ରବି ଧାନର ଅଭାବୀ ବିକ୍ରି ନେଇ ସରକାରଙ୍କୁ ‌ଘେରିଲେ ବିରୋଧୀ, ଚାଷୀଙ୍କଠୁ କିଣାଯିବ ବଳକା ଧାନ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର : ବିଧାନସଭାର ପ୍ରତ୍ୟେକ ଅଧିବେଶନରେ ଧାନର ଅଭାବୀ ବିକ୍ରି ନେଇ ଆଲୋଚନା ହେଉଛି, କିନ୍ତୁ ଫଳ ଶୂନ୍। ଚାଷୀ ଯେଭଳି ଆଗରୁ ଦଲାଲ ଓ ମିଲରମାନଙ୍କ ଶିକାର ହେଉଥିଲା ଏବେ ବି ହେଉଛି। ବାଲେଶ୍ବର ଓ ଭଦ୍ରକରୁ ଧାନ ସମ୍ବଲପୁରରେ ବିକ୍ରି ହେଉଛି। ସମବାୟ ସମିତି ଅଧିକାରୀ ଓ ମିଲରମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ମଣ୍ଡିରୁ ଧାନ ଉଠୁନି। ଅଦିନିଆ ବର୍ଷାରେ ଧାନ ଓଦା ହୋଇ ଗଜା ହେଲାଣି। ଫଳରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କା ବଦଳରେ ବାଧ୍ୟ ହୋଇ ୧୨୦୦ରୁ ୧୪୦୦ ଟଙ୍କାରେ ବିକ୍ରି କରିବାକୁ ଚାଷୀ ବାଧ୍ୟ ହେଉଛି। ଏପରିକି କୋରାପୁଟରେ ରବି ଧାନ ସଂଗ୍ରହ ପାଇଁ କିଛି ବି ଟର୍ଗେଟ ଦିଆଯାଇନଥିବା ନେଇ ଆଜି ସରକାରଙ୍କୁ ଗୃହରେ ଘେରିଛନ୍ତି ବିରୋଧୀ।

ଧାନର ଅଭାବୀ ବିକ୍ରି ନେଇ ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ଆସିଥିବା ମୁଲତବୀ ଆଲୋଚନାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୫୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ୬୪ ଲକ୍ଷ ୫୧ ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ ହେଲାଣି। ବିଗତ ବର୍ଷଠାରୁ ଏହା ୩୧ ପ୍ରତିଶତ ଅଧିକ। ଚଳିତ ବର୍ଷ ଖରିଫ ଓ ରବି ଧାନ ସଂଗ୍ରହ ୬୫ ଲକ୍ଷ ମେଟ୍ରିକ ଟନ୍ ଟପିବ। ଯାହାକି ସର୍ବକାଳୀନ ରେକର୍ଡ଼ ହେବ। ଖରିଫ ଧାନ ବିକ୍ରି ବାବଦରେ ବର୍ତ୍ତମାନ ସୁଦ୍ଧା ୮ ଲକ୍ଷ ୬୩ ହଜାର ଚାଷୀଙ୍କୁ ୯ ହଜାର ୨ କୋଟି ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ତେବେ ଯୋଗାଣ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ଓ କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିେଲ।

ଶୁକ୍ରବାର ଗୃହରେ ‘ରବି ଫସଲରେ ଅମଳ ହୋଇଥିବା ଧାନର ଅଭାବୀ ବିକ୍ରି, ଧାନ କିଣାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ’ ଶୀର୍ଷକ ମୁଲତବୀ ଆଲୋଚନା ଆରମ୍ଭ କରି ବିଜେପିର ସମ୍ବଲପୁର ସଦସ୍ୟ ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ, ରବି ଧାନ କିଣା ଗତ ୧୮ ତାରିଖରୁ ସମ୍ବଲପୁର ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ବାଲେଶ୍ବରରେ ଧାନ କିଣାରେ ବ୍ୟାପକ ଜାଲିଆତି କରାଯାଉଛି। ଏପରିକି ବାଲେଶ୍ବରର ଧାନ ସମ୍ବଲପୁରରେ ଅଭାବୀ ବିକ୍ରି ହେଉଛି। କୌଣସି ସମବାୟ ସଂସ୍ଥା ଦ୍ବାରା ଧାନ କିଣା ଯାଉନି। ମିଲରମାନେ ଦଲାଲମାନଙ୍କ ଜରିଆରେ ଚାଷୀଙ୍କଠୁ ୧୨୦୦ ଟଙ୍କାରୁ ୧୪୦୦ ଟଙ୍କା ଭିତରେ ଧାନ କିଣୁଛନ୍ତି। ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି କାମ କରୁନି। ଜିଲ୍ଲା ଵାରି ଟାର୍ଗେଟ ଦିଆଯାଉଛି ଅଥଚ ବାସ୍ତବରେ ଧାନ ସଂଗ୍ରହ ନହୋଇ ଚଞ୍ଚକତା କରି କାଗଜ କଲମରେ ଟାର୍ଗେଟ ସମ୍ପୂର୍ଣ୍ଣ ହେଲା ବୋଲି ଦର୍ଶାଇ ଦିଆଯାଉଛି। ଫଳରେ ଚାଷୀ ବାଧ୍ୟ ହୋଇ ବାହାର ରାଜ୍ୟକୁ ଧାନ ବିକିବାକୁ ଯାଉଛି, ନ ହେଲେ ଅସହାୟ ହୋଇ ମିଲରମାନଙ୍କୁ ଅତି କମ ଦରରେ ଧାନ ବିକୁଛି।

ଶ୍ରୀ ମିଶ୍ର ଆହୁରି କହିଥିଲେ ମଣ୍ଡି ଅବସ୍ଥା ଏପରି ଯେ, ଅଦିନିଆ ବର୍ଷା ହେଲେ ଚାଷୀର ଧାନ ଓଦା ହୋଇଯାଉଛି। ବଲାଙ୍ଗୀର, ସୋନପୁର ଜିଲ୍ଲାରେ ମଣ୍ଡିରେ ପଡ଼ିପଡ଼ି ଧାନ ଗଜା ହେଲାଣି। ବାତ୍ୟା କ୍ଷୟକ୍ଷତି ସହାୟତା ଓ ଘୋଷଣା ହୋଇଥିବା ଇନପୁଟ ସବସିଡି ଏଯାଏଁ ଚାଷୀମାନଙ୍କୁ ମିଳିନି। ସମବାୟ ତଥା ଯୋଗାଣ ମନ୍ତ୍ରୀ ନିଜେ ମଣ୍ଡିକୁ ଯାଇ ଧାନ ସଂଗ୍ରହର ବାସ୍ତବ ଚିତ୍ର ଦେଖନ୍ତୁ।

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ, ମନ୍ତ୍ରୀ ପ୍ରାରମ୍ଭିକ ଭାବେ ଗୃହରେ ଯାହା ଉତ୍ତର ରଖିଛନ୍ତି ସେସବୁ ଅସତ୍ୟ। ମନ୍ତ୍ରୀ ନିଜେ ଜଣେ ବଡ଼ ଚାଷୀ ପରିବାରରୁ ଆସିଥିଲେ ବି ଚାଷୀଙ୍କ ବାସ୍ତବ ଦୁଃଖ ବୁଝିପାରୁନାହନ୍ତି। ଓଡ଼ିଶାର ଧାନ ଛତିଶଗଡ଼ ଓ ଆନ୍ଧ୍ର ଚାଲିଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ ଟଙ୍କିଆ ଚାଉଳ ଦେଇ ବାହାବା ନେଉଛନ୍ତି। କିନ୍ତୁ ସେହି ଚାଉଳ କେନ୍ଦ୍ର ସରକାରଙ୍କଠୁ ଆଣୁଛନ୍ତି।

ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରି କହିଥିଲେ, ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ ବରଗଡ଼ ଆସି ଧାନର ଉତ୍ପାଦନ ମୂଲ୍ୟଠାରୁ ଦେଢ଼ଗୁଣ ଏମ୍‌ଏସ୍‌ପି କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେ ଆଜି ପାଣିର ଗାର ପାଲଟିଛି। ଏହି ଗୃହରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ସର୍ବସମ୍ମତିକ୍ରମେ ସଂକଳ୍ପ ପାରିତ ହେଲା। ଏଥିପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ଗୃହ କମିଟି ଗଠନ ହେଲା। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଗୃହ କମିଟି ବାରମ୍ବାର ସମୟ ମାଗିଥିଲେ ବି ପ୍ରଧାନମନ୍ତ୍ରୀଙ୍କଠୁ କିଛି ଉତ୍ତର ଆସିଲାନି। ତେବେ ସାଲୁଜାଙ୍କୁ ବିରୋଧକରି ଗୃହରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ଅନ୍ୟ ବିଜେପି ସଦସ୍ୟମାନେ ପାଟିତୁଣ୍ଡ କରିଥିଲେ।ଏମଏସପି ବୃଦ୍ଧି ନେଇ ବାଚସ୍ପତି ପୁଣି ଥରେ ଗୃହ କମିଟି ବୈଠକ ଡାକନ୍ତୁ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଶ୍ରୀ ସାଲୁଜା ଉପବାଚସ୍ପତି ରଜନୀକାନ୍ତ ସିଂହକୁ ନିବେଦନ କରିଥିଲେ।

