ହୋଲି, ଦୀପାବଳି, ରକ୍ଷାବନ୍ଧନ ଆଦି ଭାରତୀୟ ପର୍ବପର୍ବାଣି ସବୁର ବିଶ୍ୱରେ ରହିଛି ଏକ ଭିନ୍ନ ପରିଚିତି। ଲୋକେ ବଡ଼ ହର୍ଷ ଉଲ୍ଲାସର ହସ ପାଳନ କରୁଥିବା ଏହି ପର୍ବପର୍ବାଣିଗୁଡ଼ିକର ରହିଛି ପୃଥକ୍ ପୃଥକ୍ କିଂବଦନ୍ତି। ଅଧିକଂଶ କଂବଦନ୍ତି ଛଳରେ କୁହାଯାଇଛି କିଛି ନା କିଛି ମହତ ଉପଲବ୍ଧି। ଏଥର ଦୀପାବଳି ଅବକାଶରେ ପଢ଼ନ୍ତୁ ସେମିତିକା କେତୋଟି କାହାଣୀ ସମ୍ବନ୍ଧରେ।
ପ୍ରଥମ କହାଣୀ: ଶ୍ରୀରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ
ଶ୍ରୀରାମଚନ୍ଦ୍ର ବନବାସ ଶେଷ କରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିବା ଆନନ୍ଦରେ ଦୀପାବଳି ପାଳନ କରାଯାଏ ବୋଲି ଊଣା ଅଧିକେ ସମସ୍ତ ଭାରତୀୟଙ୍କୁ ଜଣା। ମନ୍ଥରାର କୁପରାମର୍ଶରେ ପ୍ରଭାବିତ ହୋଇ ଭରତଙ୍କ ମାଆ କୈକେଇ ରାମଚନ୍ଦ୍ରଙ୍କୁ ବନବାସ ପଠାଇବାକୁ ରାଜା ଦଶରଥଙ୍କୁ ସତ୍ୟ କରାଇ ଥିଲେ। ପିତୃ ସତ୍ୟ ପାଳି ରାମଚନ୍ଦ୍ର ପତ୍ନୀ ସୀତା ଏବଂ ଅନୁଜ ଲକ୍ଷ୍ମଣଙ୍କ ସହ ୧୪ ବର୍ଷ ବନବାସ କାଟିବାକୁ ବାହାରି ଯାଇଥିଲେ। ବନବାସ କାଳରେ ରାବଣ କପଟରେ ସୀତାଙ୍କୁ ଅପହରଣ କରି ନେଇଥିଲେ। ଶ୍ରୀରାମ ସୁଗ୍ରୀବଙ୍କ ବାନର ସେନା ଏବଂ ହନୁମାନଙ୍କ ସହ ମିଶି ରାବଣଙ୍କୁ ବଧ କରି ସୀତାଙ୍କୁ ଉଦ୍ଧାର କରିଥିଲେ। ସେ ଦିନକୁ ଦଶହରା ରୂପେ ପାଳନ କରାଯାଏ। ଲଙ୍କାରୁ ଶ୍ରୀରାମ ଅଯୋଧ୍ୟା ବାହୁଡ଼ିବା ରାତିରେ ଲୋକେ ଆନନ୍ଦରେ ଦୀପାଳି ପ୍ରଜ୍ଜ୍ୱଳନ କଲେ। ସେବେଠାରୁ ସେ ଦିନକୁ ଦୀପାବଳି ଭାବେ ପାଳନ କରାଯାଉଛି।
ଦ୍ୱିତୀୟ କାହାଣୀ: ପଞ୍ଚୁ ପାଣ୍ଡବଙ୍କ ଇନ୍ଦ୍ରପ୍ରସ୍ଥ ପ୍ରତ୍ୟାବର୍ତ୍ତନ
ଶକୁନି ମାମୁଙ୍କ ସହାୟତାରେ ପଶା ଖେଳି କୌରବମାନେ ପାଣ୍ଡବମାନଙ୍କୁ ସର୍ବଶାନ୍ତ୍ୱ କରି ପକାଇଥିଲେ। ସେମାନେ ଆପଣା ରାଜ୍ୟ ଛାଡ଼ି ୧୩ ବର୍ଷ ସକାଶ ବନବାସ କରିଥିଲେ। ଯୁଧିଷ୍ଠିର, ଭୀମ, ଅର୍ଜ୍ଜୁନ, ନକୁଳ ଏବଂ ସହଦେବ ଆଦି ପଞ୍ଚୁ ପାଣ୍ଡବ ୧୩ ବର୍ଷ ବନବାସ ଉପରାନ୍ତେ କାର୍ତ୍ତିକ ଅମାବାସ୍ୟା ଦିନ ନିଜ ରାଜ୍ୟକୁ ଫେରି ଥିଲେ। ସେମାନଙ୍କ ବାହୁଡ଼ା ଅବସରରେ ତାଙ୍କ ରାଜ୍ୟର ଲୋକେ ଦୀପାଳି ଜାଳି ଆନନ୍ଦିତ ହୋଇଥିଲେ। ଏହା ମଧ୍ୟ ଦୀପାବଳି ପାଳନର ଅନ୍ୟତମ କାରଣ।
