ସୂର୍ଯ୍ୟରଶ୍ମିରୁ ପୃଥିବୀକୁ ଆସୁଥିବା ଅତ୍ୟନ୍ତ ବିପଜ୍ଜନକ ଅତିବାଇଗଣୀ ବିକିରଣ ରଶ୍ମି (ଅଲଟ୍ରା ଭାଓଲେଟ୍ ରେ)ରୁ ଆମକୁ ସୁରକ୍ଷିତ ରଖିଥାଏ ଓଜୋନ୍ ସ୍ତର। ବାୟୁମଣ୍ଡଳରେ ଏହି ସ୍ତର ନଥିଲେ ଜୀବଜଗତର ସ୍ଥିତି କେବେଠାରୁ ବିପନ୍ନ ହୋଇ ସାରିଥାଆନ୍ତା। କାରଣ ଅଲଟ୍ରା ଭାଓଲେଟ୍ ରଶ୍ମିରେ ଥିବା କ୍ଷତିକାରକ ପଦାର୍ଥକୁ ଓଜୋନ୍ ସ୍ତର ଛାଣି ପୃଥିବୀକୁ ଛାଡ଼ିଥାଏ। କିନ୍ତୁ ବ୍ୟାପକ ଅଙ୍ଗାରକ ନିର୍ଗମନ ଓ କ୍ଲୋରୋଫ୍ଲୋରୋ କାର୍ବନ (ସି.ଏଫ୍.ସିଏସ୍.) ଭଳି ମାରାତ୍ମକ ଗ୍ୟାସ୍ ଓଜୋନ୍ ସ୍ତରରେ ଛିଦ୍ର ସୃଷ୍ଟି କରିଛି। ଆଜି ଯେତେବେଳେ ପୃଥିବୀ ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପମାତ୍ରା ବୃଦ୍ଧି ଓ ପାରିବେଶିକ ଅବକ୍ଷୟଜନିତ ବିପଦରେ ଛଟପଟ ହେଉଛି ସେତେବେଳେ ଓଜୋନ୍ ସ୍ତରର ସୁରକ୍ଷା ସମଗ୍ର ବିଶ୍ୱବାସୀଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ।
୨୦୨୫ ଓଜୋନ୍ ଦିବସର ବାର୍ତ୍ତା ରହିଛି, ବିଜ୍ଞାନର ସାଧନରେ ବିଶ୍ୱସ୍ତରୀୟ ବୈଜ୍ଞାନିକ ଗବେଷଣା, ସହଯୋଗ ଓ ଜନସହଭାଗିତା ମାଧ୍ୟମରେ ଏକ ସୁରକ୍ଷିତ ଓଜୋନ୍ ସ୍ତର। ଏହା ହିଁ ଉତ୍ତମ ପରିବେଶ ନିର୍ମାଣରେ ସହାୟକ ହୋଇପାରିବ।
ଏହାର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାକୁ ପ୍ରତିବର୍ଷ ସେପ୍ଟେମ୍ବର ୧୬ ତାରିଖରେ ପାଳନ ହେଉଛି ବିଶ୍ୱ ଓଜୋନ୍ ଦିବସ। ଓଜୋନ୍ ସ୍ତରକୁ ନେଇ କେତେକ କୌତୂହଳ ପ୍ରସଙ୍ଗ ରହିଛି, ଯାହା ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ୧୯୧୩ ମସିହାରେ ପ୍ରଥମେ ଓଜୋନ୍ ସ୍ତରର ସନ୍ଧାନ ମିଳିଥିଲା। ଓଜୋନ୍ ସ୍ତର ମେରୁରେ ଅଧିକ ମୋଟା ଓ ବିଷୁବ ରେଖାରେ ପତଳା ହେଲେ ମଧ୍ୟ ଏହା ସମଗ୍ର ପୃଥିବୀକୁ ସମାନ ମାତ୍ରାରେ ସୁରକ୍ଷା ଦେଇଥାଏ। ୧୯୮୫ ମସିହାରେ ଆଣ୍ଟାର୍କଟିକା ଉପରେ ଓଜୋନ୍ ସ୍ତରରେ ଛିଦ୍ର ଆବିଷ୍କୃତ ହୋଇଥିଲା। ଏହା ମୁଖ୍ୟତଃ ଶୀତଳୀକରଣ ପ୍ଲାଣ୍ଟ୍ ଓ ଏୟାର୍ କଣ୍ଡିସନର୍ରୁ ନିର୍ଗତ ସି.