ଗତ ୬ ତାରିଖରେ ଜାତୀୟ ଦନ୍ତଚିକିତ୍ସକ ଦିବସ ପାଳିତ ହୋଇଯାଇଛି। ମୁଖଗହ୍ବରର ସୁରକ୍ଷା ଓ ପରିଚ୍ଛନ୍ନତାର ଗୁରୁତ୍ୱ ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ କରିବା ତଥା ଦନ୍ତ ଚିକିତ୍ସକଙ୍କ କଠିନ ପରିଶ୍ରମ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଲାଗି ଏହି ଦିବସ ଉତ୍ସର୍ଗୀକୃତ। ଆଜିକାଲି ସ୍ବାସ୍ଥ୍ୟ ଉପରେ ସମସ୍ତେ ଅଧିକ ଗୁରୁତ୍ବାରୋପ କରୁଛନ୍ତି। ସେ ଶାରୀରିକ ହେଉ କି, ମାନସିକ କିମ୍ବା ମୁଖଗହ୍ବର ସ୍ୱାସ୍ଥ୍ୟ ହେଉ, ସବୁ କ୍ଷେତ୍ରରେ ଗୁରୁତ୍ବାରୋପ କରାଯାଉଛି। ମୁଖଗହ୍ବର ପ୍ରତି ଯତ୍ନର ଆବଶ୍ୟକତା ବି କିଛି କମ୍ ନୁହେଁ। ଏହାର କାରଣ ହେଉଛି, ଅନେକ ରୋଗ ଓ ସଂକ୍ରମଣ ମୁଖ୍ୟତଃ ପାଟିଦ୍ୱାରା ବ୍ୟାପିଥାଏ। ତେଣୁ ମୁଖଗହ୍ବରର ଅବସ୍ଥା ଓ ପରିମଳ ପ୍ରତି ଧ୍ୟାନ ଦେବା ଜରୁରୀ। ହସ ହିଁ ପ୍ରଥମେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ହସିଲା ବେଳେ ଜଣାପଡ଼ିଯାଏ କାହା ଦାନ୍ତ ଅପରିଷ୍କାର ହୋଇ ହଳଦିଆ ଦିଶୁଛି। କାହା ଦାନ୍ତ ବେହେଡ଼ା ହୋଇଛି। ତେଣୁ, ମୁଖଗହ୍ବର ପରିଷ୍କାର ରଖିବା ସହିତ ଦାନ୍ତ ସଫା କରିବା ଓ ଦାନ୍ତଧାଡ଼ି ସଜାଡ଼ିବା କ୍ଷେତ୍ରରେ ଦନ୍ତଚିକିତ୍ସକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଇତିହାସରୁ ଜଣାଯାଏ, ଖ୍ରୀଷ୍ଟପୂର୍ବ ୨୬୦୦ରେ ପ୍ରଥମ ଦନ୍ତଚିକିତ୍ସକ ପ୍ରାଚୀନ ମିଶରରେ କାର୍ଯ୍ୟ କରିଥିଲେ। ଏଥିରୁ ଚିକିତ୍ସାବିଜ୍ଞାନ କ୍ଷେତ୍ରରେ ଦନ୍ତଚିକିତ୍ସକଙ୍କ ପ୍ରାଧାନ୍ୟ ଅନୁମେୟ।
ବେସାଲ୍ ଇମ୍ପ୍ଲାଣ୍ଟର ଲାଭ
l ଇମ୍ପ୍ଲାଣ୍ଟ୍ ଅସ୍ତ୍ରୋପଚାରର ୭୨ଘଣ୍ଟା ଭିତରେ କୃତ୍ରିମ ଦାନ୍ତ ରୋପଣ କରାଯାଇଥାଏ। କିନ୍ତୁ, ପୁରୁଣାକାଳିଆ ପଦ୍ଧତିରେ ଦନ୍ତ ପ୍ରତିରୋପଣ ପାଇଁ ୩ରୁ ୬ ମାସ ଏବଂ ଆବଶ୍ୟକସ୍ଥଳେ କାମଚଳା କୃତ୍ରିମ ଦନ୍ତ ରୋପଣ କରାଯାଇ ମୋଟ୍ ୧ବର୍ଷ ୬ ସପ୍ତାହ ଧରି ଚିକିତ୍ସା କରାଯାଏ।
l ଦୁଇ ବା ତିନି ଖଣ୍ଡ ପ୍ରତିରୋପଣ ବଦଳରେ େବସାଲ୍ ଇମ୍ପ୍ଲାଣ୍ଟ୍ ପଦ୍ଧତିରେ ଖଣ୍ଡିକିଆ ବେସ୍ ଲଗାଯାଇଥାଏ।
l ଦାନ୍ତ ନ ଥିବା ସ୍ଥାନରେ ଗୋଟିଏ ବିଟ୍ ପ୍ରତିରୋପଣ ପାଇଁ ଫ୍ଲାପ୍ଲେସ୍ ପଦ୍ଧତି ଅନୁସରଣ କରାଯାଏ, ଯେଉଁଥିରେ ଯଥାସମ୍ଭବ କମ୍ ହାଡ଼ କଟାଯାଏ।
