ଖୋଲା ଝରକା: ମାନଚିତ୍ର ପୂଜା

ବାରଣାସୀରେ ଏକ ପ୍ରସିଦ୍ଧ ମନ୍ଦିର ରହିଛି। ମନ୍ଦିରରେ ଗର୍ଭଗୃହ ସ୍ଥାନରେ ମାର୍ବଲରେ ନିର୍ମିତ ମାନଚିତ୍ରକୁ ଭାରତ ମାତାଙ୍କ ରୂପରେ ପୂଜା କରାଯାଏ। ଯେଉଁ ସମୟରେ ବ୍ରିଟିଶ୍‌ମାନେ ଭାରତବାସୀଙ୍କ ମୁହଁରୁ ଦେଶପ୍ରେମର ଚର୍ଚ୍ଚା ବି ଶୁଣିବାକୁ ପସନ୍ଦ କରୁନଥିଲେ, ସେହି ସମୟରେ ଦେଶପ୍ରେମର ଭବ୍ୟ ସ୍ମାରକ ନିର୍ମାଣ କରିବା ସହଜ କାମ ନଥିଲା। ସେହି ସମୟରେ ଇଂରେଜମାନଙ୍କ ଅତ୍ୟାଚାରରେ ଦବି ହୋଇ ରହିଥିବା ଭାରତୀୟମାନେ ଏହି ଭବ୍ୟ ମନ୍ଦିରର ପରିକଳ୍ପନା କରିଥିଲେ। ସେତେବେଳେ ଏହାର ନିର୍ମାଣ ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାକୁ ନିର୍ମାଣ କରିଥିଲେ ଶିବ ପ୍ରସାଦ ଗୁପ୍ତା। ଏହାର ତିଆରି ୧୯୧୮ରୁ ଆରମ୍ଭ ହୋଇ ୧୯୨୪ରେ ସମାପ୍ତ ହୋଇଥିଲା। ୧୯୩୬ ମସିହାରେ ଏହି ମନ୍ଦିରର ଉଦ୍‌ଘାଟନ ସ୍ବୟଂ ମହାତ୍ମାଗାନ୍ଧୀ କରିଥିଲେ। ସେତେବେଳେ ସେ କହିଥିଲେ ସର୍ବଧର୍ମ ସମନ୍ବୟର ପ୍ରତୀକ ହେବ ଏହି ମନ୍ଦର। ଏହାର ଉଦ୍‌ଘାଟନ ଅବସରରେ ଲୋକପ୍ରିୟ ହିନ୍ଦୀ କବି ମୈଥିଳି ଶରଣ ଗୁପ୍ତ ଏକ କବିତା ଲେଖିଥିଲେ। ଏକ ବିଶାଳ ମାର୍ବଲକୁ ଅତି ସୂକ୍ଷ୍ମ ଭାବେ କଟାଯାଇ ଏକ ସ୍ବତନ୍ତ୍ର ମାନଚିତ୍ର ତିଆରି କରାଯାଇଛି। ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ମନ୍ଦିରକୁ ଖୁବ୍‌ ସୁନ୍ଦର ଭାବେ ସଜା ଯାଇଥାଏ।

କଥା-ଫରୁଆ: ‘ଘୁଷୁରି କି ପାଚିଲା କଦଳୀ’

