ସ୍ବାମୀ ନିର୍ମଳାନନ୍ଦ ଗିରି

Advertisment

ଋଷିମୁନିଙ୍କ ପ୍ରିୟ ପୁଣ୍ୟଭୂମି ଭାରତବର୍ଷ। ଏହା ଧର୍ମ-କର୍ମ ଓ ଯୋଗର ଭୂମି ଅଟେ। ଏ ଭୂମିରେ ସଦାସର୍ବଦା ଦିବ୍ୟବିଭୂତିମାନେ ଜନ୍ମଗ୍ରହଣ କରି ସମାଜର କଲ୍ୟାଣ ପାଇଁ ଆତ୍ମଜ୍ଞାନ ପ୍ରଦାନ କରି ଯାଇଛନ୍ତି। ଏ ସୁନ୍ଦର ସୃଷ୍ଟି ଏବେ ସମ୍ପୂର୍ଣ୍ଣ ବିଷବଳୟରେ! ପଞ୍ଚତତ୍ତ୍ବରେ ଗଢ଼ା ଏ ସୃଷ୍ଟିକୁ ଜଡ଼ ଏବଂ ଭୋଗ୍ୟ ବୋଲି ମନେକରି ଏ ମଣିଷ ଶୋଷଣ କରିଚାଲିଛି। ଏହାର ଦୁଷ୍ପରିଣାମ ମନୁଷ୍ୟ ସମେତ ସମଗ୍ର ଜଗତ ଭୋଗକରୁଛି। ଏ ମନୁଷ୍ୟ ଶରୀର କେବଳ ବିଷୟଭୋଗ ପାଇଁ ମିଳି ନାହିଁ। ଏ ଦିବ୍ୟ ଶରୀର ଦ୍ବାରା ସତ୍‌କର୍ମ କରି ନିଜେ ଭବସାଗର ପାରି ହେବା ସହ ସମାଜର କଲ୍ୟାଣରେ ନିଜକୁ ନିୟୋଜିତ କରିବାର ଏକ ଦିବ୍ୟ ସୁଯୋଗ ଆମକୁ ମିଳିଛି। ଏକଥା ଜାଣିବା ପାଇଁ ସବ୍ୟକ୍ତିଙ୍କ ସାନ୍ନିଧ୍ୟ ଓ ସତ୍‌ସଙ୍ଗ ଆବଶ୍ୟକ। ଆମର ପରମ ସୌଭାଗ୍ୟ ଆମ ନିକଟରେ ସେହିଭଳି ଦିବ୍ୟ ବିଭୂତି ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ ଉପଲବ୍‌ଧ ଅଛନ୍ତି। ସେ ବିଶ୍ୱର ଜଣେ ଅଦ୍ବିତୀୟ ଉଚ୍ଚକୋଟୀର କ୍ରିୟାଯୋଗୀ ଓ ସନ୍ଥ ତଥା ସିଦ୍ଧ ମହାତ୍ମା ଅଟନ୍ତି। ସେ ଏକାଧାରରେ ଜଣେ ଉତ୍ତମ ବକ୍ତା, ଦାର୍ଶନିକ, ଶାସ୍ତ୍ରଜ୍ଞ, ସଦ୍‌ଗ୍ରନ୍ଥ ଲେଖକ ଓ ପ୍ରକାଶକ।

୧୯୫୯ ଅଗଷ୍ଟ ୧୦ ତାରିଖ ସୋମବାରରେ କେନ୍ଦ୍ରାପଡ଼ାଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇର ବେଲତଳ ଗ୍ରାମରେ ପିତା- ଶ୍ରୀ ନିରଞ୍ଜନ ଦାଶ ଓ ମାତା- ଶ୍ରୀମତୀ ବୈଦେହୀ ଦେବୀଙ୍କ କୋଳମଣ୍ଡନ କରି ଜନ୍ମ ନିଅନ୍ତି। ତାଙ୍କର ବାଲ୍ୟନାମ- ଶ୍ରୀ ତ୍ରିଲୋକୀ ଦାଶ। ସେ ଓଡ଼ିଶାର ପ୍ରମୁଖ ଓ ପ୍ରାଚୀନ ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରି ଲାଭ ପରେ ରାଉରକେଲା ମହାବିଦ୍ୟାଳୟ, ରେଭେନ୍‌ସା ମହାବିଦ୍ୟାଳୟ ଓ ଅନୁଗୁଳ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ରର ଅଧ୍ୟାପକ ଭାବେ ଶିକ୍ଷାଦାନ କଲେ। ଗଭୀର ଆଧ୍ୟାତ୍ମିକ ତୃଷ୍ଣା ତଥା ପ୍ରଜ୍ଞାର ଅନ୍ବେଷଣ କରି ବିଶ୍ୱଗୁରୁ ମହାନ୍ କ୍ରିୟାଯୋଗୀ ପରମହଂସ ହରିହରାନନ୍ଦ ଗିରି ମହାରାଜଙ୍କ ସାନ୍ନିଧ୍ୟ ପ୍ରାପ୍ତହେଲେ। ଭାରତର ସନାତନ ସଂସ୍କୃତି ଆଧାରରେ ଜୀବନର ଆଧାମ୍ବିକ କଲ୍ୟାଣ ପାଇଁ ପରମହଂସ ହରିହରାନନ୍ଦ ଗିରିଙ୍କୁ ଗୁରୁ ଭାବେ ବରଣ କରି ୧୯୮୦ ମସିହାରେ ତାଙ୍କଠାରୁ ଅଦ୍ବିତୀୟ କ୍ରିୟାଯୋଗ ଦୀକ୍ଷାଗ୍ରହଣ କଲେ। ୧୯୯୫ ମସିହାରେ ବୈଦିକ ରୀତିରେ ସନ୍ନ୍ୟାସ ଦୀକ୍ଷା ପ୍ରାପ୍ତହେଲେ। ସେବେଠାରୁ ଗୁରୁପ୍ରଦତ୍ତ ନୂତନ ନାମ- ସ୍ୱାମୀ ପ୍ରଜ୍ଞାନାନନ୍ଦ ଗିରି ଭାବେ ପରିଚିତ ହେଲେ। ତୀବ୍ର ସାଧନା, ଏକନିଷ୍ଠ ଭକ୍ତି ଓ ଗୁରୁକୃପା ବଳରେ ସାଧନାର ଉଚ୍ଚତମ ଶିଖରକୁ ପହଞ୍ଚି ୧୯୯୮ ଅଗଷ୍ଟ ୧୦ ତାରିଖରେ ସାଧୁସନ୍ଥ ତ‌ଥା ସନ୍ନ୍ୟାସୀଙ୍କ ଆକାଂକ୍ଷିତ “ପରମହଂସ’’ ଉପାଧିରେ ଭୂଷିତ ହେଲେ। ସ୍ବାମୀ ବିବେକାନନ୍ଦଙ୍କ ପରି ସେ ମଧ୍ୟ ଜଣେ “ବିଶ୍ୱଧର୍ମ ସମ୍ମିଳନୀ’’ର ପ୍ରବକ୍ତା। ୧୯୯୯ରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିବା ତୃତୀୟ ବିଶ୍ବଧର୍ମ ସମ୍ମିଳନୀରେ ସେ ବକ୍ତବ୍ୟ ପ୍ରଦାନକରି ବିଶ୍ୱଜନତାଙ୍କୁ ମୁଗ୍ଧ କରିଦେଇଥିଲେ। ଆମର ଗୌରବ ଯେ ସେ ପ୍ରଥମ ଓ ବର୍ତ୍ତମାନ ସୁଦ୍ଧା ସମ୍ଭବତଃ ଏକମାତ୍ର ଓଡ଼ିଆ ଭାବେ ଏହି କୃତିତ୍ୱ ଅର୍ଜନ କରିଛନ୍ତି।

“ଅନ୍ତର୍ଜାତୀୟ କ୍ରିୟାଯୋଗ ପ୍ରତିଷ୍ଠାନ” ଓ “ପ୍ରଜ୍ଞାନ ମିଶନ”ର ସେ ଆଧ୍ୟାତ୍ମିକ ମୁଖ୍ୟ ଭାବେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଭୂଖଣ୍ଡରେ କ୍ରିୟାଯୋଗ ସାଧନା ଓ ଭାରତୀୟ ସନାତନ ସଂସ୍କୃତିର ପ୍ରଚାରପ୍ରସାର କରି ମାନବସମାଜକୁ ଦିବ୍ୟ ଶକ୍ତି, ପ୍ରେରଣା ଓ ଆନନ୍ଦ ପ୍ରଦାନ କରିଆସୁଛନ୍ତି। ଜୀବନର ପ୍ରତ୍ୟେକଟି କର୍ମ ଭଗବତ ବୋଧରେ ସମ୍ପାଦନ କରିବା ହିଁ ‘କ୍ରିୟାଯୋଗ’ ବୋଲି ସେ କହନ୍ତି। ଶରୀରରେ ଶ୍ବାସ ହିଁ ଈଶ୍ବରଙ୍କ ସୂକ୍ଷ୍ମ ଉପସ୍ଥିତି। ଏହା ଦେହ ଓ ଦେହୀର ଯୋଗସୂତ୍ର। ସମୟକୁ ମଧ୍ୟ ସେ ଭଗବାନ ମାନନ୍ତି। କେବେହେଲେ ସମୟର ଅପଚୟ କରୁନଥିବା ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ଜୀବନ ସତ୍ୟର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ। କଠୋର ସାଧନା ଓ ଅଦମ୍ୟ ଇଚ୍ଛାଶକ୍ତି ମାଧ୍ୟମରେ ଅସମ୍ଭବକୁ ସମ୍ଭବ କରିହୁଏ ବୋଲି ସେ ପ୍ରମାଣିତ କରିଛନ୍ତି। ଲକ୍ଷ୍ୟସ୍ଥିର କରି ଗୁରୁପ୍ରଦତ୍ତ ମାର୍ଗରେ ଅଗ୍ରସର ହେଲେ ଅସାଧ୍ୟ ସାଧନ କରାଯାଇପାରେ ବୋଲି ତାଙ୍କର ମତ। ସମଗ୍ର ବିଶ୍ବରେ ଏବେ ତାଙ୍କଦ୍ୱାରା ୩୫୦ରୁ ଊର୍ଦ୍ଧ୍ବ କ୍ରିୟାଯୋଗ ସାଧନାକେନ୍ଦ୍ର ଚାଲୁଅଛି। ଏହାର ମୁଖ୍ୟ ସାଧନାକେନ୍ଦ୍ର- “ହରିହରାନନ୍ଦ ଗୁରୁକୁଳମ୍”, ଯାହା ପୁରୀରୁ କୋଣାର୍କ ଯିବା ରାସ୍ତାରେ ବାଲିଘାଇ ନିକଟରେ ରହିଛି। ସାରା ବିଶ୍ବ ଭ୍ରମଣ କରି ସେ ଜନତାଙ୍କ ଭିତରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରୁଛନ୍ତି। ଅନ୍ତର୍ଜଗତର ଯାତ୍ରାପଥରୁ ଅଜ୍ଞାନ-ତମସାକୁ ଅପସାରିତ କରି ପ୍ରେମ ଓ ଆନନ୍ଦର ଆଲୋକରେ ଉଦ୍‌ଭାସିତ କରିଛନ୍ତି କୋଟିକୋଟି ଜୀବନ। ବିଶ୍ବ ହିତେ ସମର୍ପିତ ତାଙ୍କ ଜୀବନରେ କର୍ମ-ଜ୍ଞାନ-ଭକ୍ତିର ସମନ୍ବୟ ଦେଖିବାକୁ ମିଳେ। ଲୋକଙ୍କ ଭିତରେ ଧର୍ମ, ସଂସ୍କୃତି, ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟାବରଣର ଚକ୍ଷା ଓ ବିଶ୍ୱଶାନ୍ତି ପାଇଁ ଜାଗରଣ ସୃଷ୍ଟି କରିବା ସହିତ ବନ୍ୟାବାତ୍ୟା ଆଦି ପ୍ରାକୃତିକ ଦୁର୍ବିପାକ ସମୟରେ ଲୋକଙ୍କୁ ସହାୟତା ପ୍ରଦାନ ଭଳି ଅନେକ ଜନହିତକର କାର୍ଯ୍ୟ କରିଆସୁଛନ୍ତି।

