ପ୍ୟାରିସ୍‌ରେ ଚାଲିଥିବା ଅଲିମ୍ପିକ୍ସ କ୍ରୀଡ଼ାର ପିସ୍ତଲ୍‌ଚାଳନା ପ୍ରତିଯୋଗିତାରେ ବିଭିନ୍ନ ଦେଶର ଶୀର୍ଷ ପ୍ରତିଯୋଗୀଙ୍କ ସହିତ ଭାଗ ନେଇ ଭାରତର ୨୨ ବର୍ଷୀୟା ସୁଟର୍‌ ମନୁ ଭାକର୍‌ ଦୁଇଦୁଇଟି ପଦକ ଜିଣିଛନ୍ତି। ଭାରତର ହିରୋ ପାଲଟିଥିବା ମନୁ ଭାକର୍‌ଙ୍କ ଗାଁ ଗୋରିୟାକୁ ଯାଇ ତାଙ୍କ ପରିବାରକୁ ଭେଟିବା ସହିତ ତାଙ୍କ ବଡ଼ବାପା ପ୍ରତାପ ସିଂଙ୍କ
ସହାୟତାରେ ତାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତି

Advertisment

ପଦକ ହାସଲ କରିବା ପରେ ନିଜ ଅନୁଭବକୁ ନେଇ କ’ଣ କହିବେ?
ଟୋକିଓ ଅଲିମ୍ପିକ୍ସ୍‌ରେ ପଦକ ନ ପାଇ ବହୁ ଦିନ ଧରି ନିରାଶା ଭିତରେ ଥିଲି। କିନ୍ତୁ ଚଳିତ ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ କରିବି ବୋଲି ନିଶ୍ଚିତ ଥିଲି। ତେବେ ଏହି ସଫଳତା ପରେ କେତେ ଭଲ ଅନୁଭବ କରୁଛି ତାହା କହିପାରିବି ନାହିଁ। ସବୁ ସାମର୍ଥ୍ୟ ଲଗାଇ ଲଢ଼ିଥିଲି। ପଦକ ଜିତି ମୁଁ ଖୁବ୍‌ ଖୁସି। ମା’ଙ୍କ ନିର୍ଦ୍ଦେଶରେ ମୁଁ ସବୁଦିନ ଭଗବତ୍‌ ଗୀତା ପଢ଼େ। ପ୍ୟାରିସ୍‌ରେ ଯେତେ ବ୍ୟସ୍ତଥିଲେ ବି ଗୀତା ପାଠ କରିବାକୁ ଭୁଲେନାହିଁ। ସେଥିରୁ ମୁଁ ଗୋଟିଏ କଥାରେ ଅନୁପ୍ରାଣିତ ହୋଇଛି: ଯେଉଁ କର୍ମ କରିବାର ଅଛି ତାହା ଠିକ୍‌ ଭାବେ କର, ବାକି ସବୁ ଭଗବାନଙ୍କ ଉପରେ ଛାଡ଼ିଦିଅ। କାରଣ, ଆମେ ଭାଗ୍ୟ ସହ ଲଢ଼ି ପାରିବା ନାହିଁ।

ଯୋଗ୍ୟତା ପର୍ଯ୍ୟାୟର ପ୍ରସ୍ତୁତି କିପରି ଥିଲା?
ଅଲମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟ ଥିଲା ଅତ୍ୟନ୍ତ କଷ୍ଟକର। ସେଥିରେ ସଫଳ ହେବା ପରେ ମୋର ଆତ୍ମବିଶ୍ୱାସ ବଢ଼ିଥିଲା, କିନ୍ତୁ ଆଗକୁ କି ପରିସ୍ଥିତି ହେବ ମୋତେ ଜଣା ନଥିଲା। ଗତ ତିନିବର୍ଷ ଧରି ଆମର ସବୁ ପ୍ରତିଯୋଗୀ ଓ ଦଳ କଠିନ ଅଭ୍ୟାସ ଜାରି ରଖିଥିଲେ। ପଦକ ଜିତିବା ପାଇଁ ମୁଁ ମାନସିକ ସ୍ତରରେ ପ୍ରସ୍ତୁତି କରୁଥିଲି। କାରଣ, ଟୋକିଓ ଅଲିମ୍ପିକ୍ସ ବିଫଳତା ପରେ ପ୍ୟାରିସ୍‌ ମୋ ପାଇଁ ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାହାଯ୍ୟ ସହଯୋଗ ପାଇଁ ପ୍ରାୟୋଜକଙ୍କ ନିକଟରେ ମଧ୍ୟ ମୁଁ କୃତଜ୍ଞ।