ବିଜେପି ବିଧାୟକ ବିଷ୍ଣଚରଣ ସେଠୀ କହିଲେ, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରୁ ଶହଶହ ଟ୍ରକ ଧାନ ଚୋରାରେ ପଶ୍ଚିମବଙ୍ଗ ଓ ଆନ୍ଧ୍ରକୁ ଚାଲାଣ ହେଉଛି। ଆମଠୁ ଧାନ ନେଇ ଆନ୍ଧ୍ର ଚାଉଳ କରି ପୁଣି ଥରେ ସେହି ଚାଉଳକୁ ବ୍ରାଣ୍ଡିଂ କରି ଚଢ଼ା ଦାମରେ ଆମକୁ ବିକୁଛି। ଅଥଚ ଚାଉଳ ଧାନକୁ ପ୍ରକ୍ରିୟାକରଣ କରିବାକୁ ଆମ ରାଜ୍ୟରେ ସାଧନ ନାହିଁ। ଭଦ୍ରକ ଜିଲ୍ଲାରେ ଧାନ ମଣ୍ଡିରେ ଧାନ ପଡ଼ି ଗଜା ହେଉଛି। ଏବେସୁଦ୍ଧା ଜିଲ୍ଲାରେ ଚାଷୀମାନଙ୍କ ପ୍ରାପ୍ୟ ବାଦରେ ୧ କୋଟି ଟଙ୍କା ବାକି ଅଛି। ଶ୍ରୀ ସେଠୀ କହିଥିଲେ ଜିଲ୍ଲାରେ ଚାଷୀର ଅବସ୍ଥା ଏପରି ଧାନ ଦେଇ ସମବାୟ ସମିତିରୁ ଟଙ୍କା ପାଉନି। ଦଲାଲମାନେ ଧାନ ଚାଷ ଆରମ୍ଭ ହେବା ପୂର୍ବରୁ ଚାଷୀଙ୍କୁ ୧୦ରୁ ୧୫ ହଜାର ଟଙ୍କା ଅଗ୍ରୀମ ଦେଇ ସେହିମାନଙ୍କୁ ପ୍ରଥମ ଅମଳ ଦାନ ବିକିବାକୁ ଚୁକ୍ତିନାମା କରାଇ ନେଉଛନ୍ତି। ମିଲରମାନଙ୍କ ସହିତ ଯୋଗାଣ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି। ସମାନ ଅଭିଯୋଗ ଆଣି ବାଲେଶ୍ବର ସଦସ୍ୟ ମଦନମୋହନ ଦତ୍ତ କହିଥିଲେ, ବାଲେଶ୍ବର ଜିଲ୍ଲାରେ ଏକ ରୢାକେଟ୍‌ କାମ କରୁଛି। ଚାଷୀଙ୍କଠୁ କମ୍‌ ମୂଲ୍ୟରେ ଧାନ କିଣି ତାକୁ ଚଢ଼ା ଦରରେ ଅନ୍ୟ ରାଜ୍ୟରେ ବିକ୍ରି କରାଯାଉଛି।

ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ କହିଥିଲେ, ଧାନ କିଣାକୁ ସମ୍ପୂର୍ଣ୍ଣ ଭାବେ ସ୍ବୟଂକ୍ରିୟ କରାଯାଇଛି। ଏଥିରେ ଦୁର୍ନୀତି ହେବାର ନାହିଁ। ଚଳିତବର୍ଷ ଧାର୍ଯ୍ୟ ଲକ୍ଷ୍ୟଠାରୁ ସରକାର ଅଧିକ ଧାନ କିଣି ସାରିଲେଣି। ବୋନସ୍‌ ଦେଲେ ଏଫ୍‌ସିଆଇ ଧାନ କିଣିବନି ବୋଲି ଆଗରୁ ନିୟମ କରିଦେଇଛି। ସରକାର ଚାଷୀଙ୍କୁ ଧାନ ବିକିବାକୁ ବାଧ୍ୟ କରିପାରିବେ ନାହିଁ। ତଥାପି ଯଦି କେଉଁ ଜିଲ୍ଲାରେ ଚାଷୀଙ୍କଠୁ ଧାନ ସଂଗ୍ରହ ହୋଇନି ବୋଲି ଅଭିଯୋଗ ଅଛି ତାହେଲେ ସେଥିପାଇଁ ମନ୍ତ୍ରୀ ଉପଯୁକ୍ତ ପଦକ୍ଷେପ ନେବେ। ସେହିପରି ବିଜେଡି ବିଧାୟକ ଅଶ୍ବିନୀ ପାତ୍ର ଓ ବିଧାୟିକା ସ୍ନେହାଙ୍ଗୀନି ଛୁରିଆ ମଧ୍ୟ ଧାନ କିଣାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ବଜାୟ ରହିଥିବା କହିଥିଲେ। ବରଗଡ଼ ଜିଲ୍ଲାରେ ଧାନର କୌଣସି ଅଭାବୀ ବିକ୍ରି ହୋଇନାହିଁ। ଧାନର ଏମଏସପି ୨୯୩୦ କରିବା ନେଇ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ ଉପବାଚସ୍ପତିଙ୍କୁ ଶ୍ରୀମତୀ ଛୁରିଆ ପ୍ରସ୍ତାବ ଦେଇଥିଲେ। ଚାଷୀଙ୍କ ସ୍ବାର୍ଥକୁ କେନ୍ଦ୍ର ସରକାର ଅଟକାଇଛନ୍ତି ବୋଲି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିବାରୁ ଗୃହରେ ବିଜେପି ସଦସ୍ୟମାନେ ବିରୋଧ କରିଥିଲେ।

