟିଫାଏ ରୋଗ ଭାବେ ଘୋଷଣା କରିଥିଲେ। ଧୀରେ ଧୀରେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ବ୍ଲାକ୍ ଫଙ୍ଗସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। ସେପ୍ଟେମ୍ବର ମାସ ବେଳକୁ ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୨ଶହ ପାର୍ କରିଥିଲା। ୨୮ଜଣଙ୍କ ଏଥିରେ ସରକାରୀ ଭାବେ ମୃତ୍ୟୁ ହୋଇଛି।

ମାତ୍ର ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାତ୍ମକ ଭାବେ କମ୍ ରହିଥିଲା।