ଖାଦ୍ୟ ପ୍ରସ୍ତୁତି ପାଇଁ ଉଦ୍ଭିଦମାନେ ସୌରଶକ୍ତିକୁ ବ୍ୟବହାର କରି ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଜାରି ରଖିଥା’ନ୍ତି। ଏହି ପ୍ରକ୍ରିୟାରେ ଉଦ୍ଭିଦ ଭଳି ବିଭିନ୍ନ ଶୈବାଳ ଓ ଅଣୁବୀଜ ମଧ୍ୟ ଅମ୍ଳଜାନ ଉତ୍ପାଦନ କରନ୍ତି। ସେଥି ମଧ୍ୟରୁ ପ୍ରୋକ୍ଲୋରୋକୋକସ୍ ପୃଥିବୀର ଶ୍ରେଷ୍ଠ ଆଲୋକସଂଶ୍ଳେଷକ ଭାବେ ବିବେଚନା କରାଯାଏ। ଏହି ବୀଜାଣୁମାନେ ପୃଥିବୀର ସମୁଦାୟ ଅମ୍ଳଜାନର ପ୍ରାୟ ଏକ-ତୃତୀୟାଂଶ ଉତ୍ପାଦନ କରନ୍ତି। ଏକ ନୂତନ ଅଧ୍ୟୟନ ଅନୁଯାୟୀ, ସମୁଦ୍ର ତାପମାତ୍ରା ବୃଦ୍ଧି ଯୋଗୁଁ ପ୍ରୋକ୍ଲୋରୋକୋକସ୍ମାନଙ୍କର ସ୍ଥିତି ଦୁର୍ବଳ ହୋଇଯାଉଛି।
ଉଲ୍ଲେଖଯୋଗ୍ୟ, ସୌରଆଲୋକିତ ଜଳପୃଷ୍ଠର ୭୫%ରୁ ଅଧିକ ସ୍ଥାନରେ ପ୍ରୋକ୍ଲୋରୋକୋକସ୍ ବ୍ୟାପି ରହିଛନ୍ତି। ସେମାନେ ଉଷ୍ଣ, ଅଳ୍ପ ପୁଷ୍ଟିକର ସ୍ଥିତି ସହିତ ଭଲ ଭାବରେ ଖାପଖୁଆଇ ପାରନ୍ତି। ମାତ୍ର ପ୍ରୋକ୍ଲୋରୋକୋକସ୍ ପାଇଁ ଉତ୍ତାପ ସର୍ବଦା ଭଲ ନୁହେଁ ବୋଲି ସଦ୍ୟ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ଗବେଷକମାନେ ୧୩ ବର୍ଷ ଧରି ୮୦ ହଜାର କୋଟି ପ୍ରୋକ୍ଲୋରୋକୋକସ୍ କୋଷର ବିଶ୍ଳେଷଣ କରି ଏପରି ନିଷ୍କର୍ଷରେ ପହଞ୍ଚିଛନ୍ତି। ସେମାନଙ୍କ ପାଇଁ ଆଦର୍ଶ ତାପମାତ୍ରା ପରିସର ୧୯ରୁ ୨୮ ଡିଗ୍ରି ସେଲସିଅସ୍ ହୋଇଥିବା ବେଳେ ଆଗାମୀ ୭୫ ବର୍ଷ ଭିତରେ ଅନେକ ଉଷ୍ଣ କ୍ରାନ୍ତିମଣ୍ଡଳୀୟ ଏବଂ ଉପ-ଉଷ୍ଣକ୍ରାନ୍ତିମଣ୍ଡଳୀୟ ଜଳ ସେହି ଉପର ସୀମା ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି।