ଭାରତୀୟ ସଂବିଧାନର ପ୍ରଣେତାମାନେ ଥିଲେ କନ୍ଷ୍ଟିଚୁଏଣ୍ଟ ଆସେମ୍ଲିର ସଭ୍ୟ। ସେମାନେ ପ୍ରାଦେଶିକ ବିଧାନସଭାମାନଙ୍କରୁ ନିର୍ବାଚିତ ହୋଇଥିଲେ, ଆଉ କେତେକ ଦେଶୀୟ ରାଜ୍ୟର ଶାସକମାନଙ୍କ ଦ୍ୱାରା ମନୋନୀତ ହୋଇଥିଲେ। କ୍ୟାବିନେଟ୍ ମିସନ୍ ପ୍ଲାନ୍ର ବ୍ୟବସ୍ଥା ଅନୁସାରେ ୧୯୪୬ ମସିହା ମେ ମାସରେ ଏହା ଗଠିତ ହେଲା। ଏହି ସଭାର ୩୬୯ ସଭ୍ୟଙ୍କ ମଧ୍ୟରୁ ୨୯୨ ଜଣ ସଦସ୍ୟ ବିଭିନ୍ନ ପ୍ରଦେଶର ପ୍ରତିନିଧିତ୍ୱ କରୁଥିବା ବେଳେ ୯୩ ଜଣ ଦେଶୀୟ ରାଜ୍ୟ ଶାସକମାନଙ୍କର ଦ୍ୱାରା ମନୋନୀତ ପ୍ରତିନିଧି ଥିଲେ। ୧୯୪୬ ମସିହା ଡିସେମ୍ବର ମାସରୁ ଏହି ସଂବିଧାନ ପ୍ରଣୟନ ସଭାର ବୈଠକ ଆରମ୍ଭ ହୋଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଶେଷ ହେଲା। ୧୯୫୦ ମସିହା ଜାନୁଆରି ୨୬ ତାରିଖରୁ କାର୍ଯ୍ୟକାରୀ ହେଲା।
ଭାରତୀୟ ସଂବିଧାନ ପୃଥିବୀର ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ସଂବିଧାନଠାରୁ ଅନନ୍ୟ। ଏହା ସୁଦୀର୍ଘ ହୋଇପାରେ। କିନ୍ତୁ ବିବିଧତାରେ ପୂର୍ଣ୍ଣ ଭାରତୀୟ ଇତିହାସକୁ ଲକ୍ଷ୍ୟ କଲେ ଏହା ସୁଦୀର୍ଘ ହେବାରେ ଅସ୍ୱାଭାବିକତା କେଉଁଠାରେ? ଆମ ସଂବିଧାନ ଅନୁସାରେ ରାଷ୍ଟ୍ର ପରିଚାଳନାରେ ତିନିଟି ମୁଖ୍ୟ ଦିଗ ହେଲା ସଂଘୀୟ ବ୍ୟବସ୍ଥା, ସଂସଦୀୟ ଗଣତନ୍ତ୍ର ଓ ପ୍ରଜାତନ୍ତ୍ର। ରାଷ୍ଟ୍ରର ତିନିଟି ମୁଖ୍ୟ ଅଙ୍ଗ ହେଲା, ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା। ଏଇ ତିନିଟି ବ୍ୟବସ୍ଥା ମଧ୍ୟରେ କ୍ଷମତା ତଥା ଉତ୍ତରଦାୟିତ୍ୱର ପୃଥକ୍କରଣର ବ୍ୟବସ୍ଥା ରହିଛି। ଏକ ଗଣତାନ୍ତ୍ରିକ ପ୍ରଜାତନ୍ତ୍ରରେ ରାଷ୍ଟ୍ର ହେଉଛି ଦେଶର ଜନସାଧାରଣଙ୍କର ବିଶ୍ୱାସ ଓ ସାମୂହିକ ଆକାଂକ୍ଷାର ନ୍ୟାସ। ତେଣୁ ରାଷ୍ଟ୍ରର ପ୍ରତ୍ୟେକ ଅଙ୍ଗ ଭାରତର ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ। କିନ୍ତୁ ରାଷ୍ଟ୍ର ପରିଚାଳନାରେ ୭୫ ବର୍ଷ ଭିତରେ ଆମେ ଦେଖିବାକୁ ପାଉ ଯେ କାର୍ଯ୍ୟପାଳିକା ନିଜର କ୍ଷମତାର ଅପପ୍ରୟୋଗ ଦ୍ୱାରା ବ୍ୟବସ୍ଥାପିକାକୁ ସଂପୂର୍ଣ୍ଣ କବଳିତ କରିସାରିଲାଣି। କାର୍ଯ୍ୟପାଳିକାର ସୃଷ୍ଟି ବ୍ୟବସ୍ଥାପିକାରୁ। କିନ୍ତୁ କାଳକ୍ରମେ ଶାସନତନ୍ତ୍ରକୁ କରାୟତ୍ତ କରୁଥିବା କେନ୍ଦ୍ର ତଥା ରାଜ୍ୟରେ ରାଜନୈତିକ ଦଳମାନେ ସଂଖ୍ୟାଗରିଷ୍ଠତା ବଳରେ ବିଧାନସଭାକୁ ଠିକ୍ ଭାବେ କାର୍ଯ୍ୟ କରିବାର ସୁଯୋଗ ଦେଉ ନାହାନ୍ତି। ଏଠାରେ ଉଲ୍ଲେଖନୀୟ ଯେ ସଂବିଧାନ ପ୍ରଣୟନ ବେଳେ ସଂବିଧାନରେ ରାଜନୈତିକ ଦଳରେ ଉଲ୍ଲେଖ ନଥିଲା। ୧୯୮୫ ମସିହାରେ ସଂବିଧାନର ୫୨ତମ ସଂଶୋଧନ ଦ୍ୱାରା ଦଶମ ପରିଶିଷ୍ଟରେ ପ୍ରଥମ ଥର ପାଇଁ ରାଜନୈତିକ ଦଳର ଉଲ୍ଲେଖ ରହିଲା। ଦଳବଦଳକୁ ନିୟନ୍ତ୍ରଣ ପାଇଁ କଠୋର ବ୍ୟବସ୍ଥା ଉଦ୍ଦେଶ୍ୟରେ ଏହି ପରିଶିଷ୍ଟରେ ଉଲ୍ଲେଖ ରହିଲା। ତାହା ସତ୍ତ୍ୱେ ରାଜନୈତିକ ଦଳମାନଙ୍କର ନୀତିହୀନ ସ୍ୱାର୍ଥବାଦୀ ଭୂମିକା ଓ ଅସଙ୍ଗତ ଆଚରଣ ଯୋଗୁଁ ଭାରତୀୟ ଗଣତନ୍ତ୍ର ଆଜି ଦଳତନ୍ତ୍ରରେ ପରିଣତ ହୋଇଛି।
ଆମେ ଦେଖିବାକୁ ପାଉ ଯେ କୌଣସି ରାଜନୈତିକ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ। ଅଧିକାଂଶ ରାଜନୈତିକ ଦଳ ଏକ ବ୍ୟକ୍ତି ବା ଏକ ପରିବାର ଅଧୀନରେ ପରିଚାଳିତ। ଏପରିକି କୌଣସି ଦଳ କୌଣସି ବ୍ୟକ୍ତିବିଶେଷଙ୍କ ନେତୃତ୍ୱରେ ପ୍ରତିଷ୍ଠିିତ ହୋଇଥିଲେ ତାଙ୍କର ଜୀବିତାବସ୍ଥାରେ ବା ତାଙ୍କ ପରେ ତାଙ୍କର ସନ୍ତାନ ଉତ୍ତରାଧିକାରୀ ସୂତ୍ରରେ ଦଳର ନେତୃତ୍ୱ ହାତେଇଥାନ୍ତି; ଯାହା