ଜନବହୁଳ ସହରରେ ରହୁଥିଲେ, ନିଜର ଗାଡ଼ିମୋଟର ରଖିବା ପାଇଁ ପାର୍କିଂ ସ୍ଥାନ ଖୋଜିବା ମୁଣ୍ଡବିନ୍ଧାର କାରଣ ହୋଇଥାଏ। ସ୍ଥାନ ମିଳିଲେ ବି ସେଠି ଗାଡ଼ି ନେଇ ରଖିବା ମଧ୍ୟ କଷ୍ଟକର ହୋଇଥାଏ। ଅପରପକ୍ଷେ, ଗାଡ଼ିକୁ ଏଠି ସେଠି ରଖିଦେଲେ ତଣ୍ଡ ଗଣିବାର ଆଶଙ୍କା ଥାଏ। ଏଭଳି ତଣ୍ଡରୁ ବର୍ତ୍ତିବା ପାଇଁ ତାଇଵାନର ତାଇପେଇର ଜଣେ ବ୍ୟକ୍ତି ଏକ କଠୋର ପଦକ୍ଷେପ ନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୁବିଧା ପାଇଁ ନିଜ ଘର ଆଗରେ ସର୍ବସାଧାରଣ ରାସ୍ତାରେ ଗାଡ଼ି ରଖୁଥିବାରୁ ପ୍ରତ୍ୟହ ତଣ୍ଡ ଗଣି ଗଣି ଅତିଷ୍ଠ ହୋଇ ପଡ଼ିଥିବା ଏହି ବ୍ୟକ୍ତି ଜଣକ ତାଙ୍କ ଆପାର୍ଟମେଣ୍ଟ୍‌ ଛାତରେ ତାଙ୍କର ଭ୍ୟାନ୍‌ ଦୁଇଟିକୁ ରଖିବାର ବ୍ୟବସ୍ଥା କରିଛନ୍ତି। ତେବେ ଗୋଟିଏ ଗାଡ଼ି ଆପାର୍ଟମେଣ୍ଟ୍‌ ଛାତର ଉପରିଭାଗରେ ଥିଲା ବେଳେ ଅନ୍ୟଟି ଟିକେ ଝୁଲି ରହିଛି। ଏଥିପାଇଁ ସେ କ୍ରେନ୍‌ର ସାହାଯ୍ୟ ନେଇଛନ୍ତି। ଏଥି ସହିତ ଆପାର୍ଟମେଣ୍ଟ୍‌ର ଅନ୍ୟମାନଙ୍କୁ ସେ ବୁଝାଇ ଦେଇଛନ୍ତି କି ଛାତଟି ଲୁହା ଓ କଂକ୍ରିଟ୍‌ରେ ନିର୍ମିତ ହୋଇଥିବାରୁ ତାହା ଭ୍ୟାନ୍‌ ଦୁଇଟିର ଓଜନ ସମ୍ଭାଳିବାକୁ ଯଥେଷ୍ଟ ହେବ। ଅପରପକ୍ଷେ, ସହରର ଅଧିକାରୀ ଯେବେ ତାଙ୍କୁ ଗାଡ଼ି ଦୁଇଟିକୁ ଓହ୍ଲାଇ ଆଣିବା ଲାଗି କହିଲେ, ସେ ଏହା ଦ୍ବାରା ବୈଷୟିକ ଦୃଷ୍ଟିରୁ କୌଣସି ଆଇନ ଭଙ୍ଗ କରିନାହାନ୍ତି ବୋଲି ସଫେଇ ଦେଇଛନ୍ତି। ଚମତ୍କାର ତାଙ୍କ ବୁଦ୍ଧି!

Advertisment