ଆଉ ଥରେ ରାଜୁ ମିଶ୍ର ହୋଇ ଜନ୍ମ ନେବି

ଥରେ ଖୋକା ଭାଇ କହିଥିଲେ, ଏ ରାଜୁ ମିଶ୍ର ଲୋକଟା କିଏ ମୁଁ ଜାଣିନାହିଁ। ତେବେ ଏ ଭଦ୍ର ଲୋକଙ୍କୁ ଶିକୁଳିରେ ବାନ୍ଧିକି ଓଡ଼ିଶାରେ ରଖି ଦିଆଯାଉ। ଓଡ଼ିଆ ସିନେମାର ବହୁତ ମଙ୍ଗଳ ହେବ। ବୋଧେ ସେଇବେଳୁ ଓଡ଼ିଆ ସଂଗୀତ ଜଗତର ମଉଡ଼ମଣି ଅକ୍ଷୟ ମହାନ୍ତି ରାଜୁ ମିଶ୍ରଙ୍କ ପ୍ରତିଭା ପରଖି‌ ନେଇଥିଲେ। ସେୟା ହିଁ ହେଲା। ସେ ଲେନ୍‌ସରୁ ଜୀବନକୁ ଦେଖିବା ଆରମ୍ଭ କଲେ। ତେବେ ଅଶି ଦଶକରେ ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦେଶନା ଭାର ସମ୍ଭାଳି ରଚିଲେ ନୂଆ ଇତିହାସ। ‘ଜୀବନ ମୃତ୍ୟୁ’ର ଖେଳରେ ଆଜି ହାରିଯାଇଛନ୍ତି ସତ, ମାତ୍ର ଜୀବଦଶାରେ ଓଡ଼ିଆ ସିନେ ଜଗତକୁ ଯାହା ଭେଟି ଦେଇଛନ୍ତି ତାହା ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ। ଦିନେ ରାଜୁ ମିଶ୍ର ନିଜେ କହିଥିଲେ, ମୁଁ ଅବଦୁଲ କାଲାମ କି ଏମ୍‌.ଏଫ୍‌ ହୁସେନ ହୋଇପାରିବିନି। ମୋ ସୀମାରେଖା ମତେ ଜଣା। ଜୀବନକୁ ନେଇ ମୁଁ ଆଦୌ ଅନୁତପ୍ତ ନୁହେଁ। ବରଂ ଯଦି ଆଉଥରେ ଜନ୍ମ ନିଏ, ସେଇ ରାଜୁ ମିଶ୍ର ହୋଇ ଜନ୍ମ ନେବି।

ଏ ଲୋକଟାକୁ ଶିକୁଳିରେ ବାନ୍ଧିଦିଅ..
ସଂଗୀତ ନିର୍ଦେଶକ ଅକ୍ଷୟ ମହାନ୍ତି ଥରେ ଏକ ସାକ୍ଷାତକାରରେ କହିଥିଲେ, ରାଜୁ ମିଶ୍ର ଲୋକଟା କିଏ ମୁଁ ଜାଣିନାହିଁ। ତେବେ ଏ ଭଦ୍ର ଲୋକଙ୍କୁ ଶିକୁଳିରେ ବାନ୍ଧିକି ଓଡ଼ିଶାରେ ରଖିଦେଲେ ଓଡ଼ିଆ ସିନେମାର ବହୁତ ମଙ୍ଗଳ ହେବ। ସେତେବେଳକୁ ଦୁହିଁଙ୍କର ଭେଟ ହୋଇନଥିଲା। ‘ଜନନୀ’ ଫିଲ୍ମରେ ତାଙ୍କ ସାଙ୍ଗେ ଏକାଠି କାମରୁ ଦେଖା ସାକ୍ଷାତ ଓ ବନ୍ଧୁତା। ଦୁହେଁ ଏକାଠି ବସି ତିଆରି କରିଥିଲେ ‘ଏ ଜୀବନେ ମୋ ଜୀବନେ.., କାଳିଆ ତୁ କପଟିଆ.., ଆସିବ ଆସିବ.. , ନିଦ ମାଉସୀ.. ଭଳି ଗୀତ। ଅକ୍ଷୟ ମହାନ୍ତି ଗୀତ ରଚନା କରୁଥିବା ବ‌େଳେ ହାରମୋନିୟମ ଧରୁଥିଲେ ରାଜୁ ମିଶ୍ର।

ଘର ଲୋକ ୧୪ ଝିଅ ଦେଖିବା ପରେ ବିବାହ
କଳାତ୍ମକ ସିନେମା କରିବାରେ ରୁଚି ରଖୁଥିଲେ। ମାତ୍ର ଏଥିରେ ରୋଜଗାର ନଥିବାରୁ ସେ ବିବାହ କରିବେନି ବୋଲି ଭାବିଥିଲେ। କିନ୍ତୁ ବାପାଙ୍କର ପାରାଲିସିସ ହେବାରୁ ବିବାହ ପାଇଁ ସମ୍ମତି ଦେଲେ। ବାପା ତାଙ୍କର ୧୪ଟା ଝିଅ ଦେଖିଥିଲେ। କିନ୍ତୁ କେହି ବି ପସନ୍ଦ ହେଲେ ନାହିଁ। ଶେଷରେ ବାପାଙ୍କର ଜିଦ୍‌ ଯୋଗୁଁ ‌ନିଜ ବଡ଼ ଭାଇଙ୍କ ଶାଳି ପ୍ରତିମାଙ୍କୁ ବିବାହ କଲେ। କଳା ଦୁନିଆ ସହ ପ୍ରତିମା ସଂପୃକ୍ତ ନଥିଲେ ହେଁ ରାଜୁଙ୍କୁ ସମର୍ଥନ କରି ଆସୁଥିଲେ।

ସେ କଳାକାରଙ୍କୁ ସହଜ କରିଦିଅନ୍ତି
ରାଜୁ ବାବୁଙ୍କ ସହ ବହୁ ବର୍ଷ ଧରି ଜଡ଼ିତ। ଦ୍ବିତୀୟ ଫିଲ୍ମରୁ ତାଙ୍କ ସହ କାମ କରିଛି। ତାଙ୍କ କାର୍ଯ୍ୟ ଶୈଳୀ ଭିନ୍ନ। ମୁଁ ଶାସନ ଭିତରେ ଥିବାରୁ ତାଙ୍କର ତାଗିଦ ଶୁଣିନାହିଁ। ତେବେ ସେ କଳାକାରଙ୍କୁ ସହଜ କରିଦିଅନ୍ତି।
ଉତ୍ତମ ମହାନ୍ତି (ଅଭିନେତା)

ନିର୍ଦେଶନା ବେଳେ ମନେପଡ଼ନ୍ତି
ରାଜୁ ମିଶ୍ରଙ୍କ ସହିତ ସହ-ନିର୍ଦେଶନାରେ କାମ କରିଛି। ତା’ ପରେ ଚକା ଆଖି ସବୁ ଦେଖୁଛି, ପୁଅ ମୋର କଳାଠାକୁର ଭଳି ଫିଲ୍ମରେ କାମ କରିଛି। ସେ ସବୁବେଳେ କୁହନ୍ତି, ଓଡ଼ିଶାରେ ସବୁ ଅଛି। ଏଠି ଆମ ମାଧ୍ୟମରେ ସବୁ ତିଆରି ହୋଇପାରିବ। ଭୁଲ୍‌ ହେଲେ ସେ ଧରିଦିଅନ୍ତି ବୋଲି କିଛି ଲୋକ ତାଙ୍କୁ ଜିଦିଆ କହନ୍ତି।
ଅଶ୍ରୁମୋଚନ ମହାନ୍ତି (ଅଭିନେତା)

ମୋତେ ସେ ହିରୋ କରିଥିଲେ
କଳିଙ୍ଗ ଷ୍ଟୁଡିଓରେ ଡବିଂ ଚାଲିଥାଏ। ମୋତେ ହଠାତ୍‌ ‘ସତ ମିଛ’ରେ ପାର୍ଶ୍ବ ନାୟକ ପାଇଁ ଅଶ୍ରୁମୋଚନ ଭାଇ ଡକାଇଲେ। ମୋତେ ଗୋଟେ ଲମ୍ବା ସଂଳାପ ଧରାଇ ଦିଆଗଲା। ତାହା ଗୋଟେ ଟେକ୍‌ରେ ହୋଇଯିବାରୁ ରାଜୁ ସାର୍‌ ମୋ ଉପରେ ଭାରି ଖୁସି ହୋଇଥିଲେ।
ରାଇମୋହନ ପରିଡ଼ା (ଅଭିନେତା)

ଇଏ ହିରୋଇନ୍‌ ହେବ
ମୁଁ ରାଜୁ ସାର୍‌ଙ୍କ ସହ କାମ କରିପାରିନାହିଁ। ତେବେ ରାଜୁ ସାର୍‌ଙ୍କର ଦୁଇଟା ଫିଲ୍ମର ଅଫର ଆସିଥିଲା କିନ୍ତୁ ସ୍କୁଲ୍‌ରେ ପଢ଼ୁଥିବାରୁ କରିପାରିନଥିଲି। ସେ ମୋ’ର କେବଳ ଗୋଟେ ଫଟୋଟେ ଦେଖି କହିଥିଲେ; ଏ ଝିଅଟି ଦିନେ ନା ଦିନେ ହିରୋଇନ୍‌ ହୋଇପାରିବ। ଏହା ହିଁ ମୋ ଜୀବନର ସବୁଠୁ ବଡ଼ ଉପଲବ୍ଧି।
ଅର୍ଚ୍ଚିତା ସାହୁ (ଅଭିନେତ୍ରୀ)

ସମ୍ବନ୍ଧିତ ଖବର