ଚନ୍ଦାପଣକୁ ନେଇ ଲାଜ କରିବାର କିଛି ନାହିଁ; ବରଂ ଏହା କିଛି କ୍ଷେତ୍ରରେ ବିଶେଷାଧିକାର ପ୍ରଦାନ କରିଥାଏ। ଏ ଉକ୍ତିର ଏକ ପ୍ରମାଣ ହେଉଛି ଜାପାନରେ ଅନୁଷ୍ଠିତ ହେଉଥିବା ଏକ ନିଆରା ‘ଟଗ୍ ଅଫ୍ ୱାର୍’ ବା ରଶି ଟଣା ପ୍ରତିଯୋଗିତା। ଏହି ରଶି ଟଣା ପ୍ରତିଯୋଗିତାରେ ଯଦିଓ କେଶ ଥିବା ବ୍ୟକ୍ତିମାନେ ଭାଗ ନେଇପାରିବେ କିନ୍ତୁ ଏଥିରେ ଚନ୍ଦା ଲୋକମାନଙ୍କର ରାଜୁତି ସ୍ପଷ୍ଟ ପରିଲକ୍ଷିତ ହୋଇଥାଏ। ଏଥିରେ ଦୁଇ ଜଣ ପ୍ରତିଯୋଗୀ ପରସ୍ପର ସମ୍ମୁଖରେ ବସନ୍ତି ଏବଂ ସେମାନଙ୍କ ମୁଣ୍ଡରେ ଏକ ରଶି ସହିତ ଯୋଡ଼ାହୋଇଥିବା ‘ସକ୍ସନ୍‌ କପ୍’ ଲଗାଇ ଦିଆଯାଏ।

Advertisment

ଏହା ପରେ ଉଭୟ ପ୍ରତିଯୋଗୀ ମୁଣ୍ଡ ସାହାଯ୍ୟରେ ରଶି ଟାଣନ୍ତି। ଯେଉଁ ପ୍ରତିଯୋଗୀଙ୍କ ମୁଣ୍ଡରୁ ‘ସକ୍ସନ୍‌ କପ୍‌’ଟି ପ୍ରଥମେ ଖସିଯାଏ ସେ ପରାସ୍ତ ହୁଅନ୍ତି। ଚିକ୍କଣ ଓ ସମତଳ ଚନ୍ଦା ମୁଣ୍ଡରେ ‘ସକ୍ସନ୍‌ କପ୍’ ଶକ୍ତ ଭାବେ ଲାଗି ରହୁଥିବାରୁ ଏହା କେବଳ ଚନ୍ଦାମାନଙ୍କର ଖେଳରେ ପରିଣତ ହୋଇଯାଇଛି। ସୁରୁଟା ନାମକ ଜାପାନୀ ସହରରେ ୧୯୮୯ରୁ ଏହି ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଆସୁଛି। ଏହାର କ୍ରମେ ଖୁବ୍ ପ୍ରସିଦ୍ଧ ହେବାରୁ ଏହି ପ୍ରତିଯୋଗିତାର ନାମ ‘ଜାତୀୟ ସକର୍ ଟଗ୍ ଅଫ୍ ଵାର୍ ଟୁର୍ନାମେଣ୍ଟ’କୁ ପରବର୍ତ୍ତନ କରାଯାଇଥିଲା। ଜାପାନର କୋଣଅନୁକୋଣରୁ ପ୍ରତିଯୋଗୀମାନେ ଭାଗ ନେବାକୁ ଆସିଥାନ୍ତି। କୋଭିଡ୍‌ କଟକଣା ଯୋଗୁଁ ତିନି ବର୍ଷ ହେଲା ଏହି ପ୍ରତିଯୋଗିତା ଆୟୋଜନ ବନ୍ଦ ରହିଥିଲା। ଏଥର ପୁଣି ଏହି ପ୍ରତିଯୋଗିତ ଅନୁଷ୍ଠିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଚନ୍ଦାପଣ ଯୋଗୁଁ କିଛି ବ୍ୟକ୍ତି ବିଷାଦ ଓ ଉଦ୍‌ବେଗ ଭଳି ମାନସିକ ସମସ୍ୟା ଭୋଗିଥାନ୍ତି। ତେଣୁ ଏହି ପ୍ରତିଯୋଗିତାର ଆୟୋଜକଙ୍କ ଲକ୍ଷ୍ୟ ହେଲା ଚନ୍ଦାପଣ ନେଇ ସମାଜରେ ସକାରାତ୍ମକ ଭାବନା ପ୍ରସାର କରିବା।