ବାପାଙ୍କ ‘ମାଡ଼ିଚାଲ’ ଡାଇଲଗ୍ ମୋତେ ଖୁବ୍ ପ୍ରଭାବିତ କରିଛି: ସିଦ୍ଧାର୍ଥ ରାଉତରାୟ

ନିକଟରେ ଏଭରେଷ୍ଟ ଆରୋହଣ କରିବାରେ ସଫଳ ହୋଇଛନ୍ତି ଅନ୍ୟତମ ଓଡ଼ିଆ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ। ରାଜ୍ୟର ପ୍ରଥମ ଆଇରନ୍‌ ମ୍ୟାନ୍ ତଥା ଅଲ୍‌ଟ୍ରାମ୍ୟାନ୍ ଭାବରେ ତାଙ୍କର ସୁଖ୍ୟାତି ରହିଛି। ତାଙ୍କ ସହିତ ରବିବାର ସମ୍ବାଦ ତରଫରୁ ଆଲୋଚନା କରିଛନ୍ତି କ୍ଷେତ୍ରବାସୀ ନାଏକ

ଆପଣ ଏଭରେଷ୍ଟ ଆରୋହଣ ପାଇଁ କେମିତି ଆଗ୍ରହୀ ହେଲେ?
ଏହା ମୋର ପିଲାଦିନର ସ୍ବପ୍ନ ଥିଲା। ନ୍ୟାସ୍‌ନାଲ୍‌ ଡିଫେନ୍ସ ଏକାଡେମିରେ ଯୋଗଦେଲା ପରେ ଅନେକ ପର୍ବତ ଆରୋହଣ କରିଛି ଏବଂ କନିଷ୍ଠମାନଙ୍କୁ ତାଲିମ ଦେଇଛି। ପରବର୍ତ୍ତୀ ସମୟରେ ଆମେରିକା ଗଲାପରେ ପର୍ବତ ଚଢ଼ିବାର ଆଗ୍ରହ ଆହୁରି ବଢ଼ିଗଲା। ସେଠାକାର ଲୋକଙ୍କର ଦୁଃସାହସିକ କ୍ରୀଡ଼ା ମୋତେ ଆକର୍ଷିତ କଲା। ଛଅ ହଜାରରୁ ସାତ ହଜାର ମିଟର ଉଚ୍ଚ ପର୍ବତମାନ ଚଢ଼ିସାରିଲା ପରେ ଆଠ ହଜାର ମିଟରରୁ ଅଧିକ ଉଚ୍ଚ ଏଭରେଷ୍ଟ ପର୍ବତ ଚଢ଼ିବାକୁ ମନ ହେଲା। ସମସ୍ତଙ୍କ ଶୁଭେଚ୍ଛା ଏବଂ ଜଗନ୍ନାଥଙ୍କ ଆଶୀର୍ବାଦ ବଳରେ ଏଥିରେ ମୁଁ ସଫଳ ହୋଇଛି।

