ଭୋପାଳ: ଅନେକ ସମୟରେ ପୋଷା କୁକୁର ନିଜର ମାଲିକ ପାଇଁ ଜୀବନ ଦେଇ ଦେଇଥିବାର ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ଏହାର ଏକ ଓଲଟା ଘଟଣା ଦେଖିବାକୁ ମିଳିଛି। ଏଠାରେ ବସବାସ କରୁଥିବା ଜଣେ ବ୍ୟକ୍ତି ତାଙ୍କ ପୋଷା କୁକୁରର ମୃତ୍ୟୁ ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ଛିନ୍ଦୱାଡା କୋତବାଲି ଥାନା ସୋନପୁର ଅଞ୍ଚଳରେ ୪୩ ବର୍ଷୀୟ ସଞ୍ଜୀବ ମଣ୍ଡଳ ନିଜର ପୋଷା କୁକୁରର ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଆଉ ଶେଷରେ ଏହା ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରରୋଚିତ କରିଥିଲା।
ମୃତକ ସଞ୍ଜୀବ ମଣ୍ଡଳଙ୍କ ପୁଅଙ୍କ କହିବାନୁସାରେ, ଆମ ଘରେ ଏକ କୁକୁର ରହୁଥିଲା। ଯାହାର ମୃତ୍ୟୁ ହେବା ପରେ ବାପା ବହୁତ ଭାଙ୍ଗି ପଡ଼ିଥିଲେ। ଅପରାହ୍ନରେ କାମ ସାରି ଘରକୁ ଫେରିବା ପରେ ବାପା ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲି।
ଏହି ଘଟଣାକୁ ନେଇ କୋତବାଲି ପୁଲିସ ଇନ୍ସପେକ୍ଟର ମନୀଷରାଜ ଭଦୋରିଆ ସୂଚନା ଦେଇ କହିଛନ୍ତି, ସଞ୍ଜୀବ ମଣ୍ଡଳ ନାମକ ବ୍ୟକ୍ତି ଘରେ ଏକ ପୋଷା କୁକୁର ପାଳିଥିଲେ। ଏହି ପୋଷା କୁକୁର ଦୁଇଦିନ ପୂର୍ବରୁ କେଉଁଆଡେ ନିଖୋଜ ହୋଇଯାଇଥିଲା। ଦୁଇଦିନ ପରେ ସଞ୍ଜୀବ ତାଙ୍କ ପୋଷାକୁକୁରକୁ ମୃତ ଅବସ୍ଥାରେ ପାଇଥିଲେ। ତେବେ କୁକୁରର ମୃତ୍ୟୁ ହୋଇଯିବା ପରେ ନିଜ ମନକୁ ବୁଝାଇ ପାରି ନଥିଲେ ସଞ୍ଜୀବ ମଣ୍ଡଳ । ନିଜ ପୋଷାକୁକୁରକୁ ଝୁରିଝୁରି ଶେଷରେ ସେ ଆତ୍ମହତ୍ୟା କରିଥିଲେ।