ପା​ଓ୍ୱାର୍ ବ୍ୟାଙ୍କ୍ ଆପ୍ରେ ଟଙ୍କା ବିନିଯୋଗ କରନ୍ତୁ। ୩ମାସରେ ଦୁଇ ଗୁଣା ଟଙ୍କା ପାଆନ୍ତୁ। ଏହିଭଳି ଏକାଧିକ ପାଵାର୍ ବ୍ୟାଙ୍କ୍ ଆପ୍ ଜରିଆରେ ଦେଶରୁ ହଜାର କୋଟିରୁ ଅଧିକ ଟଙ୍କା ଲୁଟିନେଇଛନ୍ତି ସାଇବର ଠକ। ଏହି ଆପ୍ରେ ଟଙ୍କା ବିନିଯୋଗ କରୁଥିବା ଜମାକାରୀଙ୍କୁ ଠକମାନେ ସର୍ବଦା ଅଧିକ ସଂଖ୍ୟାରେ ସଦସ୍ୟତା ଗ୍ରହଣ କରିବାକୁ ପ୍ରଲୋଭନ ଦେଖାନ୍ତି। ଯାହାର ଯେତେ ଅଧିକ ସଦସ୍ୟ, ସିଏ ସେତେ ଅଧିକ ଟଙ୍କା ପାଇବ। ଏକପ୍ରକାରର ଚେନ୍ ସିଷ୍ଟମ୍ କରି ଲୋକଙ୍କ ମଧ୍ୟରେ ଏହି ଆପ୍କୁ ପରିଚିତ କରାନ୍ତି। ଆଉ ବିଶ୍ବାସ ଜନ୍ମାଇବା ପାଇଁ କିଛି ଲୋକଙ୍କୁ ମାସେ ଦୁଇ ମାସ ପର୍ଯ୍ୟନ୍ତ ଟଙ୍କା ବି ଫେରସ୍ତ କରାଯାଏ। ଅଧିକ ଟଙ୍କା ପାଇବା ଲୋଭରେ ଜମାକାରୀ ନିଜ ବନ୍ଧୁ, ପରିବାରଙ୍କୁ ଏଥିରେ ଟଙ୍କା ଖଟାଇବାକୁ ପରାମର୍ଶ ଦିଅନ୍ତି। ଏକ ବଡ଼ ଆକାରର ଟଙ୍କା ଏହି ଆପ୍ରେ ଜମା ହୋଇଗଲେ, ଠକ ସବୁ ଟଙ୍କା ନେଇ ଅଦୃଶ୍ୟ ହୋଇଯାଏ। ଏହି ଆପ୍ ଯେହେତୁ ମିଥ୍ୟା ସାର୍ଟିଫିକେଟ୍ ଦେଇ ଗୁଗୁଲ୍ରେ ପଂଜୀକରଣ ହୋଇଥାଏ, ସର୍ବସାଧାରଣରେ ଏହା ବ୍ୟବହାର ହେବାର ୬ ରୁ ୮ମାସ ପରେ ଗୁଗୁଲ୍ ପ୍ଲେ ଷ୍ଟୋର୍ର ଅଟୋ ଫିଲ୍ଟର୍ ବ୍ୟବସ୍ଥା ଦ୍ବାରା ଆପେ ଆପେ ଡିଲିଟ୍ ହୋଇଯାଏ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରୁ ୫ ଶହରୁ ଅଧିକ ଲୋକଙ୍କୁ ସାଇବର ଠକମାନେ କୋଟି କୋଟି ଟଙ୍କା ଚୁନ ଲଗାଇଥିବା ଜଣାପଡ଼ିଛି। ମାତ୍ର ପୁଲିସ ପ୍ରଶାସନ ପାଖରେ ସୂଚନା ନାହିଁ।
/sambad/media/post_attachments/wp-content/uploads/2021/09/send-love-.jpg)
