ନୂଆଦିଲ୍ଲୀ: ସିଭିଲ୍ ସର୍ଭିସେସ୍ ପରୀକ୍ଷା (ୟୁପିଏସସି) ୨୦୨୩ର ଫଳାଫଳ ଏପ୍ରିଲ ୧୬ ତାରିଖରେ ପ୍ରକାଶ ପାଇସାରିଛି। ଏହି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

Advertisment

ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି  ଭିଡିଓକୁ କ୍ଷିତିଜ ନିଜେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି, ଆଇଆଇଟି-ରୁଡ଼କିର ସ୍ନାତକ କ୍ଷିତିଜ ଗୁର‌ଭେଲ ୟୁପିଏସସିରେ ସଫଳତା ପାଇବା ପରେ ଏ ଖୁସି ଖବରକୁ ସେ ବାପାଙ୍କୁ ଜଣାଇବା ପାଇଁ ତାଙ୍କ କାର୍ଯ୍ୟାଳୟରେ ଯାଇ ପହଞ୍ଚି ଯାଇଥିଲେ। ବାପା ତାଙ୍କ ସହକର୍ମୀଙ୍କ ସହ ବସି ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ପୁଅ କ୍ଷିତିଜ ବାପାଙ୍କ ପାଖକୁ ଯାଇ କହିଥିଲେ, ‘ବାପା ମୁଁ ୟୁପିଏସସିରେ ସଫଳ ହୋଇଛି।’

ପୁଅ ମୁଖରୁ ଏଭଳି ଖୁସି ଖବର ଶୁଣି ବାପା ଭାବବିହ୍ବଳ ହୋଇ କ୍ଷିତିଜଙ୍କୁ ଚୁମ୍ବନ ଦେଇ ଆଲିଙ୍ଗନ କରି ପକାଇଥିଲେ।

କ୍ଷିତିଜ ନିଜେ ଏହି ଖୁସିର ମୁହୂର୍ତ୍ତର ଭିଡିଓକୁ ପୋଷ୍ଟ କରି ଲେଖିଥିଲେ, ‘ୟୁପିଏସିରେ ସଫଳ ହେବାପରେ ଫୋନ କରି ବାପାଙ୍କୁ  କହିବା ଠିକ ଭାବି ନଥିଲି। ତେଣୁ ତାଙ୍କ କାର୍ଯ୍ୟାଳୟରେ ଯାଇ ପହଞ୍ଚି ଯାଇଥିଲି। ମୋର ଏହି ସଫଳତାର ଶ୍ରେୟ ମୋର ସମସ୍ତ ଗୁରୁ, ବାପା, ମା’ ଓ ଦିଦିଙ୍କୁ ଦେବି। ଯେଉଁମାନେ ମୋତେ ଏହି ଯାତ୍ରାରେ ଖୁବ ସାହାଯ୍ୟ କରିଛନ୍ତି।’