ଜୀବନ ମାତ୍ରେ ଖାଦ୍ୟ ଆବଶ୍ୟକ। ତେଣୁ ପ୍ରତ୍ୟେକ ପ୍ରାଣୀ ଖାଦ୍ୟ ଆବଶ୍ୟକ କରନ୍ତି। ହେଲେ ସମସ୍ତେ ସବୁଖାଦ୍ୟ ଖାଆନ୍ତି ନାହିଁ। ଓଡ଼ିଆ ଭାଷାରେ ଗୋଟିଏ କଥା ଅଛି- ମରେ ହଂସ, ନ ଖାଏ ଗୋମାଂସ। ହଂସଟିଏ ଭୋକରେ ପଡ଼ି ଛଟପଟ ହୋଇ ମରିଯିବ ସିନା କେବେହେଲେ ଗୋରୁମାଂସ ଖାଇବ ନାହିଁ। କାରଣ ତାହା ତା’ର ଖାଦ୍ୟ ନୁହେଁ। ଅପରପକ୍ଷରେ ମାଂସାଶୀ ପ୍ରାଣୀମାନେ ପଚାଶଢ଼ା ଖାଦ୍ୟ ଖାଇ ବଞ୍ଚନ୍ତି। ଶଙ୍ଖଚିଲ ସଜମାଛ ଖାଏ ତ ମାଟିଆ ଚିଲ ପଚା ମାଛ ବା ମାଂସ। ଘୁଷୁରି ସେମିତି ପଙ୍କ ବା ମଇଳାରୁ ନାନା ଅସନା ପଦାର୍ଥ ଖାଇ ଜୀବନ ଧାରଣ କରନ୍ତି। ଆଜିକାଲି ଫାର୍ମମାନଙ୍କରେ ପାଳିତ ହେଉଥିବା ଘୁଷୁରିଙ୍କ କଥା ଅଲଗା, ହେଲେ ଘୁଷୁରି କହିଲେ, ସେ ଅସନା ଖାଇ ବ‌େଞ୍ଚ। ପାଚିଲା କଦଳୀ ଏକ ସୁସ୍ବାଦୁ ତଥା ଲୋଭନୀୟ ଫଳ। ମଣିଷଠାରୁ ଆରମ୍ଭ କରି ଅନେକ ପଶୁପକ୍ଷୀ ଏହାକୁ ଖାଦ୍ୟ ରୂପେ ପସନ୍ଦ କରନ୍ତି। ମାତ୍ର ଘୁଷୁରି ପାଇଁ ଏହା ଏକ ଅନୁପଯୁକ୍ତ ଖାଦ୍ୟ। ତେଣୁ ଅନୁପଯୁକ୍ତ ବ୍ୟକ୍ତି ପ୍ରତି କୌଣସି ମୂଲ୍ୟବାନ ଉପହାର ବା ବ୍ୟବହାରକୁ ସମାଲୋଚନା କରି କୁହାଯାଏ- ଏ କାର୍ଯ୍ୟଟି ‘‘ଘୁଷୁରି କି ପାଚିଲା କଦଳୀ’’ ଖୁଆଇଲା ଭଳି ହେଲା।

ଶବ୍ଦତୋଡ଼ା: ଆଳିମାଳିକା

ଓଡ଼ିଆ ଭାଷାରେ ‘‘ଆଳିମାଳିକା’’ ଶବ୍ଦଟି ଗାଆଁ ଗହଳରେ ଖୁବ୍‌ ପ୍ରଚଳିତ। ଏହା ପ୍ରକୃତରେ ଦୁଇଗୋଟି ଶବ୍ଦର ସମଷ୍ଟି। ‘ଆଳି’ ଓ ‘ମାଳିକା’। ଏ ଦୁଇଟିଯାକ ଶବ୍ଦ ସଂସ୍କୃତ ଭାଷାରୁ ଆସିଛି। ‘ଆଳି’ର ଅର୍ଥ ଯେମିତି ସମୂହ ସେମିତି ‘ମାଳିକା’ ଶବ୍ଦର ଅର୍ଥ ମଧ୍ୟ ସମୂହ। ଅତଏବ ଆଳିମାଳିକା କହିଲେ ସମୂହତା ବା ଏକାଠି ହୋଇ ରହିଥିବା ଅନେକ ପଦାର୍ଥକୁ ବୁଝାଏ। ଅ‌ାଜିକାଲି ଆଧୁନିକ ଜୀବନରେ ଆମେ ବିଭିନ୍ନ ପ୍ରକାରର ପଦାର୍ଥ ରଖିବା ଲାଗି ଅନେକ ଜାତିର ପେଡ଼ି, ଡବା, ବାକ୍‌ସ ଓ ପାତ୍ର ବ୍ୟବହାର କରୁଛୁ ମାତ୍ର ପୁରୁଣା ସମୟରେ ଏହି ବ୍ୟବସ୍ଥା ନଥିଲା। ଜୀବନ ଥିଲା ଖୁବ୍‌ ସାଧାରଣ। ତେଣୁ ଯାହା କିଛି ଅତି ଦରକାରୀ ପଦାର୍ଥ ସେ ସବୁକୁ ଏକାଠି କରି ଗୋଟିଏ ପେଡ଼ିରେ ରଖାଯାଉଥିଲା। ସେଇଥିରେ ଛୁଞ୍ଚି ସେଇଥିରେ ଡାମ୍ଫଣ। ସେଇଥିରେ ପିଲାଙ୍କୁ ପିଆଇବା ଲାଗି ଶାମୁକା ତ ଚନ୍ଦନକାଠ ଘୋରିବା ଲାଗି ପେଡ଼ି ବା ଔଷଧ ତିଆରି ପାଇଁ ପଥରର ଖଲ। ଏ ସବୁ କଥା ଯେଉଁ ପେଡ଼ିରେ ସାଇତା ହୋଇ ରହିଥାଏ ତା’କୁ କହନ୍ତି ‘‘ଆଳିମାଳିକା ପେଡ଼ି।’’ ଦିନ ଥିଲା, ପ୍ରତ୍ୟେକ ଓଡ଼ିଆ ଘରେ ଥିଲା ଗୋଟିଏ ଏହି ଆଳିମାଳିକା ପେଡ଼ି ବା ବାକ୍ସ।

ସମ୍ବନ୍ଧିତ ଖବର