ବିକାରଗ୍ରସ୍ତ ମନ, ଅସଂଯତ ବୃଦ୍ଧି ଏବଂ ଅହଙ୍କାର ବର୍ତ୍ତମାନ ସମାଜରେ ଅଧୁକାଂଶଙ୍କ ମଧ୍ୟରେ ଦେବତ୍ବ ବଦଳରେ ଦାନବ ଶକ୍ତିର ସ୍ଫୁରଣ କରୁଛି। ଫଳତଃ ମାନସିକ ଅସନ୍ତୁଳନ ଦେଖାଦେବା ସହ ଜୀବନ ଓ ପରିବାର ବିପର୍ଯ୍ୟସ୍ତ। ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ କହନ୍ତି, ବୈଦିକ ମୁନିଋଷିଙ୍କ ଶାସ୍ତ୍ରୀୟ ଦୃଷ୍ଟିଭଙ୍ଗୀ ସହିତ ସୁନିୟନ୍ତ୍ରିତ ସଂଯତ ଜୀବନଚର୍ଯ୍ୟା, ଆବଶ୍ୟକତା ଉପରେ ଅଙ୍କୁଶ, ପଞ୍ଚଭୂତଙ୍କର ନିୟନ୍ତ୍ରିତ ବିନିଯୋଗ, ଗୋସେବା ଓ ଗୋ-ସମ୍ପଦର ବିକାଶ, ଗୋ-ଆଧାରିତ କୃଷି ଏବଂ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟପଦାର୍ଥର ଉପଯୋଗ, ବ୍ୟାପକ ବୃକ୍ଷରୋପଣ ଓ ଜଳସଞ୍ଚୟ ପ୍ରବୃରି ବୃଦ୍ଧି, ପ୍ଲାଷ୍ଟିକ ପଲିଥିନ ପ୍ରଯୋଗକୁ ଦ୍ରୁତ ଗତିରେ ବନ୍ଦ କରିବା, ଯାନବାହନ ପ୍ରଯୋଗ ଉପରେ ଅଙ୍କୁଶ, ଗ୍ରାମ୍ୟସଂସ୍କୃତି ଓ ସଭ୍ୟତାର ଆଦର ଏବଂ ଜୀବନକୁ ସାଧନାମୟ କରିବା ଦ୍ବାରା ଉପରୋକ୍ତ ସମସ୍ୟାଗୁଡ଼ିକର ସମାଧାନ ସମ୍ଭବ। ଶିକ୍ଷାର ପ୍ରସାର ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଅରୁଆ ଗ୍ରାମରେ “ହରିହରାନନ୍ଦ ବାଳାଶ୍ରମ’’ ନାମରେ ଆବାସିକ ବିଦ୍ୟାଳୟ ଗଢ଼ି ଗରିବ ତଥା ଅନାଥ ପିଲାମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଏହାଛଡ଼ା ଆଠଗଡ଼ ଠାରେ “ହରିହରାନନ୍ଦ ଶିକ୍ଷାଶ୍ରମ” ମଧ୍ୟ ଚାଲୁଅଛି। ଛାତ୍ରଛାତ୍ରୀଙ୍କ ନିମନ୍ତେ “ନୈତିକ ଶିକ୍ଷା ଶିବିର”, “ଯୁବ ଚେତନା ବିକାଶ ଶିବିର” ପ୍ରତିବର୍ଷ ଆୟୋଜନ କରାଯାଉଛି। ଆଧ୍ୟାତ୍ମିକ ଶିକ୍ଷା ହିଁ ବାସ୍ତବ ଶିକ୍ଷା। ଆଧ୍ୟାତ୍ମିକତାର ଜାଗରଣ ଓ ବେଦ-ଉପନିଷଦର ସାରମର୍ମକୁ ବିଶ୍ୱର କୋଣେ ଅନୁକୋଣେ ପହଞ୍ଚାଇବା ପାଇଁ ସାଧନା ଶିବିର, ପାଠଚକ୍ର, ସଚେତନତା ଶିବିର ଓ ବ୍ରହ୍ମଚାରୀ ପ୍ରଶିକ୍ଷଣ ଶିବିର ଆଦି ଆୟୋଜନ କରାଯାଉଅଛି।

“ହରିହରାନନ୍ଦ ଦାତବ୍ୟ ଚିକିତ୍ସାଳୟ” ନାମରେ କଟକର ଜଗତପୁର, ପୁରୀର ବାଲିଘାଇ, ଆଠଗଡ଼, କେନ୍ଦ୍ରାପଡ଼ାର ଅରୁଆ, ପଶ୍ଚିମବଙ୍ଗର ଭିଷିଣ୍ଡିପୁର ଆଦି ସ୍ଥାନରେ ଚିକିତ୍ସାସେବା ସହିତ ଏଲୋପାଥି, ହୋମିଓପାଥି, ଆୟୁର୍ବେଦିକ ଓ ପଞ୍ଚଗବ୍ୟ ଔଷଧ ପ୍ରଦାନ କରାଯାଉଛି। ନାରୀ ଶିକ୍ଷା ଓ ସେମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ “ଜ୍ଞାନପ୍ରଭା ମିଶନ୍” ଗଠନ କରିଛନ୍ତି। ଅବଲୁପ୍ତପ୍ରାୟ ପୁରାଣପ୍ରସିଦ୍ଧ ପବିତ୍ର ପ୍ରାଚୀନଦୀର ପୁନରୁଦ୍ଧାର ପାଇଁ ପୂଜ୍ୟ ସ୍ବାମୀଜୀଙ୍କ ଉଦ୍ୟମ ପ୍ରଶଂସନୀୟ। ବିସ୍ମୃତିଗର୍ଭରେ ଲୀନ ହେବାକୁ ବସିଥିବା ଇତିହାସ ପ୍ରସିଦ୍ଧ ମହାପୁରୁଷ ପ୍ରାଚୀନ ପଞ୍ଚସଖା (ଅଚ୍ୟୁତାନନ୍ଦ, ଯଶୋବନ୍ତ, ବଳରାମ, ଶିଶୁଅନନ୍ତ ଓ ଜଗନ୍ନାଥ ଦାସ)ଙ୍କର ସାଧନାପୀଠ ସମ୍ପର୍କରେ ଜନଜାଗରଣ ସୃଷ୍ଟି ଓ ପୁନରୁଦ୍ଧାର ପାଇଁ ପ୍ରୟାସ କରିବା ସହିତ ପଞ୍ଚସଖା ସାହିତ୍ୟ ମାଧ୍ୟମରେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ “ପଞ୍ଚସଖା ପରିକ୍ରମା’’ ନାମକ ପ୍ରାମାଣିକ ସ୍ମରଣିକା ପ୍ରକାଶିତ ହେଉଛି।

ପରମହଂସ ପ୍ରଜ୍ଞାନାନନ୍ଦ ଜଣେ ନିଷ୍ଠାପର ଓ ସମର୍ପିତ ଗୋଭକ୍ତ। ଭାରତୀୟ ବେଦଲକ୍ଷଣା ଗୋବଂଶଙ୍କ ସେବା-ସୁରକ୍ଷା-ସଂରକ୍ଷଣ-ସମ୍ବର୍ଦ୍ଧନ ତଥା ଗୋ-ମହିମାର ପ୍ରଚାରପ୍ରସାର ପାଇଁ “ଓଡ଼ିଶା ଗୋସେବା ସମିତି’’ ଗଠନ କରିଛନ୍ତି। ଏହି ଅନୁଷ୍ଠାନ ମାଧ୍ୟମରେ ସମଗ୍ର ଓଡ଼ିଶାରେ “ଗୋବିଜ୍ଞାନ କର୍ମଶାଳା” ଆୟୋଜନ କରାଯାଇ ଗୋ-ଆଧାରିତ ବିଷମୁକ୍ତ କୃଷି ଓ ଅବଲୁପ୍ତ ଧାନ ତଥା ଅନ୍ୟାନ୍ୟ ବିହନର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ କାର୍ଯ୍ୟ କରାଯାଉଛି। ଏହାବ୍ୟତୀତ ମୃତ୍ତିକା ସୁରକ୍ଷା, ଜଳ ସୁରକ୍ଷା, ନଦୀ ସୁରକ୍ଷା ସର୍ବୋପରି ପର୍ଯ୍ୟାବରଣ ସୁରକ୍ଷା ନିମନ୍ତେ ଜନସଚେତନତା ସୃଷ୍ଟି କରାଯାଉଛି। ନିୟମିତ କୃଷକ ଓ ଗୋପାଳକମାନଙ୍କୁ ଗୋ-ଆଧାରିତ କୃଷି, ପାରମ୍ପରିକ ଗୋଚିକିତ୍ସା