କି ସାମାନ୍ତବାଦର ଏକ ପ୍ରଚ୍ଛନ୍ନ ପ୍ରତୀକ, ଯଦିଓ ଦଳ ନିଜକୁ ସମାଜବାଦୀ ବିଶେଷଣରେ ଭୂଷିତ କରେ। ଯେତେବେଳେ କୌଣସି ଦଳରେ ସର୍ବମୟ କର୍ତ୍ତାଙ୍କ ପ୍ରତି ‘ସୁପ୍ରିମୋ’ ଶବ୍ଦର ବ୍ୟବହାର ହୁଏ, ମନେ ରଖିବାକୁ ହେବ ଯେ ତାହା ଏକକ ତନ୍ତ୍ରର ନମୁନା। ଦଳର ‘ସୁପ୍ରିମୋ’ ଛଡ଼ା ଆଉ କାହାର ଭିନ୍ନ ସ୍ୱର ବା ଭିନ୍ନ ମତ ପ୍ରକାଶ କରିବାର ସାହସ ନଥାଏ। ଯଦି କେହି ଦଳର ମୁଖିଆଙ୍କର କାର୍ଯ୍ୟରେ ତ୍ରୁଟି ଉପରେ ମତ ପ୍ରକାଶ କରେ, ସେ ଦଳ ବିରୋଧୀ ବୋଲି ବିବେଚନା କରାଯାଏ ଓ ଅଧିକାଂଶ ସମୟରେ ସେ ବ୍ୟକ୍ତି ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୁଅନ୍ତି ବା ଦଳରୁ ବିତାଡ଼ିତ ହୁଅନ୍ତି।
ସଂସଦୀୟ ଗଣତନ୍ତ୍ରରେ କ୍ୟାବିନେଟ୍ ବା ମନ୍ତ୍ରିମଣ୍ଡଳର ସାମୂହିକ ଦାୟିତ୍ୱବୋଧ ଥାଏ ଏବଂ ମନ୍ତ୍ରିମଣ୍ଡଳର ବିଚାର ବିମର୍ଶ ପରେ ସାମୂହିକ ନିଷ୍ପତ୍ତିରେ ନୀତି ନିର୍ଦ୍ଧାରଣ କରାଯାଏ ଓ ପ୍ରଶାସନ ତନ୍ତ୍ର କାର୍ଯ୍ୟ କରେ। କିନ୍ତୁ ଯେତେବେଳେ ଦଳର ମୁଖ୍ୟଙ୍କ ନିଷ୍ପତ୍ତି ମନ୍ତ୍ରିମଣ୍ଡଳ ଉପରେ ଲଦି ଦିଆଯାଏ ଓ ମନ୍ତ୍ରିମଣ୍ଡଳ ତାକୁ ମୁଣ୍ଡ ପାତି ଗ୍ରହଣ କରେ, ସେତେବେଳେ ସାମୂହିକ ଦାୟିତ୍ୱବୋଧର ଅନ୍ତ ଘଟେ। ଗତ ଶତାବ୍ଦୀର ସପ୍ତମ ଦଶକରେ ଜରୁରୀ କାଳୀନ ଅଧ୍ୟାଦେଶ ଓ ୨୦୧୬ରେ ବିମୁଦ୍ରୀକରଣ ନିଷ୍ପତ୍ତି ମନ୍ତ୍ରିମଣ୍ଡଳରେ ଉପସ୍ଥାପିତ ହେବା ଆଗରୁ ନିଆସରିଥିଲା।
ବର୍ତ୍ତମାନ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜନୈତିକ ଦଳ ଓ ନିର୍ବାଚିତ ପ୍ରତିନିଧି, ପୁଞ୍ଜିବାଦୀ କର୍ପୋରେଟ୍ ଦୁନିଆର ଶିଳ୍ପପତି (ଯେଉଁମାନେ ରାଷ୍ଟ୍ରର ଚତୁର୍ଥ ସ୍ତମ୍ଭକୁ ନିୟନ୍ତ୍ରଣ କରନ୍ତି) ଓ ଅପରାଧୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଦେଖିବାକୁ ମିଳେ। ଏମାନଙ୍କର ମଧୁର ମିଳନ ଭାରତୀୟ ଗଣତନ୍ତ୍ରକୁ ଜରାଗ୍ରସ୍ତ କରିଛି। କାଳକ୍ରମେ ଏହି ଜଘନ୍ୟ ଅପରାଧୀମାନେ ବି ଅନେକ ସଂଖ୍ୟାରେ ସେମାନଙ୍କର ଅର୍ଥ ଓ ବାହୁ ବଳରେ ନିର୍ବାଚିତ ଜନ ପ୍ରତିନିଧି ଭାବେ ସଂସଦ ଓ ବିଧାନସଭାକୁ ଯାଇଥାନ୍ତି। ଶାସନତନ୍ତ୍ରକୁ କବଳିତ କରନ୍ତି। ଜନ ସମୁଦାୟ ନିରବ ଦ୍ରଷ୍ଟା ହୁଅନ୍ତି। ଏ ଧାରା ଯଦି ଅବାଧରେ ଚାଲେ, ତେବେ ଏ ଦେଶର ଗଣତନ୍ତ୍ର ବିପଦରେ ବୋଲି ବୁଝିବାକୁ ହେବ।
ନିର୍ବାଚିତ ପ୍ରତିନିଧିମାନେ ଦଳକୁ ବିଖଣ୍ଡିତ କରିବା ପାଇଁ ଅଥବା ଅନ୍ୟ ଦଳକୁ ନ ଯିବା ପାଇଁ ବିଳାସମୟ ହୋଟେଲ୍ରେ ଦୀର୍ଘ ଦିନ ଧରି (ସ୍ୱଇଚ୍ଛାରେ ଅଥବା ଚାପରେ) ରହିବାର ଅନେକ ଉଦାହରଣ ଆମେ ଦେଖୁ। ପଣ୍ୟଦ୍ରବ୍ୟ ପରି ଦଳବଦଳ ପାଇଁ ମୂଲ୍ୟ ନିର୍ଦ୍ଧାରଣ କରାଯାଏ। ନିଜ ଦଳର ପରିଚାଳନା ପାଇଁ ରାଜନୈତିକ ଦଳମାନେ କର୍ପୋରେଟ୍ ଜଗତର ପୁଞ୍ଜିପତିମାନଙ୍କ ଠାରୁ ପ୍ରଚୁର ଅର୍ଥ ଚାନ୍ଦା ଭାବରେ ଗ୍ରହଣ କରନ୍ତି। ପୁଞ୍ଜିପତିମାନେ ରାଜନୈତିକ ଦଳମାନଙ୍କୁ ଦେଉଥିବା ଚାନ୍ଦା ଉପରେ ଆୟ କରରୁ ରିହାତି ପାଇବାର ବ୍ୟବସ୍ଥା ରହିଛି। ପ୍ରଚୁର ଅର୍ଥ ଚାନ୍ଦା ଆକାରରେ ରାଜନୈତିକ ଦଳମାନଙ୍କୁ ଦେଉଥିବା କର୍ପୋରେଟ୍ ଜଗତର ପୁଞ୍ଜିପତିମାନେ କ୍ଷମତାରେ ଥିବା ରାଜନୈତିକ ଦଳମାନଙ୍କ ଠାରୁ ସେମାନଙ୍କର ସ୍ୱାର୍ଥ ଓ ଲାଭ ପାଇଁ ପ୍ରତିବଦଳରେ ଅନେକ କିଛି ଆଶା କରନ୍ତି, ଦାବି କରନ୍ତି ଓ ପାଇଥାନ୍ତି ମଧ୍ୟ। ଏବେ ଇଲେକ୍ଟୋରାଲ୍ ବଣ୍ଡ୍ ପରି ଏକ ଅସ୍ପଷ୍ଟ ପନ୍ଥା ମାଧ୍ୟମରେ ପୁଞ୍ଜିପତିମାନଙ୍କଠାରୁ ବେନାମୀ ଚାନ୍ଦା ଗ୍ରହଣ ପାଇଁ ଆଇନ କରାହୋଇଛି। ସଂସଦୀୟ ଗଣତନ୍ତ୍ର ରାଜନୈତିକ ଦଳ, କର୍ପୋରେଟ ଜଗତ ଓ ମାଫିଆ ଡନ୍ମାନଙ୍କ ଦ୍ୱାରା ହରଣଚାଳ ହୋଇଛି। ଏପରି ମଧୁର ସଂଯୋଗ ଯଦି ଦଳ ଓ ପୁଞ୍ଜିପତିମାନଙ୍କ ମଧ୍ୟରେ ରହେ, ଦେଶର ତଳ ସ୍ତରରେ ଥିବା ଅବହେଳିତ ଓ ବଂଚିତ ବର୍ଗ ସଦା ଉପେକ୍ଷିତ ହୋଇ ରହିବାକୁ ବାଧ୍ୟ ହୁଅନ୍ତି। କର୍ପୋରେଟ୍ ଜଗତ କେବଳ ଶାସନ ଦଳକୁ ନିଜର ଅକ୍ତିଆରରେ ରଖେ ନାହିଁ, ବିରୋଧୀ ଦଳମାନଙ୍କୁ ମଧ୍ୟ ଚାନ୍ଦା ଦେଇଥାଏ। ସେତେବେଳେ ସମାଜର ବଂଚିତ ବର୍ଗର ଏକମାତ୍ର ଆଶା ଭରସା ରହେ ନ୍ୟାୟପାଳିକା ଉପରେ। ନ୍ୟାୟଳୟଠାରୁ ସେମାନେ ଯେଉଁ ନ୍ୟାୟ ପାଆନ୍ତି, ତାହା କାର୍ଯ୍ୟପାଳିକା ବା ବ୍ୟବସ୍ଥାପିକା ଠାରୁ ପାଆନ୍ତି ନାହିଁ। ଆମେ ଦେଖିବାକୁ ପାଉ ଯେ ଉଚ୍ଚତମ ନ୍ୟାୟାଳୟଙ୍କର ନିର୍ଦ୍ଦେଶ ଯୋଗୁଁ ନିୟମଗିରିରେ ‘ନିୟମରଜା’ର ଜୟ ହେଲା; ପ୍ରାକୃତିକ ପରିବେଶ ରକ୍ଷା ପାଇଲା; ବେଦାନ୍ତ କମ୍ପାନି ଓ ଶାସନ ତନ୍ତ୍ରର ଦୁରଭିସନ୍ଧିର ପରାଜୟ ହେଲା। ସେହିପରି ପୁରୀ କୋଣାର୍କ ବେଳାଭୂମିର ହଜାର ହଜାର ଏକର ସରକାରୀ ଜମି, ଜଙ୍ଗଲ ଓ ବ୍ୟକ୍ତିଗତ ମାଲିକାନାରେ ଥିବା ଜମି ବେଦାନ୍ତ କମ୍ପାନିକୁ ହସ୍ତାନ୍ତର ହେବାରୁ ରକ୍ଷା ପାଇଛି। ଏହା କେବଳ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କର ଆଦେଶ ଯୋଗୁଁ ସମ୍ଭବ ହୋଇଛି।
ଏବେ ସଂଘୀୟ ବ୍ୟବସ୍ଥାକୁ ଦେଖିବା। ଏ ବ୍ୟବସ୍ଥାରେ ପ୍ରତ୍ୟେକ ରାଜ୍ୟର ସ୍ବାତନ୍ତ୍ରୢକୁ ସ୍ୱୀକୃତି ମିଳିଛି। ସମସ୍ତ ରାଜ୍ୟ ସଂବିଧାନ ଭିତରେ ନିଜ ରାଜ୍ୟ ପରିଚାଳନାର ସ୍ୱାଧୀନତା ପାଇବା ସହ କେନ୍ଦ୍ର ସହିତ ସୁସଂପର୍କ ଓ ଭାରତୀୟ ଏକତା ପ୍ରତି ନିଷ୍ଠାବାନ ରହିବେ ବୋଲି ସାଂବିଧାନିକ ବ୍ୟବସ୍ଥା ରହିଛି। ସଂବିଧାନ ପ୍ରଣେତାମାନେ କେନ୍ଦ୍ର ଓ ରାଜ୍ୟ ଭିତରେ ସୁସଂପର୍କର