ସେକ୍ସଟର୍ସନ ବା ନ୍ୟୁଡ୍ କଲ୍ ସ୍କାମ୍
ପ୍ରଥମେ ସାମାଜିକ ଗଣମାଧ୍ୟମରେ ସୁନ୍ଦର ତରୁଣୀ ନାଁରେ ଏକ ଆକାଉଣ୍ଟ୍ ଖୋଲେ ଠକ। ଏହା ପରେ ଉକ୍ତ ଆକାଉଣ୍ଟ୍ରୁ ଫ୍ରେଣ୍ଡ୍ ରିକ୍ବେଷ୍ଟ୍ ପଠାଇଥାଏ। ସୁନ୍ଦରୀ ଯୁବତୀର ଫ୍ରେଣ୍ଡ୍ ରିକ୍ବେଷ୍ଟ ଆକ୍ସେପ୍ଟ କରିବା ମାତ୍ରେ ସାଇବର ଠକ ଅଶ୍ଳୀଳ ଚାଟିଂ କରିବାକୁ ଲାଗିପଡ଼େ। ଏହା ପରେ ହ୍ବାଟ୍ସଆପ୍ରେ ଭିଡିଓ କଲ୍ କରି ନଗ୍ନ ଭିଡିଓ ଦେଖାଇଥାଏ। ଏହି ଭିଡିଓ କଲ୍ ସମୟରେ ଆପଣଙ୍କ ମୁହଁର ରେକର୍ଡିଂ କରିନିଏ ଓ ପରେ ବ୍ଲାକ୍ମେଲ୍ କରେ। ଏହି ପଦ୍ଧତିକୁ ସେକ୍ସଟର୍ସନ ବା ନ୍ୟୁଡ୍ କଲ୍ ସ୍କାମ୍ କୁହାଯାଏ। ସାଇବର ଠକ ସେକ୍ସଟର୍ସନକୁ ପୁରୁଷଙ୍କ କ୍ଷେତ୍ରରେ ବ୍ୟବହାର କରିଥାଏ। ଯାହା ଦ୍ବାରା ଉଲଗ୍ନ ଯୁବତୀର ଭିଡିଓ ଦେଖିବା ପାଇଁ ଅନେକ ସହଜରେ ଫସିଯାଆନ୍ତି ଓ ସାଇବର ଠକ ଦ୍ବାରା ବ୍ଲାକ୍ମେଲ୍ର ଶିକାର ହୋଇ ଟଙ୍କା ଦେବାକୁ ବାଧ୍ୟ ହୁଅନ୍ତି। ଟଙ୍କା ନ ଦେଲେ ପରିବାର ଲୋକ ଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିବାର ଧମକ ଦେଇ ଠକ ଟଙ୍କା ଆଦାୟ କରେ। ଲୋକଲଜ୍ଜା ଭୟରେ ଏ ନେଇ କେହି ଥାନାରେ ଅଭିଯୋଗ କରନ୍ତି ନାହିଁ।
/sambad/media/post_attachments/wp-content/uploads/2021/09/sex.jpg)
ଦେହ ବ୍ୟବସାୟ ଆଳରେ ଅନ୍ଲାଇନ୍ରେ ଜାଲ ବିଛାଇଛନ୍ତି
ଦେହ ବ୍ୟବସାୟ ନାଁରେ ସାଇବର ଠକ ଅନ୍ଲାଇନ୍ଠୁ ଆରମ୍ଭ କରି ଟେଲିଗ୍ରାମ୍ରେ ଏକାଧିକ ଚ୍ୟାନେଲ୍ ଖୋଲିଛନ୍ତି। ଏହି ଚ୍ୟାନେଲ୍ର ସଦସ୍ୟତା ଗ୍ରହଣ କରିବା ପରେ ଅନେକ ଅଜଣା ସୁନ୍ଦରୀ ଯୁବତୀଙ୍କ ଫଟୋକୁ କଲ୍ଗାର୍ଲ ଭାବେ ପ୍ରଦର୍ଶନ କରାଯାଏ। ପସନ୍ଦ କରିବା