ଏଭରେଷ୍ଟ ଆରୋହଣ ସମୟରେ କଣ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ?
ଏଭରେଷ୍ଟ ପର୍ବତକୁ ଭଗବାନ ବୋଲି ଭାବି ମୁଣ୍ଡିଆମାରିଲେ ଯାଇ ତାହାର ଶୀର୍ଷକୁ ଯାଇହେବ। ପର୍ବତର ପାଦଦେଶରୁ ଉପରଯାଏ ଗଲାବେଳେ ପୂଜା ହେଉଥାଏ। ଶେରପା (ଆରୋହଣରେ ସହଯୋଗ କରୁଥିବା ନେପାଳୀ)ମାନେ ଏଭରେଷ୍ଟକୁ ଦେବୀ ବୋଲି ମାନନ୍ତି। ସବୁଠୁ ବଡ଼ ଅାହ୍ବାନ ହେଲା ଉପରକୁ ଗଲାବେଳେ ନିଜକୁ ଖାପ ଖୁଆଇବା। ବେଳେ ବେଳେ ଆରୋହୀମାନଙ୍କର ନିଃଶ୍ବାସପ୍ରଶ୍ବାସ ବନ୍ଦ ହୋଇଯିବା ଭଳି ଅବସ୍ଥା ଆସିଯାଏ। ପୂର୍ବରୁ ଅଭ୍ୟାସ ଥିବାରୁ ଏଭଳି ସମସ୍ୟା ମୋର ହୋଇନାହିଁ। କିନ୍ତୁ ଏଭରେଷ୍ଟ ଚଢ଼ିବାର ଠିକ୍ ପୂର୍ବରୁ ଛଅଟି ବଡ଼ ପାହାଡ଼ ଚଢ଼ିବାରୁ ମୋର ଶକ୍ତି ଓ ସାମର୍ଥ୍ୟ ଟିକିଏ ଊଣା ହୋଇଯାଇଥିଲା। ଶିଖର ଦେଶରେ ପହଞ୍ଚିବା ପୂର୍ବରୁ ମୋର ଦେହ ଖରାପ ହୋଇଗଲା। ତା’ପରେ ଚଢ଼ିବାର ବେଗ କମ୍ କରିବା ପାଇଁ ନିଷ୍ପତ୍ତି ନେଲି ଏବଂ ଭଗବାନଙ୍କୁ ପୂଜା କଲି। ବୁଦ୍ଧଙ୍କ ଉପରେ ରଚିତ ବହି ପଢ଼ିଲି ଏବଂ ବୌଦ୍ଧ ଧର୍ମର କଥା ଜାଣିଲି। ନିଜ ନାଁ ‘ସିଦ୍ଧାର୍ଥ’ର ଅର୍ଥ ଭଲ ଭାବ‌ରେ ବୁଝିଲି। ତା’ପରେ ଶୀର୍ଷରେ ପାଦ ଥାପିବାରେ ଆଉ ଅସୁବିଧା ହେଲାନାହିଁ।

ଏଭରେଷ୍ଟ ଚଢ଼ିବା ପାଇଁ ଆପଣଙ୍କୁ କେତେ ଦିନ ସମୟ ଲାଗିଲା?
ମାର୍ଚ୍ଚ ୨୬ ତାରିଖରେ ମୁଁ କାଠମାଣ୍ଡୁରେ ପହଞ୍ଚିଲି। ସବୁ ପରୀକ୍ଷା ହେଲାପରେ ୨୮ ତାରିଖରେ ଚଢ଼ିବା ଆରମ୍ଭ ହେଲା। ଚଢ଼ିବା ପାଇଁ ଦଶ ବାର ଲକ୍ଷ ଟଙ୍କାର ସାମଗ୍ରୀ ଦରକାର। ମାଇନସ୍ ଚାଳିଶ ଡିଗ୍ରୀ ତାପମାତ୍ରାରେ ଶୋଇବା ପାଇଁ ସ୍ଲିପିଂ ବ୍ୟାଗ୍ ଦରକାର ପଡ଼ିଥାଏ। କେବଳ ଏହି ବ୍ୟାଗ୍‌ର ଦାମ୍ ଏକ ଲକ୍ଷ ଟଙ୍କା। ଜଗନ୍ନାଥଙ୍କ ପତାକା ନେଇଥିବାରୁ ମୁଁ ନିରାମିଷ ଖାଦ୍ୟ ଖାଉଥିଲି। ମେ ପନ୍ଦର ରାତିରେ ଶିଖରରେ ପ୍ରାୟତଃ ପହଞ୍ଚି ଯାଇଥିଲି। ଆଉ ମାତ୍ର କୋଡ଼ିଏ ଫୁଟ୍‌ ବାକିଥାଏ। ଷୋହଳ ତାରିଖ ସୂର୍ଯ୍ୟୋଦୟ ପରେ କୋଡ଼ିଏ ଫୁଟ୍‌ ଅତିକ୍ରମ କରି ପୂରା ଶୀର୍ଷରେ ପହଞ୍ଚିଥିଲି।

ଶିଖରରେ ପହଞ୍ଚିଲା ପରେ ଆପଣଙ୍କର ଅନୁଭବ କେମିତି ଥିଲା?
ସେଠାରୁ ପୃଥିବୀ ଖୁବ୍ ସୁନ୍ଦର ଦେଖାଯାଉଥିଲା। ଛଅ ସାତ ହଜାର ଫୁଟ୍‌ର ପାହାଡ଼ଗୁଡ଼ିକ ଏଭରେଷ୍ଟ ଉପରୁ ଖୁବ୍ ଛୋଟ ଦେଖାଯାଏ। ଅନୁଭବ ହୁଏ, ପ୍ରକୃତି ସବୁଠୁ ବଡ଼। ସେଠାରୁ ଓ‌ହ୍ଲେଇବାଟା କମ୍ ସମୟ ଲାଗେ। କିନ୍ତୁ ପାଦ ଖସିବାର ଆଶଙ୍କା ଥିବାରୁ ଏହା ବିପଜ୍ଜନକ। କେତେକ ସ୍ଥାନରେ ଗୋଡ଼ ରଖିବା ପାଇଁ ଆଠ ଦଶ ଇଞ୍ଚ ଜାଗା ଥାଏ। ପାଦ ଟିକିଏ ଏପଟ ସେପଟ ହେଲେ ଖସିପଡ଼ିବେ। ଶିଖରରେ ପ୍ରାୟ ପନ୍ଦର ମିନିଟ୍‌ ରହି ଫଟୋ ଭିଡିଓ ଉଠାଇଲୁ। ତା’ପରେ ଦିନକରେ ଆମେ ଓହ୍ଲାଇ ଆସିଲୁ। ଆ‌େମ ୧୮୦ ଜଣ ଆରୋହୀ ଯାଇଥିଲୁ ଏବଂ ୧୫୦ ଜଣ ଶିଖରରେ ପହଞ୍ଚିଥିଲୁ।

ଆପଣଙ୍କ ପୂର୍ବରୁ କଳ୍ପନା ଦାଶ ଏଭରେଷ୍ଟ ଚଢ଼ିଥିଲେ। ଚଢ଼ିବା ପୂର୍ବରୁ ଏକାଧିକ ଥର ସେ ବିଫଳ ହୋଇଥିଲେ। ଆପଣ ପ୍ରଥମ ଉଦ୍ୟମରେ କେମିତି ସଫଳ ହେଲେ?
ଦୁଃଖର କଥା ଯେ କଳ୍ପନା ଦାଶ ଏକାଧିକ ଥର ଉଦ୍ୟମ କରିଥିଲେ ସୁଦ୍ଧା ଏଭରେଷ୍ଟର ପୂରା ଶିଖର ଦେଶରେ ପହଞ୍ଚିପାରି ନ ଥିଲେ। କିନ୍ତୁ ସେ ଆମମାନଙ୍କ ପାଇଁ ପ୍ରେରଣା। ଏଭରେଷ୍ଟ ଆରୋହୀ ତାଲିକାରେ ତାଙ୍କ ନାଁ ଥିବ କି ବୋଲି ମୁଁ ରେକର୍ଡପତ୍ର ଖୋଜିଲି। ତାଙ୍କ ନାଁ ପାଇଲି ନାହିଁ। ମୁଁ ଗୋଟେ ପ୍ଲାକାର୍ଡ ନେଇଥିଲି ଯେଉଁଥିରେ କଳ୍ପନା ଦାଶଙ୍କ ନାଁ ଲେଖାହୋଇଥିଲା। ସେହି ପ୍ଲାକାର୍ଡଟିକୁ ଏଭରେଷ୍ଟ ଶୃଙ୍ଗ ଉପରେ ଲଗାଇଦେଇଛି। କଳ୍ପନା ଦାଶ ଆଜି ନାହାନ୍ତି, ସେ ଥିଲେ ଖୁବ୍ ଖୁସି ହୋଇଥାନ୍ତେ।

