ଭଗବାନ ଶିବ କାହିଁକି ମାଟି ଫୁଟାଇ ପାତଳାରୁ ବାହାରିଥିଲେ ?

ପୁରାଣ ଅନୁଯାୟୀ ଓଙ୍କାରେଶ୍ୱରଙ୍କୁ ମୁନି ଋଷି ମାନେ ମୋକ୍ଷପ୍ରାପ୍ତ କରିବା ଲାଗି ପୂଜା ଆରାଧନା କରି ଆସୁଥିଲେ। ସେମାନେ ଏଠାରେ ଥିବା ନର୍ମଦା ନଦୀ କୂଳରେ ତପଶ୍ଚାରଣ କରୁଥିଲେ। ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ଓଙ୍କାରେଶ୍ୱରଙ୍କ ସ୍ଥାନ ସ୍ୱତନ୍ତ୍ର। ଓଙ୍କାରେଶ୍ୱରଙ୍କ ଆର୍ବିଭାବ ସଂପର୍କରେ ଏକ ବହୁ ପ୍ରଚଳିତ କିମ୍ବଦନ୍ତୀ ରହିଛି। ଏଠାରେ ସତ୍ୟ ଯୁଗରେ ଦେବତାମାନେ ବନବାସ କରୁଥିଲେ। ସେହି ସ୍ଥାନରେ ଦେବତାମାନଙ୍କୁ ହଇରାଣ କରିବା ଲାଗି ରାକ୍ଷସମାନେ ଉତ୍ପାତ କରିଲେ। ଫଳତଃ ଦେବାସୁର ସଂଗ୍ରାମ ହେଲା। ଦେବଗଣ ଏଥିରେ ପରାସ୍ତ ହୋଇ ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କ ନିକଟରେ ଶରଣ ପଶିଲେ। ବ୍ରହ୍ମା ଦେବତାମାନଙ୍କୁ ଅସୁର ନାଶନ ଯଜ୍ଞ ଆୟୋଜନ କରିବା ଲାଗି ପରାମର୍ଶ ଦେଲେ। କିନ୍ତୁ ଦେବଗଣ ଏତେ ଭୀତତ୍ରସ୍ତ ଅବସ୍ଥାରେ ଥିଲେ ଯେ ସେମାନେ ଯଜ୍ଞ କରିବା ତ ଦୂରର କଥା ବ୍ରହ୍ମାଙ୍କ ପ୍ରଦତ୍ତ ‘ଯଜ୍ଞ ମନ୍ତ୍ର’ ବି ଭୁଲିଯାଇଥିଲେ। ଦେବତାମାନଙ୍କ କଷ୍ଟ ଲାଘବ କରିବା ପାଇଁ ମାଟି ଫୁଟାଇ ପାତଳାରୁ ଏକ ଦିବ୍ୟ ବିଶାଳ ଜ୍ୟୋତିର୍ଲିଙ୍ଗଙ୍କ ଆବିର୍ଭାବ ଘଟିଲା।


ଜ୍ୟୋତିର୍ଲିଙ୍ଗରୁ ସ୍ୱୟଂ ଦେବ ଦେବ ମହାଦେବ ଆବିର୍ଭୂିତ ହୋଇ ଅନୁଶାସନ ଯଜ୍ଞ କରିବା ପାଇଁ ଅଭୟ ପ୍ରଦାନ କରିଲେ। ଏହାପରେ ଦେବଗଣଙ୍କର ବିସ୍ମୃତ ମନ୍ତ୍ର ମନେ ପଡ଼ିଲା। ତା’ପରେ ବ୍ରହ୍ମାଙ୍କ ଉପସ୍ଥିତିରେ ଦେବଗଣ ସେଠାରେ ଯଜ୍ଞର ଆୟୋଜନ କରିଲେ ଏବଂ ସେଠାରୁ ରାକ୍ଷସ ଗଣ ଭୟଭୀତ ହୋଇ ପଳାୟନ କରିଲେ। ନର୍ମଦାର ପବିତ୍ର ଜଳରେ ଦେବମାନେ ସ୍ନାନ କରିବା ନିଜ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବା ବେଳେ ସେଠାରେ ଓଁକାର ନାଦ ହେଲା। ଏହି କାରଣରୁ ସେହି ଜ୍ୟୋତିର୍ଲିଙ୍ଗଙ୍କ ନାମ ରଖାଗଲା ‘ଓଙ୍କାରେଶ୍ୱର’।


ମଧ୍ୟପ୍ରଦେଶର ଖଣ୍ଡଓ୍ଵା ଜିଲ୍ଲାର ଏହି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ହେଲା ଶ୍ରୀଓଙ୍କାରେଶ୍ୱର। ଏହା ଏକ ଧାର୍ମିକ ନଗର ଭାବେ ଖ୍ୟାତି ଲାଭ କରିଛି। ଏହାର ବହୁପ୍ରଚଳିତ ନାମ ହେଲା ‘ମାନ୍ଧାତା’। ନର୍ମଦା ନଦୀ ଏହାର ଶୋଭା ବର୍ଦ୍ଧନ କରିଛି। ଏହାର ପ୍ରାକୃତିକ ଶୋଭା ଯେ କୌଣସି ଲୋକଙ୍କୁ ଆତ୍ମହରା କରି ଦେଇପାରିବ।

ସମ୍ବନ୍ଧିତ ଖବର