ଏଇ ମାସରେ ୭୦% କ୍ଷତି ସହିବ ଓଟିଡିସି : ଅଧିକାଂଶ ବୁକିଂ ବାତିଲ୍‌ ହେଉଛି, ପରିବହନ, ଟିକେଟ୍‌ ୟୁନିଟ୍‌ ବନ୍ଦ

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ବେଳେ ବିଭିନ୍ନ କଟକଣା ରାଜ୍ୟ ପର୍ଯ୍ୟଟନକୁ ଶକ୍ତ ଧକ୍କା ଦେଇଛି। ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଚଳିତ ମାସରେ ୭୦ ପ୍ରତିଶତ କ୍ଷତି ସହିବାକୁ ଯାଉଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)। ବିଶ୍ବବ୍ୟାପୀ କରୋନାର ଭୟାବହତା ଯୋଗୁଁ ରାଜ୍ୟକୁ ଏବେ ପର୍ଯ୍ୟଟକ ଆସିବା କମିଯାଇଥିବା ବେଳେ ବିଭିନ୍ନ ପର୍ଯ୍ୟଟନସ୍ଥଳ ମଧ୍ୟ ବନ୍ଦ ରହିଛି। ଅନ୍ୟପଟେ ଓଡ଼ିଶାର ମୁଖ୍ୟ ଆକର୍ଷଣ ତଥା ରାଜ୍ୟ ପର୍ଯ୍ୟଟନର ପ୍ରାଣକେନ୍ଦ୍ର ପୁରୀ ଶ୍ରୀମନ୍ଦିର ପ୍ରବେଶରେ କଡ଼ା ପ୍ରତିବନ୍ଧକ ଓ କୋଣାର୍କ ବନ୍ଦ ରହିବା ଯୋଗୁଁ ସ୍ଥାନୀୟ ପର୍ଯ୍ୟଟକଙ୍କର ମଧ୍ୟ ଦେଖାନାହିଁ। ଅଧିକାଂଶ ପର୍ଯ୍ୟଟକ ଆଗରୁ କରିଥିବା ବୁକିଂ ବାତିଲ୍‌ କରୁଥିବାରୁ ଚଳିତ ଆର୍ଥିକ ବର୍ଷର ଶେଷ ମାସରେ ହିଁ ନିଗମକୁ ଏତେ ବଡ଼ କ୍ଷତି ସହିବାକୁ ପଡ଼ିବ।

ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସୂଚନା ଅନୁଯାୟୀ, ନିଗମ ଅଧୀନରେ ଥିବା ସମସ୍ତ ପାନ୍ଥନିବାସ, ଯାତ୍ରୀ ନିବାସ, ଅରଣ୍ୟାନିବାସ, ପାନ୍ଥଶାଳା ଓ ପାନ୍ଥିକା ଆଦି ଖୋଲା ରହିଛି। କେବଳ ୧୪୪ ଧାରା ଲାଗୁ ହୋଇଥିବା ଜିଲ୍ଲା ଅର୍ଥାତ୍‌ ଭଦ୍ରକ, ‌ଯାଜପୁର, ଢେଙ୍କାନାଳ, ନବରଙ୍ଗପୁର, ଖୋର୍ଧା, କେନ୍ଦୁଝର, ବଲାଙ୍ଗୀର, ଗଞ୍ଜାମ ଓ ରାୟଗଡ଼ାରେ ଥିବା ରହଣୀସ୍ଥଳ ସବୁ ବନ୍ଦ ରହିଛି। ଆଗରୁ ବୁକିଂ ହୋଇଥିବା ୭୦% ରୁମ୍‌ ବି ବାତିଲ୍‌ ହୋଇଯାଇଛି। ଫଳରେ ଗତ ୨୦୧୮-୧୯ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ଯେତିକି ବ୍ୟବସାୟ ହୋଇଥିଲା, ତାହାଠାରୁ ୭୦ ପ୍ରତିଶତ କମ୍ ବ୍ୟବସାୟ ଏଇ ମାସରେ ହେବ। ଏୟାର୍‌ ଟିକେଟିଂ ୟୁନିଟ୍‌ ଓ ପରିବହନ ୟୁନିଟ୍‌ ବନ୍ଦ ହେବା ଫଳରେ କ୍ଷତି ପରମାଣ ଅଧିକ ହେବ। ଅନ୍ୟପକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ବିବାହ, ବ୍ରତ, ଜନ୍ମ ଦିନ ଓ ବନ୍ଧୁମିଳନ ଆଦିରୁ ଆସୁଥିବା ଅତିରିକ୍ତ ବଜେଟ୍‌ରେ ବି ଏବେ କ୍ଷତି ଘଟିବ। ମାର୍ଚ୍ଚ ପ୍ରଥମ ସପ୍ତାହରେ ପାନ୍ଥନିବାସରେ ଜଣେ ଦୁଇଜଣ ବିଦେଶୀ ପର୍ଯ୍ୟଟକ ଥିବା ବେଳେ ଏବେ ରାଜ୍ୟର କୌଣସି ପାନ୍ଥନିବାସରେ ବିଦେଶୀ ପର୍ଯ୍ୟଟକ ନାହାନ୍ତି ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି। ତେବେ ପାନ୍ଥନିବାସଗୁଡ଼ିକରେ ରୁମ୍‌ ବୁକିଂ ଏବେ ବି ଚାଲୁ ରହିଛି। କିନ୍ତୁ ଗ୍ରାହକଙ୍କ ସମ୍ପୂର୍ଣ୍ଣ ବିବରଣୀ ସହ ତାଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରି ପାନ୍ଥନିବାସରେ ରହିବାର ଅନୁମତି ଦିଆଯାଉଛି ବୋଲି ନିଗମର ମାର୍କେଟିଂ ମ୍ୟାନେଜର ଆଲୋକ ମିଶ୍ର କହିଛନ୍ତି।

