ଆସନ୍ତୁ ଜାଣିବା ବିଶ୍ୱର ୨୫ଟି ଶକ୍ତିଶାଳୀ ଦେଶ ମଧ୍ୟରେ ଭାରତର ସ୍ଥାନ କେଉଁଠି?

ଇତିମଧ୍ୟରେ ବିଶ୍ୱର ଶକ୍ତିଶାଳୀ ଦେଶମାନଙ୍କର ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାଟି ୟୁଏସ ନ୍ୟୁଜ ଆଣ୍ଡ ୱାଲ୍‌ଡ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏଥିରେ ୨୫ଟି ଶକ୍ତିଶାଳୀ ଦେଶର ନାଁ ପ୍ରକାଶ ପାଇଛି। ଏହି ତାଲିକା ପ୍ରତିବର୍ଷ ପ୍ରକାଶିତ କରାଯାଇଥାଏ। ପ୍ରକାଶିତ ତାଲିକାରେ ବିଶ୍ୱର ଏକ ନମ୍ବର ଶକ୍ତିଶାଳୀ ରାଷ୍ଟ୍ର ଭାବେ ଆମେରିକା ନାଁ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଋଷ। ସେହିଭଳି ତାଲିକାର ତୃତୀୟ ସ୍ଥାନରେ ଚୀନ ରହିଥିବା ବେଳେ ଭାରତ ୧୫ ତମ ସ୍ଥାନରେ ରହିଛି। ଏହି ତାଲିକାରେ ପାକିସ୍ତାନକୁ ମଧ୍ୟ ସ୍ଥାନ ମିଳିଛି।

ଏହି ତାଲିକା ଦେଶର ଅର୍ଥବ୍ୟବସ୍ଥା,ଅନ୍ୟ ଦେଶ ଉପରେ ଏହାର ପ୍ରଭାବ, ସେନାବାହିନୀ ଓ ଶାସକଙ୍କୁ ଦୃଷ୍ଟିରେ ରଖି ପ୍ରକାଶ କରାଯାଇଥାଏ। ଚଳିତ ବର୍ଷ ୮୦ଟି ଦେଶ ମଧ୍ୟରୁ ଶକ୍ତିଶାଳୀ ୨୫ଟି ଦେଶର ତାଲିକା ପ୍ରସ୍ତୁତ କରାଯାଇଛି। ଆମେରିକା ଏହି ତାଲିକାର ମୁଖ୍ୟ କାରଣ ହେଉଛି ଏହାର ପ୍ରଭାବଶାଳୀ ଅର୍ଥବ୍ୟବସ୍ଥା ଓ ସୈନ୍ୟବଳ। ଆମେରିକା ନାଟୋ ଓ ୟୁଏଏନ ଭଳି ବଡ ବଡ ସଂଗଠନ ବଳରେ ଅର୍ନ୍ତଜାତୀୟ ସ୍ତରରେ ନିଜର ପ୍ରଭାବ ବିସ୍ତାର କରି ପାରିଛି।

ସେହିଭଳି ଦ୍ୱିତୀୟ ସ୍ଥାନରେ ଥିବା ଋଷ ବିଶ୍ୱର ବଡ ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ। ରିପୋର୍ଟ ମୁତାବିକ ଅନ୍ୟ ଦେଶ ତୁଳନାରେ ଋଷ ନିଜ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ କରୁଛି। ୨୦୧୬ ମସିହାରେ ଋଷ ନିଜ ଜିଡିପିର ୫.୪ ପ୍ରତିଶତ ଟଙ୍କା ରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିଥିଲା। ଋଷ ପରେ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି ଚୀନ୍‌। ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ଚୀନର ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କିନ୍ତୁ ଏବେ ମଧ୍ର ଚୀନରେ ଗରିବି ସମସ୍ୟା ରହିଛି। ବିଶ୍ୱ ସ୍ତରରେ ଚୀନ ନିଜର ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହୋଇଛି କିନ୍ତୁ ମାନବାଧିକାର ଓ ଗଣମାଧ୍ୟମର ସ୍ୱାଧୀନତା ମାମଲାରେ ଚୀନକୁ ସମାଲୋଚନା କରାଯାଇଛି।

ସବୁଠୁ ବଡ କଥା ହେଲା, ଏହି ତାଲିକାରେ ଭାରତ ୧୫ ତମ ସ୍ଥାନରେ ରହିଛି। ଭାରତ ଉପରକୁ ତୁର୍କୀ ୧୪ ତମ ଓ ଇରାନ ୧୩ ତମ ସ୍ଥାନରେ ରହିଛନ୍ତି। ରିପୋର୍ଟରେ ଭାରତକୁ ବିଶ୍ୱର ସବୁଠୁ ବଡ ଲୋକତନ୍ତ୍ର ଓ ଦ୍ରୁତ ଗତିରେ ଆଗକୁ ବଢୁଥିବା ଅର୍ଥବ୍ୟବସ୍ଥା ଦେଶ ଭାବେ ପରିଗଣିତ କରାଯାଇଛି। ତେବେ ଭାରତର ଜନସଂଖ୍ୟା ଓ ଗରିବି ଆଡକୁ ମଧ୍ୟ ଇସାରା କରାଯାଇଛି। ରିପୋର୍ଟରେ କୁହାଯାଇଛି, ଆଇଟି କ୍ଷେତ୍ରରେ ଭାରତ ଏବେ ମହତ୍ୱପୂର୍ଣ୍ଣ କେନ୍ଦ୍ର ପାଲଟିଛି।

ଏହି ସୂଚୀରେ ପାକିସ୍ତାନ ୨୨ତମ ସ୍ଥାନରେ ରହିଛି। ଦେଶରେ ଅସ୍ଥିରତା, ଭଷ୍ଟ୍ରାଚାର ଓ ଭାରତ ସହ ବିବାଦ ପାଇଁ ପାକିସ୍ତାନ ପୂର୍ବ ବର୍ଷ ତୁଳନାରେ ୨ଟି ସ୍ଥାନ ତଳକୁ ଖସି ୨୨ତମ ସ୍ଥାନରେ ପହଞ୍ଚିଛି। ତେବେ ବିଶ୍ୱର ସବୁଠୁ ଅଧିକ ଯୁବକ ଥିବା ଦେଶ ମଧ୍ୟରେ ପାକିସ୍ତାନକୁ ସାମିଲ କରାଯାଇଛି। ପାକିସ୍ତାନର ଅଧିକାଂଶ ନାଗରିକଙ୍କ ବୟସ ୨୨ ବର୍ଷରୁ କମ ରହିଛି। ରିପୋର୍ଟ ମୁତାବିକ ପାକିସ୍ତାନ ମଧ୍ୟରେ ଅନ୍ତଃକନ୍ଦଳ ଯୋଗୁଁ ଅନ୍ୟ ଦେଶ ଗୁଡିକ ପାକିସ୍ତାନରେ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଯାହାଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଛି।

ଏହି ତାଲିକାରେ ଜର୍ମାନୀ ଇଂଲଣ୍ଡକୁ ପଛରେ ପକାଇ ୪ର୍ଥ ସ୍ଥାନରେ ରହିଛି । ଏହି ଲିଷ୍ଟରେ ୬ଷ୍ଠ ସ୍ଥାନରେ ରହିଛି ଫ୍ରାନ୍‌ସ। କାରଣ ଏହି ଦେଶକୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି। ତେବେ ଫ୍ରାନ୍‌ସ ସମ୍ମୁଖରେ ଆତଙ୍କବାଦୀ ଓ ବେରୋଜଗାରୀ ଭଳି ସମସ୍ୟା ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଜାପାନ ଏହି ସୂଚୀରେ ୭ମ ସ୍ଥାନରେ ରହିଛି। ଅତ୍ୟାଧୁନିକ ଜ୍ଞାନକୌଶଳ ମାମଲାରେ ଜାପାନ ଅନ୍ୟ ଦେଶମାନଙ୍କ ଠାରୁ ବହୁତ ଆଗରେ ରହିଛି। ଏହାଛଡ଼ା ବିଶ୍ୱର ବଡ ଅର୍ଥବ୍ୟବସ୍ଥା ସୂଚୀରେ ତୃତୀୟ ସ୍ଥାନରେ ରହିଛି। ଉତ୍ତରକୋରିଆ ସହ ବିବାଦ କାରଣରୁ ଜାପାନ ମଧ୍ୟ ନିଜ ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ପ୍ରବଳ ଅର୍ଥ ଖର୍ଚ୍ଚ କରୁଛି। ଏହି ତାଲିକାର ୮ମ ସ୍ଥାନରେ ରହିଛି ଇସ୍ରାଏଲ। ମାତ୍ର ୮୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲ ବିଶ୍ୱ ସ୍ତରରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିବାରେ ସକ୍ଷମ ହୋଇଛି। ପାଲେଷ୍ଟାଇନ ବିବାଦ ସତ୍ତ୍ୱେ ମଧ୍ୟ ଇସ୍ରାଏଲର ଅର୍ଥବ୍ୟବସ୍ଥା ମଜବୁତ ସ୍ଥିତିରେ ରହିଛି।

ସମ୍ବନ୍ଧିତ ଖବର