ଏଫ୍.ସିଏସ୍. ଭଳି ରାସାୟନିକ ଗ୍ୟାସ୍ ଯୋଗୁଁ ହୋଇଥିଲା। ଏହାପାଇଁ ଆଜି ପ୍ରାଣୀଜଗତ ଏକ ପ୍ରକାରର ବିପନ୍ନ ସ୍ଥିତି ଦେଇ ଗତି କରୁଛନ୍ତି। କୌତୂହଳର ପ୍ରସଙ୍ଗ ହେଉଛି, ବାୟୁମଣ୍ଡଳର ଷ୍ଟ୍ରାଟୋସ୍ଫିୟର୍ରେ ଥିବା ‘ଓଜୋନ୍ ଗ୍ୟାସ୍’ ଆମକୁ ସୁରକ୍ଷା ଯୋଗାଇ ଦେଉଥିବାରୁ ଏହା ଉତ୍ତମ ଓଜୋନ୍ ଗ୍ୟାସ୍ ବୋଲି ଅଭିହିତ। କିନ୍ତୁ ଭୂମି ନିକଟରେ (ଟ୍ରୋପୋସ୍ଫିୟର୍ରେ) ଥିବା ଓଜୋନ୍ ଗ୍ୟାସ୍ ଏକ କ୍ଷତିକାରକ ବାୟୁ ପ୍ରଦୂଷଣକାରୀ ପଦାର୍ଥ, ଯାହା ପ୍ରାଣୀଜଗତର ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ। ଏହାକୁ ଖରାପ ଓଜୋନ୍ ଗ୍ୟାସ୍ ବୋଲି କୁହାଯାଏ।
ବିଶ୍ୱ ଓଜୋନ୍ ଦିବସ ପାଳନ ବୈଜ୍ଞାନିକ ଗବେଷଣାକୁ ଗୁରୁତ୍ୱ ଓ ପ୍ରୋତ୍ସାହନ, ଓଜୋନ୍ ସ୍ତରର ସୁରକ୍ଷା ଓ ସଚେତନତା ଏବଂ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ବିଶ୍ୱସ୍ତରରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥାଏ। ବିଶ୍ୱ ଓଜୋନ୍ ଦିବସ ଏହି କଥାକୁ ସ୍ମରଣ କରାଇ ଦେଉଛି, ଆଜି ଯେତେବେଳେ ଏହି ସ୍ତରରେ ଗର୍ତ୍ତ ସୃଷ୍ଟି ହୋଇ ମାନବ ଜାତି ପାଇଁ ବିପଦ ସାବ୍ୟସ୍ତ ହେଲାଣି ଆମେ ସମସ୍ତେ ସାମୂହିକ କାର୍ଯ୍ୟକ୍ରମ ଜରିଆରେ ଏହି ବୈଶ୍ୱିକ ଆହ୍ୱାନର ମୁକାବିଲା କରିବା ଦରକାର। ଓଜୋନ୍ ସ୍ତରର ସୁରକ୍ଷା କେବଳ ଏକ ପରିବେଶଗତ ଚିନ୍ତା ନୁହେଁ, ଏହା ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ, ସୁରକ୍ଷିତ ଓ ସ୍ଥାୟୀ ପୃଥିବୀ ସୁନିଶ୍ଚିତ କରିବା ପାଇଁ ଅତ୍ୟାବଶ୍ୟକ। ସେଥିପାଇଁ ୨୦୨୫ ଓଜୋନ୍ ଦିବସର ବାର୍ତ୍ତା ରହିଛି, ବିଜ୍ଞାନର ସାଧନରେ ବିଶ୍ୱସ୍ତରୀୟ ବୈଜ୍ଞାନିକ ଗବେଷଣା, ସହଯୋଗ ଏବଂ ଜନସହଭାଗିତା ମାଧ୍ୟମରେ ଏକ ସୁରକ୍ଷିତ ଓଜୋନ୍ ସ୍ତର। ଏହା ହିଁ ଉତ୍ତମ ପରିବେଶ ନିର୍ମାଣରେ ସହାୟକ ହୋଇପାରିବ।