ମା’ ଓ ବାପାଙ୍କ ମଧ୍ୟରୁ ଆପଣଙ୍କ ସଫଳତାର ଶ୍ରେୟ କାହାକୁ ଦେବେ?
ଏ ପ୍ରଶ୍ନର ଉତ୍ତର ଏତେ କମ୍‌ ସମୟରେ ଫୋନ୍‌ କଥାବାର୍ତ୍ତାରେ ଦେବା ମୋ ପକ୍ଷେ ଅସମ୍ଭବ। କେବଳ ମା’-ବାପା ନୁହନ୍ତି, ମୋ ଜେଜେମା’ ଦୟା କୌର୍‌ଙ୍କ ଅବଦାନ ଅବିସ୍ମରଣୀୟ। ବଡ଼ବାପା ପ୍ରତାପ ସିଂ ଓ ବଡ଼ମା’ ନିର୍ମଳାଙ୍କ ସ୍ନେହମମତା ବି ଅତୁଳନୀୟ। ମୋ ଦାଦା ଓ ଖୁଡ଼ୀଙ୍କ ଅବଦାନ ମଧ୍ୟ କିଛି କମ୍‌ ନୁହେଁ। ସର୍ବୋପରି ଆମ ଗୋରିୟା ଗ୍ରାମବାସୀ ଓ ସ୍କୁଲ୍‌ ଶିକ୍ଷକମାନେ ମଧ୍ୟ ମୋ ସଫଳତାର ଶ୍ରେୟ ପାଇବେ। କିନ୍ତୁ, ଆପଣ ଦୁଇଜଣଙ୍କ କଥା ପଚାରୁଛନ୍ତି। ବାପା ରାମକିଷାନଙ୍କ ସହିତ ମୋ ଅନ୍ତରଙ୍ଗତା ସବୁଠୁ ଅଧିକ। ତାଙ୍କ ସହିତ ସବୁକିଛି ଖୋଲାଖୋଲି ଆଲୋଚନା କରେ। ଆଉ ମା’ ସୁମେଧାଙ୍କ ସହ ନିବିଡ଼ତା ଓ ଘନିଷ୍ଠତାକୁ ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ।

