ଆମ ବିଚାରକମଣ୍ଡଳୀ

ବିଶ୍ବଜିତ୍ ସାମଲ

ମାର୍କେଟିଂ ମୁଖ୍ୟ, ଫକ୍ସୱାଗନ୍ ପାସେଞ୍ଜର କାର୍‌ସ୍
ଭାରତରେ ଫକ୍ସୱାଗନ୍ ପାସେଞ୍ଜର କାର୍‌ସ୍‌ର ମାର୍କେଟିଂ ମୁଖ୍ୟ ଭାବେ ଏବେ କାର୍ଯ୍ୟ କରୁଛନ୍ତି ଓଡ଼ିଶାର ବିଶ୍ବଜିତ୍ ସାମଲ। ଏଭଳି ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ ଥିବା କତିପୟ ଓଡ଼ିଆଙ୍କ ମଧ୍ୟରେ ଶ୍ରୀ ସାମଲ ଅନ୍ୟତମ। ମାର୍କେଟିଂରେ ୧୫ ବର୍ଷରୁ ଊର୍ଧ୍ବ ଅଭିଜ୍ଞତା ତାଙ୍କର ରହିଛି। କେବଳ ଫକ୍ସୱାଗନ୍‌ରେ ୧୦ ବର୍ଷରୁ ଅଧିକ ସମୟ ହେଲା ସେ କାର୍ଯ୍ୟ କରିଆସୁଛନ୍ତି। ଫକ୍ସୱାଗନ ଇଣ୍ଡିଆରେ ୨୦୦୮ରେ ଯୋଗଦେଇଥିଲେ। ଭାରତରେ ଫକ୍ସୱାଗନ ପାସେଞ୍ଜର କାର୍‌ସ୍‌ର ମାର୍କେଟିଂ ମୁଖ୍ୟ ଭାବେ ୨୦୧୮ ଜୁନରେ କାର୍ଯ୍ୟ କରିବା ପୂର୍ବରୁ ସେ ଜର୍ମାନୀରେ କମ୍ପାନିର ରିଜିଓନାଲ ମାର୍କେଟିଂ(ଇଣ୍ଟରନ୍ୟାସନାଲ କମ୍ୟୁନିକେସନ୍ସ) ଦାୟିତ୍ବରେ ଥିଲେ। ଫକ୍ସୱାଗନରେ ଯୋଗଦେବା ପୂର୍ବରୁ ଶ୍ରୀ ସାମଲ ଗଣମାଧ୍ୟମ, ବିଜ୍ଞାପନ ଓ ଟେଲିକମ୍ ଶିଳ୍ପରେ କାର୍ଯ୍ୟ କରି ନିଜ ପାଇଁ ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି। ବିଭିନ୍ନ ସ୍ଥାନକୁ ଯାତ୍ରା କରିବା, ଲୋକଙ୍କ ସହିତ ଭାବର ଆଦାନପ୍ରଦାନ କରିବା ଏବଂ ବିଭିନ୍ନ ପ୍ରକାର ସଂସ୍କୃତି ବିଷୟରେ ଜାଣିବା ଲାଗି ତାଙ୍କର ଯଥେଷ୍ଟ ଆଗ୍ରହ ରହିଥାଏ। ଏତଦବ୍ୟତୀତ ସ୍କିଙ୍ଗ୍ ସମେତ ଟେନିସ୍ ଖେଳ ଏବଂ ପହଁରିବାକୁ ସେ ଖୁବ୍ ଭଲ ପାଆନ୍ତି। ପୁନେର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ ଡେଭଲପମେଣ୍ଟ୍ ଆଣ୍ଡ ରିସର୍ଚ୍ଚ (ଆଇଏମ୍‌ଡିଆର୍‌)ରୁ ସେ ଏମବିଏ ଡିଗ୍ରି ହାସଲ କରିଛନ୍ତି।

ସ୍ବରୂପ ମହାନ୍ତି

ସିଇଓ, ମିରେ ଆସେଟ୍‌ ଗ୍ଲୋବାଲ୍ ଇନଭେ‌ଷ୍ଟ୍‌ମେଣ୍ଟ୍‌
ଦେଶର ଅନ୍ୟତମ ପ୍ରମୁଖ ମ୍ୟୁଚୁଆଲ୍ ଫଣ୍ଡ୍ ଓ ନିବେଶ ସମ୍ପତ୍ତି ପରିଚାଳନା କମ୍ପାନି ମିରେ ଆସେଟ୍‌ ଗ୍ଲୋବାଲ୍ ଇନଭେଷ୍ଟମେଣ୍ଟ୍‌ସ୍‌(ଇଣ୍ଡିଆ) ପ୍ରାଇଭେଟ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦରେ ଅବସ୍ଥାପିତ ଅଛନ୍ତି ଓଡ଼ିଶାର ସ୍ବରୂପ ମହାନ୍ତି। ଆର୍ଥିକ ସେବା ପ୍ରଦାନକାରୀ କମ୍ପାନିରେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି। ଦେଶରେ କମ୍ପାନିର ସମ୍ପତ୍ତି ପରିଚାଳନା ଦାୟିତ୍ବ ତାଙ୍କ ହାତରେ ନ୍ୟସ୍ତ ରହିଛି। ଏହା ପୂର୍ବରୁ ଶ୍ରୀ ମହାନ୍ତି କମ୍ପାନିର ବିକ୍ରି ମୁଖ୍ୟ ପଦବିରେ ୨୦୧୧ ଜୁଲାଇରୁ କାର୍ଯ୍ୟ କରୁଥିଲେ। କମ୍ପାନିର ବିକ୍ରି ବୃଦ୍ଧି ଦାୟିତ୍ବ ସମ୍ଭାଳୁଥିଲେ। ମିରେ ଆସେଟରେ ଯୋଗଦେବା ପୂର୍ବରୁ ଶ୍ରୀ ମହାନ୍ତି ବିର୍ଲା ସନଲାଇଫ୍ ଆସେଟ ମ୍ୟାନେଜମେଣ୍ଟ୍ କମ୍ପାନି ଲିମିଟେଡ, ଫ୍ରାଙ୍କଲିନ୍ ଟେମ୍ପଲଟନ୍ ଆାସେଟ ମ୍ୟାନେଜମେଣ୍ଟ, କୋଟାକ ମହିନ୍ଦ୍ରା ଆସେଟ ମ୍ୟାନେଜମେଣ୍ଟ୍, ଟାଟା ଫାଇନାନ୍ସ ଏବଂ ଆରିହନ୍ତ କ୍ରେଡିଟ୍ କ୍ୟାପିଟାଲ ଲିମିଟେଡରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିଛନ୍ତି। ବିକମ୍ ପରେ ମ୍ୟାନେଜମେଣ୍ଟରେ ଶ୍ରୀ ମହାନ୍ତି ଡିଗ୍ରି ହାସଲ କରିଛନ୍ତି।

ନିନା ଦାସଗୁପ୍ତା

ସିଇଓ ଓ ନିର୍ଦେଶିକା, ଜିର୍‌କା ଡିଜିଟାଲ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍
ଡିଜିଟାଲ୍ ମିଡିଆ ଏବଂ ବିଜ୍ଞାପନ ଜଗତର ଏକ ଜଣାଶୁଣା ନାମ ହେଉଛନ୍ତି ନିନା ଦାସଗୁପ୍ତା। ସେ ହେଉଛନ୍ତି ଜିର୍‌କା ଡିଜିଟାଲ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ସିଇଓ ଏବଂ ନିର୍ଦେଶିକା। ପ୍ରଭାବଶାଳୀ ଯୋଗାଯୋଗ ଅଭିଯାନ କାର୍ଯ୍ୟକାରୀ କରିବାରେ ତାଙ୍କର ୨୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ଯୋଗାଯୋଗ କ୍ଷେତ୍ରରେ ନିଜର ଅସାଧାରଣ ଦକ୍ଷତାକୁ ପ୍ରମାଣିତ କରିଥିବା ନିନାଙ୍କୁ ବିଜ୍ଞାପନ ଜଗତରେ ‘ଦି ସିକ୍ସ ସେନ୍‌ଥ’ ବୋଲି କୁହାଯାଏ। ତାଙ୍କ କଂପାନିର କ୍ଲାଏଣ୍ଟ୍ ତାଲିକାରେ ଦି ଇକୋନମିଷ୍ଟ, ଗେଟିଟ୍ ଏବଂ ଅଲ୍‌ ଜଜିରା ଗ୍ରୁପ୍ ଚ୍ୟାନେଲ୍ ନାମ ରହିଛି। ପ୍ରଯୁକ୍ତି, ଉତ୍ପାଦ ଏବଂ ସମାଧାନକୁ ନେଇ ରହିଥିବା ତାଙ୍କର ଗଭୀର ଜ୍ଞାନର ଏହା ହେଉଛି ଏକ ପ୍ରମାଣ। ନିନା ଏମ୍‌ବିଏ ଡିଗ୍ରି ହାସଲ କରିଥିବା ବେଳେ ଆଇଏନ୍‌ଏସ୍‌ଇଏଡିରୁ ଲିଡର୍‌ସିପ୍ ଆଣ୍ଡ୍‌ ଜେନେରାଲ୍ ମ୍ୟାନେଜମେଣ୍ଟ୍‌ରେ ଏକ୍‌ଜିକ୍ୟୁଟିଭ୍ ପ୍ରୋଗ୍ରାମ୍ ମଧ୍ୟ କରିଛନ୍ତି। ବୃତ୍ତିଗତ ଜୀବନରେ ଥିବା ମହିଳାମାନଙ୍କୁ ନିନାଙ୍କ ପରାମର୍ଶ ହେଉଛି: ନିଜ ମୂଲ୍ୟବୋଧକୁ ଜାଣନ୍ତୁ ଏବଂ ନିଜକୁ ଭଲ ପାଆନ୍ତୁ। ତାଙ୍କର ସ୍ବପ୍ନ ହେଉଛି ମହିଳାମାନଙ୍କୁ କର୍ମ କ୍ଷେତ୍ରରେ ରଖିବା। ସେଥିପାଇଁ ଇଣ୍ଟରନ୍ୟାସନାଲ୍ ଆଡଭର୍ଟାଇଜିଂ ଆସୋସିଏସନ୍‌ର ଭାରତୀୟ ଚାପ୍ଟରର କମିଟିରେ ସେ ଜଣେ ସଦସ୍ୟା‌ ଭା‌ବେ କାମ କରୁଛନ୍ତି।

ସମ୍ବନ୍ଧିତ ଖବର