ପରେ ସାଇବର ଠକ ଅନ୍ଲାଇନ୍ରେ ଆଡଭାନ୍ସ ଟଙ୍କା ମାଗେ। ଟଙ୍କା ଦେବା ପାଇଁ ଗ୍ରାହକ ରାଜି ହେବା ପରେ ସେମାନଙ୍କୁ ନିଜ ଦ୍ବାରା ପୂର୍ବ ନିର୍ଦ୍ଧାରିତ ଟଙ୍କାର କ୍ୟୁଆର୍ କୋଡ୍ ପଠାଇ ଟଙ୍କା ଦେବାକୁ ଅନୁରୋଧ କରିଥାଏ। ସାଇବର ଠକର ଉକ୍ତ କ୍ୟୁଆର୍ କୋଡ୍ ସ୍କାନ୍ କରିବା ପରେ ଲକ୍ଷାଧିକ ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟ୍ରୁ କଟିଯାଏ। କେବଳ ଟେଲିଗ୍ରାମ୍ ଆପ୍ ନୁହେଁ ଅନ୍ଲାଇନ୍ରେ ମଧ୍ୟ ବିଭିନ୍ନ ରାଜ୍ୟର ରାଜଧାନୀ ନାଁରେ କଲ୍ଗାର୍ଲ ଯୋଗାଇ ଦିଆଯାଉଥିବା ନେଇ ସାଇବର ଠକ ନମ୍ବର ଦେଇଛନ୍ତି।
ଡେଟିଂ ସାଇଟ୍ ସ୍କାମ୍
ଏବେ ଗୁଗୁଲ୍ଠୁ ଆରମ୍ଭ କରି ପ୍ଲେ ଷ୍ଟୋର୍ରେ ଅନେକ ଡେଟିଂ ସାଇଟ୍, ମାଟ୍ରିମୋନି ଆପ୍ ଆଦି ଉପଲବ୍ଧ ରହିଛି। ଏଥିରେ ଅନେକ ସାଇବର ଠକ ଫେକ୍ ଯୁବକ ଯୁବତୀଙ୍କ ନାଁରେ ପ୍ରୋଫାଇଲ୍ ତିଆରି କରି ସାଧାରଣ ଲୋକଙ୍କୁ ଫସାଉଛନ୍ତି। ଠକମାନେ ପ୍ରଥମେ ଦାମୀ ଉପହାର କୋରିଅର୍ରେ ପଠାନ୍ତି। କୋରିଅର୍ ଚାର୍ଜ ବାବଦକୁ ପ୍ରାୟ ୩୦ ହଜାରରୁ ଅଧିକ ଟଙ୍କା ଦେବାକୁ ପଡ଼େ। କିନ୍ତୁ କୋରିଅର୍ ଖୋଲିବା ପରେ ସେଥିରୁ ଇଟା ପଥଥର ଖଣ୍ଡ, ସାବୁନ୍ ଭଳି ଶସ୍ତା ବା ଅଦରକାରୀ ପଦାର୍ଥ ବାହାରେ। କୋରିଅର୍ ଚାର୍ଜ ବାସ୍ତବରେ ୫ରୁ ୬ହଜାର ଟଙ୍କା ହୋଇଥିବା ବେଳେ ବାକି ଟଙ୍କା ସାଇବର ଠକ ନିଜେ ନିଏ। ଏପରିକି ଠକ ଦାମୀ ଉପହାର ପଠାଇବା ସମୟରେ ପ୍ୟାକିଂର ଭିଡିଓ ପଠାଇ ନିଜ ପାଇଁ କିଛି ଟଙ୍କା ପଠାଇବାକୁ ମଧ୍ୟ ଅନୁରୋଧ କରେ।
ଫେକ୍ କଲ୍ ସ୍କାମ୍