ଏହି ସଫଳତାରେ ମା’ ସୁମେଧାଙ୍କର ଭୂମିକାକୁ ନେଇ କ’ଣ କହିବେ?
ଦେଶ ଓ ବିଦେଶରେ ବିଭିନ୍ନ ପ୍ରତିଯୋଗିତା ପାଇଁ ଭ୍ରମଣ ଏବଂ ଘରେ ପାଠ ପଢ଼ିବାଜନିତ କ୍ଳାନ୍ତି ସେ କେବେ ମୋତେ ଅନୁଭବ କରାଇ ଦେଇନି। ମୋତେ ଭଲ ଲାଗୁଥିବା ଖାଦ୍ୟ ରାନ୍ଧି ଖୁଆଇବାରେ ସେ କେବେ ହେଳା କରେନି। ଖାଦ୍ୟ ଆମ ବ୍ୟକ୍ତିତ୍ୱ ଓ ଚିନ୍ତାଧାରା ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ଯାହା କୁହାଯାଏ, ତାହାକୁ ମା’ ଠିକ୍ ଭାବେ ପାଳନ କରିବାରେ ସିଦ୍ଧହସ୍ତା। ଟୋକିଓ ଅଲିମ୍ପିକ୍ସରେ ବିଫଳ ହୋଇ ନୈରାଶ୍ୟ ମଧ୍ୟକୁ ଚାଲିଯାଉଥିଲା ବେଳେ ସେ କହିଥିଲା- ବିଜୟ ହାସଲ କରିବାର ପ୍ରକୃତ ସୁଖ କେବଳ ସେତିକି ବେଳେ ମିଳିଥାଏ ଯେତେବେଳେ ଆମେ ହାରିଯାଇ ପୁଣି ଥରେ ଜିତନ୍ତି। ଏ ପଦିଏ କଥା ମୋତେ ଅବସାଦର ଘନ ଅନ୍ଧାରରୁ ମୁକ୍ତି ଦେଇଥିଲା।

ପ୍ୟାରିସ୍‌ ଅଲିମ୍ପିକ୍ସରେ ଆପଣଙ୍କ ପାଇଁ ସବୁଠାରୁ କଷ୍ଟଦାୟକ ଅନୁଭୂତି କ’ଣ?
ଏହି ପ୍ରସଙ୍ଗକୁ ପ୍ରାୟତଃ କୌଣସି ଗଣମାଧ୍ୟମ ଆଲୋଚନା କରୁନାହାନ୍ତି। ଏହି କଷ୍ଟଦାୟକ ଅନୁଭୂତି ହେଉଛି ଖାଦ୍ୟ! କେବଳ ମୁଁ ନୁହେଁ, ଭାରତର ସମସ୍ତ ଖେଳାଳି ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭାରତୀୟ ଖେଳାଳିମାନଙ୍କର ପସନ୍ଦ ମୁତାବକ ଖାଦ୍ୟ ପ୍ୟାରିସ୍‌ ଅଲମ୍ପିକ୍ସ କ୍ରୀଡ଼ାଗ୍ରାମରେ ମିଳୁନାହିଁ। ଯଦିଓ କେବେ କେବେ ଆମେ ଏଠାରେ ଥିବା ଦକ୍ଷିଣ-ଏସିଆ ଭୋଜନାଳୟ ଉପରେ ନିର୍ଭର କରୁଛୁ, କିନ୍ତୁ ସବୁବେଳେ ସେଠାକୁ ଯାଇ ଖାଇବା ସମ୍ଭବ ହେଉନି। ଅଧିକାଂଶ ସମୟରେ ନିଜେ ରାନ୍ଧି ଖାଉଛୁ। ସେହିପରି ଅନ୍ୟ କେତେକ ଖେଳାଳି ମୁଖ୍ୟ କ୍ରୀଡ଼ାଗ୍ରାମରୁ ଦୂରରେ ରହି ଅସୁବିଧା ଭୋଗ କରୁଛନ୍ତି।

