ଦେଶର ନୂଆ ଉପରାଷ୍ଟ୍ରପତି ପଦ ମଣ୍ଡନ କରିଛନ୍ତି ବରିଷ୍ଠ ବିଜେପି ନେତା ଚନ୍ଦ୍ରପୁରମ୍ ପୋନ୍ନୁସାମୀ ରାଧାକୃଷ୍ଣନ୍। ସଂକ୍ଷେପରେ ସିପି ରାଧାକୃଷ୍ଣନ୍, ପୁଣି କେହି କେହି ତାଙ୍କୁ ସିପିଆର୍ ଭାବେ ଅଭିହିତ କରିଥାଆନ୍ତି। ଏହି ପଦବି ମଣ୍ଡନ କରିବା ପୂର୍ବରୁ ସେ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ପୁଦ୍ଦୁଚେରୀରେ ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି। ତାମିଲ୍ନାଡୁ ବିଜେପିର ରାଜ୍ୟ ସଭାପତି ଥିବା ସିପିଆର୍ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ରାଧାକୃଷ୍ଣନ୍ଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍ଏସ୍ଏସ୍) ଓ ‘ଜନସଂଘ’ରୁ।
ସଚ୍ଚୋଟପଣିଆ, ସମର୍ପିତ ମନୋଭାବ, ନିର୍ମଳ ଭାବମୂର୍ତ୍ତି ସଙ୍ଗକୁ ସାଙ୍ଗଠନିକ ଦକ୍ଷତା ଓ ସମାଜର ତୃଣମୂଳ ସ୍ତରରେ କାର୍ଯ୍ୟକରି ବେଶ୍ ଲୋକପ୍ରିୟ ହୋଇଥିବା ରାଧାକୃଷ୍ଣନ୍ଙ୍କର ୪୦ ବର୍ଷର ରାଜନୀତିକ ଅଭିଜ୍ଞତା ରହିଛି। ତାମିଲନାଡୁର ତିରୁପ୍ପୁରରେ ଏକ ପଛୁଆ ବର୍ଗ ପରିବାରରେ ୧୯୫୭, ଅକ୍ଟୋବର ୨୦ରେ ଭୂମିଷ୍ଠ ହୋଇଥିଲେ ସିପି ରାଧାକୃଷ୍ଣନ୍। ତାଙ୍କ ପିତା ହେଉଛନ୍ତି ସି. କେ. ପୋନ୍ନୁସାମୀ ଓ ମାତା କେ. ଜାନକୀ। ଦିନେ ସେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର୍ ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ପରି ହେବେ ବୋଲି ଆଶାକରି ତାଙ୍କର ଏପରି ନାମକରଣ କରାଯାଇଥିଲା ବୋଲି ତାଙ୍କ ମାଆ କହନ୍ତି। ତୂତୁକୁଡ଼ୀସ୍ଥିତ ଭି. ଓ. ଚିଦମ୍ବରମ୍ କଲେଜ୍ରୁ ବିଜ୍ନେସ୍ ଆଡ୍ମିନିଷ୍ଟ୍ରେସନ୍ରେ ସ୍ନାତକ କରିଥିବା ରାଧାକୃଷ୍ଣନନ୍ ରାଜନୀତି ବିଜ୍ଞାନରେ ଗବେଷଣା କରିଥିଲେ। ‘ସାମନ୍ତବାଦର ପତନ’ ବିଷୟରେ ପିଏଚ୍ଡି କରିବା ପରେ ‘କମ୍ୟୁନିଷ୍ଟବାଦର ପତନ’ ଉପରେ ଗବେଷଣା ଲାଗି ତାଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା। ପାଠପଢ଼ା ସହିତ ତରୁଣାବସ୍ଥାରେ କ୍ରୀଡ଼ା କ୍ଷେତ୍ରରେ ବି ତାଙ୍କର ବିଶେଷ ଆଗ୍ରହ ଥିଲା। ସେ ମଧ୍ୟ ‘ଲାୟନ୍ସ୍ କ୍ଲବ୍ସ୍ ଇଣ୍ଟର୍ନ୍ୟାସ୍ନାଲ୍’ର ଅନ୍ୟତମ ସଦସ୍ୟ।
୧୬ ବର୍ଷ ବୟସରେ ଆର୍ଏସ୍ଏସ୍ର ସ୍ବେଚ୍ଛାସେବୀ ଭାବେ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ସିପିଆର୍। ୧୯୭୪ ମସିହାରେ ୧୭ ବର୍ଷ ବୟସରେ ସେ ହୋଇଥିଲେ ଭାରତୀୟ ଜନସଂଘର ରାଜ୍ୟ କାର୍ଯ୍ୟ ନିର୍ବାହୀ କମିଟିର ସଦସ୍ୟ। ୧୯୮୫ ମସିହା ନଭେମ୍ବର ୨୨ରେ ଆର୍. ସୁମତିଙ୍କୁ ବିବାହ କରିଥିବା ସିପି ରାଧାକୃଷ୍ଣନ୍ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ସେମାନଙ୍କର ଦୁଇ ପୁଅ-ଝିଅ ଅଛନ୍ତି। ଭାରତୀୟ ଜନତା ପାର୍ଟିରେ ହିଁ ରାଧାକୃଷ୍ଣନନ୍ଙ୍କ ରାଜନୈତିକ ଜୀବନ ଅଭ୍ୟୁତ୍ଥାନ ହୋଇଥିଲା। ୧୯୯୬ରେ ସେ ତାମିଲନାଡୁ ବିଜେପିର ରାଜ୍ୟ ସଭାପତି ହୋଇଥିଲେ। ୨୦୧୪ରେ ସେ କୋଏମ୍ବାଟୁର୍ ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ସେଥିରେ ସେ ୩,୮୯,୦୦୦ ଖଣ୍ଡ ଭୋଟ୍ ପାଇଥିଲେ ବି ସ୍ବଳ୍ପ ବ୍ୟବଧାନରେ ପରାସ୍ତ ହୋଇଥିଲେ।
ପୁନଶ୍ଚ ୧୯୯୮ ଓ ୧୯୯୯ରେ ସେ କୋଏମ୍ବାଟୁର୍ ଲୋକସଭା ଆସନରୁ ବିଜୟୀ ହୋଇ ଦୁଇଥର ସାଂସଦ ହୋଇଥିଲେ। ସାଂସଦ ଥିବା କାଳରେ ସେ ‘ଚେୟାର୍ମ୍ୟାନ୍ ଅଫ୍ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଙ୍ଗ୍ କମିଟି ଫର୍ ଟେକ୍ଷ୍ଟାଇଲ୍’ର ସଭାପତି ପଦ ଅଳଙ୍କୃତ କରିଥିଲେ। ଏଥିସହ ସେ ଅନ୍ୟାନ୍ୟ ପ୍ରମୁଖ ସଂସଦୀୟ କମିଟିର ସଦସ୍ୟ ହୋଇଥିଲେ। ୨୦୦୪ରେ ସେ ଭାରତର ସଂସଦୀୟ ପ୍ରତିନିଧି ଦଳ ସହିତ ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ଯାଇଥିଲେ। ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ସେ ବିଜେପି ତାମିଲନାଡୁ ୟୁନିଟ୍ର ସଭାପତି ଦାୟିତ୍ବ ନିର୍ବାହ କରିଥିଲେ। ୨୦୨୩ ଫେବ୍ରୁଅାରିରେ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ପୁନଶ୍ଚ ୨୦୨୪ ଜୁଲାଇରେ ସେ ହେଲେ ମହାରାଷ୍ଟ୍ରର ରାଜ୍ୟପାଳ। ଏହାଛଡ଼ା ସ୍ବଳ୍ପ ସମୟ ପାଇଁ ସେ ତେଲେଙ୍ଗାନା ରାଜ୍ୟପାଳ ଓ ପୁଦ୍ଦୁଚେରୀର ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରିଥିଲେ।
କଲେଜ୍ ଚାମ୍ପିୟନ୍: ଯୁବାବସ୍ଥାରେ ସିପି ରାଧାକୃଷ୍ଣନ୍ ଥିଲେ ଜଣେ ପ୍ରତିଭାନ୍ୱିତ ଖେଳାଳି। ଟେବୁଲ୍ ଟେନିସ୍ ଖେଳି ସେ କଲେଜ୍ ଚାମ୍ପିୟନ୍ ହୋଇଥିଲେ। ଦୀର୍ଘ-ଦୂରତ୍ବ ଦୌଡ଼ରେ ବି ସେ ଚମତ୍କାରିତା ପ୍ରଦର୍ଶନ କରିଥିଲେ। କ୍ରିକେଟ୍ ଓ ଭଲିବଲ୍ରେ ତାଙ୍କର ବିଶେଷ ରୁଚି ରହିଥିଲା।
ସଫଳ ବ୍ୟବସାୟୀ: ଏମ୍ବିଏ ଶିକ୍ଷା ସମାପନ ପରେ ସେ ପୋଷାକ ବ୍ୟବସାୟରେ ପ୍ରବେଶ କରିଥିଲେ। ତାଙ୍କ କମ୍ପାନିର ‘ସ୍ପାଇସ୍’ ବ୍ରାଣ୍ଡ୍ ଗଞ୍ଜି ଓ ଜଙ୍ଘିଆ ଆଦି ଉତ୍ପାଦ ବଜାରରେ ଲୋକପ୍ରିୟ ହୋଇଥିଲା। ତା’ପରେ ସେ ତାମିଲନାଡୁ ଅନ୍ତର୍ଗତ ତିରୁପୁରର ପ୍ରଥମ ରପ୍ତାନିକାରୀ ସଂସ୍ଥା ଭାବେ ବାଂଲାଦେଶକୁ ସୂତାବୁଣା କପଡ଼ା ପଠାଇଲେ। ୧୯୮୫ରୁ ୧୯୯୮ ପର୍ଯ୍ୟନ୍ତ ସେ ବାଂଲାଦେଶ ସମେତ ଆଉ କେତେକ ଦେଶରେ କପଡ଼ା ବ୍ୟବସାୟ ଚଳାଇ ସଫଳ ହୋଇଥିଲେ।
ଜଣେ ମାତ୍ର ବିଜୟୀ ପ୍ରାର୍ଥୀ : ୧୯୯୮ ଓ ୧୯୯୯ ସାଧାରଣ ନିର୍ବାଚନରେ ସିପି ରାଧାକୃଷ୍ଣନ୍ କୋଏମ୍ବାଟୁର୍ରୁ ଦୁଇଥର ସାଂସଦ ନିର୍ବାଚିତ ହୋଇଥିଲେ। ୧୯୯୮ରେ ତାଙ୍କର ବିଜୟ ବିଶେଷ ତାତ୍ପର୍ଯ୍ୟ ବହନ କରିଥିଲା। କାରଣ, ସେ ବର୍ଷ ତାମିଲନାଡୁ ରାଜ୍ୟରେ ନିର୍ବାଚନ ଲଢ଼ିଥିବା ୩ ଜଣ ବିଜେପି ପ୍ରାର୍ଥୀଙ୍କ ମଧ୍ୟରୁ କେବଳ ସେ ହିଁ ବିଜୟୀ ହୋଇଥିଲେ।
କୁ-ଦଳରେ ସୁ-ମଣିଷ: ସଂଯମ ଓ ନିର୍ମଳ ଭାବମୂର୍ତ୍ତି ଲାଗି ସୁପରିଚିତ ରାଧାକୃଷ୍ଣନ୍ଙ୍କ ପ୍ରତି ରାଜନୈତିକ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସମ୍ମାନ ରହିଛି। ଥରେ ଜଣେ ବରିଷ୍ଠ ‘ଡିଏମ୍କେ’ ନେତା ତାଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସହିତ ତୁଳନା କରି କହିଥିଲେ ଯେ ସେ ହେଉଛନ୍ତି ମନ୍ଦ ଦଳରେ ଥିବା ଜଣେ ଭଲ ମଣିଷ। ୧୯,୦୦୦ କିଲୋମିଟର୍ ରଥଯାତ୍ରାର ନେତୃତ୍ବ: ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ବିଜେପିର ତାମିଲନାଡୁ ରାଜ୍ୟ ସଭାପତି ଭାବେ ସେ ୩୯ ଦିନବ୍ୟାପୀ ଚାଲିଥିବା ୧୯,୦୦୦ କିଲୋମିଟର୍ ରଥଯାତ୍ରାର ନେତୃତ୍ବ ନେଇଥିଲେ। ନଦୀ ସଂଯୋଗ, ଆତଙ୍କବାଦ ବିରୋଧୀ ସଂଗ୍ରାମ, ଅସ୍ପୃଶ୍ୟତା ଉଚ୍ଛେଦ ଆଦି କେତେକ ସାମାଜିକ ଓ ପାରିବେଶିକ କାରଣ ସପକ୍ଷରେ ଜନସଚେତନା ଜାଗରୁକ କରିବା ଥିଲା ସେ ରଥଯାତ୍ରାର ଉଦ୍ଦେଶ୍ୟ।
ଏହାଛଡ଼ା, ସେ ଦୁଇଟି ଦୀର୍ଘ ‘ପଦଯାତ୍ରା’ ସମ୍ପନ୍ନ କରିଥିଲେ। ‘ମୁଲ୍ଲାଇ ପେରିୟାର୍ ଜଳଭଣ୍ଡାର’ ସମ୍ପର୍କରେ ଜନସଚେତନତା ଜାଗରୁକ କରିବା ଲାଗି ସେ ୧୪ ଦିନ ଧରି ମଦୁରାଇରୁ କାମ୍ବମ ପର୍ଯ୍ୟନ୍ତ ୨୮୦ କିଲୋମିଟର୍ ପଦଯାତ୍ରା କରିଥିଲେ। ସେହିପରି ପାଲାର ନଦୀ ବଞ୍ଚାଅ ଅଭିଯାନ ବେଳେ ସେ ୧୧ ଦିନରୁ ଅଧିକ ତାମିଲନାଡୁର କୁଡ଼ିୟାତାମରୁ ଆନ୍ଧ୍ରପ୍ରଦେଶର କୁପ୍ପମ୍ ପଦଯାତ୍ରା କରିଥିଲେ।
ରେକର୍ଡ ପରିମାଣ କତା ରପ୍ତାନି: ସେ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ‘କୟର୍ ବୋର୍ଡ’ର ଅଧ୍ୟକ୍ଷ ପଦବି ମଣ୍ଡନ କରିଥିବା ବେଳେ ଏହି ସଂସ୍ଥା ନଡ଼ିଆକତା ରପ୍ତାନିରେ ସର୍ବକାଳୀନ ରେକର୍ଡ କରିଥିଲା। ତାଙ୍କ ତତ୍ତ୍ବାବଧାନ ଯୋଗୁଁ ହିଁ ନଡ଼ିଆ କତା ରପ୍ତାନି ମୂଲ୍ୟ ୨,୫୩୨ କୋଟି ଟଙ୍କାରେ ପହଞ୍ଚିପାରିଥିଲା।
ଝାଡ଼ଖଣ୍ଡର ୨୪ଟିଯାକ ଜିଲ୍ଲା ଗସ୍ତ: ୨୦୨୩ ଫେବ୍ରୁଆରି ମାସରେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହେବାପରେ ସେ ଆଦ୍ୟ ଚାରିମାସରେ ରାଜ୍ୟରେ ଥିବା ସମୁଦାୟ ୨୪ଟି ଜିଲ୍ଲା ଗସ୍ତ କରିଥିଲେ। ସମାଜର ସର୍ବନିମ୍ନ ସ୍ତରରେ କିଭଳି କାର୍ଯ୍ୟ ସମ୍ପାଦନ କରାଯାଏ ତାହା କରି ଦେଖାଇଦେବା ଥିଲା ତାଙ୍କ ଗସ୍ତର ମୂଳ ଉଦ୍ଦେଶ୍ୟ।
ସୁସମ୍ପର୍କ ପାଇଁ ସୁଖ୍ୟାତି: ବିରୋଧୀ ଦଳ ସମେତ ଭିନ୍ନ ଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହିତ ସୌହାର୍ଦଭରା ଓ ନିର୍ବିବାଦୀୟ ସମ୍ପର୍କ ବଜାୟ ରଖିବାରେ ତାଙ୍କର ଅସାମାନ୍ୟ ଦକ୍ଷତା ରହିଛି। ତେଣୁ ସ୍ଥାନୀୟ ବାସିନ୍ଦାଙ୍କ ନିକଟରେ ସେ ‘କୋଏମ୍ବାଟୁର୍ର ବାଜପେୟୀ’ ଭାବେ ସୁପରିଚିତ।
ବ୍ୟାପକ ଭ୍ରମଣ ଅଭିଜ୍ଞତା: ରାଜନୈତକ ଅଭିଜ୍ଞତା ଭଳି ତାଙ୍କର ଅଗାଧ ଭ୍ରମଣ ଅଭିଜ୍ଞତା ବି ରହିଛି। ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍, ଫ୍ରାନ୍ସ୍, ଜର୍ମାନୀ, ଇଟାଲି, ସ୍ପେନ୍, ପର୍ତ୍ତୁଗାଲ୍, ନର୍ୱେ, ଡେନ୍ମାର୍କ, ସ୍ବିଡେନ୍, ଫିନ୍ଲାଣ୍ଡ୍, ବେଲ୍ଜିୟମ୍, ହଲାଣ୍ଡ୍, ତୁର୍କୀ, ଚୀନ୍, ମାଲେସିଆ, ସିଙ୍ଗାପୁର, ତାଇୱାନ୍, ଥାଇଲାଣ୍ଡ୍, ଇଜିପ୍ଟ, ୟୁଏଇ, ବାଂଲାଦେଶ, ଇଣ୍ଡୋନେସିଆ, ଜାପାନ ଆଦି ୨୪ଟି ଦେଶ ଭ୍ରମଣ କରିଛନ୍ତି।