ଅନ୍ଲାଇନ୍ ସପିଂଠୁ ଆରମ୍ଭ କରି ଟଙ୍କା ନେଣଦେଣ ପାଇଁ ଏବେ ଅନେକ ଆପ୍ ବ୍ୟବହାର କରାଯାଉଛି। ଅନେକ ସମୟରେ ବୈଷୟିକ ତ୍ରୁଟି ପାଇଁ ଟଙ୍କା ସ୍ଥାନାନ୍ତରଣ ସମୟରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି। ଏନେଇ ୟୁଜର୍ସ ସଂପୃକ୍ତ ଆପ୍ କର୍ତ୍ତୃପକ୍ଷକୁ ଯୋଗାଯୋଗ କରିବା ପାଇଁ ଗୁଗୁଲ୍ରେ କଷ୍ଟମର୍ କେୟାର୍ ନମ୍ବର ସର୍ଚ୍ଚ କରି ଉକ୍ତ ନମ୍ବରକୁ କଲ୍ କରନ୍ତି। ମାତ୍ର ସାଇବର ଠକ ଅନେକ ସମୟରେ ଉକ୍ତ ଆପ୍ ନାଁରେ ନକଲି ଲିଙ୍କ୍ ତିଆରି କରି ନିଜ ନମ୍ବର ଦେଇଥାନ୍ତି। ଫଳରେ ୟୁଜର୍ସ ଫୋନ୍ କଲେ ଉକ୍ତ କଲ୍ ସାଇବର ଠକ ପାଖକୁ ଯାଏ। ସାଇବର ଠକ ଲୋକଙ୍କ ଆକାଉଣ୍ଟ ନମ୍ବର ଓ ସବିଶେଷ ତଥ୍ୟ ହାତେଇ ନେଇ ସାହାଯ୍ୟ କରିବା ଆଳରେ ଓଲଟା ଆକାଉଣ୍ଟରୁ ଟଙ୍କା ଲୁଟିନିଅନ୍ତି।
କ୍ରେଡିଟ୍ କାର୍ଡ/ ସିମ୍ ଅପ୍ଡେଟ୍ ନାଁରେ ଠକେଇ
କ୍ରେଡିଟ୍ କାର୍ଡ ବା ସିମ୍ ଅପ୍ଡେଟ୍ ବାହାନାରେ ସାଇବର ଠକ ଲୋକଙ୍କୁ ଠକୁଛନ୍ତିି। ଅପ୍ଡେଟ୍ ନ କରାଇଲେ ଆଉ କିଛି ଘଣ୍ଟା ମଧ୍ୟରେ ସବୁ କାର୍ଡ ଅକାମୀ ହୋଇଯିବା ଭୟରେ ଲୋକେ କଷ୍ଟମର୍ କେୟାର୍ କଲ୍ ଭାବି ସାଇବର ଠକକୁ ନିଜର ବ୍ୟାଙ୍କ୍ ଡିଟେଲ୍ସଠୁ ଆରମ୍ଭ କରି କ୍ରେଡିଟ୍ କାର୍ଡରେ ଲିଖିତ ନମ୍ବର ଦେଇଦିଅନ୍ତି। ପରେ ସାଇବର ଠକ ଆକ୍ଟିଭେସନ୍ କରାଇବା ନାଁରେ ମୋବାଇଲ୍ ଫୋନ୍କୁ ଓଟିପି ପଠାଇଥାଏ। ପରେ ଉକ୍ତ ଓଟିପି ନେଇ ସାଇବର ଠକ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ଟଙ୍କା ଚଳୁ କରିନିଏ।
![]()
ସାଇବର ଠକେଇ ନିୟନ୍ତ୍ରଣ ପାଇଁ ଗୋଲ୍ଡେନ୍ ଆଵାର୍ ରୁଲ୍ ଅମୋଘ ଅସ୍ତ୍ର
