ଭୁବନେଶ୍ବର: ଦୀପାବଳି ଆସିଲେ ଆପଣ ଗୋଟେ କଥା ଲକ୍ଷ୍ୟ କରିଥିବା କି ନାହିଁ ଆମେ ଜାଣିନୁ ମାତ୍ର ଗଣମାଧ୍ଯମ ହିସାବରେ ଆମେ ପ୍ରତିବର୍ଷ ଗୋଟିଏ କଥା ଲକ୍ଷ୍ୟ କରିଛୁ ଯେ, ପ୍ରତିବର୍ଷ ଦୀପାବଳି ପାଖେଇ ଆସିଲେ ବାଣ ଫୁଟା ନେଇ ଲଗାଯାଏ କଟକଣା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାରି ହୁଏ ଗାଇଡଲାଇନ । ବାଣ କେଉଁ ସମୟରେ ଫୁଟାଇବେ, କେତେ ମାତ୍ରା ଫୁଟାଇବେ ଏବଂ କେଉଁ କେଉଁ ବାଣ ଫୁଟା ଉପରେ ଗୁରୁତ୍ବ ଦେବା ଦରକାର… ସବିଶେଷ ବିବରଣୀ ଜାରି କରାଯାଏ ।
ହେଲେ ସେସବୁ ପରାମର୍ଶ ମାନେ କିଏ କଟକଣାକୁ କିଏ ପାଳନ କରେ ତାହାର ଠିକ୍ ଠିକଣା ନଥାଏ । ଲୋକେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶକୁ ବାଏଁ ବାଏଁ ଉଡାଇ ଦିଅନ୍ତି, ଜାରି ହୋଇଥିବା ସବୁ କଟକଣାର ଧଜିଆ ଉଡେ । ସଂଧ୍ଯା ୭ରୁ ୯ଟା ଯାଏଁ କି ରାତି ୮ରୁ ୧୦ ଯାଏଁ ବାଣ ଫୁଟାଇବାକୁ ଫି ବର୍ଷ ଅନୁମତି ଦିଆଯାଉଥିଲେ ବି ଲୋକେ ରାତି ୧୨ଟା ଯାଏଁ ବି ବାଣ ଫୁଟାନ୍ତି… ଆକାଶରେ ଅଧ ରାତି ଯାଏଁ ରକେଟ୍ ଫୁଟୁଥାଏ, ବିଜୁଳି ପରି ଆକାଶ ବାଣରେ ଚମକୁ ଥାଏ । ଲୋକେ ଶୋଇଥିବା ବେଳେ ବି ରାତି ୧ଟା କିମ୍ବା ୨ଟାରେ ବି ମଝିରେ ମଝିରେ ଢୋ…ଢା ପୁଣି ଠୋ... ଠା ଶୁଭୁଥାଏ
ଫି ବର୍ଷ ଗାଇଡଲାଇନ ଜାରି ହୁଏ ହେଲେ କେହି ଏହାକୁ ମାନୁନଥିବା ଦେଖିବାକୁ ମିଳେ । ଗାଇଡଲାଇନରେ ଖାଲି ସବୁଜ ବାଣ ଫୁଟାଇବାକୁ ଅନୁମତି ଥାଏ ହେଲେ ଶବ୍ଦପ୍ରଦୂଷଣକାରୀ ବାଣଟିଏ କିଏ କେଉଁଠି ନା କେଉଁଠି ଫୁଟାଇ ଦେଉଥାଏ । ରାତିସାରା ଆତସବାଜି ଏବଂ ପ୍ରଚଣ୍ଡ ଶବ୍ଦରେ ପରିବେଶ ପ୍ରକମ୍ପିତ ହେଉଥିବା ବେଳେ ପରମ୍ପରା ନାଁରେ ଏଠି ବାଣର ବିରାଟ ଆୟୋଜନ ଦେଖିବାକୁ ମିଳେ । ଦୀପ ଜାଳି ଦୀପାବଳି ନୁହେଁ ବରଂ ବାଣ ଫୁଟାଇ ଦୀପାବଳି ପାଳନ୍ତି ଲୋକେ । ଯେଉଁ ଉଦ୍ଦେଶ୍ୟରେ ଦୀପାବଳି ପାଳନ ହେବା କଥା ତାହା ସାଧନ ହୁଏନି ବରଂ ବାଣର ଗର୍ଜନରେ ପ୍ରକମ୍ପିତ ହୁଏ ଗଗନ, ପବନ ।
ଖାଲି କଣ ପରିବେଶ, ରୋଗୀ ଠାରୁ ବୟସ୍କ ବ୍ୟକ୍ତି ଏବଂ ଛୋଟ ପିଲା ଏହି ବାଣ ଶବ୍ଦରେ ବିଚଳିତ ହୋଇପଡନ୍ତି ଯଦିଓ ସେମାନଙ୍କ ସୁରକ୍ଷା ପାଇଁ ବାଣ ଫୁଟାଇବାକୁ ମନା କରାଯାଏ । ହେଲେ ମାନେ କିଏ, କଟକଣାକୁ ପାଳେ କିଏ ? କେହି ନୁହେଁ… ବରଂ ରାତିସାରା ଢୋ ଢା କରି ସାରା ଆକାଶକୁ ଧୂଆଁମୟ କରିଦିଆଯାଏ । ଆଉ ସକାଳେ ରାସ୍ତାଘାଟରେ ପୁଳାପୁଳା ବାଣର ଜଳାପୋଡା ଅଂଶ ପଡିଥାଏ ।
ପ୍ରତିଥର ପରି ଏଥର ବି ବାଣକୁ ନେଇ ଗାଇଡଲାଇନ୍ ଜାରି କରାଯାଇଛି । ଚଳିତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଣ ଫୁଟାଇବାର ସମୟକୁ ନେଇ ଗାଇଡଲାଇନ ଜାରି କରିଛନ୍ତି । ଆଲୋକର ପର୍ବକୁ ଦୀପ ଜଳାଇ ପାଳନ କରିବା ସହ ବାଣ ଫୁଟାଇବାର ସମୟ ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ସୀମିତ ରଖିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଖାଲି ୨ ଘଣ୍ଟାର ସମୟ ନୁହେଁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ମଧ୍ୟ ବର୍ଜନ କରାଯାଇଛି । ଲୋକେ ଯେଉଁ ବାଣ ଫୁଟାଇବେ ତା’ର ଶବ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ ।
ଶାନ୍ତି କ୍ଷେତ୍ର ଯେମିତିକି ବଗିଚା,ପାର୍କ , ହସ୍ପିଟାଲ୍ , ଶିକ୍ଷାନୁଷ୍ଠାନ , କୋର୍ଟ, ମନ୍ଦିର ପାଖରେ ବାଣ ଫୁଟାଇବାକୁ ବର୍ଜିତ କରାଯାଇଛି । ଖୋଲା ଜାଗାରେ ଯଦି କେହି ବାଣ ଫୁଟାଇବାକୁ ଚାହିବେ ତାହା ସବୁଜ ବାଣ ହିଁ ହୋଇଥିବ । ଝୁମ୍ପୁଡ଼ି ଘର , ଦୋକାନ, ଅଗ୍ନି-ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ-ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ଦେଇନି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ବାଣ ଫୁଟାଇବା ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦେଇ କଟନ୍ କପଡ଼ା ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି ।
ଏଥର ପରି ପ୍ରତିବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏମିତି ଲମ୍ବା ପରାମର୍ଶ ଭରା ତାଲିକା ଆସେ ହେଲେ ଏହାକୁ କେହି ମାନନ୍ତିନି । ତେଣୁ ଏହି କଟକଣା କଥା ଉଠିଲେ ମନକୁ ପ୍ରଶ୍ନ ଆସେ- ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେବଳ କଣ ଗାଇଡଲାଇନ ଜାରି କରି ତାର କାମ ସାରିଦିଏ ନା ସେହି ନିର୍ଦ୍ଦେଶବଳୀ କେଉଁଠି କେତେ କାର୍ଯ୍ଯକାରୀ ହେଉଛି ତାହାର ତର୍ଜମା କରେ । ପୋଲିସ, ପ୍ରଶାସନ ଏହି ସବୁ ଗାଇଡଲାଇନକୁ କଠୋର ଭାବେ ପାଳନ କରନ୍ତୁ । ସବୁଠି ପୋଲିସ ପଇଁତରା ମାରି ବାଣ ଯାଞ୍ଚ କଲେ ହୁଏତ ଏସବୁ ନିୟମକୁ ଲୋକେ ପାଳନ କରିବାକୁ ବାଧ୍ୟ ହୁଅନ୍ତେ ଆଉ ପରିବେଶ ପ୍ରଦୂଷଣରୁ ମୁକ୍ତି ପାଇଯାଆନ୍ତା । ତେବେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାର ଦାୟିତ୍ବ କଣ ଖାଲି ପୋଲିସ-ପ୍ରଶାସନର ବରଂ ସାଧାରଣ ଲୋକଟିଏ ଯଦି ନିଜ ଆଡୁ ସଚେତନ ହୋଇ ବାଣକୁ ବର୍ଜନ କରନ୍ତା ଏବଂ ନିଜମ ଅନୁସାରେ ବାଣ ଫୁଟାନ୍ତା ତେବେ ହୁଏତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସବୁ ପରାମର୍ଶ ପାଳନ ହୋଇପାରନ୍ତା ଆଉ ପରିବେଶ ବି ପ୍ରଦୂଷଣ କବଳରୁ ବର୍ତ୍ତିଯାଆନ୍ତା ।