ମୁଲତବୀ ଆଲୋଚନାର ଶେଷରେ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ବାଇଁ ଗୃହରେ ପ୍ରତିଶ୍ରୁତି ଦେଇ କହିଥିଲେ, ରବି ଧାନ ସଂଗ୍ରହ ପାଇଁ ଆଉ ଦୁଇଦିନ ବାକି ଅଛି। ଯଦି ଚାଷୀମାନେ ସେମାନଙ୍କ ଅଧିକ ଅମଳ ଧାନ ବିକ୍ରି କରିବାକୁ ଚାହୁଁଛନ୍ତି ତା ହେଲେ ସରକାର ସେସବୁ ଧାନ ସଂଗ୍ରହ କରିବେ। ଗତବର୍ଷ ନଭେମ୍ବର ପହିଲାରୁ ଚଳିତବର୍ଷ ଏପ୍ରିଲ ୩୦ ପର୍ଯ୍ୟନ୍ତ ୫୧.୪୪ ଲକ୍ଷ ମେଟ୍ରିକ ଟନ୍ ଖରିଫ ଧାନ ସଂଗ୍ରହ ହୋଇଛି। ଯାହାକି ୨୦୧୭-୧୮ ତୁଳନାରେ ୩୫ ପ୍ରତିଶତ ଅଧିକ। ୨୫୮୨ଟି ପ୍ରାଥମିକ ସମବାୟ ସମିତି ଦ୍ବାରା ୩୧୫୪ କ୍ରୟ କେନ୍ଦ୍ର ଖୋଲାଯାଇ ଧାନ ସଂଗ୍ରହ କରାଯାଇଥିଲା। ରବି ଧାନ ସଂଗ୍ରହ ଗତ ମେ ପହିଲାରୁ ଚଳିତମାସ ୩୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଧାନ ସଂଗ୍ରହ ପାଇଁ ଆଉ ମାତ୍ର ଦୁଇଦିନ ବାକି ଥିବାରୁ ଅନ୍ଧାରି ବିଜେ କରି ଧରପଗଡ଼ କରିବାର ଯଥାର୍ଥତା ନାହିଁ। କିନ୍ତୁ ଯେଉଁ ଜିଲ୍ଲାରେ ନିର୍ଦ୍ଦିଷ୍ଟ ଭାବେ ଧାନ ପଡ଼ିରହିଛି ସେଥିପାଇଁ ସମ୍ପୃକ୍ତ ନିର୍ବାଚନମଣ୍ଡଳୀ ସଦସ୍ୟ ତାଙ୍କ ଦୃଷ୍ଟିକୁ ଆଣିଲେ ସେ ପଦକ୍ଷେପ ନେବେ। ବିଜେଡି ସରକାର ସମୟରେ ଚାଷୀ ଓ ଧାନକିଣାରେ ସ୍ବଚ୍ଛତା ଥିବା ଦର୍ଶାଇ ମନ୍ତ୍ରୀ କହିଥିଲେ, କଂଗ୍ରେସ କରିଥିଲା ଶୋଷଣ, ବିଜେପିର ଭାଷଣ ଓ ଏବେ ନବୀନ କଲେ ନିର୍ବାଣ। ମନ୍ତ୍ରୀଙ୍କ ଉତ୍ତର ପରେ ରବି ଧାନର ଅଭାବୀ ବିକ୍ରି ନେଇ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବଟି କାଟ ଖାଇଥିଲା।

ସମ୍ବନ୍ଧିତ ଖବର