ଆଜି ନିଗମ ପକ୍ଷରୁ ଜାରି ହୋଇଥିବା ଏକ ମାର୍ଗଦର୍ଶିକାରେ ଭୁବନେଶ୍ବର /ପୁରୀ ପରିବହନ ୟୁନିଟ୍‌ ସହ ଚାନ୍ଦିପୁର, ସମ୍ବଲପୁର, ଗୋପାଳପୁର ଓ କଟକ ଆଦି ପାନ୍ଥନିବାସର ସମସ୍ତ ଟୁର୍‌ ପ୍ୟାକେଜ୍‌ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କୌଣସି ସାମାଜିକ ବନ୍ଧୁମିଳନ, ବିବାହ, ବ୍ରତ ଓ କାର୍ଯ୍ୟକ୍ରମ ପାଇଁ ବୁକିଂ ନ ନେବା ପାଇଁ ସ୍ପଷ୍ଟ କରାଯାଇଛି। ସମସ୍ତ ମ୍ୟାନେଜର୍‌ମାନଙ୍କୁ ପାନ୍ଥନିବାସ ପରିସରକୁ ସଫାସୁତୁରା ରଖିବାକୁ କୁହାଯାଇଛି। ହୋଟେଲ୍‌ର ସମସ୍ତ କର୍ମଚାରୀଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯିବା ସହ ଗ୍ରାହକଙ୍କ ସବିଶେଷ ବିବରଣୀ ସହ ଗତ ୧୪ଦିନରେ ବିଦେଶ ଭ୍ରମଣ କରିଛନ୍ତି କି ନାହିଁ, ତାହାର ସମସ୍ତ ତଥ୍ୟ ଦେବାକୁ କୁହାଯାଇଛି। ଆଜି ଭୁବନେଶ୍ବର ପାନ୍ଥନିବାସଠାରେ ନିଗମର ସମସ୍ତ ୟୁନିଟ୍‌ ଯଥା ପାନ୍ଥନିବାସ ୟୁନିଟ୍‌, ପରିବହନ ୟୁନିଟ୍‌, ଟିକେଟ ବୁକିଂ ୟୁନିଟ୍‌ ଓ ଇଂଜିନିୟରିଂ ୟୁନିଟ୍‌କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏହି ମାର୍ଗଦର୍ଶିକା ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଯାଇଛି। ଆଜିର ବୈଠକରେ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସଏ, ପବ୍ଲିକ୍‌ ହେଲ୍ଥର ଯୁଗ୍ମ ନିର୍ଦ୍ଦେଶକ ରଶ୍ମିରଞ୍ଜନ ଶତପଥୀ ଓ ହରମୋହନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର