ଯେତେ ଯାହା ହେଲେ ବି କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ମଣିଷ ବୁଦ୍ଧି ସମକକ୍ଷ ହୋଇପାରୁନାହିଁ। କେବଳ ଏଇ କାରଣରୁ ଏବେ ବୈଜ୍ଞାନିକମାନେ ଗୋଟିଏ ‘ଏଆଇ’ ପରିଚାଳିତ ରୋବର୍ଟରେ ମାନବ ମସ୍ତିଷ୍କ-କୋଷିକା ଖଞ୍ଜିଛନ୍ତି, ଯାହାକୁ ହ୍ୟୁମାନଏଡ୍‌/ ବାୟୋକମ୍ପ୍ୟୁଟର୍‌ କୁହାଯାଉଛି।

Advertisment

ଚୀନ୍‌ସ୍ଥିତ ସିଆନ୍‌ଜିନ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ ମାନବ ମସ୍ତିଷ୍କ କୋଷିକା ବ୍ୟବହାର କରି କାର୍ଯ୍ୟକ୍ଷମ ହେଉଥିବା ସେଭଳି ଗୋଟାଏ ରୋବର୍ଟ ନିର୍ମାଣ କରିଛନ୍ତି। ‘ବ୍ରେନ୍‌ ଅନ୍‌ ଏ ଚିପ୍‌’ କୁହାଯାଉଥିବା ଏହି ରୋବଟ୍‌ ଯେଉଁ କାଣ୍ଡକୋଷିକା ବା ଷ୍ଟେମ୍‌ ସେଲ୍‌ ବ୍ୟବହାର କରୁଛି, ସେଗୁଡ଼ିକ ମୂଳତଃ ମାନବ ମସ୍ତିଷ୍କ-କୋଷିକା ବିକଶିତ କରିବା ଲାଗି ଉଦ୍ଦିଷ୍ଟ। ଗୋଟାଏ ଇଲେକ୍ଟ୍ରୋଡ୍‌ ମାଧ୍ୟମରେ ଏହି କୋଷିକାଗୁଡ଼ିକୁ କମ୍ପ୍ୟୁଟର୍‌ ଚିପ୍‌ରେ ସଂଯୋଗ କରାଯାଇଛି। ଏହି ମସ୍ତିଷ୍କ-କୋଷିକା ସାହାଯ୍ୟରେ ସେ ରୋବଟ୍‌ ସୂଚନା ପ୍ରକ୍ରିୟାକରଣ କରି ଅନେକ କାର୍ଯ୍ୟ ସମ୍ପାଦନ କରୁଛି। ପ୍ରତିବନ୍ଧକ ଏଡ଼ାଇବା, ନିର୍ଦ୍ଧାରିତ ଲକ୍ଷ୍ୟ ପ୍ରତି ଦୃଷ୍ଟି ଦେବା, ଜିନିଷପତ୍ର ଧରିବା ଲାଗି ହାତକୁ ନିର୍ଦ୍ଦେଶ ଦେବା ଆଦି କାର୍ଯ୍ୟରେ ମାନବ ମସ୍ତିଷ୍କ ଉକ୍ତ ରୋବଟ୍‌କୁ ସାହାଯ୍ୟ କରୁଛି।

