ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ପତ୍ନୀ କାଞ୍ଚନ ଗଡକରୀ ପିଆଜ ଉତ୍ପାଦନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ଉତ୍ପାଦନ କରିଥିବା ପିଆଜ ମଧ୍ୟରୁ ଗୋଟିଏର ଓଜନ ଏକକିଲୋଗ୍ରାମ ଥିବା ଜଣାପଡ଼ିଛି।
ନାଗପୁରର ଧାପେୱାଡାରେ ଥିବା ଭକ୍ତି ଫାର୍ମରେ ମଲ୍ଚିଂ ପେପର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି କାଞ୍ଚନ ଗଡକରୀ ୮୦୦ ଗ୍ରାମରୁ ୧ କିଲୋଗ୍ରାମ ଓଜନର ଜୈବିକ ପିଆଜକୁ ସଫଳତାର ସହ ଉତ୍ପାଦନ କରିଛନ୍ତି।
ଏହି ପ୍ରଯୁକ୍ତିବିଦ୍ୟା କେବଳ ଉତ୍ପାଦନ ବୃଦ୍ଧି କରିବାରେ ସାହାଯ୍ୟ କରେ ନାହିଁ, ବରଂ ଏହା ଚାଷୀଙ୍କ ପାଇଁ ଲାଭଦାୟକ ଚାଷର ଏକ ନୂତନ ପଥ ମଧ୍ୟ ଖୋଲିଥାଏ ବୋଲି କାଞ୍ଚନ ଗଡକରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓଟି ୨ ମିନିଟ୍ ୪୦ସେକେଣ୍ଡର ରହିଛି। ଏହି ଭିଡିଓରେ କାଞ୍ଚନ ଗଡକରୀଙ୍କ ଫାର୍ମ ଦେଖିବାକୁ ମିଳୁଥିବା ସହିତ ୮୦୦ ଗ୍ରାମରୁ ୧ କିଲୋଗ୍ରାମ ଓଜନର ଏକ ପିଆଜ ନଜର ଆସୁଛି।
नागपुर के धापेवाड़ा स्थित हमारे भक्ति फार्म में मेरी पत्नी, श्रीमती कांचन ने एक अनूठा प्रयोग करते हुए, मल्चिंग पेपर तकनीक का इस्तेमाल कर एक किलो तक वज़न वाले ऑर्गेनिक प्याज़ का सफल उत्पादन किया है।#OrganicFarming #OrganicOnion #Nagpur pic.twitter.com/nTjU11anHR
— Nitin Gadkari (@nitin_gadkari) May 29, 2025
ଭିଡିଓରେ କୁହାଯାଇଛି ଯେ ମଲ୍ଚିଂ ପେପର ପ୍ରଯୁକ୍ତିବିଦ୍ୟାରେ ମାଟିକୁ ପ୍ଲାଷ୍ଟିକ୍ କିମ୍ବା ଜୈବିକ ସାମଗ୍ରୀ ଦ୍ୱାରା ଆଚ୍ଛାଦିତ କରାଯାଇଥାଏ। ଯାହା ମାଟିକୁ ଓଦା ରଖିବାରେ ସାହାଯ୍ୟ କରିବା ସହିତ ଜଳସେଚନର ଆବଶ୍ୟକତାକୁ ହ୍ରାସ କରେ।
ଏହି କାରଣରୁ ଗଛମୂଳରେ ଘାସ ଉଠି ପାରେ ନାହିଁ। ଯାହାଫଳରେ ଗଛଗୁଡ଼ିକୁ ଅଧିକ ପୁଷ୍ଟିକର ପଦାର୍ଥ ମିଳି ଯାଇଥାଏ।
କାଞ୍ଚନ ଗଡକରୀଙ୍କ ଏହି ପରୀକ୍ଷଣ ଜୈବିକ କୃଷି ଏବଂ ଅଭିନବ କୌଶଳକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଉଦାହରଣ ସୃଷ୍ଟି କରିଛି।