ପର୍ବତାରୋହଣ ସହିତ ଆପଣ ଆଇରନ୍‌ମ୍ୟାନ୍ ଏବଂ ଅଲ୍‌ଟ୍ରାମ୍ୟାନ୍ ଭାବରେ ସୁପରିଚିତ। ଏଥିରେ ଆପଣ କ’ଣ କରନ୍ତି?
ଆଇରନ୍‌ମ୍ୟାନ୍ ଏକ ଦୁଃସାହସିକ କ୍ରୀଡ଼ା। ଏଥିରେ ଚାରି କିଲୋମିଟର ସନ୍ତରଣ ପରେ ସାଙ୍ଗେ ସାଙ୍ଗେ ୧୮୦ କିଲୋମିଟର ସାଇକେଲ୍ ଚଳାଇବାକୁ ପଡ଼େ। ତା’ପରେ ସାଇକେଲ୍‌ ଥୋଇଦେଇ ୪୨ କିଲୋମିଟର ଦଉଡ଼ିବ। ଏହି ତିନିଟିଯାକ ପର୍ଯ୍ୟାୟ ପନ୍ଦର ଘଣ୍ଟା ଭିତରେ ସଂପୂର୍ଣ୍ଣ କରିପାରିଲେ ଜଣକୁ ଆଇରନ୍‌ମ୍ୟାନ୍ କୁହାଯାଏ। ଅଲ୍‌ଟ୍ରାମ୍ୟାନରେ ଏହାର ପ୍ରାୟ ତିନି ଗୁଣ ଅତିକ୍ରମ କରିବାକୁ ହୁଏ। ଦଶ କିଲୋମିଟର ସୁଇମିଂ, ୪୧୮ କିଲୋମିଟର ସାଇକ୍ଲିଂ ଏବଂ ୮୪ କିଲୋମିଟର ରନିଂ ଦରକାର। ୩୬ ଘଣ୍ଟା ଭିତରେ ଏହା କରିପାରିଲେ ଅଲ୍‌ଟ୍ରାମ୍ୟାନ୍ ଭାବେ ସ୍ବୀକୃତି ମିଳେ। ମୁଁ ଆଇରନ୍‌ମ୍ୟାନ୍ ପାଞ୍ଚ ଥର କରିସାରିଛି ଏବଂ ଆଉ ଦୁଇ ଥର କରିବାର ଇଚ୍ଛା ରହିଛି। ଅଲଟ୍ରାମ୍ୟାନ୍ ଥରେ କରିଛି। ଆମ ଦେଶରେ ମୋ ବ୍ୟତୀତ ଆଉମାତ୍ର ପାଞ୍ଚ ଜଣ ଅଲ୍‌ଟ୍ରାମ୍ୟାନ୍ ଅଛନ୍ତି। ଓଡ଼ିଶାରୁ ଏବେ ଆଉ ଦୁଇଜଣ ଆଇରନ୍‌ମ୍ୟାନ୍ ଇଭେଣ୍ଟ୍‌ କରିବାରେ ସଫଳ ହୋଇଛନ୍ତି।

ଓଡ଼ିଶାରେ ଏଭଳି ଆଡ୍‌ଭେଞ୍ଚର୍ସ ପାଇଁ ସୁଯୋଗ ଅଛି କି?
ଧୀରେ ଧୀରେ ଯୁବକମାନେ ଏ ଦିଗ‌େର ଆଗ୍ରହୀ ହେଉଛନ୍ତି। ମୁଖ୍ୟତଃ ସାଇକ୍ଲିଂ ପ୍ରତି ଆଗ୍ରହ ବଢୁଛି। ଓଡ଼ିଶାରେ ହାଇକିଂ, ଟ୍ରାକିଂ ଆଦି ଦୁଃସାହସିକ କ୍ରୀଡ଼ା ପାଇଁ ବହୁ ଭିତ୍ତିଭୂମି ରହିଛି। କିନ୍ତୁ ତାହା ବିକଶିତ ହୋଇପାରୁନାହିଁ। ମୁଁ ମୋ ଟିମ୍ ସହିତ ଥରେ ବରୁଣେଇ ପାହାଡ଼ରେ ହାଇକିଂ ପାଇଁ କ୍ୟାମ୍ପ୍‌ କରିଥିଲି। ରାତିରେ ଖୋର୍ଦ୍ଧା ପୁଲିସ ଆମକୁ ବହୁତ ହଇରାଣ କଲା ଏବଂ ସକାଳୁ ଥାନାକୁ ବାନ୍ଧି ନେଇଗଲା। ଆଉ ଥରେ ନାରାୟଣୀ ମନ୍ଦିର ପାଖରେ ଥିବା ପାହାଡ଼କୁ ଯାଇଥିଲୁ। ଆମେ ନିଜେ ଜଙ୍ଗଲ କାଟି ରାସ୍ତା କରିଥିଲୁ। ସେଠାରେ ମଧ୍ୟ ନକ୍ସଲ ଭାବି ପୁଲିସ ଆମକୁ କିଛି କରାଇଦେଲା ନାହିଁ।

ଏଭଳି ଦୁଃସାହସିକ କ୍ରୀଡ଼ା ଦ୍ବାରା ସମାଜର କ’ଣ ଲାଭ ହୋଇଥାଏ?
ଏହାର ବହୁତ ସକାରାତ୍ମକ ପ୍ରଭାବ ରହିଛି। ଆଜିର ସମୟରେ ଆମେ ଦିନରାତି ଡିଜିଟାଲ୍‌ ମାଧ୍ୟମ ସହିତ ଯୋଡ଼ି ହୋଇ ରହୁଛୁ। ବିଭିନ୍ନ କାରଣରୁ ଯୁବକ ଯୁବତୀମାନେ ଅତ୍ୟଧିକ ମାନସିକ ଚାପରେ ରହୁଛନ୍ତି। ଚାକିରି ନ ପାଇଲେ ମନଦୁଃଖ କରୁଛନ୍ତି। ଚାକିରି ପାଇଲେ କାମର ଚାପ ସହ୍ୟ କରିପାରୁନାହାନ୍ତି। ଲୋକଙ୍କର ଘର ନ ଥିଲେ ଦୁଃଖ, ଘର ଥିଲେ ସୁଦ୍ଧା ମାନସିକ ଅଶାନ୍ତି। ଏସବୁର ସନ୍ତୁଳନ ରଖିବା ପାଇଁ ଆମକୁ ପ୍ରକୃତି ପାଖକୁ ଯିବାକୁ ପଡ଼ିବ। ଚାପରୁ ମୁକୁଳିବା ପାଇଁ ଔଷଧ ଖାଇବା ଅପେକ୍ଷା ସପ୍ତାହାନ୍ତରେ ଥ‌େର ବାହାରକୁ ଗଲେ ଭଲ ଲାଗିବ।

ଆପଣଙ୍କ ବାପା ସୁରେଶ ରାଉତରାୟ କଂଗ୍ରେସର ଜଣେ ବରିଷ୍ଠ ନେତା। ବିଭିନ୍ନ କାରଣରୁ ସେ ସବୁବେଳେ ଚର୍ଚ୍ଚାରେ ରହନ୍ତି। ତାଙ୍କଠାରୁ ଆପଣ କ’ଣ ଶିଖିଛନ୍ତି?
ବାପାଙ୍କର ଲୋକପ୍ରିୟ ଡାଇଲଗ୍ ‘ମାଡ଼ିଚାଲ’ ମୋତେ ଖୁବ୍ ପ୍ରଭାବିତ କରିଛି। କାହାକୁ ଭୟ କରିବା ନାହିଁ, ଆଗେଇଯିବାର ପ୍ରେରଣା ମିଳିଥାଏ। କିନ୍ତୁ ପାହାଡ଼ ଚଢ଼ିବାକୁ ନେଇ ତାଙ୍କ ସାଙ୍ଗସାଥୀଙ୍କ ମାଧ୍ୟମରେ ସେ କହିଥାନ୍ତି ଯେ ମୁଁ ଯେମିତି ନ ଚଢ଼େ। କାଳେ ମରିଯିବି। ମୋର ଛୁଆପିଲା ଅଛନ୍ତି। କିନ୍ତୁ ସିଧାସଳଖ ମୋତେ କେବେ ସେ ମନା କରିନାହାନ୍ତି।

ଏଭରେଷ୍ଟ ଆରୋହଣ କରି ଓଡ଼ିଶା ଫେରିବା ପରେ ଆପଣଙ୍କୁ ସରକାରଙ୍କ ତରଫରୁ ସ୍ବାଗତ କରାଗଲା ନାହିଁ କିମ୍ବା ଶୁଭେଚ୍ଛା ଜଣାଗଲା ନାହିଁ ବୋଲି ଆପଣଙ୍କ ବାପା କ୍ଷୋଭ ପ୍ରକାଶ କରିଥିଲେ। ଆପଣଙ୍କ ପ୍ରତିକ୍ରିୟା କ’ଣ?
ଏଥିରେ ମୁଁ ମନଦୁଃଖ କରୁନାହିଁ। ମୁଁ ଦଶ ଜଣଙ୍କୁ ଯଦି ପ୍ରେରଣା ଯୋଗାଇପାରିଲି ତାହା ହିଁ ବଡ଼କଥା। ସରକାର ମୋତେ ସ୍ବାଗତ ନ କରନ୍ତୁ, କିନ୍ତୁ ଆଡ୍‌ଭେଞ୍ଚର କରିବାରୁ ଚାହୁଥିବା ଯୁବକମାନଙ୍କ ପାଇଁ ବ୍ୟବସ୍ଥା କରନ୍ତୁ। ପର୍ଯ୍ୟଟନର ବିକାଶ କରନ୍ତୁ। ଓଡ଼ିଶାରେ ଫୁଲବାଣୀରୁ କୋରାପୁଟ ପର୍ଯ୍ୟନ୍ତ ପର୍ବତାରୋହରଣ ତଥା ଦୁଃସାହସିକ କ୍ରୀଡ଼ା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ସରକାର ଇକୋରିଟ୍ରିଟ୍‌ କରୁଛନ୍ତି। ଏଥିରେ କୌଣସି ଆଡ୍‌ଭେଞ୍ଚର ନାହିଁ।