l ବ୍ୟାକ୍ଟେରିଆଦ୍ବାରା ମାଢ଼ି ଓ ଦାନ୍ତ ଭୀଷଣ ସଂକ୍ରମଣ ହୋଇଥିଲେ ବେସାଲ୍ ଇମ୍ପ୍ଲାଣ୍ଟ୍ ସାହାଯ୍ୟରେ ଚିକିତ୍ସା କରାଯାଇପାରିବ। ଏ କ୍ଷେତ୍ରରେ ସଂକ୍ରମିତ ମାଢ଼ିର ସୂକ୍ଷ୍ମ ତନ୍ତୁ ଓ ନଷ୍ଟ ହୋଇଥିବା ଦାନ୍ତକୁ ବାହାର କରାଯାଏ। ତା’ପରେ ମାଢ଼ିର ସେହି ସ୍ଥାନରେ ବେସ୍ ଲଗାଯାଇ କୃତ୍ରିମ ଦାନ୍ତ ପ୍ରତିରୋପଣ କରାଯାଏ।
l ମଧୁମେହଦ୍ବାରା ଆକ୍ରାନ୍ତ ଓ ଧୂମପାନ କରୁଥିବା ରୋଗୀମାନଙ୍କ ପାଇଁ ବେସାଲ୍ ଇମ୍ପ୍ଲାଣ୍ଟ୍ ଖୁବ୍ ଫଳପ୍ରଦ। ମଧୁମେହ ସ୍ତର ଅତ୍ୟଧିକ ହୋଇ ରକ୍ତ ଗ୍ଲାଇକୋଲେଟ୍ ହିମୋଗ୍ଲୋବିନ୍ ଅବସ୍ଥାକୁ ଆସିଥିବା ରୋଗୀଙ୍କ କ୍ଷେତ୍ରରେ ବି ଏ ପଦ୍ଧତିରେ ଦନ୍ତ ପ୍ରତିରୋପଣ କରାଯାଇପାରିବ।
l ଏହି ପଦ୍ଧତିରେ ମୁଖଗହ୍ବରରେ ଥିବା ସବୁଗୁଡ଼ିକ ଦାନ୍ତ ପ୍ରତିରୋପଣ କରାଯାଇପାରେ। ପ୍ରତିରୋପିତ ଦନ୍ତ ମଧ୍ୟ ସହଜରେ କ୍ଷୟ ହୁଏନାହିଁ।
ସେମାନେ ଦାନ୍ତ ସମ୍ବନ୍ଧୀୟ କୌଣସି ରୋଗ ବା ସଂକ୍ରମଣକୁ ଚିହ୍ନଟ କରିବା, ରୋକିବା ଓ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଅନ୍ତି। ବର୍ଷ ପରେ ବର୍ଷ ଦନ୍ତ ଚିକିତ୍ସା କ୍ଷେତ୍ରରେ ମଧ୍ୟ ବଡ଼ ଧରଣର ଉନ୍ନତି ପରିଲକ୍ଷିତ ହେଉଛି। ସମ୍ପ୍ରତି ଦନ୍ତଚିକିତ୍ସକମାନେ ବ୍ରେସ୍, ଇମ୍ପ୍ଲାଣ୍ଟ୍, ଭିନିଅର୍ ଏବଂ ଲେମିନେଟ୍ ଭଳି ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ତଥା ସୁବିଧାଜନକ ପ୍ରଣାଳୀରେ ଚିକିତ୍ସା କରୁଛନ୍ତି। ଦନ୍ତ ଚିକିତ୍ସା କ୍ଷେତ୍ରରେ ଅନ୍ୟତମ ପ୍ରମୁଖ ଅଗ୍ରଗତି ହେଉଛି ଦନ୍ତ ପ୍ରତିରୋପଣ କ୍ଷେତ୍ରରେ ବେସାଲ୍ ପଦ୍ଧତିର ବିକାଶ। ପ୍ରତିରୋପିତ ଦାନ୍ତଗୁଡ଼ିକୁ ଧରି ରଖିବା ଲାଗି ହନୁ ହାଡ଼ର କଠିନ ଅଂଶରେ ବିଶେଷଧରଣର ବେସ୍ ଲଗାଯାଏ। ଅର୍ଥାତ୍ ପ୍ରତିରୋପଣ କରାଯାଉଥିବା ଦାନ୍ତଗୁଡ଼ିକୁ ଶକ୍ତ ଭାବେ ଧରି ରଖିବା ପାଇଁ ଏହା କଠିନ ହାଡ଼ ଭଳି କାର୍ଯ୍ୟ କରିଥାଏ। ଏହାକୁ ଲାଟେରାଲ୍ ଇମ୍ପ୍ଲାଣ୍ଟ, ଡିସ୍କ୍ ଇମ୍ପ୍ଲାଣ୍ଟ ବା କୋର୍ଟିକାଲ ଇମ୍ପ୍ଲାଣ୍ଟ କହାଯାଏ। ନଷ୍ଟ ହୋଇଯାଇଥିବା ଉପର ବା ତଳ ହନୁ ହାଡ଼ର ଏକ କିମ୍ବା ଏକାଧିକ ୟୁନିଟ୍ର ପୁନରୁଦ୍ଧାର ପାଇଁ ଏକ୍ସଟ୍ରାକ୍ସନ୍ ସକେଟ୍ କିମ୍ବା ହିଲ୍ଡ୍ ବୋନ୍ରେ ଏହି ବେସ୍ ଲଗାଯାଏ। ଏହି ଅଭିନବ ପଦ୍ଧତି ଯେକୌଣସି ଅବସ୍ଥାରେ ଥିବା ହାଡ଼ (ବୋନ୍ ଡେନ୍ସିଟି ବା ବୋନ୍ ମାସ୍) କ୍ଷେତ୍ରରେ ଫଳପ୍ରଦ ହୋଇଥାଏ।