ଟେଲ୍ ମ୍ୟାନେଜ୍ମେଣ୍ଟ ପଢ଼ା ସାରିବା ପରେ ମଙ୍ଗେଶ ଝା ହୋଟେଲ୍ରେ ବଡ଼ ଚାକିରିଟିଏ କରିଥିଲେ। ଭଲ ରୋଜଗାର ବି କରୁଥିଲେ। ଏବେ କିନ୍ତୁ ଚାକିରିବାକିରି ଛାଡ଼ି ୨୯ ବର୍ଷୀୟ ମଙ୍ଗେସ୍ ମହିଳାମାନଙ୍କ ସ୍ୱାସ୍ଥ୍ୟସେବାରେ ନିଜକୁ ସ୍ୱେଚ୍ଛାକୃତ ଭାବେ ନିୟୋଜିତ କରିଛନ୍ତି। ସେ ଝାଡ଼ଖଣ୍ଡର ଅନେକ ଗାଁକୁ ଯାଇଛନ୍ତି। ଯାନବାହନ ଯାଇ ପାରୁ ନ ଥିବା ଗାଆଁକୁ ପାଦରେ ଚାଲି ଚାଲି ପହଞ୍ଚିଛନ୍ତି। ମୁଖ୍ୟ ଉଦ୍ଦେଶ୍ୟ ମହିଳାମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଇବା ଏବଂ ସେମାନଙ୍କ ନିକଟରେ ପ୍ୟାଡ୍ ବା ସାନିଟାରି ନାପ୍କିନ୍ ପହଞ୍ଚାଇବା। ଏବେ ସେ ପ୍ୟାଡ୍ମ୍ୟାନ ଭାବେ ପରିଚିତ।
୨୦୦୯ରେ ମଙ୍ଗେସ୍ ହୋଟେଲ୍ ମ୍ୟାନେଜ୍ମେଣ୍ଟ ପଢ଼ା ସାରିବା ପରେ କେତେକ ବଡ଼ ହୋଟେଲ୍ରେ କାମ କରିଥିଲେ। ସେତେବେଳେ ସେ ଅନୁଭବ କରିଥିଲେ ଯେ ସହରର ହୋଟେଲ୍ଗୁଡ଼ିକରେ ପରଷା ଯାଉଥିବା ଖାଦ୍ୟ ପ୍ରାୟତଃ ବଳି ପଡୁଛି ଏବଂ ନଷ୍ଟ ହେଉଛି। ମାତ୍ର ଗ୍ରାମାଞ୍ଚଳ, ଆଦିବାସୀ ଅଞ୍ଚଳଗୁଡ଼ିକରେ ଖାଦ୍ୟାଭାବ ରହୁଛି। ଏଭଳି ଏକ ଅସମାନତାକୁ ସେ ଲକ୍ଷ୍ୟ କରିଥିଲେ। ସହର ଓ ଆଦିବାସୀ ଅଞ୍ଚଳ ମଧ୍ୟରେ ଏଭଳି ଆହୁରି ଅନେକ ଅସମାନତା ଥିବା ସେ ଅନୁଭବ କରିଥିଲେ। ତେଣୁ ଆଦିବାସୀମାନଙ୍କ ପାଇଁ ସେ କିଛି କରିବେ ବୋଲି ମନସ୍ଥ କରିଥିଲେ। ମଙ୍ଗେସ୍ ଚାକିରି ଛାଡ଼ି ରାଞ୍ଚିରେ ବାପାଙ୍କ ପାଖରେ ରହିଲେ। ସେଠୁ ଅଦିବାସୀ ଗାଁଗୁଡ଼ିକୁ ଯିବା ଆସିବା କଲେ। ମହିଳାମାନଙ୍କର ବଡ଼ ସମସ୍ୟା ଥିଲା ମାସିକ ଧର୍ମ ସମୟରେ ସେମାନେ ବ୍ୟବହାର କରୁଥିବା ଅପରିଚ୍ଛନ୍ନ କପଡ଼ା, ଘାସ ବା ସେହିପରି ଆଉକିଛି ଅନୁପଯୋଗୀ ସାମଗ୍ରୀ। ମଙ୍ଗେସ୍ ସେମାନଙ୍କୁ ଶସ୍ତାରେ ପ୍ୟାଡ୍ ବା ସାନିଟାରି ନାପ୍କିନ୍ ଯୋଗାଇବା ଆରମ୍ଭ କରିଥିଲେ। ଏଭଳି ସାନିଟାରି ନାପ୍କିନର ପ୍ରସ୍ତୁତି ଦାୟିତ୍ୱ ପ୍ରଥମେ ତାଙ୍କ ମା’ ନେଇଥିଲେ। ପରେ ଗାଁର ଅନ୍ୟମାନେ ଏ କ୍ଷେତ୍ରରେ ସହାୟତା କରିବା ପାଇଁ ଆଗେଇ ଆସିଥିଲେ। ଏବେ ମଙ୍ଗେସ୍ ଗାଁରେ ସାନିଟାରି ନାପ୍କିନ୍ର ଛୋଟ ମାନୁଫ୍ୟାକ୍ଚରିରିଂ ୟୁନିଟ୍ଟିଏ ସ୍ଥାପନ କରିବା ପାଇଁ ଚାହୁଛନ୍ତି।
ତେବେ ମଙ୍ଗେସ୍ ଯେତେବେଳେ ଏହି କାମ ଗ୍ରାମାଞ୍ଚଳରେ ଯାଇ ଆରମ୍ଭ କରିଥିଲେ ପ୍ରଥମେ ଲୋକମାନେ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିଥିଲେ। ଏପରିକି ଏ ବିଷୟରେ କେହି ଆଲୋଚନା କରୁ ସେମାନେ ଚାହୁ ନ ଥିଲେ। ମହିଳାମାନେ ମଙ୍ଗେସ୍ଙ୍କ କଥା ଶୁଣିବା ପାଇଁ ଆଦୌ ପ୍ରସ୍ତୁତ ନ ଥିଲେ। ଧୀରେ ଧୀରେ ମହିଳାମାନେ ଏ ଦିଗରେ ସଚେତନ ହେଲେ। ଋତୁ ବା ମାସିକଧର୍ମ ସମୟରେ ସଫାହୋଇ ନ ଥିବା କପଡ଼ା ବା ଘାସ ଆଦି ବ୍ୟବହାର କରିବା ଦ୍ୱାରା ସଂକ୍ରମଣର ଯଥେଷ୍ଟ ସମ୍ଭାବନା ସହ ଆହୁରି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାର ସେମାନେ ଅନୁଭବ କରିଥିଲେ। ଜୋହ୍ନା ପଞ୍ଚାୟତ ଅନ୍ତର୍ଗତ ଜିଡ୍ଡୁ ଗ୍ରାମର ଜନୈକ ଆଦିବାସୀ ମୁଖିଆଙ୍କ ପତ୍ନୀ ପୁନମ୍ ଦେବୀ କହନ୍ତି, ‘‘ପ୍ରାୟ ୭୦ ପ୍ରତିଶତ ମହିଳା ମାସିକ ଧର୍ମ ସମୟରେ କେତେକ ଅସ୍ୱାସ୍ଥ୍ୟକର ବାଟକୁ ଆପଣେଇ ନେଇଥା’ନ୍ତି।’’
ମଙ୍ଗେସ୍ଙ୍କ ସଚେତନତା କାର୍ଯ୍ୟକ୍ରମର ପ୍ରଭାବ ଏବେ ମହିଳା ମାନଙ୍କ ଉପରେ ପଡ଼ିଛି। ସେମାନେ ପିରିୟଡ୍ ସମୟରେ ସଫା କପଡ଼ା ବ୍ୟବହାର କରୁଛନ୍ତି, ଯେଉଁମାନଙ୍କର ପ୍ୟାଡ୍ କିଣିବାର ସାମର୍ଥ୍ୟ ରହିଛି ସେମାନେ କିଣି ବ୍ୟବହାର କରୁଛନ୍ତି ବୋଲି କହନ୍ତି ଅନ୍ୟଜଣେ ମହିଳା ରସୋ ଦେବୀ। ଏବେ ମଙ୍ଗେସ୍ ସାମାଜିକ ଗଣମାଧ୍ୟମଗୁଡ଼ିକରେ ମଧ୍ୟ ଏହି ଅଭିଯାନକୁ ତ୍ୱରାନ୍ଵିତ କରିଛନ୍ତି। ଲୋକମାନଙ୍କ ସମର୍ଥନ ମଧ୍ୟ ମିଳିବା ଆରମ୍ଭ କରିଛି। ସେମାନେ ଡୋନେସନ୍ ଦେଉଛନ୍ତି। ତେବେ ଡୋନେସନ୍ ଅର୍ଥ ଆକାରରେ ଗ୍ରହଣ କରୁ ନାହାନ୍ତି ମଙ୍ଗେସ୍। ନିକଟରେ ଦିଲ୍ଲୀର ଜଣେ ବ୍ୟକ୍ତି ୨୮ ବସ୍ତା ସାନିଟାରି ନାପ୍କିନ୍ ପଠାଇଥିଲେ, ସେସବୁ ମହିଳାଙ୍କ ମଧ୍ୟରେ ବାଣ୍ଟି ଦିଆ ଯାଇଥିଲା।
ମଙ୍ଗେସ୍ ଆଦିବାସୀ ମହିଳାଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ତା’ର ସମାଧାନ ପାଇଁ ମଧ୍ୟ ଅଣ୍ଟା ଭିଡ଼ିଛନ୍ତି। ସେ ନିକଟରେ କିଛି ମହିଳାଙ୍କୁ ହାଉସ୍କିପିଂ ତାଲିମ୍ ଦେବା ପରେ ସେମାନଙ୍କୁ ହସ୍ପିଟାଲ୍ରେ କାମ କରିବାର ସୁଯୋଗ ଦେଇଛନ୍ତି। ‘‘ସାମାଜିକ କିମ୍ବା ସ୍ୱାସ୍ଥ୍ୟଗତ ସଂସ୍କାର ପାଇଁ କୋଟି କୋଟି ଟଙ୍କାର ଆବଶ୍ୟକ ନାହିଁ, ସ୍ୱେଚ୍ଛାକୃତ ଭାବେ ସାମାନ୍ୟ ଉଦ୍ୟମ ଏକ ପରିବର୍ତ୍ତନ ଆଣିପାରିବ’’ ବୋଲି କହନ୍ତି ମଙ୍ଗେସ୍।