ମହିଳାମାନଙ୍କ ଗର୍ଭାବସ୍ଥା, ସ୍ତନ୍ୟପାନ ଓ ମେନୋପଜ୍ ସମୟରେ ଦାନ୍ତର ଯତ୍ନ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି ଗର୍ଭାବସ୍ଥାରେ ପରିବର୍ତ୍ତନଶୀଳ ହର୍ମୋନ୍‌ ସ୍ତର ସିଧାସଳଖ ମାଢ଼ି ସମସ୍ୟା ଓ ପରୋକ୍ଷରେ ଦନ୍ତ କ୍ଷୟ ପାଇଁ ଦାୟୀ। ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟିରନ୍ ହର୍ମୋନ୍‌ ମାଢ଼ିକୁ ଅଧିକ ସମ୍ବେଦନଶୀଳ କରେ ଏବଂ ଜିଞ୍ଜିଭାଇଟିସ୍ ତଥା ମାଢ଼ିରୁ ରକ୍ତସ୍ରାବର ଆଶଙ୍କା ବୃଦ୍ଧି କରେ। ମର୍ନିଂ ସିକ୍‌ନେସ୍ ବା ପ୍ରାତଃକାଳୀନ ବାନ୍ତି ଏବଂ ମିଠା ଖାଦ୍ୟ ପାଇଁ ଆଗ୍ରହ ଦନ୍ତ କ୍ଷୟ ସୃଷ୍ଟି କରିପାରେ। ଏହା କେତେକ ସମୟରେ ମାଢ଼ିରେ ଟ୍ୟୁମର ବୃଦ୍ଧିର କାରଣ ହୋଇପାରେ। ଅଧ୍ୟୟନରୁ ଜଣାଯାଇଛି ଯେ ଗର୍ଭାବସ୍ଥାରେ ମାଢ଼ି ରୋଗ, କମ୍ ଓଜନର ବା ଅପରିପକ୍ବ ଶିଶୁ ପ୍ରସବର ସମ୍ଭାବନାକୁ ବୃଦ୍ଧି କରିଥାଏ। ସେହିପରି ମା’ ପାଟିରୁ ଜୀବାଣୁ ଶିଶୁକୁ ସଂକ୍ରମିତ ହୋଇ ଶୈଶବରୁ ଦନ୍ତ କ୍ଷୟ ହୋଇପାରେ। ତେଣୁ ଗର୍ଭାବସ୍ଥାରେ ମୁଖ ସ୍ୱାସ୍ଥ୍ୟର ଯତ୍ନ ପରବର୍ତ୍ତୀ କାଳରେ ଶିଶୁର ମୁଖ ସ୍ୱାସ୍ଥ୍ୟ ଲାଗି ଲାଭଦାୟକ।

Advertisment

ମୁଖଗହ୍ବର ଯତ୍ନର ଉପାୟ
 ଫ୍ଲୋରାଇଡ୍ ଟୁଥପେଷ୍ଟ ବ୍ୟବହାର କରି ନରମ ବ୍ରସ୍‌ରେ ଦିନକୁ ଅତି କମ୍‌ରେ ଦୁଇଥର ଦାନ୍ତ ଘଷନ୍ତୁ।
 ପ୍ରତିଦିନ ଦାନ୍ତ ଫ୍ଲସ୍ କରନ୍ତୁ। ଦାନ୍ତ ଘଷିବା ଓ ଫ୍ଲସ୍ କରିବା ପରେ ମାଉଥୱାସ୍ ବ୍ୟବହାର କରନ୍ତୁ। 
 ଜିଭ ସଫା କରିବା ସହ ମାଢ଼ିକୁ ଆଙ୍ଗୁଠିରେ ଘଷନ୍ତୁ।
 ତିନି ମାସରେ ଥରେ ବ୍ରସ୍‌ ବଦଳାନ୍ତୁ। 
 ବାନ୍ତି ପରେ ମୁହଁକୁ ପାଣି କିମ୍ବା ଫ୍ଲୋରାଇଡ୍ ମାଉଥୱାସ୍‌ରେ ଧୋଇ ଦିଅନ୍ତୁ ଏବଂ ଦାନ୍ତର ବାହ୍ୟ ଆବରଣ(ଏନାମେଲ୍‌)ର କ୍ଷତିକୁ ଏଡ଼ାଇବା ପାଇଁ ସଂଗେ ସଂଗେ ବ୍ରସ୍‌ କରନ୍ତୁ ନାହିଁ।
 ପାଟି ଶୁଷ୍କ ନ ହେବା ପାଇଁ ପ୍ରଚୁର ପାଣି ପିଅନ୍ତୁ। ଅଧିକ ମିଠା ଯୁକ୍ତ ଖାଦ୍ୟ ତଥା ପାନୀୟ କମ୍ ଗ୍ରହଣ କରନ୍ତୁ। 
 ଦନ୍ତ ଶଲ୍ୟ ଚିକିତ୍ସକଙ୍କ ପାଖକୁ ଯାଇ ନିୟମିତ ଯାଞ୍ଚ କରାନ୍ତୁ।
- ଡାକ୍ତର ଅଶୋକ କୁମାର ମହାନ୍ତି
ଟାଟା ମେନ୍ ହସପିଟାଲ, 
ନୂଆମୁଣ୍ଡି, ଝାଡ଼ଖଣ୍ଡ