ଉତ୍ତର ସ୍ବିଡେନ୍‌ର ନିଘଞ୍ଚ ଜଙ୍ଗଲରେ ଆର୍ଟିକ୍‌ ସର୍କଲଠାରୁ ମାତ୍ର କେଇ ମିଟର ଦୂରରେ ବିଭିନ୍ନ ବିଷୟବସ୍ତୁ ଆଧାରିତ ଟ୍ରି ହାଉସ୍‌ ବା ବୃକ୍ଷ ଗୃହ ଦେଖିବାକୁ ମିଳେ। ସେଗୁଡ଼ିକ ଅଭିନବ ରହଣି ଅଭିଜ୍ଞତା ଖୋଜୁଥିବା ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ। ସେଗୁଡ଼ିକ ମଧ୍ୟରେ ସବୁଜମୟ ପରିବେଶକୁ ପ୍ରତିଫଳିତ କରୁଥିବା ଆଇନାଯୁକ୍ତ ଘନାକାର ଆକୃତିର ଘରଠାରୁ ଆରମ୍ଭ କରି ପକ୍ଷୀଙ୍କର ବାସସ୍ଥଳୀ ପାଲଟିଥିବା ଚିତ୍ରିତ ବାକ୍ସ ଏବଂ ପରୀରାଇଜର ଭ୍ରମ ସୃଷ୍ଟି କରୁଥିବା ନୀଳ ଆବାସ ଅନ୍ତର୍ଭୁକ୍ତ। ତେବେ ସେଗୁଡ଼ିକ ଭିତରେ ଉଡ଼ନ୍ତା ଥାଳିଆ (ୟୁଏଫ୍‌ଓ) ସର୍ବାଧିକ ଆକର୍ଷଣର କେନ୍ଦ୍ର ପାଲଟିଛି।

Advertisment

ଜଙ୍ଗଲର ଉଚ୍ଚ ବୃକ୍ଷଗୁଡ଼ିକ ମଧ୍ୟରେ ଏହି ଉଡ଼ନ୍ତା ଥାଳିଆ, ବହିର୍ଜଗତର ଅଭିଜ୍ଞତା ହାସଲ କରିବାକୁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ଆଣିଥାଏ। ସତେ ଯେପରି ଏହା ଯେ କୌଣସି ମୁହୂର୍ତ୍ତରେ ଆକାଶ ଆଡ଼କୁ ଉଠିଯାଇ ସୁଦୂର ଛାୟାପଥକୁ ଫେରିଯିବାର ଧାରଣା ଅତିଥିମାନଙ୍କୁ ଦେଇପାରୁଛି। ସ୍ଥପତି ବର୍ଟିଲ ହାର୍ଷ୍ଟ୍ରମ୍‌ଙ୍କ ଦ୍ବାରା ଏହି ଉଡ଼ନ୍ତା ଥାଳିଆର ସ୍ବରୂପ ପ୍ରସ୍ତୁତ କରାଯାଇଛି। ଏହାର ଭିତରଟି ଅନ୍ତରୀକ୍ଷ ପରି ଅତ୍ୟନ୍ତ ମନୋରମ। ତାରକାମୟ ଛାତ ସାଙ୍ଗକୁ ନକ୍ଷତ୍ରରେ ସଜ୍ଜିତ ତକିଆ ଓ କମ୍ବଳ ମେଳରେ ଅତିଥିଙ୍କୁ ଝରକା ବାଟେ ପରିବ୍ୟାପ୍ତ ଜଙ୍ଗଲର ଝଲକ ମିଳିଥାଏ। ସ୍ବିଡେନ୍‌ର ଲ୍ୟୁଲି ବିମାନବନ୍ଦରରୁ ମାତ୍ର ଘଣ୍ଟାକର ରାସ୍ତାର ଦୂରତ୍ବରେ ଅବସ୍ଥିତ ଏହି ଉଡ଼ନ୍ତା ଥାଳିଆରେ ୫ ଜଣ ଅତିଥିଙ୍କ ପାଇଁ ରହଣି ସୁବିଧା ରହିଛି। ଉଭୟ ପାରିବାରିକ ଭ୍ରମଣ ଓ ଏକାକୀ ଭ୍ରମଣକାରୀଙ୍କ ସମେତ ବିଶେଷ କରି ମହାକାଶ ଅଭିଯାନରେ ରୁଚି ରଖିଥିବା ବ୍ୟକ୍ତିଙ୍କ ପାଇଁ ଏହା ଆମୋଦଦାୟକ।