ଓ କୁଟୀରଶିଳ୍ପର ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ରାସ୍ତାରେ ଘୁରିବୁଲୁଥିବା ଅବହେଳିତ ଗୋବଂଶଙ୍କ ସେବା ଓ ସୁରକ୍ଷା ନିମନ୍ତେ ହରିହରାନନ୍ଦ ଗୁରୁକୁଳମ୍, ବାଲିଘାଇ ଠାରେ “ଗୁରୁଗୋବିନ୍ଦ ଗୋସେବାଶ୍ରମ” ଗଠନ କରିଛନ୍ତି। ପିଲାମାନଙ୍କ ମଧ୍ୟରେ ଗୀତାଜ୍ଞାନର ପ୍ରସାର ପାଇଁ “ଗୀତା ସୁଗୀତା କର୍ଭବ୍ୟା” ନାମରେ “ଗୀତା ଆବୃତ୍ତି ପ୍ରତିଯୋଗିତା” ଓ  ଗୀତାଜ୍ଞାନ ପରୀକ୍ଷା” କରାଯାଉଛି। “ଗୀତା ଜ୍ଞାନ ଯଜ୍ଞ’’ ନାମରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୀତାର ତାନ୍ତ୍ରିକ ପ୍ରବଚନ ନିରନ୍ତର କରୁଛନ୍ତି।

ଭାରତୀୟ ସଂସ୍କୃତି ତଥା ଶାସ୍ତ୍ରୀୟ ଜ୍ଞାନକୁ ସରଳ ଭାବରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଓଡ଼ିଆ ଭାଷାରେ “ତରଣେ ନୌକା”, ଇଂରେଜୀ ଭାଷାରେ ‘‘Sthita Prajna’’, ହିନ୍ଦୀରେ “field’’ ନାମରେ ତ୍ରୈମାସିକ ପତ୍ରିକା ପ୍ରକାଶିତ ହେଉଛି। ଓଡ଼ିଆ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, ମରାଠି, ମାଲାୟଲମ୍, କନ୍ନଡ ଓ ସଂସ୍କୃତ ଆଦି ସହିତ ଇଂରେଜୀ ଭାଷାରେ ୪୦୦ରୁ ଊର୍ଦ୍ଧ୍ବ ପୁସ୍ତକ ଓ ପତ୍ରପତ୍ରିକା ପ୍ରକାଶିତ ହୋଇସାରିଅଛି। ଏହା ବ୍ୟତୀତ ଫ୍ରେଞ୍ଚ୍, ଜର୍ମାନ୍, ଗ୍ରୀକ୍, ହଙ୍ଗେରିଆନ, ଇଟାଲିଆନ୍, ଲାଟ୍‌ଭିଆନ, ପୋଲିଶ, ପର୍ତ୍ତୁଗୀଜ୍, ଋଷିଆନ୍, ସର୍ବିଆନ, ସ୍ପାନିସ୍, ଟର୍କିସ୍ ଆଦି ଅନେକ ବୈଦେଶିକ ଭାଷାରେ ମଧ୍ୟ ବହୁ ପୁସ୍ତକ ଅନୁବାଦିତ ହୋଇ ପ୍ରକାଶିତ ହୋଇଛି। ବର୍ତ୍ତମାନ ସମୟର ବିସ୍ମୟ ସେହି ଶାନ୍ତ, ସୌମ୍ୟ, ତେଜସ୍ୱୀ ଜନପ୍ରିୟ ଯୋଗୀ ପରମପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ଧରାବତରଣ ଦିବସ ଅବସରରେ ତାଙ୍କ ଚରଣରେ ଭକ୍ତିପୂତ ପ୍ରଣାମ।
ଓଡ଼ିଶା ଗୋସେବା ସମିତି, ଭୁବନେଶ୍ବର
ମୋ: ୯୪୩୮୪୮୧୩୫୭