ସାଇବର ଠକେଇ ଏବେ ନିତିଦିନିଆ ଅପରାଧ ପାଲଟି ଯାଇଛି। ସବୁଦିନ ହ୍ୟାକର୍ ନୂଆ ନୂଆ କୌଶଳରେ ଲୋକଙ୍କୁ ଠକୁଛନ୍ତି। ତେବେ ଠକେଇ ପରେ ଆକାଉଣ୍ଟ୍ରୁ ଲୁଟ୍ ହୋଇଥିବା ଟଙ୍କା ବା ହ୍ୟାକର୍ ଆକାଉଣ୍ଟ୍କୁ ଯାଇଥିବା ଟଙ୍କା ଫେରସ୍ତ ଆଣିବା ପାଇଁ ଏହି ‘ଗୋଲ୍ଡେନ୍ ଆଵାର୍ ରୁଲ୍’ ଅମୋଘ ଅସ୍ତ୍ର ଭଳି କାମ ଦିଏ।
ସୂଚନା ମୁତାବକ, ଯେକୌଣସି ଆପରାଧିକ ଘଟଣା ଘଟିବା ପରେ ତା’ର ୧ରୁ ୨ଘଣ୍ଟା ପର୍ଯ୍ୟନ୍ତ ପୁଲିସ କ୍ରାଇମ୍ ପ୍ଲଟ୍ରୁ ସଦ୍ୟ ତଥ୍ୟ ଓ ପ୍ରମାଣ ସଂଗ୍ରହ କରେ। ପ୍ରାଥମିକ ତଦନ୍ତରୁ ଏହାକୁ ଆଧାର କରି ପୁଲିସ ଅଭିଯୁକ୍ତ ପାଖରେ ପହଞ୍ଚେ। ଠିକ୍ ସେହିଭଳି ସାଇବର ଠକେଇରେ ମଧ୍ୟ ଆକାଉଣ୍ଟ୍ରୁ ଟଙ୍କା କଟିବାର ପରବର୍ତ୍ତୀ ଘଣ୍ଟେରୁ ୨ଘଣ୍ଟା ସାଇବର ବିଶେଷଜ୍ଞ ଆବଶ୍ୟକ ତଥ୍ୟ ଓ ପ୍ରମାଣକୁ ଆଧାର କରି ଆକାଉଣ୍ଟରୁ କଟିଥିବା ଟଙ୍କା ଓ ଯେଉଁ ଆକାଉଣ୍ଟ୍କୁ ଟଙ୍କା ଯାଇଥାଏ ତା’କୁ ଅଚଳ କରେ। ଆର୍ବିଆଇ ନିୟମାବଳୀ ଅନୁସାରେ, ଆକାଉଣ୍ଟ୍ରୁ ଟଙ୍କା କଟି ଅନ୍ୟ ଆକାଉଣ୍ଟ୍କୁ ଯିବାକୁ ୪୮ ଘଣ୍ଟାର ସମୟ ନିଏ। ଫଳରେ ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଭିଯୋଗ ଆସିଲେ, ଅଚଳ ଆକାଉଣ୍ଟ୍ରୁ ଟଙ୍କା ଫେରସ୍ତ ଆଣିବା ସମ୍ଭବ ହୁଏ। ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବାର ସମସ୍ତ ତଥ୍ୟ ଅଭିଯୋଗ ଆକାରରେ ଦାଖଲ କଲେ ୩୦ରୁ ୪୫ଦିନ ମଧ୍ୟରେ ସମସ୍ତ ଟଙ୍କା ଫେରସ୍ତ ହୋଇଥାଏ। ତେଣୁ ସାଇବର ବିଶେଷଜ୍ଞଙ୍କ ମତରେ ଏହାକୁ ରାଜ୍ୟ ପୁଲିସ ବ୍ୟବହାର କଲେ ଏହା ସାଇବର ଠକେଇକୁ ନିୟନ୍ତ୍ରଣ କରିବା ପାଇଁ ଏକ ଭଲ ଅସ୍ତ୍ର ଭାବେ କାମ କରେ ବୋଲି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/cyber-cartoon.jpg)