ଗବେଷକମାନେ କହୁଛନ୍ତି ଏହା ହେଉଛି ଜୀବବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଫଳପ୍ରଦ ସମ୍ମିଶ୍ରଣ। ପୁରଣା ‘ଏଆଇ ସିଷ୍ଟମ୍‌’ ଅଲ୍‌ଗୋରିଦମ୍‌ ଓ ଡାଟା ପ୍ରୋସେସିଙ୍ଗ୍‌ ସାମର୍ଥ୍ୟ ଉପରେ ନିର୍ଭର କରେ। ଉନ୍ନତ ହେଲେ ହେଁ ତା’ର ଶିଖିବା କ୍ଷିପ୍ରତା ଓ ଅନ୍ତର୍ଦୃଷ୍ଟି ଦକ୍ଷତା ମାନବ ମସ୍ତିଷ୍କର ସମକକ୍ଷ ନୁହେଁ। ଅପରପକ୍ଷେ, ସର୍ବନିମ୍ନ ଶକ୍ତି ଉପଯୋଗ କରି ଏହି ବାୟୋକମ୍ପ୍ୟୁଟର୍ ସବୁକିଛି ଅତି ଶୀଘ୍ର ଶିଖିପାରୁଛି। ଅଷ୍ଟ୍ରେଲିଆସ୍ଥିତ ମୋନାସ୍‌ ୟୁନିଭର୍ସିଟିରେ ଡିସ୍‌ବ୍ରେନ୍‌ ନାମରେ ସେହି ଧରଣର ଏକ ପ୍ରକଳ୍ପରେ କାର୍ଯ୍ୟରତ ଗବେଷକମାନେ କହିଛନ୍ତି, ‘ଏଆଇ’ଠାରୁ ମାନବ ନ୍ୟୁରୋନ୍‌ ଢେର୍‌ ଅଧିକ କ୍ଷିପ୍ର ବେଗରେ କାର୍ଯ୍ୟ ଶିଖିପାରେ। ଗବେଷକମାନେ ଗୋଟାଏ ଚିପ୍‌ରେ ୮ ଲକ୍ଷ ମସ୍ତିଷ୍କ-କୋଷିକା ବଢ଼ାଇ ତାକୁ କୃତ୍ରିମ ବୁଦ୍ଧିମତ୍ତା ପରିବେଶରେ ରଖି ଦେଖିଲେ ଯେ, ତାହା ମାତ୍ର ୫ ମିନିଟ୍‌ ଭିତରେ ପୋଙ୍ଗ୍‌ ଖେଳ ଶିଖିପାରୁଛି। ଏହି ପ୍ରକଳ୍ପର ମୁଖ୍ୟ ସାଇଣ୍ଟିଫିକ୍‌ ଅଫିସର୍‌ ବ୍ରେଟ୍‌ କାଗାନ୍‌ କହିଛନ୍ତି, ‘‘ପ୍ରାରମ୍ଭିକ ଅବସ୍ଥାରେ ଥିଲେ ବି ‘ହ୍ୟୁମାନଏଡ୍‌’ (ବାୟୋକମ୍ପ୍ୟୁଟର୍‌) ସ୍ବଳ୍ପ ଶକ୍ତି ଉପଯୋଗକରି ‘ଏଆଇ ମେସିନ୍‌ ଲର୍ଣ୍ଣିଙ୍ଗ୍‌ ଚିପ୍‌’ ତୁଳନାରେ ଅଧିକ କ୍ଷିପ୍ର ବେଗରେ ବହୁତ କିଛି ଶିଖିପାରୁଛି। ଏହାର ମେଧା, ଅନ୍ତର୍ଦୃଷ୍ଟି ଓ ସର୍ଜନଶୀଳତା ମଧ୍ୟ ଅଧିକ।’’

ଗବେଷକମାନେ ମନେକରୁଛନ୍ତି ଯେ, ମାନବ ମସ୍ତିଷ୍କ କୋଷିକାଧାରୀ ‘ହ୍ୟୁମାନଏଡ୍’ ଡାକ୍ତରୀ ବିଜ୍ଞାନ, ବିଶେଷତଃ ସ୍ନାୟବିକ ଅସୁସ୍ଥତା ଚିକିତ୍ସା ‌କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିବ। ଗୋଟିଏ କଥା ସୁନିଶ୍ଚିତ ଯେ, ନଷ୍ଟ ହୋଇଯାଇଥିବା ମାନବ ମେରୁଦଣ୍ଡ କଶେରୁକା ମରାମତି କ୍ଷେତ୍ରରେ ଏହାକୁ ନିଶ୍ଚିତ ଉପଯୋଗ କରିହେବ। ସ୍ନାୟୁ କ୍ଷତିଗ୍ରସ୍ତ ହୋଇଥିବା ରୋଗୀମାନଙ୍କ ମସ୍ତିଷ୍କକୁ ପୁନଃସକ୍ରିୟ କରିବା ଲାଗି ଡାକ୍ତରମାନେ ‘ବ୍ରେନ୍‌ ଅର୍ଗାନଏଡ୍‌’ ପ୍ରତିରୋପଣ କରିପାରିବେ। ଏହା ବ୍ୟତିରେକେ ଏ ଯନ୍ତ୍ରମାନବର ଆଉ ଗୋଟାଏ ଅସୁବିଧା ଅଛି। ତାହା ହେଉଛି, ମାନବ ମସ୍ତିଷ୍କ କୋଷିକାଯୁକ୍ତ ଏ ଯନ୍ତ୍ର ଖାଦ୍ୟ, ପାନୀୟ, ତାପ-ନିୟନ୍ତ୍ରଣ ଭଳି ପାଳନପୋଷଣ ଆବଶ୍ୟକ କରିବ। ପୁନଶ୍ଚ, ଏହାକୁ ଜୀବାଣୁ ଓ ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ନିତାନ୍ତ ପ୍ରୟୋଜନ।