ଗୋରିୟା ଗାଁ’ର ଗୌରବ ମନୁ: ମନୁ ପାଇଁ ଗାଁ ମାଟି ଗର୍ବିତ

ହରିୟାଣାର ଝଜ୍ଜର ଜିଲ୍ଲା ଅନ୍ତର୍ଗତ ଗୋରିୟା ଗାଁ। ରାଜଧାନୀ ଦିଲ୍ଲୀରୁ ପ୍ରାୟ ୧୦୦ କିମି ଦୂର। ସେଠି ଆମେ ପହଞ୍ଚିଲା ବେଳକୁ ମଧ୍ୟାହ୍ଣ। ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଏବଂ ଟିଭିରେ ସିଧା ପ୍ରସାରଣ ପାଇଁ ‘ଓବି ଭ୍ୟାନ୍’ର ଧାଡ଼ି ଲମ୍ବିଥିଲା। ଗାଁ ସ୍କୁଲ୍‌ରେ ଚାଲିଥିଲା ଭୋଜିଭାତ। ଯାହା ପାଇଁ ଏ‌ତେ ଆୟୋଜନ ‌େସ କିନ୍ତୁ ଗାଁ’ରେ ଉପସ୍ଥିତ ନଥିଲେ। ଗୋରିୟା ଗାଁ’ର ଝିଅ ମନୁ ଭାକର୍‌ ଆଜି ସାରା ଭାରତର ହିରୋ। ଗ୍ରାମବାସୀଙ୍କ ମୁହଁରେ ଗୋଟିଏ କଥା-ଆମ ମନୁ ଭାରତ ଇତିହାସର ଖେଳ ପୃଷ୍ଠାରେ ଗୋରିୟା ଗାଁ’ର ନାଁ ‌େଲଖିଦେଲା। ତାଙ୍କ ଘରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଭିଡ଼ ଲାଗିଥିଲା। ତା’ରି ଭିତରେ ମନୁଙ୍କ ବାପା ରାମକିଷାନ, ମା’ ସୁମେଧା ଏବଂ ଚାଚା ମହେନ୍ଦ୍ର ସିଂ (ମନୁ ପଢ଼ିଥିବା ଗାଁ ସ୍କୁଲ୍‌ର ଶିକ୍ଷକ) ଓ ପରିବାରର ଅନ୍ୟ ସଦସ୍ୟ ଯାହାକିଛି ସୂଚନା ଦେଉଥିଲେ।

ମନୁ ଭାକର୍‌ଙ୍କ ଜେଜେମା’ ଦୟା କହନ୍ତି, “୨୦୧୩ରେ ଗାଁ ସ୍କୁଲରୁ ଅନୀଲ୍‌ ଝାକର୍‌ଙ୍କ ତତ୍ତ୍ବାବଧାନରେ ମନୁର ବନ୍ଧୁକ ଚାଳନା ତାଲିମ ଆରମ୍ଭ ହୋଇଥିଲା। ପିଲାବେଳେ ସେ ମୋ ସହିତ ପିଜୁଳି, ଆମ୍ବ ଓ ଲେମ୍ବୁ ବଗିଚାକୁ ବୁଲି ଗଲାବେଳେ ଢେଲା ମାରି ଫଳ ଝଡ଼ାଉ ଥିଲା। ମୁଁ ତାକୁ ଗାଳି ଦେଉଥିଲି। ତାର ଲକ୍ଷ୍ୟ ଦେଖି ମୁଁ କହିଲି ତୁ ଧନୁଶର କିମ୍ବା ବନ୍ଧୁକ ଚାଳନା ଶିଖ? ସେ ଆସି ତା’ ବଡ଼ବାପାକୁ ଏ କଥା କହିଲା। ଗାଁ ସ୍କୁଲ୍‌ରେ ପିଲାଙ୍କୁ ବନ୍ଧୁକ ଚାଳନା ପ୍ରଶିକ୍ଷଣ ଆୟୋଜନ ହେଲା। ମନୁ ସହିତ ଆଉ ପ୍ରାୟ ୩୦ରୁ ୪୦ ପିଲା ସେଠାରେ ତାଲିମ ନେଲେ।’’

ମନୁଙ୍କ ବଡ଼ବାପା ପ୍ରତାପ ସିଂ କହନ୍ତି, “୨୦୧୬ ପରଠୁ ମନୁ ଆମ ପରିବାର ଓ ଗାଁ’କୁ ଅନେକ ଥର ଗୌରବାନ୍ବିତ କରିଛି। ୨୦୧୭ରେ ଜାତୀୟସ୍ତରରେ ମନୁ ହୀନା ସିଦ୍ଧୁକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଲା ଦିନ ଆମେ ନିଶ୍ଚିତ ହୋଇଥିଲୁ ସେ ନିଶ୍ଚେ ଅଲିମ୍ପିକ୍ସ ପଦକ ପାଇବ। କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ତା’ ପିସ୍ତଲ୍‌ ଖରାପ ହୋଇଯିବାରୁ ସେ ପଦକ ପାଇ ନ ଥିଲା।’’ ମନୁଙ୍କ ବିଚକ୍ଷଣତାକୁ ମନେପକାଇ ବଡ଼ମା’ ନିର୍ମଳା କହନ୍ତି, ‘‘ସ୍କୁଲ୍‌ ପଢ଼ା ବୟସରେ ମନୁ କ୍ଷେତରେ ଯେମିତି ଟ୍ରାକ୍ଟର୍‌ ଚଳାଏ ତାହା ଆମକୁ ଆଶ୍ଚର୍ଯ୍ୟ କରିଦିଏ।’’

ମନୁଙ୍କ ବାପା ରାମକିଷାନ ଝିଅର ସଫଳତାରେ ବିଭୋର ଥିଲେ। ଝିଅ ସଂପର୍କରେ ଦି’ପଦ କହନ୍ତୁ ବୋଲି ପଚାରିବାରୁ ସେ କହିଲେ, “ମନୁ ଘୋଡ଼ାଚଢ଼ାରେ ବି ପାରଙ୍ଗମ। ମୁଁ ସବୁବେଳେ ମୋ ପିଲାଙ୍କୁ ତାଙ୍କ ପସନ୍ଦର ଖେଳକୁଦ କରିବାକୁ କହିଥାଏ। ପାଠ ଉପରେ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ବି ଦିଏ। ତା’ ମା ସବୁବେଳେ କହେ ପିଲାମାନେ ସ୍ୱାଧୀନଭାବେ ତାଙ୍କ ପସନ୍ଦର ବୃତ୍ତି ଓ କାର୍ଯ୍ୟ କରନ୍ତୁ। ଆଜି ମୁଁ ବୁଝିପାରୁଛି ମନୁର ସଫଳତା ଲାଗି ମୋର ଓ ତା’ ମା’ର ଅବଦାନ କେତେ। ମା’ ହିଁ ଛୁଆଙ୍କ ମନ କଥା ବେଶୀ ବୁଝିଥାଏ।”

“ମନୁ ପ୍ରତି କାମ ଦୃଢ଼ ଆତ୍ମବିଶ୍ୱାସ ଓ ଏକାଗ୍ରତାର ସହ କରେ। ଜୀବନରେ ଆଗକୁ ଯିବା ପାଇଁ ସେ ଲକ୍ଷ୍ୟ ରଖିଥିଲା। କଠିନ ପରିଶ୍ରମ ଦ୍ୱାରା ସେ ସଫଳ ସୁଟର୍‌ ହୋଇଛି। ବାପାମାଆ ପିଲାଙ୍କ ସଫଳତା ଆଶା କରନ୍ତି, କିନ୍ତୁ ସେମାନେ ପରିଶ୍ରମ କଲେ ହିଁ ସଫଳତା ମିଳେ। ମୁଁ ପିଲାଙ୍କୁ କହେ- ଜୀବନରେ ସୁଖଦୁଃଖ ଲାଗି ରହିବ। କିନ୍ତୁ ତମେ ତମ କାମ କରିଚାଲିଲେ ଲକ୍ଷ୍ୟ ହାସଲ କରିବ। ଆଜି ମନୁର ସଫଳତା ପାଇଁ ମୁଁ ଯେତିକି ଗର୍ବିତା ନୁହେଁ, ସେ ମୋ ଝିଅ ବୋଲି ତା’ଠାରୁ ବେଶି ଗର୍ବିତା।’’ ଏସବୁ କହିବା ବେଳେ ମା’ ସୁମେଧା ଭାବବିହ୍ବଳ ହୋଇ ଉଠିଥିଲେ।