ଆପଣ ରାଜନୀତିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। ଏହା ସତ କି?
ଏହା ସତ କଥା। ରାଜନୀତି ମାଧ୍ୟମରେ ଓଡ଼ିଶାର ପରିବର୍ତ୍ତନ କରିବାକୁ ଇଚ୍ଛା ରହିଛି। ମୁଖ୍ୟତଃ କ୍ରୀଡ଼ା ଏବଂ ପର୍ଯ୍ୟଟନ କ୍ଷେତ୍ରରେ କାମ କରିବାର ଆଗ୍ରହ ଅଛି। ଆମେରିକୀୟ କମ୍ପାନି ପାଇଁ କାମ କରି ଖୁବ୍ ସଫଳ ହୋଇଛି। ଏବେ ନିଜ ମାଟି ପାଇଁ କିଛି କାମ କରିବା ଉଦ୍ଦେଶ୍ୟ ନେଇ ଓଡ଼ିଶା ଫେରିଆସିଛି।

ଆପଣଙ୍କ ବାପା କହିଛନ୍ତି ଯେ ୨୦୨୪ରେ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ। ଜଟଣୀରେ ଆପଣଙ୍କ ସାନ ଭାଇ ମନ୍ମଥ ରାଉତରାୟ ପ୍ରତିଦ୍ବନ୍ଦ୍ବିତା କରିବାକୁ ଚାହୁଛନ୍ତି। ଆପଣ କେଉଁ ଅଞ୍ଚଳରୁ ନିର୍ବାଚନ ଲଢ଼ିବେ?
ଗତଥର ମୁଁ ବାପାଙ୍କ ପାଇଁ ତିନି ମାସ କ୍ୟାମ୍ପେନ୍ କରିଥିଲି। ମୋ ସାନଭାଇ ଜଟଣୀରୁ ନିର୍ବାଚନ ଲଢ଼ିଲେ ମୋର କୌଣସି ଆପତ୍ତି ନାହିଁ। ବାଲିଗୁଡ଼ା ଅଞ୍ଚଳରେ ମୁଁ ଅର୍ଗାନିକ୍‌ ଫାର୍ମିଂ କରୁଥିଲି। କନ୍ଧମାଳ ଅଞ୍ଚଳର ଲୋକଙ୍କ ସହ କାମ କରିଛି। ରାଜ୍ୟର ଯେ କୌଣସି ସ୍ଥାନରୁ ନିର୍ବାଚନରେ ଓହ୍ଲାଇବାର ସାମର୍ଥ୍ୟ ମୋ ପାଖରେ ଅଛି।

ଓଡ଼ିଶାରେ ୨୨ ବର୍ଷ ହେଲା ବିଜୁ ଜନତା ଦଳ କ୍ଷମତାରେ ରହିଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ନେଇ ଆପଣଙ୍କର ଧାରଣା କ’ଣ?
ଓଡ଼ିଶାର ରାଜନୀତି ଗୋଟେ ଧାରାରେ ପଡ଼ିଯାଇଛି। ଏହି ଧାରାକୁ ଅଟକାଇବା କଷ୍ଟକର ହୋଇପାରେ। କିନ୍ତୁ ସତ କଥା ହେଲା ଯେ ସବୁ କ୍ଷେତ୍ରରେ ଆମର ଉତ୍ପାଦନ କ୍ଷମତା କମିଯାଇଛି। ମାଗଣାରେ ଜିନିଷ ପାଇବା ଲୋକଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି। ତେଣୁ ବ୍ୟବସ୍ଥା ଭିତରେ ପଶି ପରିବର୍ତ୍ତନ ନ କଲେ ରାଜ୍ୟର ବାସ୍ତବ ଉନ୍ନତି ସାଧନ ହେବ ନାହିଁ।

ସମ୍ବନ୍ଧିତ ଖବର