ସିବିଏସ୍‌ଇ ଦଶମ ପରୀକ୍ଷା ବାତିଲ ଘୋଷଣା ପରେ ଦ୍ବନ୍ଦ୍ବରେ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀ

ଏପ୍ରିଲ ୧୬ ସୁଦ୍ଧା ସ୍ପଷ୍ଟ ହେବ ମାଟ୍ରିକ୍ ପରୀକ୍ଷା ନିଷ୍ପତ୍ତି, ବାତିଲ୍ ନଚେତ୍‌ ବିକଳ୍ପ ବ୍ୟବସ୍ଥା

କଟକ : ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍), ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ପର୍ବ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପରୀକ୍ଷା କେନ୍ଦ୍ର ଚୟନଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ପ୍ରସ୍ତୁତି ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷାର ସମସ୍ତ ପ୍ରକ୍ରିୟା ପ୍ରାୟତଃ ସରିଯାଇଛି। କିନ୍ତୁ ଏବେ ମହାମାରୀ କରୋନାର ଦ୍ବିତୀୟ ଲହର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିବିଏସ୍‌ଇ ଦଶମ ପରୀକ୍ଷା ବାତିଲ ଓ ଦ୍ବାଦଶ ପରୀକ୍ଷା ସ୍ଥଗିତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବୋର୍ଡ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ମାଟ୍ରିକ୍ ପରୀକ୍ଷା ‌ହେବ କି ହେବ ନାହିଁ, ତାହା ଏବେ ବୋର୍ଡ କର୍ତ୍ତୃପକ୍ଷଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମେ ୩ ତାରିଖ ମାଟ୍ରିକ୍ ପରୀକ୍ଷା ପାଇଁ ବୋର୍ଡ ଏବେ ସଂପୂର୍ଣ୍ଣ ପ୍ରସ୍ତୁତି ରହିଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। କିନ୍ତୁ ରାଜ୍ୟରେ ଏବେ ମହାମାରୀ କରୋନା ପରିସ୍ଥିତି ଯେଉଁଭଳି ବଢ଼ିବାରେ ଲାଗିଛି, ଏଭଳି ସ୍ଥିତିରେ ମାଟ୍ରିକ୍ ପରୀକ୍ଷା କରିବା ଛାତ୍ରଛାତ୍ରୀଙ୍କ ପାଇଁ କେତେ ସୁରକ୍ଷିତ ହେବ ତାହା ମୁଖ୍ୟ ପ୍ରସଙ୍ଗ‌ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯାଇ ମାଟ୍ରିକ୍ ପରୀକ୍ଷା ସଂକ୍ରାନ୍ତରେ ଖୁବ୍‌ ଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।

ଅନ୍ୟପଟେ ସିବିଏସ୍‌ଇ ପରୀକ୍ଷା ବାତିଲ କରିବା ପରେ ମାଟ୍ରିକ ପରୀକ୍ଷା ପାଇଁ ସେହିଭଳି ନିଷ୍ପତ୍ତି ନିଆଯାଇ ପାରେ ବୋଲି ଆଶଙ୍କା କରାଯାଉଛି। ଯଦିଓ ଓଡ଼ିଆ ମାଧ୍ୟମ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ ପରୀକ୍ଷା ଦେବା ସହଜ ହେବ ନାହିଁ, କିନ୍ତୁ କେବଳ ଅତି ସଂକ୍ଷିପ୍ତ ପ୍ରଶ୍ନକୁ ନେଇ ଅନଲାଇନ୍ ଅଥବା ଅନ୍ୟ ବିକଳ୍ପ ବ୍ୟବସ୍ଥାରେ ପରୀକ୍ଷା ସଂପର୍କରେ ଏବେ ଚିନ୍ତା କରାଯାଉଛି। ଏପ୍ରିଲ ୧୬ ତାରିଖ ସୁଦ୍ଧା ଏ ସଂକ୍ରାନ୍ତରେ ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର