ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ମାତ୍ରାଧିକ ପ୍ରତିକ୍ରିୟାଶୀଳ କରାଇ ଲୋକମାନଙ୍କୁ ମାରୁଛି କରୋନାଭାଇରସ୍: ଅଧ୍ୟୟନ

ବେଜିଙ୍ଗ୍: ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ମାତ୍ରାଧିକ ପ୍ରତିକ୍ରିୟାଶୀଳ କରାଇ କରୋନାଭାଇରସ୍ ଲୋକମାନଙ୍କୁ ମାରି ପକାଉଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।

‘ଫ୍ରଣ୍ଟିୟର୍ସ ଇନ୍ ପବ୍ଲିକ୍ ହେଲ୍‌ଥ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଗବେଷଣାକାରୀ ବୈଜ୍ଞାନିକମାନେ ଏ ସଂକ୍ରାନ୍ତରେ ଅଳ୍ପ ଅଳ୍ପ କରି ବୁଝାଇଛନ୍ତି: କରୋନାଭାଇରସ୍ କିପରି ଶ୍ବାସନଳୀକୁ ସଂକ୍ରମଣ କରୁଛି, ଜୀବକୋଷ ମଧ୍ୟରେ ବହୁଗୁଣ ହେଉଛି ଓ ଗୁରୁତର ସଂକ୍ରମଣରେ କିଭଳି ଶରୀରରେ ‘ସାଇଟୋକାଇନ୍ ଷ୍ଟମ୍’ ସୃଷ୍ଟି କରି ମଣିଷର ମୃତ୍ୟୁର କାରଣ ହେଉଛି। ‘ସାଇଟୋକାଇନ୍ ଷ୍ଟମ୍’ ଯୋଗୁଁ ହିଁ ଆକ୍ରାନ୍ତ ମଣିଷ ମୃତ୍ୟୁ ବରଣ କରୁଛି ବୋଲି ବୈଜ୍ଞାନିକମାନ‌େ କହିଛନ୍ତି। ସଂକ୍ରମଣ ମାତ୍ରାଧିକ ହୋଇଗଲେ, ରୋଗ ପ୍ରତିରୋଧକ ଶକ୍ତି ମାତ୍ରାଧିକ ପ୍ରତିକ୍ରିୟାଶୀଳ ହେଉଥିବାରୁ ଶରୀର ଅତି ଶୀଘ୍ର ରକ୍ତକୁ ବହୁ ପରିମାଣର ସାଇଟୋକାଇନ୍ ଛାଡ଼େ। ସାଇଟୋକାଇନ୍ ହେଉଛି ଏକ ଜାତୀୟ ପୁଷ୍ଟିସାର ଯାହା ରୋଗ ପ୍ରତିରୋଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

Image Source: Kashmir Observer

ବୈଜ୍ଞାନିକମାନେ କହିଛନ୍ତି ଯେ ଶ୍ବେତରକ୍ତ କଣିକା ମାତ୍ରାଧିକ ପ୍ରତିକ୍ରିୟାଶୀଳ ହେଉଥିବାରୁ ସାଇଟୋକାଇନ୍ ଷ୍ଟମ୍ ବା ଝଡ଼ ସୃଷ୍ଟି ହୋଇଥାଏ। ଫଳରେ ରକ୍ତମଧ୍ୟକୁ ବହୁ ପରିମାଣର ସାଇଟୋକାଇନ୍‌ ବା ‘ଇନ୍‌ଫ୍ଲେମେସନ୍-ଷ୍ଟିମୁଲେଟିଙ୍ଗ୍ ମଲିକ୍ୟୁଲ୍ସ୍ ପ୍ରବେଶ କରିଥାଏ ବୋଲି ଏହି ଅଧ୍ୟୟନର ଲେଖକ ଚୀନ୍‌ର ଜୁନ୍‌ୟି ମେଡିକାଲ୍ ୟୁନିଭର୍ସିଟିର ପ୍ରାଧ୍ୟାପକ ଡାଇସୁନ୍ ଲିୟୁ କହିଛନ୍ତି।

ସାଇଟୋକାଇନ୍ ଷ୍ଟମ୍ ଯୋଗୁଁ ଖଇଫୁଟା ଜ୍ବର, ରକ୍ତବାହୀ ନଳୀରୁ ଅଧିକ ରକ୍ତ ଲିକ୍ ହେବା, ଦେହ ଭିତରେ ରକ୍ତ ମୁଣ୍ଡାବାନ୍ଧିବା ଆଦି ହୋଇଥାଏ।ଫଳରେ ରକ୍ତଚାପ କମିଯାଏ, ଅମ୍ଳଜାନ ଅଭାବ ଦେଖାଯିବା ସହ ରକ୍ତରେ ଅଧିକ ଅମ୍ଳ ସୃଷ୍ଟି ହୋଇ ଫୁସ୍‌ଫୁସ୍‌ରେ ତରଳ ପଦାର୍ଥ ଜମେ।

ଗବେଷକମାନେ ଆହୁରି କହିଛନ୍ତି ଯେ ସାଇଟୋକାଇନ୍ ଷ୍ଟମ୍ ଯୋଗୁଁ ଶ୍ବେତରକ୍ତ କଣିକାଗୁଡ଼ିକ ଭୁଲ୍ ନିର୍ଦେଶ ପାଆନ୍ତି। ତେଣୁ ସେମାନେ ଶରୀରରେ ଥିବା ସୁସ୍ଥ ଟିସ୍ୟୁଗୁଡ଼ିକୁ ଆକ୍ରମଣ କରି ପ୍ରଦାହ ସୃଷ୍ଟ କରନ୍ତି। ଯେଉଁଥିପା‌ଇଁ ଫୁସ୍‌ଫୁସ୍, ହୃଦ୍‌ପିଣ୍ଡ, ଯକୃତ, ଅନ୍ତଃନଳୀ, ବୃକ୍କ ଓ ପ୍ରଜନନାଙ୍ଗ ପ୍ରଭୃତି ଅକାମୀ ହୋଇଯାଏ।

ସମ୍ବନ୍ଧିତ ଖବର