ନୂଆଦିଲ୍ଲୀ: ନିକଟ ଅତୀତରେ ୨ ଜଣ ଅନ୍ଲାଇନ୍ ଜୁଆଡ଼ିକୁ ଧରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଅନ୍ଲାଇନ୍ ଜୁଆ ଆପ୍ ମହାଦେବ ବୁକ୍ ମନିଲଣ୍ଡ୍ରିଂ ମାମଲାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୋଲକାତା, ଭୋପାଳ, ମୁମ୍ବାଇରୁ ତଦନ୍ତ କରିବା ପରେ ୪୧୭ କୋଟି ଟଙ୍କା ଜବତ କରିଛି ଇଡି।
ଇଡି ପକ୍ଷରୁ ମାମଲାର ତଦନ୍ତ କରାଯିବା ପରେ ଜଣାପଡ଼ିଛି ଯେ ଛତିଶଗଡ଼ର ଭିଲାଇର ବାସିନ୍ଦା ସୌରଭ ଚନ୍ଦ୍ରାକର ଏବଂ ରବି ଉପ୍ପଲ ମହାଦେବ ଅନ୍ଲାଇନ୍ ବୁକ୍ର ମୁଖ୍ୟ ଓ ସେମାନେ ଦୁବାଇରୁ ସଂଚାଳନା କରନ୍ତି।
ତେବେ ସୌରଭ ଚନ୍ଦ୍ରାକରଙ୍କ ଧନୀ ହେବା କାହାଣୀ ବେଶି ପୁରୁଣା ନୁହେଁ। କାରଣ ମାତ୍ର କିଛି ଦିନ ତଳେ ହିଁ ସୌରଭ ଥିଲେ ଅତ୍ୟନ୍ତ ଗରିବ। ଛତିଶଗଡ଼ର ଭିଲାଇ ବାସିନ୍ଦା ସୌରଭ ୨୦୧୯ ମସିହାରେ ହିଁ ଦୁବାଇ ଯାଇଥିଲେ।
ଏହା ପୂର୍ବରୁ ତାଙ୍କ ବାପା ମହାନଗର ନିଗରମର ପମ୍ପ୍ ଅପରେଟର୍ ଥିଲେ ଏବଂ ସୌରଭ ଏକ ଜୁସ୍ ଦୋକାନ ଚଳାଉଥିଲେ। ଦୁବାଇ ଯିବା ପରେ ସେ ନିଜ ବନ୍ଧୁ ରବି ଉପ୍ପଲଙ୍କୁ ବି ସେଠାକୁ ଡାକିନେଲେ। ତାପରେ ସେ ଦୁହେଁ ମିଶି ସେଠାରେ ମହାଦେବ ବୁକ୍ ଆପ୍ ଲଞ୍ଚ୍ କଲେ।
ପୁଣି ଏହି ଆପ୍ ଧୀରେ ଧୀରେ ଅନ୍ଲାଇନ୍ ଜୁଆ ଦୁନିଆରେ ନିଜର ଏକ ବଡ଼ ପରିଚୟ ସୃଷ୍ଟି କରିବାରେ ସମର୍ଥ ହେଲା। ଆପଣ ଜାଣିଥିବେ ଯେ ମହାଦେବ ବୁକ୍ ଅନ୍ଲାଇନ୍ ବେଟିଂ ଆପ୍ ଅନ୍ଲାଇନ୍ ଜୁଆ ଦୁନିଆର ଏକ ବଡ଼ ନାମ ପାଲଟିଗଲା। ରିପୋର୍ଟ ଅନୁସାରେ, ଏହାକୁ ଭାରତରୁ ବନ୍ଦ କରି ଦିଆଯାଇଛି। ମାତ୍ର ଅନ୍ୟ ଦେଶରେ ଏହା ଏବେ ବି ଚାଲୁଛି।
ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୌରଭ ଚନ୍ଦ୍ରାକର ନିଜ ବାହାଘରରେ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ହେଲେ କିଛି ବର୍ଷ ପୂର୍ବେ ତାଙ୍କର ପାଖରେ ପେଟ୍ ପୋଷିବାକୁ ବି ଟଙ୍କା ନଥିଲା।