ତୃତୀୟ କାହାଣୀ: ରାଜା ବିକ୍ରମାଦିତ୍ୟଙ୍କ ଅଭିଷେକ
ଉଦାରତା, ସାହସ ଏବଂ ଜଣେ ବିଦ୍ୱାନ୍ କାରଣରୁ ପ୍ରାଚୀନ ଭାରତର ଜଣେ ମହାନ୍ ସମ୍ରାଟ୍ ଭାବେ ରାଜା ବିକ୍ରମାଦିତ୍ୟ ସର୍ବଜନ ବିଦିତ। କାର୍ତ୍ତିକ ଅମାବାସ୍ୟା ଦିନ ତାଙ୍କର ରାଜ୍ୟାଭିଷେକ ହୋଇଥିଲା। ତାଙ୍କୁ ସ୍ମରଣ କରିବାକୁ ଲୋକେ ଦୀପାବଳି ପାଳନ କରି ଥାଆନ୍ତି ବୋଲି କଥିତ ଅଛି।
ଚତୁର୍ଥ କାହାଣୀ: ଲକ୍ଷ୍ମୀ ଦେବୀଙ୍କ ଆବିର୍ଭାବ
ଧନଧାନ୍ୟ ଏବଂ ସମୃଦ୍ଧିର ଦେବୀ ରୂପେ ବିଖ୍ୟାତ ମାତା ଲକ୍ଷ୍ମୀ କାର୍ତ୍ତିକ ଅମାବାସ୍ୟା ଦିନ ସମୁଦ୍ର ମନ୍ଥନରୁ ପ୍ରକଟ ହୋଇଥିଲେ। ସେହି କାରଣରୁ ପ୍ରତ୍ୟେକ ଘରେ ଦୀପାଳି ଜଳାଯିବା ସହ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଏ ଏବଂ ଦୀପାବଳିକୁ ହିନ୍ଦୀ ପଞ୍ଜିକାର ପ୍ରଥମ ଦିନ ଭାବେ ବିବେଚନା କରାଯାଏ।
ପଞ୍ଚମ କାହାଣୀ: ଶିଖ୍ ଗୁରୁଙ୍କ ମୁକ୍ତି
ମୋଗଲ ସମ୍ରାଟ୍ ଜହାଙ୍ଗୀରଙ୍କ କାରାଗାରରେ ବନ୍ଦୀ ଥିବା ଶିଖ୍ମାନଙ୍କର ୬ଷ୍ଠ ଗୁରୁ ଶ୍ରୀ ହରଗୋବିନ୍ଦ ସିଂହ କାର୍ତ୍ତିକ ଅମାବାସ୍ୟା ଦିନ ମୁକ୍ତ ହୋଇଥିଲେ। ତାଙ୍କର ମୁକ୍ତିର ଆନନ୍ଦରେ ଶିଖ୍ ସମ୍ପ୍ରଦାୟ ଲୋକେ ଦୀପାବଳି ପର୍ବ ପାଳନ କରି ଥାଆନ୍ତି।
ଷଷ୍ଠ କାହାଣୀ: ନରକାସୁର ସଂହାର
କାର୍ତ୍ତିକ ଅମାବାସ୍ୟା ଦିନ ଭଗବାନ ଶ୍ରୀକୃଷ୍ଣ ନରକାସୁର ନାମକ ଗୋଟାଏ ରାକ୍ଷସକୁ ବଧ କରିଥିଲେ। ସେ କାଳରେ ନରକାରସୁର ଥିଲା ପ୍ରାଗଜ୍ୟୋତିଷପୁର (ଆଜିର ଦକ୍ଷିଣ ନେପାଳ ଏକ ଅଂଶ)ର ରାଜା। କ୍ରୁର ନରକାସୁର ଦେବମାତା ଅଦିତିଙ୍କ ସୁଶ୍ରୀ କନ୍ୟାମାନଙ୍କୁ ହରଣ କରିଥିଲା। ଅଦିତି ଥିଲେ ଶ୍ରୀକୃଷ୍ଣଙ୍କ ପତ୍ନୀ ସତ୍ୟଭାମାଙ୍କର ସମ୍ପର୍କୀୟା। ନରକାସୁର ସମୁଦାୟ ଷୋହଳ ଦେବତାଙ୍କର କନ୍ୟାଙ୍କୁ ବନ୍ଦିନୀ କରି ରଖିଥିଲା। ଶ୍ରୀକୃଷ୍ଣଙ୍କ ସହାୟତାରେ ସତ୍ୟଭାମା ନକରାସୁରକୁ ବଧ କରି ଦେବକନ୍ୟାମାନଙ୍କୁ ଉଦ୍ଧାର କରିଥିଲେ। ଏହା ମଧ୍ୟ ଦୀପାବଳି ପାଳନର ଅନ୍ୟତମ ପ୍ରମୁଖ କାରଣ।