ମୋବାଇଲ୍ ଫୋନ୍ର ‘ଫ୍ଲାଇଟ୍ ମୋଡ୍’ ସାଧାରଣତଃ ଅସ୍ଥାୟୀ ଭାବରେ ଫୋନ୍ର ସମସ୍ତ ବେତାର ନେଟୱାର୍କକୁ ଅକ୍ଷମ କରିଦେଇଥାଏ। ମୁଖ୍ୟତଃ ବିମାନଯାତ୍ରା ବେଳେ ବିମାନର ନାଭିଗେସନ୍ ସିଷ୍ଟମରେ ଫୋନ୍ର ରେଡିଓ ସିଗନାଲଗୁଡ଼ିକୁ ହସ୍ତକ୍ଷେପ ନକରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ତେବେ ଦୈନନ୍ଦିନ ଜୀବନରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହୋଇପାରେ। ଦୁର୍ବଳ ନେଟୱାର୍କ କଭରେଜ୍ ଥିବା ଅଞ୍ଚଳରେ ଆପଣଙ୍କ ଫୋନ୍ ସିଗନାଲ୍ ଖୋଜିବା ଜାରି ରଖେ, ଯାହା ବ୍ୟାଟେରିକୁ ଶୀଘ୍ର ଶୁଷ୍କ କରିଦିଏ। ଫ୍ଲାଇଟ୍ ମୋଡ୍ ଚାଲୁ କରିବା ଦ୍ବାରା ଏହି ପ୍ରକ୍ରିୟା ବନ୍ଦ ହୋଇ ଫୋନ୍କୁ ଅଧିକ ସମୟ ସକ୍ରିୟ ରଖିବାରେ ସାହାଯ୍ୟ କରେ। ସେହିପରି ଫୋନ୍କୁ ଚାର୍ଜିଂ କରିବା ପୂର୍ବରୁ ଫ୍ଲାଇଟ୍ ମୋଡ୍ ଚାଲୁ କଲେ ଫୋନ୍ର ଚାର୍ଜିଂ ବେଗ ୨୦-୨୫% ବୃଦ୍ଧି ପାଇଥାଏ।
ଏହାର ଆଉ ଏକ ଉପକାରିତା ହେଲା ପିଲାଙ୍କ ପାଇଁ ନିରାପଦ ମୋଡ୍। ଗେମ୍ ଖେଳିବା କିମ୍ବା ଭିଡିଓ ଦେଖିବା ପାଇଁ ପିଲାକୁ ଫୋନ୍ ଦେବା ସମୟରେ ଫ୍ଲାଇଟ୍ ମୋଡ୍ ଚାଲୁ କରିବା ଦ୍ୱାରା ସେମାନେ ଇଣ୍ଟରନେଟ୍ ଆକ୍ସେସ୍ କରିପାରିବେ ନାହିଁ। ଏହା ମୋବାଇଲ୍ ଡାଟା ସଞ୍ଚୟ କରିବା ସହ ଆକସ୍ମିକ ବ୍ରାଉଜିଂ କିମ୍ବା ଆପ୍ ଡାଉନଲୋଡ୍କୁ ରୋକିଥାଏ। ସାଧାରଣତଃ ସିଗନାଲ୍ ନ ଥିଲେ ଫୋନ୍ଗୁଡ଼ିକ ସଂଯୋଗ ଖୋଜିବା ଜାରି ରଖି ଗରମ ହୋଇଯାଇଥା’ନ୍ତି। ତେବେ ଫ୍ଲାଇଟ୍ ମୋଡ୍କୁ ଚାଲୁ କରିବା ଦ୍ୱାରା ଏହି କାର୍ଯ୍ୟକଳାପ ହ୍ରାସ ପାଇ ଫୋନ୍ ଥଣ୍ଡା ରହେ। ସେହିପରି ଫ୍ଲାଇଟ୍ ମୋଡ୍ ସମସ୍ତ କଲ୍, ମେସେଜ୍ ଓ ନୋଟିଫିକେସନ୍ଗୁଡ଼ିକୁ ନିରବ କରିଦେଇ ପଢ଼ିବା କିମ୍ବା କାମ କରିବାରେ ଏକାଗ୍ରତା ଆଣିଥାଏ। ତେବେ ଫ୍ଲାଇଟ୍ ମୋଡ୍ ଚାଲୁ ରଖି ମଧ୍ୟ ଵାଇ-ଫାଇକୁ ମାନୁଆଲି ଅନ୍ କରି ଇଣ୍ଟରନେଟ୍ ବ୍ରାଉଜ୍ କରିବା ସମ୍ଭବ। ସେହିପରି ଫ୍ଲାଇଟ୍ ମୋଡ୍ରେ ବ୍ଳୁଟୁଥ୍ ଦ୍ବାରା ଓୟାରଲେସ୍ ହେଡଫୋନ୍ ବି ସଂଯୋଗ କରି ହୋଇଥାଏ।