ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିବା ପରେ ଦେଶବାସୀ ଖୁସି ହୋଇ ଯାଇଥିବା ବେଳେ କରୋନାର ପୁଣି ଏକ ନୂଆ ଭାରିଏଣ୍ଟ୍‌କୁ ନେଇ ଏବେ ଚିନ୍ତା ଉପୁଜିଛି। ଧୀରେ ଧୀରେ କରୋନା ପୁଣି ଥରେ ତା’ର କରାଳ ରୂପ ଦେଖାଇବା ପୂର୍ବରୁ ମହାରାଷ୍ଟ୍ର, କେରଳ ଆଦି ରାଜ୍ୟରେ ଆଡ୍‌ଭାଇଜରି ଜାରି ହୋଇସାରିଛି। ଶୁଣିବାକୁ ମିଳୁଛି ଯେ ଆଗାମୀ ୩-୪ ସପ୍ତାହ ମଧ୍ୟରେ କରୋନାର ନୂଆ ଭାରିଆଣ୍ଟ୍‌ ଆସିପାରେ।

Advertisment

ସେହିପରି ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନ ମଧ୍ୟରେ ମାମଲା ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ଦିଲ୍ଲୀରେ ଗତ ୧୬ ତାରିଖରେ ୧.୫୯ ପଜିଟିଭ୍‌ ରେଟ୍‌ ସହିତ ନୂଆ ୧୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିପରି ୧୭ ତାରିଖରେ ୧୩୫ଟି ମାମଲା ଚିହ୍ନଟ ହୋଇଥିଲା। ଏବେ ଦିଲ୍ଲୀରେ ୪୨୯ କରୋନା ମାମଲା ସକ୍ରିୟ ରହିଛି।

କୋଭିଡ-୧୯ ଓମିକ୍ରନ୍‌ ଭାରିଆଣ୍ଟ୍‌ର ନୂଆ ସବ୍‌ ଭାରିଆଣ୍ଟ୍‌ ଭାରତରେ ଚିହ୍ନଟ ହୋଇସାରିଛି। ଗବେଷକମାନେ ଚେତାବନୀ ଦେଇଛନ୍ତି ଯେ ଆସିବାକୁ ଥିବା ନୂଆ ଭାରିଆଣ୍ଟ୍‌ ଅନ୍ୟ ସବୁ ଭାରିଆଣ୍ଟ୍‌ଠାରୁ ଅଧିକ ଶୀଘ୍ର ବ୍ୟାପିବ।

ଅବଶ୍ୟ ଏହି ଭାରିଆଣ୍ଟ୍‌ ‌ଏବେ ବି ରହିଛି। ମାତ୍ର ଏହାର ମାତ୍ରା ବଢ଼ିଯିବ ବୋଲି ଗବେଷକମାନେ ସୂଚନା ଦେଇଛନ୍ତି। ତେବେ କୁହାଯାଉଛି ଯେ ଚୀନରେ ଏବେ କରୋନା ମାମଲା ବୃଦ୍ଧି ପାଉଛି। ଚୀନରେ କରୋନା ବୃଦ୍ଧି ପାଇବାର କାରଣ ବି ଏହି ଭାରିଆଣ୍ଟ୍‌।