ଆଶା ରଖିଥିଲେ। କିନ୍ତୁ ସେ ଆଶା ଭୁଲ୍ ପ୍ରମାଣିତ ହୋଇଛି। ସେମାନେ କେବେହେଲେ ପରିକଳ୍ପନା କରି ନ ଥିଲେ ଯେ ରାଜ୍ୟପାଳ ଜଣେ ନିରପେକ୍ଷ ଅନୁଷ୍ଠାନ ଭାବେ କାମ ନ କରି କେନ୍ଦ୍ର ସରକାରଙ୍କ ଅନୁଗତ ଭାବେ କାର୍ଯ୍ୟ କରିବେ। ଏବେ ସେଭଳି ହୋଇଛି। ସେପରି ସ୍ଥଳେ ରାଜ୍ୟପାଳ ପଦଧାରୀଙ୍କ ଦ୍ବାରା ସାଂବିଧାନିକ ଗରିମା ଭୂଲୁଣ୍ଠିତ ହୋଇଛି। ନିର୍ବାଚନ ସମୟରେ ରାଷ୍ଟ୍ରର ଜନନାୟକ ଧ୍ୱନି ଦିଅନ୍ତି ‘ଡବଲ୍ ଇଂଜିନ୍ ସରକାର’; ଅର୍ଥାତ୍ କେନ୍ଦ୍ରରେ ଥିବା ଶାସକ ଦଳ ଯଦି ରାଜ୍ୟରେ ଶାସନ ଡୋରି ଧରେ ତାହା ହେଲେ ରାଜ୍ୟର ଅଶେଷ ହିତ ସାଧନ ହେବ, ଅନ୍ୟଥା ନୁହେଁ। ଏହାଠାରୁ ବଡ଼ ବିଡ଼ମ୍ବନା କ’ଣ ହୋଇପାରେ!
ଏବେ ତ ମଣିପୁର ରାଜ୍ୟରେ ‘ଡବଲ୍ ଇଂଜିନ୍’ ସରକାର ଥାଇ ଏକ ନିଷ୍କ୍ରିୟ ରାଜ୍ୟ ଶାସନକୁ ଦେଶର ଜନତା ଦେଖୁଛନ୍ତି। ସେଠାରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି ଓ ଦେଶର ସମ୍ମାନ ହାନି ହୋଇଛି। ସେହିପରି ସଂସଦ ଓ ବିଧାନସଭା ମାନଙ୍କରେ ବାଚସ୍ପତି ଓ ଅଧ୍ୟକ୍ଷ ନିରପେକ୍ଷ ଭାବରେ ଗୃହ ପରିଚାଳନା କରିବେ ବୋଲି ସଂବିଧାନ ପ୍ରଣେତାମାନେ ଆଶା ରଖିଥିଲେ, ଯାହାକି ବାସ୍ତବରେ ଆଦୌ ଦେଖାଯାଉ ନାହିଁ। ସଂସଦ ହେଉ ବା ବିଧାନସଭା, ଗୃହର ସଂଖ୍ୟାଗରିଷ୍ଠ ଦଳର ଅନୁକମ୍ପାରୁ ଜଣେ ବିଧାୟକ ବାଚସ୍ପତି ଭାବରେ ନିର୍ବାଚିତ ହେଲେ ତାଙ୍କ ଆନୁଗତ୍ୟ ରହେ ତାଙ୍କର ଦଳ ପ୍ରତି; ସଂବିଧାନ ପ୍ରତି ଆନୁଗତ୍ୟ ଗୌଣ ହୁଏ। ବାଚସ୍ପତି ପଦର ନିରପେକ୍ଷତା ନ ଥିବାରୁ ସେ ବିରୋଧୀ ଦଳମାନଙ୍କର ବିଶ୍ୱାସଭାଜନ ହୋଇ ପାରୁନାହାନ୍ତି। ଫଳରେ ଗୃହର ପରିଚାଳନାରେ ନିରପେକ୍ଷତା ରହୁନାହିଁ। ଆମେ ଦେଖୁ ଯେ ଦଳର ମୁଖ୍ୟଙ୍କ ଆଦେଶରେ ବାଚସ୍ପତି ଇସ୍ତଫା ଦିଅନ୍ତି; ପୁଣି ମନ୍ତ୍ରିପଦ ଗ୍ରହଣ କରନ୍ତି। ଗୃହ ପରିଚାଳନାରେ ନିରପେକ୍ଷତା ନ ରହିବାରୁ ଗୃହର ବହୁମୂଲ୍ୟ ସମୟ କୌଣସି ଗଠନମୂଳକ ଆଲୋଚନାରେ ନ ହୋଇ ବହୁତ ସମୟ ମୁଲତବୀ ରହୁଛି। ସଂସଦୀୟ ବା ବିଧାନସଭା କମିଟିମାନଙ୍କୁ କୌଣସି ବିଧେୟ ଆଲୋଚନା ପାଇଁ ନ ଯାଇ ଧ୍ୱନି ମତରେ ଗୃହୀତ ହେଉଛି। କମିଟିରେ ବି ସଦସ୍ୟମାନେ ଦଳୀୟ ବିଚାରରୁ ଊର୍ଦ୍ଧ୍ୱକୁ ଯାଇ ଦେଶର ହିତ ପାଇଁ ଆଲୋଚନା ନ କରି ଦଳୀୟ ଆଭିମୁଖ୍ୟକୁ ପ୍ରାଧାନ୍ୟ ଦେଉଛନ୍ତି। ଭାରତୀୟତାର ମୂଳ ଶକ୍ତି ନିହିତ ଅଛି ସମାବେଶୀ ବିବିଧତା (ଇନ୍କ୍ଲୁସିଭ୍ ପ୍ଲୁରାଲିଟି)ରେ। ଯେତେବେଳେ ସେଥିରେ ସଙ୍କଟ ଦେଖାଦିଏ, ମୂଳଦୁଆ ଦୋହଲିଯାଏ।
ବର୍ତ୍ତମାନ ପ୍ରତ୍ୟେକ ସ୍ତରରେ ନୂତନ ଭାରତର ଦିଗ୍ଦର୍ଶକ ପଣ୍ଡିତ ନେହରୁଙ୍କୁ ଗୌଣ କରାଯାଇ ତାଙ୍କର ନାମ ହଟାଇ ଦିଆଯାଉଛି। ସେ ଥିଲେ ସ୍ୱାଧୀନ ଭାରତର ରାଜନୈତିକ ଓ ଅର୍ଥନୈତିକ ଦିଗ୍ଦର୍ଶକ। ତାଙ୍କୁ ଗୌଣ କରିବାର ପ୍ରଚେଷ୍ଟା ଦେଶପାଇଁ ବିଡ଼ମ୍ବନା ନୁହେଁ ତ ଆଉ କ’ଣ? ଇତିହାସ ପୃଷ୍ଠାରୁ ଅନେକ ଅଧ୍ୟାୟ ବାଦ୍ ଦେବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କେଉଁ ଉଦ୍ଦେଶ୍ୟରେ ଏହା କରାଯାଉଛି? ଲାଲ୍କିଲ୍ଲାର ପ୍ରାଚୀର ଉପରୁ ତ୍ରିରଙ୍ଗା ଉତ୍ତୋଳନ ହେବ ଅଥଚ ଲାଲ୍କିଲ୍ଲାର ନିର୍ମାତାଙ୍କ ନାମ ଇତିହାସ ପୃଷ୍ଠାରୁ ବାଦ୍ ଯିବ; ଏହା କିଭଳି କଥା! ଏହା ଏକ ଆହ୍ୱାନ ଓ ଏହା ମଧ୍ୟ ଏକ ଆତ୍ମ ନିରୀକ୍ଷଣର ସମୟ।
ମୋ: ୯୯୩୭୦୧୧୨୨୫
ଆମ ସଂବିଧାନ ଓ ସାଂଘାତିକ ପରିସ୍ଥିତି
ସଞ୍ଜୀବ ଚନ୍ଦ୍ର ହୋତା
/sambad/media/post_attachments/wp-content/uploads/2023/08/654dag654ga56dggdadga.jpg)