ନୂଆଦିଲ୍ଳୀ: ‘ମେହେଙ୍ଗାଇ କା ଜମାନା’ ଅର୍ଥାତ, ଆଜିକାଲି ସବୁ କିଛି ମହଙ୍ଗା। ପୂର୍ବରୁ ସାମଗ୍ରୀ ସବୁ ଖୁବ୍ ଶସ୍ତାରେ ମିଳୁଥିଲା। ତାହାର ପ୍ରମାଣ ଆପଣଙ୍କୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ମେନ୍ୟୁ କାର୍ଡରୁ ମିଳିଯିବ। ଏହାକୁ ଦେଖି ଅପାଣ ଜାଣିପାରିବେ ଯେ ୧୯୮୦ ମସିହାରେ ମିଠା, ନମ୍କିନ୍ର ଦର କେତେ ଶସ୍ତା ଥିଲା। ଏହି ମେନ୍ୟୁ କାର୍ଡ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସମସ୍ତେ ଏକଦମ ଚକିତ ହୋଇ ପଡ଼ିଛନ୍ତି। ବିଶ୍ବାସ ହେଉନାହିଁ ଯେ ଗୋଟାଏ ସିଙ୍ଗଡ଼ାର ଦର ଆଜି ୧୦ ରୁ ୧୫ ଟଙ୍କା ହୋଇ ସାରିଥିବା ବେଳେ ସେ ସମୟରେ ତାହା କେବଳ ୫୦ ପଇସାରେ ମିଳୁଥିଲା।
କେବଳ ସିଙ୍ଗଡ଼ା ନୁହେଁ ଆହୁରି ଅନେକ କିଛି ସେ ସମୟରେ ଶସ୍ତାରେ ମିଳୁଥିଲା। ମେନ୍ୟୁରେ ଆପଣ ଦେଖି ପାରୁଥିବେ ଯେ ‘ମୋତି ଚୁର୍କେ ଲଡୁ’ କିଲୋ ପିଛା ୧୦ ଟଙ୍କା ହୋଇଥିବା ବେଳେ କାଲା ଜାମୁନ୍ ୧୪ ଟଙ୍କା ଥିଲା। କହିବାକୁ ଗଲେ ସବୁ ମିଠା କିଲୋ ପ୍ରାୟ ୨୦ ଟଙ୍କା ମଧ୍ୟରେ ହିଁ ରହିଥିଲା। ପୂର୍ବରୁ ୧ ଟଙ୍କାରେ ମିଳୁଥିବା ଗୋଟାଏ ରସମଲେଇର ଦର ଆଜି କିଲୋ ପିଛା ୪୦ ଟଙ୍କାରେ ପହଞ୍ଚିଛି।
ଏହି ମେନ୍ୟୁ କାର୍ଡକୁ ଦେଖିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀ କମେଣ୍ଟ୍ ଦେବାରେ ଲାଗିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ ୧୯୮୦ ମସିହାରେ ତାଙ୍କ ଦରମା ୧ ହଜାର ଟଙ୍କା ଥିଲା। ଆଜି ଦରମା ବୃଦ୍ଧି ପାଇଁ ୧ ଲକ୍ଷ ପାଖାପାଖି ହୋଇସାରିଛି।